Latest Odisha News

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟ ଖୋଲାଯିବା ପ୍ରସଙ୍ଗକୁ ନେଇ ଜାରି ହେଲା ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତଦନ୍ତ ଆଧରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ସହ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା । ହେଲେ ଗତ ୩ ଦିନ ହେବ ଅନ୍ଧାରମୟ ହୋଇଯାଇଛି ଶ୍ରୀମନ୍ଦିର ପରିସର । ମନ୍ଦିର ଚାରିପାର୍ଶ୍ୱରେ ଫୋକସ୍ ପାଇଁ ଅନେକ ଲେଜର ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ବଡ ବଡ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ର ଉପରେ ପଡ଼ୁଥିଲା । ଯାହା ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା । ଘନ ଅନ୍ଧକାରରେ ବି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ପୂରା ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ।ହେଲେ ଏବେ ଏହା ଖୋଲା ଯିବା ପରେ ଅନ୍ଧକାରମୟ ହୋଇଯାଇଛି ପରିସର । ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତ ସମସ୍ତେ ଅସନ୍ତୋଷ ପରିପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଲାଇଟ ସ୍ଥାୟୀ ଭାବରେ ନ ଲଗାଯାଇ ଭଡାରେ ଲଗାଯାଇଥିଲା । ଏହାକୁ ଲଗାଇଥିବା ଠିକାଦାର ଜଣଙ୍କ ସରକାର ପରିବର୍ତ୍ତନ ହେବା ପରେ ବିନା ନୋଟିସ୍ ରେ ମନ୍ଦିର ପରିସରରୁ ଲାଇଟ ଖୋଲି ନେଇଯାଇଛନ୍ତି । ତେବେ କାହିଁକି ଓ କାହାର ପରାମର୍ଶରେ ଲାଇଟ ଖୋଲା ଯାଇଛି ବୋଲି ପ୍ରଶ୍ନ କରି ଏହାର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

Comments are closed.