Latest Odisha News

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ । ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ ୧୨ଟାରେ ମଙ୍ଗଳ ଆଳତି, ୨ଟାରେ ଭୋଗ ଲାଗି ଓ ପହଣ୍ଡି ପରେ ୩ଟା ସମୟରେ ହେବ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦି ଦାୟିତ୍ୱ ବିଏମସି ନେଇଛି । ସୁରକ୍ଷା ଦାୟିତ୍ବରେ ବ୍ୟାପକ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଚୈତ୍ର ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସେ ଦିନ ବଲ୍ଲଭ ଧୂପ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୋଳଗୋବିନ୍ଦ ଓ ଦେବୀ ଭୁବନେଶ୍ବରୀ ମୁଖ୍ୟ ମନ୍ଦିରରେ ମହାପ୍ରଭୁଙ୍କ ଭେଟ ଆଳତୀ ପରେ ଆଜ୍ଞାମାଳ ନେଇ ପହଣ୍ଡି ବିଜେ କରନ୍ତି । ନାଟମଣ୍ଡପର ଦକ୍ଷିଣ ଦ୍ବାରଠାରେ ବିଭିଷଣ ଆଳତୀ ପରେ ବିଗ୍ରହ ତ୍ରୟ ଗୋଟିଏ ଥର ମନ୍ଦିର ପରିକ୍ରମା କରନ୍ତି । ବାଇଶ ପାହାଚରୁ ଓହ୍ଲାଇବା ପରେ ସିଦ୍ଧି ବିନାୟକ ସମ୍ମୁଖରେ ମହାପ୍ରଭୁଙ୍କ ପକ୍ଷରୁ ନଡ଼ିଆ ଭଙ୍ଗା ଯାଇଥାଏ । ଘଣ୍ଟା, ଘଣ୍ଟ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ପହଣ୍ଡି ବିଜେ କରି ରଥଖଳାରେ ପହଞ୍ଚିବା ପରେ ମହାପ୍ରଭୁ ତିନି ଥର ରଥ ପରିକ୍ରମା କରିଥାନ୍ତି । ତତ୍ପରେ ଚାରମାଳ ଆରୋହଣ କରି ରଥ ଉପରେ ପୁଣି ତିନି ଥର ପରିକ୍ରମା କରି ସିହାଂସନରେ ଉପବେଶନ କରନ୍ତି । ପରେ ପରେ ଠାକୁରମାନଙ୍କୁ ଫୁଲ ଟାହିଆ ଲାଗି କରାଯାଇଥାଏ ।

ପରେ ଚାରି ଚକ ପୂଜା, ଘୋଡା ପୂଜା, ଦିଗପାଳଙ୍କୁ ପୂଜା, ପରେ ରଥରେ ମହାପାତ୍ର ଉପାଧିଧାରୀ ବ୍ରାହ୍ମଣ ସେବାୟତମାନଙ୍କ ଦ୍ବାରା ଚନ୍ଦନ ଛେରା ପକାଯାଇଥାଏ । ଏଠାରେ କିନ୍ତୁ ପହଁରାର ବିଧି ନାହିଁ । ଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ମଠ ଓ ଗୋପାଳବଲ୍ଲଭ ମଠ ପକ୍ଷରୁ ମହାପ୍ରଭୁଙ୍କ ପଂକ୍ତି ଭୋଗ ଅର୍ପଣ କରାଯାଇଥାଏ । ଲିଙ୍ଗରାଜ ମହାପ୍ରଭୁଙ୍କର ଏହି ଯାତ୍ରା ପଞ୍ଚଦିନାତ୍ମକ । ଚୈତ୍ର ଶୁକ୍ଲ ଦ୍ବାଦଶୀରେ ମହାପ୍ରଭୁ ବାହୁଡା ବିଜେ କରିଥାନ୍ତି ।

Leave A Reply

Your email address will not be published.