Latest Odisha News

BREAKING NEWS

ଶରୀରରୁ ଚର୍ବି କାଢ଼ିବାର ନୂତନ ପଦ୍ଧତି: ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ

ଭୁବନେଶ୍ୱର : ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ସମ୍ମମ୍‌ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ନୂତନ ପଦ୍ଧତିରେ ପାୱାର ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ କରାଯାଇଛି । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଫେସର ଡଃ ଜୟନ୍ତ କୁମାର ଦାସ ଏହି ନୂତନ ପଦ୍ଧତିରେ ସର୍ଜରୀ କରିଛନ୍ତି ।

ପୁରୀ ଅଂଚଳର ଜଣେ ଯୁବକଙ୍କର ଏହି ଅସ୍ତ୍ରୋପଚାର କରାଯାଇ ତାଙ୍କ ଶରୀରରେ ଥିବା ଏକ ଲିଟର ଅତ୍ୟଧିକ ଚର୍ବି କଢ଼ାଯାଇଛି । ଦୀର୍ଘ ଦେଢ଼ ଘଂଟା ଧରି ଏହି ସର୍ଜରୀ କରାଯାଇଥିବା ବେଳେ ଯୁବକ ଜଣକ ସୁସ୍ଥ ଥିବା ଡଃ ଦାସ କହିଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ପଦ୍ଧତି ପ୍ରୟୋଗ କରାଯାଇ ଖୁବ୍ କମ୍ ମୂଲ୍ୟରେ ଏହା ସଫଳ ହୋଇପାରିଛି ବୋଲି ସେ କହିଛନ୍ତି ।
ମଣିଷ ଶରୀରର ହାତ, ଛାତି, ତଳିପେଟ, ଜଙ୍ଘ ଏବଂ ପଛ ଭାଗରେ ଅଧିକ ଚର୍ବି ରହିଥାଏ । ଯାହାକି ମଣିଷର ଶରୀରକୁ ଅସୁନ୍ଦର କରିଥାଏ । ତେଣୁ ଏହି ପଦ୍ଧତିରେ ଚର୍ମ ତଳେ ଅସ୍ତ୍ରୋପଚାର କରାଯାଇ ଅତ୍ୟଧିକ ଚର୍ବିକୁ କଢ଼ାଯାଇଥାଏ । ତେବେ ଏହି ପଦ୍ଧତି ଦ୍ୱାରା ମଣିଷ ଶରୀରର ଆକାରରେ ପରିବର୍ତନ ହୋଇଥାଏ । ଏହାଦ୍ୱାରା ଓଜନ କମିଯାଏ ବୋଲି ଯେଉଁ ଧାରଣା ରହିଛି ତାହା ଭୁଲ ବୋଲି କହିଛନ୍ତି ଡଃ ଦାସ ।

ମୁଖ୍ୟତଃ ପୁରୁଷମାନଙ୍କ କ୍ଷେତ୍ରରେ ଗାଏନାକୋମାଷ୍ଟିଆ ଲକ୍ଷଣ ଦେଖାଦେଇଥାଏ । ପୁରୁଷଙ୍କ ଶରୀରର ବକ୍ଷସ୍ଥଳରେ ଅଧିକ ଚର୍ବି ହେବା ଫଳରେ ପୁରୁଷମାନେ ସଙ୍କୋଚ ଅନୁଭବ କରିଥାନ୍ତି । ତେଣୁ ଏହି ଅତ୍ୟାଧୁନିକ ସର୍ଜରୀ ସେମାନଙ୍କ କ୍ଷେତ୍ରରେ ଲାଭପ୍ରଦ ହୋଇପାରିବ ବୋଲି ଡଃ ଦାସ କହିଛନ୍ତି । ଏହାଦ୍ୱାରା ଶରୀରରେ କୌଣସି ଦାଗ ମଧ୍ୟ ରହେ ନାହିଁ । ୧୮ ରୁ ୫୦ ବର୍ଷର ପୁରୁଷମାନେ ଏହି ସର୍ଜରୀ କରିପାରିବେ । ଜଣକ ଶରୀରରୁ ଅତିମାତ୍ରାରେ ୧୦ ଲିଟର ଚର୍ବି କଢ଼ାଯାଇପାରିବ ବୋଲି ଡଃ ଦାସ କହିଛନ୍ତି ।

Leave A Reply

Your email address will not be published.