ଦେଶର ସର୍ବାଧିକ ୧୦୦ଟି ଦୁର୍ଘଟଣାପ୍ରବଣ ଜିଲ୍ଲାର ତାଲିକା ପ୍ରକାଶ, ଜାଣନ୍ତୁ କେତେ ନମ୍ବରରେ ରହିଛି ଓଡିଶାର କେଉଁ ଜିଲ୍ଲା…
ଭୁବନେଶ୍ବର: ଦେଶର ସର୍ବାଧିକ ୧୦୦ଟି ଦୁର୍ଘଟଣାପ୍ରବଣ ଜିଲ୍ଲାର ତାଲିକା ପ୍ରକାଶ ପାଇଛି । ଗଲା ତିନି ବର୍ଷର ସଡ଼କ ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ ପରେ ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ୮୪ ନମ୍ବର ସ୍ଥାନରେ ଅଛି । ଏହାପରକୁ ୯୦ତମ ସ୍ଥାନରେ ରହିଛି ଗଞ୍ଜାମ ।
ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୪ରେ ସୁନ୍ଦରଗଡ଼ ଜିଲ୍ଲାରେ ୯୦୨ଟି ସଡ଼କ ଦୁର୍ଘଟଣା ଘଟି ୫୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭୦୧ ଜଣ ଆହତ ହୋଇଥିଲେ । ସେହି ବର୍ଷ ଗଞ୍ଜାମ ଜିଲ୍ଲାରେ ଘଟିଥିଲା ୮୨୦ଟି ସଡ଼କ ଦୁର୍ଘଟଣା । ଏଥିରେ ୩୯୨ ଜଣ ପ୍ରାଣ ହରାଇଥିବାବେଳେ ୭୧୦ ଜଣ ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟାର ୬୦ ପ୍ରତିଶତ ବାଇକ୍ ଦୁର୍ଘଟଣା ଯୋଗୁଁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା, ମୃତ୍ୟୁସଂଖ୍ୟା, ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ ଏକ ଘରୋଇ ପ୍ରତିଷ୍ଠାନକୁ ନିଯୁକ୍ତ କରିଥିଲା । ଏହି ସଂସ୍ଥା ବର୍ଷ ୨୦୨୪ରେ ସମଗ୍ର ଦେଶର ଦୁର୍ଘଟଣା ସମ୍ପର୍କରେ ସର୍ବେକ୍ଷଣ କରି ରାଜପଥ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି ।
ଓଡ଼ିଶାର ସଡ଼କ ଦୁର୍ଘଟଣାପ୍ରବଣ ଏହି ଦୁଇ ଅଧିକ ବିପଦପୂର୍ଣ୍ଣ ଜିଲାରେ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ଦିଗରେ ଜାତୀୟ ରାଜପଥ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।