Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ 

ଟୁନିଅପାର ଝିଅମାନେ ସ୍ମାର୍ଟ ଆବଶ୍ୟକତା ଠାରୁ ଅଧିକ । ତାଙ୍କ ଚଳଣି, ଚାକଚକ୍ୟ, ଡ଼୍ରେସପଟାରେ ନିଗୁ ଅଭିଭୂତ ହୋଇପଡ଼ୁଥିଲା । ସେଇମାନଙ୍କ ମେଳରେ ସେ ନିଜକୁ ଖୁବ୍ ହୀନବୋଧ କରୁଥିଲା । ଯେମିତି ଟୁନିଦେଇ ଘରେ ପହଞ୍ôଚ ଖୁବ୍‌ଗୋଟେ ବଡ଼ ଭୁଲ୍ କରିପକାଇଛି । ତା’ର ବ୍ୟାଗଟାକୁ ଦେଖି ଟୁନିଦେଇ ମୁହଁକୁ ଆମ୍ବିଳା କଲାପରି ପଚାରିଲା – – ତୁ କ’ଣ ଏଡ଼େ ବ୍ୟାଗ୍‌ଟେ ଧରି ଆସିଚୁ?? କ’ଣ ପୁରା ଏଠି ରହିବୁନା କ’ଣ?? ମୋ’ର ବାବା ଦେହ ଖରାପ, ତୋ ଖବର ବୁଝିବ କିଏ? ଟୁନିଦେଇ ପ୍ରତିଉତ୍ତର ଆଶା କି ଅପେକ୍ଷା କରୁନଥିଲା ତା’ଠାରୁ । ନିଟୁର କଣ୍ଠ ଗମ୍ଭୀର ହୋଇ ଆସିଲା, ଓଠରୁ ଭାଷା ହଜିଗଲା ଏଇ ନିଷ୍ଠୁର ସତ୍ୟକୁ ଶୁଣିବା ମାତ୍ରେ… । ନିରୁତା ଚୁପ୍ ରହିଲା ନିଗୁ । ତା’ର ଇଚ୍ଛା ହେଲା ତା’ ବ୍ୟାଗକୁ ହଟାଇ ସେ ବାହାରିପଳାଇବ ଏଇକ୍ଷଣି । ଭୁଲ୍‌ରେ ପଳାଇ ଆସିଥିଲି କହି
ବାହାରିଯିବ କି?? ବାଟ ଭୁଲି ଯାଇଥିଲି, ଭୁଲ୍ ଠିକଣାରେ ଆସିଛି… ମାତ୍ର କିଛି କହିପାରିଲା ନାହିଁ । ତା’ ପାଖରେ ସାହସ ଅଣ୍ଟିଲା ନାହିଁ ।

ତା’ ପାଖରେ ପଇସା ନଥିଲା । ଟୁନିଦେଇ ଶୁଣାଇଦେଲା ତା’ର ଶେଷ ନିଷ୍ପତ୍ତି

– ପରୀକ୍ଷା ପରେ ଅନ୍ୟଆଡ଼େ ବ୍ୟବସ୍ଥା କରିବୁ, ନଇଲେ ଗାଁକୁ ଫେରିଯିବୁ…

– ‘ହଁ’ କହିଲା ବେଳକୁ ଅସହାୟତାରେ ମ୍ରିୟମାଣ ହୋଇଯାଇ ଥିବା ନିଗୁ ଆଖିରେ ଲୁହ ଜକେଇ ଆସିଲା ।
ବାପାଙ୍କ ଅଣ୍ଟା ଯନ୍ତ୍ରଣା-, ଘର ଅବସ୍ଥା, ଭଉଣୀ ବଡ଼ହେବା, ବୋଉର ପେଟରୋଗ, ଭବିଷ୍ୟତର ଚିନ୍ତା ନେଇ ପାଦ କାଢ଼ି ଆସିଥିବା ଈଶ୍ୱର ପଛକୁ ଫେରିବନି… । ଆସିଲା ବେଳେ ବାପାଙ୍କର ପଦେ କଥା –

– ଡରିବୁନି, ପୁରୁଷ ପୁଅର କାନ୍ଧ ଥିବାଯାଏ ଭୟ କ’ଣ?? ନିହାତି ଅସୁବିଧା ହେଲେ ଚିଠି ଲେଖିବୁ!!”
ବୋଉ!! ଗାଁ ସବୁ ମନେପଡ଼ିଗଲା । ବୋଉ ନସରପସର ହୋଇ ଜାଳ ଉଠାଇ ସଙ୍ଗାରେ ରଖୁଥିବ ପାଳିପାଇଁ । ଭାଡ଼ିରେ ଘସି ସାଇତା ହୋଇ ରହୁଥିବ ପଲ୍ଲା ଓ ତାଳ ଖପଡ଼ା ସହ । ସାହାଯ୍ୟ କରୁଥିବ ସୀପ୍ରା । ହୁଏତ ମନେପକାଉଥିବ, ତା’ପରି ।

ସୀପ୍ରା ଜାଣେ ଭାଇ ଅଭିମାନୀ, ସେ ମାଗିପାରିବନି କିଛି । ଥରେ ଭାତ ଖାଇସାରି ମାଗେନି ଦ୍ୱିତୀୟଥର ଯାଚିନଦେଲେ । ସେଦିନ ସେ କାନ୍ଦୁଥିଲା ନିରବରେ । ବୋଉ ବିରାଟ ବଡ଼ ଭୁରୁଡ଼ିରେ, ତା\’ର ଆଖିର ନିଆଁରେ ସେ ସ୍ତବ୍ଧ ଥିଲା । ସେ ବୋଉ ପଛପଟେ ରହିଯାଇଥିଲା ।

ଟୁନିଦେଇ ଘର କାମବାଲି ତା’ର ବ୍ୟାଗଖଣ୍ଡକୁ ଉଠାଇ ନେଲା ବେଳେ ଓଠ ଚିପି ହସିଥିଲା । ସେମାନଙ୍କ ପାଇଁ ସେ ହସର ଖୋରାକ ଥିଲା ବେଶ୍‌ କେଇ ଦଣ୍ଡଯାଏ । ସେ ଓ ତା’ର ବ୍ୟାଗ କେଇ ଘଣ୍ଟା ଯାଏ ଅପରିତ୍ୟକ୍ତ ଭାବେ ପଡ଼ି ରହିଲେ ଦାଣ୍ଡଘର ଖଟ ଉପରେ ପରେ ତାଙ୍କ ଗ୍ୟାରେଜ୍ ଘର ପାଖ ରୁମ୍‌ରେ ନିଗୁ ଶୋଇଥିଲା ରାତିରେ ।
ଟୁନିଦେଇର ଝିଅ ପୁଅପରି ପ୍ୟାଣ୍ଟସାର୍ଟ ପିନ୍ଧୁଥିଲେ । ପୁଅଙ୍କ ପରି ବସୁଥିଲେ, ହସୁଥିଲେ । ନିଗୁ ଲାଜେଇ ଯାଉଥିଲା । ତାଙ୍କ ଦାଣ୍ଡ ଅଗଣାରେ ଲାଗିଥିଲା ପୁଳାଏ ବାଲିଗରଡ଼ା ଭିତରେ ପାଣିର ଝରଣାଟିଏ କୃତିମ ଭାବେ । ତା’ ଚାରିକଡ଼େ ଗୋଲାପର ବଗିଚା । ତା\’ ଗାଁରେ ଏତେ ରକମର କେତେବଡ଼ ଗୋଲାପ ଦେଖିନଥିଲା । ଲନ୍ ଥିଲା, ତା’ କଡ଼ରେ ଥିଲା କାକ୍‌ଟସ୍ ଗଛ, ଯାହା ଅଣାଯାଉଥିଲା ଆସାମରୁ ଯାହା ବର୍ଣ୍ଣନା କରୁଥିଲା ଟୁନିଦେଇ ତାକୁ ବୁଲାଇ ବୁଲାଇ ସବୁ ଦେଖାଇବା ବେଳେ ।

ତା’ ଘର ଚାରିପଟରେ ଥିଲା ।ର କିଚେନ୍ ଗାର୍ଡ଼େନ୍‌… । କେଉଠି କାକୁଡ଼ିତ କଲରା, କେଉଠି ଜହ୍ନିତ ବାଇଗଣ… ସବୁ ପ୍ରକାର ଗଛଥିଲା ମାତ୍ର ଏମିତିଢଙ୍ଗରେ ଥିଲା ଦେଖିଲେ ଲୋଭ ଆସୁଥିଲା । ଆପଣାର ଗୌରବ ବର୍ଣ୍ଣନା କରୁଥିଲା ଟୁନିଅପା, ନିଜର ବଗିଚା, ଘର, ଆସବାପ ପତ୍ର ଓ ଅନେକ ହୋଟେଲ୍‌ର ଖାଇବା ଚିଜ କଥା । ସ୍ୱାଦକଥା
ମନେପକାଇ । ନିରିହ ଶ୍ରୋତା ପରି ମୁଣ୍ଡ ଟୁଙ୍ଗାରି ଶୁଣୁଥାଏ ନିଗୁ ।

ଥକ୍କା ଓ ଭୋକରେ ଆଖି ପତା ପଡ଼ି ଆସୁଥିବା ନିଗୁକୁ ଦୟା କରୁଥିଲା ଯେମିତି ତା’ର ବଡ଼ଝିଅ । ତା’ ପାଖରେ କେଉଁଠି ଗୋଟେ କୋମଳ ହୃଦୟଟେ ଥିଲା, ଅପରିଚିତ ଏଇ ନିରିହ ପିଲାଟି ପ୍ରତି । ସେ ତା’ର ଶୋଇବା ବ୍ୟବସ୍ଥା କରାଇବା ସହ ଖାଇବାକୁ ଦେଇଥିଲା । ନିଗୁ ଯେ ଖୁବ୍ ଭଲ ଛାତ୍ର ଏଇ ଆବିଷ୍କାର ତା’ ମାଧ୍ୟମରେ ଟୁନିଅପା କରିଥିଲା । ଏବଂ ତାକୁ ଆଉ ବିଦାନ କରି ରହିବାର ବ୍ୟବସ୍ଥା ତାଙ୍କ ଘରେ କରାଇ ଦେଲା ।

ଈଶ୍ୱରକୁ ଭୟ, ଆଶଙ୍କା, ଅସହାୟତା ଓ ନିର୍ମମ ଭାଗ୍ୟର ଖେଳ ଉପରେ ଅନେକ ପ୍ରଶ୍ନ ଆସୁଥିଲା । ସେ ଭାବୁଥିଲା ଜୀବନରେ ତା’ର କାହାର ଆବଶ୍ୟକତା ଥିଲା?? ତାକୁ କିଏ ଖୋଜୁଥିଲା ନା ସେ ଜୀବନକୁ ଖୋଜୁଥିଲା… । ଏ ପ୍ରଶ୍ନ ଅସମାହିତ ଥିଲା…

ସୁଖ ଏବଂ ଦୁଃଖ ସବୁ ଆପେକ୍ଷିକ । ମନର ଏକ ଅବସ୍ଥା ମାତ୍ର । ସୁଖ କେବେ ଏତେ ସହଜରେ ମିଳେ କି? ନା ଦୁଃଖ ସହଜରେ ଯାଏ… । ମଣିଷ ଏଇ ସୁଖ ଟିକକ ଯାହା ତାକୁ ଅମୃତ ତୁଲ୍ୟ ମନେହୁଏ, ପାଇବା ପାଇଁ ସେ କେତେ ଅଣନିଶ୍ୱାସୀ ହୋଇ ଦୌଡ଼ୁଥାଏ । ମାତ୍ର ଏସୁଖର ରଂଗ ସତରେ କ’ଣ? ସୁନା, ଟଙ୍କା, ଯଶ, ଘର, ପ୍ରତିପତ୍ତି… ଅହଂକାର… ଏସବୁତ ମଣିଷ ମନର ଛୋଟ ଛୋଟ ଆଶା ଓ ଆକାଂକ୍ଷା । ଯାହା ମହକରେ ମଣିଷ ପାଗଳ ହୋଇଯାଏ । ଏଇ ସୁଖର ମୂଲତଉଲ କରୁ କରୁ ଦିଅଣା ସୁଖବଦଳରେ ମନପାଏ ବାଇଶିଅଣା ଦୁଖ, ଯାହା ଝରାବେଦନାରେ ମଣିଷ ଝୁରିହୁଏ । ଝର ଝର ହୋଇ ଝରିଯାଏ ଲୁଣହାଣ୍ଡିରେ ଆମ୍ବୁଲ ଜରିଲା ପରି ଜରିଯାଏ ଦୁଃଖରେ ।
ମାଓଲି ଠିଆହେଲା ଅଗଣାରେ । ପୁଳାଏ ଘରଚଟିଆ କିଚିରିମିଚିରି ଶବ୍ଦ କରୁଥିଲେ ସଦାବିହାରୀ ଗଛମୂଳେ । ଛୋଟ ଶାଗପଟାଳିର କୁନି ଟଗର ଗଛଟେ ତା’ କଡ଼କୁ ବାରମାସୀ କଟକୀଗେଣ୍ଡୁ । କେଇଦିନ ତଳେ ଆଣିଥିବା ଗୋଲାପର ଡାହିରୁ ବାହାରିଛି ପତ୍ର ଓ କଢ଼ । ଅପେକ୍ଷା କେବେ ଫୁଟିବ ଫୁଲ । ଆଗରେ ଦୀର୍ଘ ପଡ଼ିଆ ସବୁଜିମା ଓ ଧୂସର ବର୍ଣ୍ଣ ମଧ୍ୟ ପାହାଡ଼ ପରି ପୁଳାଏ ଗୋଡ଼ିମାଟି ପଡ଼ିଛି ଯେମିତି ଯୁଗରୁ ଯୁଗକୁ ।

ଏକା ହୋଇଗଲେ ମାଓଲି ଅଲଗା ହୋଇଯାଏ, ତା\’ ଭିତରେ ଆବୁରୁଜାବୁରୁ ଅନେକ କଥା ସବାର କରିଯାଏ । ସେ ଅନେକ କଥା ଭାବେ ଭାବନା ତା’ର ସରେ ନାହିଁ । ଭାବନା କହିବ ବା କାହାକୁ । ଭାବନା ବୁଝିବାକୁ କେହି ନଥାଏ । ପୁଳାଏ ଅନ୍ଧାର, ଅସ୍ପଷ୍ଟ ଆର୍ତ୍ତନାଦ ।

ଏମିତି ମନଟେ ନେଇ ବଞ୍ଚୁଥାଏ, ଯାହା ତାକୁ ଅନେକ ଯନ୍ତ୍ରଣା ଦେଉଥାଏ । ଜୀବନ ପ୍ରଭାବହୀନ ଯନ୍ତ୍ରଣାଟେ ପରି ତମାମ ଜୀବନ ଅଣାୟତ୍ତ କରୁଥାଏ । ମାତ୍ର ଆଖି କୋଣରେ ଛୋଟ ସ୍ୱପ୍ନଟାଏ ଉଙ୍କି ମାରୁଥାଏ ବାଦଲ ଭିତରେ ସୂର୍ଯ୍ୟ ଉଙ୍କି ମାରିବା ପରେ । କାରଣହୀନ ଭାବେ କାରଣ ଖୋଜୁଥାଏ। କାରଣ ଖୋଜି ଖୋଜି ଥକିପଡ଼ୁଥାଏ ମାତ୍ର କାରଣହୀନତାର ଶିକାର ହୋଇ ନିଜପାଖରେ ବାରବାର ମାଓଲି ବନ୍ଧା ପଡ଼ୁଥାଏ ।

ଶବ୍ଦମାନେ ବିଭାଜିତ ହେଉଥିଲେ ଆଖି କୋଣରେ । ଅପସରି ଯାଉଥିଲେ ସଂପର୍କହୀନ ପରି । ଅବୁଝା କ୍ଷେତ୍ର ଭିତରେ ମାଓଲି ହନ୍ତସନ୍ତ ହୋଇଯାଉଥିଲା ବୁଝାଇ ଦେବାଲାଗି, କି ବୁଝାଇ ନେବାଲାଗି ନିଜ ପାଇଁ ନିଜେ ଜାଣିପାରୁନଥିଲା ।
ସେ ଯୁଦ୍ଧ କରୁଥିଲା, ନିଜ ଅନୁଭବମାନଙ୍କ ଅନ୍ତରଙ୍ଗତାକୁ ବୁଝିବାକୁ । କ’ଣ ବୁଝିବାକୁ ଚାହେଁ?? କ’ଣ କହିବାକୁ ଚାହେଁ?? କ’ଣ ପାଇବାକୁ ଚାହେଁ?? ଅନେକ ବାକିଥିବା କଥା । ବାକିଥିବା ବ୍ୟଥା ଥିଲା… ମାଓଲି ଖୋଜୁଥିଲା । ଖୋଜିଲା ଆଖିରେ ଅନେଇ ଥିଲା ଆକାଶକୁ । ଆକାଶର ନିବିଡ଼ତାକୁ ମାପୁ ଥିଲା… ନିଜର ଉଡ଼ାଣ ବାକି ଥିଲା ।
ପାର୍ବଣର ପର୍ବରେ ଆକାଶ ରଙ୍ଗୀନ । ମନ ମଧ୍ୟ… ପୂଜା ସରିଗଲାଣି ।

ପୁତୁରା, ଝିଆରୀ, ଭଉଣୀ ପାଇଁ ଅନେକ କଣ୍ଢେଇ କିଣିଛି ସେ ପୂଜାରେ । ଖେଳୁଛନ୍ତି ସେମାନେ ତାଙ୍କ ଖେଳନାରେ । ସେ ବ୍ୟସ୍ତ ହୋଇ ବାହାରୁଛି । ସନ୍ଧ୍ୟା ଆସୁଛି, ଆକାଶରେ ମେଞ୍ଚାଏ ରକ୍ତିମ ଅବିରବୋଳି ହୋଇ । ଦେବୀ ଦୁର୍ଗାଙ୍କର ଆଜି ଭସାଣି ମେଳା । ହାତରେ ବିଶେଷ କାମ ନାହିଁ । ଲାଇଟ୍ ମୁଣ୍ଡାଇବାକୁ ଏଇ ବେଳାରେ ମିଳିଯାଏ ତିନିଶରୁ ଚାରିଶ ଟଙ୍କା । ସେ କାଢ଼ିଲା ତା’ର ହଳଦୀ ରଙ୍ଗର ଶାଢ଼ୀ । ଯହିଁରେ ନାଲିରଂଗର ଜରି କାମ ହୋଇ ଲାଗେ ବେଶ୍ ସୁନ୍ଦର । ଯାହା ମାଓଲିର ସବୁଠାରୁ ପ୍ରିୟ ।

ମୁହଁରେ ପାଉଡ଼ର ଟିକେ ବୋଳିଲା ହାଲ୍‌କା କରି । ମଥାରେ ଖଇରି ରଙ୍ଗର ବିନ୍ଦି । ଖାସ୍ ସୁନ୍ଦର ନହେଲେ ମଧ୍ୟ ନିଜକୁ ଭଲପାଏ ସେ । ଦର୍ପଣ ଆଗରେ ନିଜର ଶାଢ଼ୀର କାନିକୁ ସଜାଡ଼ୁ ସଜାଡ଼ୁ କହିଲା – ବାଃ ସୁନ୍ଦରତ ଲାଗୁଚୁ… । ମୁଣ୍ଡରେ ଗୋଛାଏ ତା’ର କେଶ । ଜୁଡ଼ାଟେ ପାରିଲା, ସେ ଚାରିପଟେ ଖୋସିଦେଲା ପ୍ଲାଷ୍ଟିକ୍‌ର ଧଳାଫୁଲ ମାଳଟିଏ ।
ତାଙ୍କ ବସ୍ତିରୁ ପ୍ରାୟ ଆଠଦଶ ଜଣ ଥିଲେ ଏଇ ଲାଇଟ୍ ମୁଣ୍ଡାଇ ଯିବାକୁ । ସଭିଏଁ ଉଠିଲେ ଅଟୋରେ ଖୁନ୍ଦାଖୁନ୍ଦି ହୋଇ ସେମାନେ ଦେବୀଗଡ଼ା ଯାଏ ଚାଲିବେ । ତେଣୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥାନ ଯାଏ ନିଜର ସାମାନ ସହ ଲାଇଟ୍ ହାଉସ୍ ଲୋକ ତାଙ୍କୁ ନେବାର ବ୍ୟବସ୍ଥା କରିଥିଲେ ।

ଥଣ୍ଡାଥଣ୍ଡା ପବନରେ ଆଖି ମୁଦି ହୋଇ ଆସୁଥିଲା ମାଓଲିର ଅନ୍ୟ ମାନେ ଖିଲିଖିଲି ହସି ଉଠୁଥିଲେ ଥଟ୍ଟାମଜ୍ଜା ହୋଇ । ମାଓଲି ସ୍ୱପ୍ନ ଦେଖୁଥିଲା । ତା’ର ବାହାଘର ହେଉଛି, ତା’ର ବର ବାଣବାଜା ଫୁଟାଇ ଆସୁଛି ତା’ର ଘରକୁ… ଠୋ’ କରି କ’ଣ ଫୁଟିଲା… ଓଃ!! ବାଣ ସତରେ ଫୁଟୁଥିଲା… ତା’ର ସ୍ୱପ୍ନ ଭାଙ୍ଗିଗଲା । ମାଓଲି ଓଠରେ ଲଗାଇଥିବା ଲିପିଷ୍ଟିକ୍ କଥା ଭୁଲି ଯାଇଥିଲା । ଜିଭକୁ ବୁଲାଇ ଆଣିଲା ନିଜ ଓଠ ଉପରେ । ଗୋଟେ ମୋଟା ବହଳେ ରଂଗ
ତା’ର ଜିଭରେ ଥିଲା ଏଥର । ସେ ଥୁ ଥୁ କରି ଛେପ ଫିଙ୍ଗିଲା ବାହାରକୁ ।

ସେମାନେ ଓହ୍ଲାଇଥିଲେ ମଣିସାହୁ ଛକରେ । ସେଇଠୁ ସାମିଲ ହୋଇଥିଲେ ତାଙ୍କ ଦେବୀ ଯାତ୍ରାରେ । ଅପରୂପା ମା’ଦୁର୍ଗା ଫେରିଯାଇଥିଲେ ମର୍ତ୍ତ୍ୟରୁ ସ୍ୱର୍ଗ । ବିସର୍ଜନ ପର୍ବ… ବାଜା, ଗୀତ, ସହ ପିଲାମାନଙ୍କର ଉତ୍ସାହ, ଆନନ୍ଦ, ଖୁସି ପର୍ବ ପାଳନର ମଜାକୁ ଦ୍ୱିଗୁଣିତ କରିଦେଉଥିଲା, ଆଲୁଅର ମାଳା ଭିତରେ ଶୋଭାଯାତ୍ରା ବେଶ୍ ଚମତ୍କାର ଚଳଚ୍ଚିତ୍ର ଠାରୁ କମ୍ ମଧ୍ୟ ନଥିଲା । ବୈଜୟନ୍ତୀ ମାଓଲିକୁ ଠେଲି ଦେଲା ଖୁଆରେ, ପାଖକୁ ଲାଗିଆସି କାନପାଖରେ ଫିସ୍ ଫିସ୍‌
କରି କହିଲା – “ଏଇ ଦେଖେ ସେ ଟୋକାକୁ… କେମିତି ଅନେଇଛି ତତେ??”

– “କିଏ ବା!!” ସାମାନ୍ୟ ଚକିତ ହୋଇ ଅନେଇଲା ଚାରିଆଡ଼କୁ ।
– “ସେ ପିଲାଟା, ଯେ ଗୀତ ଗାଉଛି… । ସବୁ ଗୀତ ଆଜି ତୋ’ ପାଇଁ… ସବୁ ଗୀତରେ ତୋରି ନା’… ଇସ୍‌… ଟିକେ ଚିଗୁଲେଇ କହିଲା ବୈଜୟନ୍ତି ।

ମାଓଲି ମୁହଁ ମୋଡ଼ିଦେଲା । ବାପାମା ମଲାଦିନଠାରୁ ତାକୁ ଆଡ଼ ଆଖିରେ କେହି ଦେଖେନାହିଁ । ସେଠି ନିରୁତା ସ୍ୱପ୍ନ କାହିଁ?? ନିଜପାଇଁ ନିଜେ ସ୍ୱପ୍ନ ଦେଖେ । ଭାବପ୍ରବଣ ହୋଇ କଳ୍ପନାରେ ଘର ତୋଳେ… ଗାଳି ଅପମାନରେ ପୋତିହୋଇ ପଡ଼ୁଥିବା ହୃଦୟଟି ଆହତ ଅଭିମାନରେ ଗୁମୁରି ଗୁମୁରି କାନ୍ଦେ । ନିଜ ଗାଲକୁ ନିଜେ ରାମ୍ପୁଡ଼ି ଦିଏ । ରାତି ରାତି ଅନେକ ରାତି ଉପାସରେ କାଟେ । ଟିକେ ଖୁସି ପାଇବା ପାଇଁ ଅନେକ କଥାକୁ ଛାତିକୁ ନିଏ । ପାଏ କ’ଣ । ସୁଖ ବଦଳରେ ଦୁଃଖ, ଖୁସି ବଦଳରେ ପ୍ରତିବାଦ ଅପମାନ । ମରିକି ମଧ୍ୟ ଜୀଇଁଯିବାର ଆଗ୍ରହଟେ ବଳବତ୍ତ ରହେ ତା’ର ଭଉଣୀ ପାଇଁ, ନିଜପାଇଁ । ତା’ର ଅନ୍ତରାତ୍ମା ତାକୁ ସବୁ ଦୁଃଖ, କ୍ଷୋଭ, ଅପମାନ, ପ୍ରତ୍ୟାଖ୍ୟାନକୁ ଅତିକ୍ରମ
କରିବାର ସାମର୍ଥ ଦିଏ ।

Comments are closed.