ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
କେତେ ଝଡ଼ ଆସିଛି ଭାଙ୍ଗି ଦେଇଛି ତାଙ୍କ ସୁଖର ଛପର ଦିଆ କୁନିଘର । ଉଡ଼ାଇ ନିଏ ନଡ଼ାକୁଟା ପତ୍ର… । ଭାଙ୍ଗିଦିଏ ଡାଳ । ମନର ଝଡ଼ରେ ଭାଙ୍ଗେ ଛୋଟ ହୃଦୟ । ଚୁନାଚୁନା ହୋଇ ବିକ୍ଷିପ୍ତ ହୋଇଯାଏ ଦୁଃଖର ସମୁଦ୍ର ଭିତରେ । ସେଠି ହାତପାଏନା କି ଗୋଡ଼ ପାଏନା । ମାଟିଥାଏ ନା ଆକାଶ । ଥଳ ନା କୂଳ… ମଣିଷ ପାଲଟିଯାଏ ଅସହାୟ ସମୟର କୂଳରେ । ମାତ୍ର ଜୀବନ ବହିଯାଏ ଆପଣା ବାଟରେ । ଭାଗ୍ୟ କଡ଼ାଇ ନେଇଥିଲା ମାଓଲିକୁ ଈଶ୍ୱର ଆଡ଼କୁ ଆଜି । ଈଶ୍ୱରର ମନ ଆଜି ଖୁବ୍ ଚଞ୍ଚଳ ହୋଇଯାଇଥିଲା । ବୋଧହୁଏ ଏମିତି ଅନୁଭବଟେ କେବେ ମଧ୍ୟ ହୋଇନଥିଲା ତା’ର କାହାପାଇଁ । ତା’ର ଅସ୍ଥିର ମନ ବ୍ୟାକୁଳ ହୋଇଯାଉଥିଲା । ସେ ବାରବାର ନିଜର ସ୍ଥାନ ପରିବର୍ତ୍ତନ କରୁଥିଲା ଗୀତ ଗାଉ ଗାଉ ଗାଡ଼ି ଉପରେ । ଅନ୍ୟମାନଙ୍କର ବିରକ୍ତି କିମ୍ବା ଇସାରା କିଛି ମଧ୍ୟ ତାକୁ ଫରକ ପଡ଼ୁନଥିଲା ।
କଣ୍ଠ ଥରି ଉଠୁଥିଲା ଆବେଗରେ । ଆକୁଳତାରେ କଣ୍ଠ ଶୁଖି ଯାଉଥିଲା ଥରକୁଥର । ଦେବୀଗଡ଼ା ଯାଏ ସେ ଦେଖୁଥିଲା ନିଶ୍ଚଳ ନିରବ ଶ୍ୟାମଳୀ ସାଧାରଣରେ ମଧ୍ୟ ଅପରୂପା ଲାଗୁଥିବା ଝିଅଟିକୁ । ହଳଦୀ ଶାଢ଼ୀ, କପାଳରେ ଖଇରି ବିନ୍ଦି । ତା’ର ଜୁଡ଼ା ଆଉ ତା’ର ହସ, ତା’ର ଚାଲି ତା’ର ଲାଜ ଲାଜ, ଭୟ ମିଶା ନିରିହ ଚାହାଣି । ତାକୁ ଆଶକ୍ତି କରିପକାଇଥିଲା । ପ୍ରଥମ ଦେଖାରେ ଈଶ୍ୱର ଦେଖୁଥିଲା ଅତି ନିରିଖେଇ, ମୁହୂର୍ତ୍ତରୁ ମୁହୂର୍ତ୍ତ ଆହୁରି ଅନ୍ତରଂଗ ପାଲଟି ଯାଇଥିଲା ଯେମିତି । ତାକୁ ସେ ଦେବୀ ଦେବୀ ଲାଗିଥିଲା ।
ଶୋଭାଯାତ୍ରାରୁ ଫେରିବା ବେଳେ ଈଶ୍ୱର ଭାବପ୍ରବଣ ହୋଇ ପଡ଼ିଲା । ଲାଗିଲା ଯଦି ସେ ଆଜି ନକହିବ ହରାଇ ଦେବକି, ତାକୁ । ହୁଏତ ସେ ପାଇବ ନାହିଁ ତାକୁ… ଜାଣେନା ଠିକଣା କି ନାଁ… ଅପେକ୍ଷା କରିବାର ପ୍ରବଣତାରେ ନଥିଲା ଈଶ୍ୱର ।
ଗୋଟେ ଉଦ୍ବେଗ, ଉଚ୍ଛ୍ୱାସରେ ଗଦ୍ଗଦ୍ ହୋଇ ମାଓଲିର ନାରଙ୍ଗୀ ଚୁଡ଼ିଭର୍ତ୍ତି ଶ୍ୟାମଳ ହାତକୁ ଧରିପକାଇଲା ଈଶ୍ୱର । ପଚାରିଲା
– ତୁମ ନା’ କ’ଣ?? କେଉଠି ତୁମ ଘର??
ଅପେକ୍ଷାକୃତ ଭାବେ ଅନ୍ୟମାନଙ୍କ ଠାରୁ ଆଡ଼ ହୋଇଯାଉଥିବା ମାଓଲି ଚମକି ପଡ଼ିଲା ଚିଆଁ ଲାଗିଗଲା ପରି । ସେ ଚମକିପଡ଼ି ଘୁଞ୍ôଚଗଲା ଗୋଟେ ଗଛ କଡ଼କୁ । ହାତରୁ ଖସିପଡ଼ିଲା ତା’ର ଆଳୁଚପ୍, ବରା, ମିଠା ଥିବା ପ୍ୟାକେଟ୍ଭର୍ତ୍ତି ଜଳଖିଆତକ । ଈଶ୍ୱର ତଳୁ ଉଠାଇଥିଲା ପ୍ୟାକେଟ୍ଟା, କହିଲା –
“ଭାଗ୍ୟଭଲ ଖୋଲିଯାଇନି…”
ଲୁହପୂର୍ଣ୍ଣ ଆଖିରେ ମାଓଲି ଓଲଟା ପ୍ରଶ୍ନ କଲା –
– ମତେ ଛୁଇଁ ଦେଲ?? କେହି ମୋ’ ପାଖ ମାଡ଼ନ୍ତିନି…
ଈଶ୍ୱର ଚକିତ ହୋଇ ପଚାରିଲା – କାହିଁକି??” ଏଇ ପ୍ରଶ୍ନ ସହିତ ଅସୀମ କୌତୁହଳ ଥିଲା ।
ମାଓଲି ରୋକ୍ଠୋକ୍ ଶବ୍ଦରେ କହିଥିଲା ସ୍ଥିର ଭାବେ – “ମୋ’ ବାପାମା’ ଏଡ଼୍ସ୍ରେ ମରିଛନ୍ତି…”
ଥମ୍ଥମ୍ ପତାରେ ସ୍ତବ୍ଧ ହୋଇ ଚାହିଁଲା କେଇ ମିନିଟ୍ ଈଶ୍ୱର ଏଇ ଝିଅଟିକୁ । ତା’ପରେ ତା’ର କାନପାଖକୁ ଲାଗିଯାଇ ଫିସ୍ ଫିସ୍ କରି କହିଲା – “ମୁଁ କିନ୍ତୁ ତୋତେ ଭଲପାଏ… ବାହାହେବି ତୋତେ!!”
ମାଓଲି ମୂର୍ଚ୍ଛା ହୋଇଯିବକି!! ସେ ଗୋଟେ ବିଦ୍ୟୁତ୍ ଆଘାତ ପାଇଲା ପରି ଟଳି ପଡ଼ିଲା ତଳେ । ଜୀବନ ଯାକ ଏତେ ସ୍ୱପ୍ନ ଏକାଠି ଦେଖି ନଥିଲା କେବେ । ସ୍ୱପ୍ନ ଦେଖିବାର ସାହସ ଯୁଟାଇ ପାରିନଥିଲା ଖୋଲା ଆଖିରେ କେବେ । ଧାର ଧାର ଲୁହରେ ଓଦା ହୋଇଯାଉଛି ତା\’ର ଛାତି; ତା’ର ଶାଢ଼ୀର ପଣତକାନି… ଥରିଉଠୁଥିଲା ତା’ର ପିଞ୍ଜରା ହାଡ଼ ସହିତ ସମଗ୍ର ଶରୀର । ଈଶ୍ୱର ଥିଲା ପାଖରେ । କାଠଯୋଡ଼ିର ଏ ସଂଧ୍ୟା ସାକ୍ଷୀ ରହିଲା ଏ ଅମର ପ୍ରେମର । ଏ ସହରର ସବୁତକ ସାହସକୁ ଗୋଟେ ରିକ୍ସାବାଲା ଛାତିରେ ଜମାଟ ବାନ୍ଧିବାର ଦେଖିଲା ଦେବୀଗଡ଼ା । ତା’ର ହାତକୁ ଧରି ଆଉ ଥରେ ଦୋହରାଇଲା ସେଇ
ଗୋଟିଏ କଥା – “ମୁଁ ତୋତେ ନିଶ୍ଚୟ ବାହାହେବି… ଏହା ତ୍ରିବାର ସତ୍ୟ… ।
ମାଓଲି ନିଜକୁ ସମ୍ଭାଳିବାକୁ ଅନେକ ବେଳ ଲାଗିଥିଲା । ଜୀବନର ପ୍ରଥମ କରି କିଏ ତାକୁ ଏଇ ସ୍ୱପ୍ନ ଦେଖାଇଥିଲା । ଜୀବନରେ ପ୍ରଥମ କରି କିଏ ତାକୁ ଏଇ ପଦେ କଥା କହିଥିଲା – ଯାହା କଳ୍ପନାର ବାହାର ଥିଲା । ଜୀବନରେ ପ୍ରଥମ କରି କିଏ ତାକୁ ଛୁଇଁଥିଲା । ଯାହା ତା\’ର ଦେହ ଡ଼େଇଁ ତା’ର ଆତ୍ମା ଭିତରେ ଅନୁରଣିତ ହେଉଥିଲା ।
ଆଜି କେବଳ ମନର କମ୍ପନ ନଥିଲା, ଥିଲା ଦେହ ଓ ପିଞ୍ଜରା, ମାଂସ, ସ୍ନାୟୁ ଡ଼େଇଁ ଆତ୍ମା ଭିତରର କମ୍ପନ । ପ୍ରେମ ଏମିତି ଚିଜ ଯାହାସବୁ ଓଦା
କରିପାରେ । ଭୂଇଁରୁ ଭୂମାଯାଏ… ପ୍ରଥମ କରି ସେ ଅନୁଭବ କରୁଥିଲା ଓଦା ହୋଇଯିବାର ଅର୍ଥ କ’ଣ!! କାନ୍ଦି କାନ୍ଦି କହିଥିଲା ଦେବୀଗଡ଼ାରେ – ତା’ ଜୀବନର ଅସରନ୍ତି କଥା । ଈଶ୍ୱର ଖାଲି ଦେଖୁଥିଲା, ତା’ର ନିରିହ ଛଳଛଳ ଭୟପୂର୍ଣ୍ଣ ଆନୁଗତ୍ୟ ଯାହା ତାକୁ ଆହୁରି ପାଗଳ କରିଦେଇଥିଲା ।
ଠାକୁର ପୂଜାପରେ ଯେମିତି ଶାନ୍ତିଲାଗେ; ଠିକ୍ ସେମିତି ଅନୁଭବ ଥିଲା ବର୍ତ୍ତମାନ ଈଶ୍ୱରର । ପାଗଳପରି ଅନିଦ୍ରା ହୋଇ ସେ ପ୍ରେମ ଗଳ୍ପର କଙ୍କାଳରୁ ରକ୍ତମାଂସର ରୂପ ଦେହ ତିଆରି କରୁଥିଲା । ରାତି ରାତି ଝରକା କଡ଼ରେ ବର୍ଷାର ତୋପ ଦେଖିଥିବା ଈଶ୍ୱର ଖାଲି ଫୁଲ, ଜହ୍ନ, ତାରା, ପବନ ଭିତରେ କ’ଣ ଗୋଟେ ଖୋଜୁଥିଲା ।
ଖୋଲା ଆକାଶର ଛାତିରେ ଅସରନ୍ତି ସ୍ୱପ୍ନସବୁ ରଂଗୀନ ହୋଇଯାଇଥିଲା । କେବେ କେବେ ସଞ୍ଜ ପ୍ରହରରୁ ଯାଇ ଅଗଣାରେ ବସି ରହୁଥିଲା ଯେ ରହୁଥିଲା । ଖିଆଲ ରହୁନଥିଲା, କେତେବେଳେ ସେ ପିଣ୍ଡାରେ ଶୋଇପଡ଼ୁଥିଲା । ସମସ୍ତେ କହୁଥିଲେ ଈଶ୍ୱର ପାଗଳ ହୋଇଗଲା ।
ଈଶ୍ୱରର ସ୍କୃ ଢିଲା ହୋଇ ଯାଇଥିଲା… କହୁଥିଲେ ସାଙ୍ଗମାନେ । ସେ ହସୁଥିଲା ଅନେକ କଥା ଭାବି ନିଜେ ନିଜେ । ଆକାଶକୁ ଅନେଇ କ’ଣ ଯେମିତି ଖୋଜୁଥିଲା । ଶୂନ୍ୟଦୃଷ୍ଟି ନେଇ ସମସ୍ତଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା ତା’ର ତଥାକଥିତ ଦୁନିଆଠାରୁ । ସତରେ ସେ ପାଗଳ ହୋଇଯାଇଥିଲା ।
କ୍ଷଣକୁ କ୍ଷଣ ସେ କ୍ରମଶଃ ଆବାଂଛିତ ହୋଇଯାଉଥିଲା ନିଜ ଉପରେ । ବୋଉର ଗାଳି, କଳି ଝଗଡା ତାକୁ ଅସ୍ତବ୍ୟସ୍ତ କରପକଉଥିଲା କେଇ ମୁହୂର୍ତ୍ତ । ଝରି ଆସୁଥିଲା ମନର ଅଣସନ୍ଧିରୁ ‘ଆହା’ ବୋଲି ପଦେ ମାଓଲି ପାଇଁ । ଯାହାକୁ ଅମାପ ଖୁସି ଓ ସ୍ନେହରେ ଢାଙ୍କି ଦେବାକୁ ଚାହେଁ । ଯହାକୁ ସେ ଅସରନ୍ତି ସ୍ନେହରେ ଓଦା କରି ଦେବାକୁ ଚାହେଁ, ତାର ହୃଦୟର ରାଣୀ କରି ରଖିବାକୁ ଚାହେଁ ଈଶ୍ୱର ।
ମାଓଲି ଉଦାସୀ ଥିଲା । ତା’ର ଉଦାସୀମନ ନେଇ ସେ ଖୋଜି ବୁଲୁଥିଲା ଆପଣାର ପରିସରଭୁକ୍ତ ଜୀବନଟେ । ଆପଣାର ପରିଚୟ ଗୋଟିଏ । ସେ ଯାହାକୁ ଶ୍ରଦ୍ଧାରେ, ସ୍ନେହରେ, ଯତ୍ନରେ, ନିଜରପଣରେ ଆପଣାର କରିପାରିବ । ହକ୍ ଜାହିର କରିପାରିବ । ତାକୁ ଅନୁକମ୍ପା ନୁହେଁ, କି ଦୟା ନୁହେଁ ଓ ବିଶ୍ୱାସଟିଏ ଲୋଡ଼ା ଥିଲା ଜିଇଁଯିବାଲାଗି ।
ମନ ଖୁସି କିଣିବାକୁ ଯାଇ ଦୁଃଖର ଗଭୀର ଗଣ୍ଡ ଭିତରେ ଖସିପଡ଼େ । ସେ ମୁକୁଳିପାରେନା ଏତେ ସହଜରେ ଅସୀମ ଦୁଃଖର ପିଞ୍ଜରା ଭିତରୁ । ଯେତେ ସହଜ ଭାବି ହୁଏ ରାସ୍ତା, ସତରେ ସେତେ ସହଜ ନଥିଲା ତା’ ପାଇଁ ଏ ଯାତ୍ରା । ଘରକୁ ଫେରିଲା ବେଳକୁ ଦେଇ ତା’ର ନାହିଁ । ପୁଅ ମଧ୍ୟ ନାହିଁ । ପୁଅକୁ ନେଇ ପଳାଇଛି କୁଆଡ଼େ । କାହା ସହ… । କୁଆଡ଼େ ଗଲା?? ଗୁଡ଼େ ଦୁଃଖ, ଜାକି ଦେଇଥିଲା ସମସ୍ତଙ୍କୁ ।
ମଦପିଇ ମାତାଲ ହୋଇ ଗୁଡ଼ାଏ ଅସଭ୍ୟ ଗାଳିରେ ପୋତିପକାଇଥିଲା ଭିଣେଇ, କାନ୍ଦୁଥିଲା ଭଉଣୀ ସହ ତା’ର ସାନ ଝିଆରୀ । ମେଁ ମେଁ କରୁଥିଲେ ପୁଳାଏ ଛେଳି । କାହାକୁ ସମ୍ଭାଳିବ ସେ?? ଛାତିରେ ଆଉଜେଇ ଦେଇଥିଲା ଦୁଇଟି ଛୁଆଙ୍କୁ । ରାତି ବୟସ୍କ ହେଉଥିଲା, ଉଦ୍ବେଗ ଓ ଆଶଙ୍କା ସବୁ ବଢ଼ୁଥିଲା ରାତିସହ… । ଫୁଲୁରୀ ଫେରିନଥିଲା…
Comments are closed.