Latest Odisha News

BREAKING NEWS

କବିତା ନିରଂତର : ପ୍ରଶ୍ନ ତୁହାକୁତୁହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ସବୁ କାମ ପାଇଁ ଲୋଡ଼ା ଯେଉଁଠାରେ
ଦୈବୀ କୃପା, ଅନୁଗ୍ରହ
ଆଶୀର୍ବାଦପ୍ରାର୍ଥୀ ହେଲେ ତ ମଣିଷ
ହରାଏ ଇଚ୍ଛା, ଆଗ୍ରହ

ନିଜ ବଳ, ବୁଦ୍ଧି, କୌଶଳ ଲଗାଇ
କରିବାକୁ ପରିଶ୍ରମ
ଜ୍ଞାନୀ ସଜ୍ଜନ ବି ଅରାଜି ହୁଅଂତି
ମନେ ପୋଷି ମହାଭ୍ରମ

ଉତ୍ତର ମିଳୁନି ଯେତେ କଲେ ସୁଦ୍ଧା
ପ୍ରଶ୍ନକୁ ଘଂଟାଚକଟା
ନିଜ ହାତକାମ ନିଜେ କରୁନାହୁଁ
ହେଉଥାଉଁ ହଟହଟା

ଭକ୍ତି ବଳରେ ଶକ୍ତି ଆହରଣ
ନ କରି ନେଉଁ ବିଶ୍ରାମ
ଦୁର୍ବଳ ବୋଲି ଦେଖାଇହେଲେ ତ
ସାର୍ଥକ ହୁଏନି କାମ

ବିଗ୍ରହ ଆଗରେ ମେଳି ବାଂଧି ଆମେ
କରୁଁ ଯେତେ କୋଳାହଳ
ତହିଁରୁ କାହାକୁ ମିଳିଛି କି କେବେ
ମନ ବାଂଛିତ ଫଳ?

ପ୍ରଶ୍ନବାଣରେ ମନର ଶାଂତି
ହେଉଥାଏ ଯଦି ଭଂଗ
ନିରୁତ୍ତର ରହି ସବୁ ସହିଯିବା
ହେଲାଣି ଆମର ଢଂଗ

Comments are closed.