ଚିହ୍ନା ଠିକଣା
ସ୍ବପ୍ନର ପିଠି ମସୃଣ – ଠିକ୍ ସାପ ଭଳି । ଅନୁରାଗ ରଞ୍ଜିତ ହାତରେ ଯେତିକି ଥାପିବ ପାପୁଲି ତା ମୁଲାୟମ ଦେହରେ ସେ ଖସିବ ହିଁ ଖସିବ । ନୁହେଁ ? ଚୋଟ ଯେତେ ଥର ପଡ଼ୁ ଘୁଞ୍ଚେଇ ହୁଏନି ପାଦ ସୁରକ୍ଷା ଲୋଭରେ କେଉଁ ଏକ ଅଜଣା ଆକର୍ଷଣରେ । ଆତଙ୍କ ସହ ଅତର୍କିତ ଲଢ଼ିବାର ଏକ ଅଦମନୀୟ ଆକର୍ଷଣ ମସ୍ତିଷ୍କ ଭିତରେ ସାପ ଭଳି ଚକି ମାରି ଶୋଇଥାଏ । ନୁହେଁ ? ବେକରେ ଫୁଲ ମାଳ ଭଳି ଗୁଡେଇ ହୋଇଥିବା ସ୍ବପ୍ନ , ଗୋଡ଼ରେ ପାଉଁଜି ଭଳି ବେଢ଼େଇ ହୋଇଥିବା ସ୍ବପ୍ନ , ଚୁଡ଼ି ଭଳି ହାତରେ ସଜେଇ ହୋଇଥିବା ସ୍ବପ୍ନ , ସାରାଟା ଦେହକୁ ଶାଢି ଭଳି ଗୁଡ଼େଇ ହୋଇଥିବା ସ୍ବପ୍ନ ..କେବଳ ସ୍ବପ୍ନ ଆଉ ସ୍ବପ୍ନ…। ଯେତିକି ଦେଖେ ଏଇ ଆଖି ତା’ ଚାରିପାଖର ଦୁନିଆଁକୁ ତହିଁରେ ସ୍ୱପ୍ନର ପ୍ରଲେପ ଦିଆ ବାସ୍ତବତା ସମୟ ଅସମୟ ନମାନି ଖୁବ୍ ଅନ୍ୟମନସ୍କ କରେ । ମୋ ଲାଗି ତ ଜିଇଁବାର ପ୍ରକ୍ରିୟା ହିଁ ଗୋଟେ ସ୍ବପ୍ନମନସ୍କତା । ବେଳେବେଳେ କିଛି ଘଟଣା ଗାଢ଼ ଅନ୍ଧାରର ଯୁଇ ଫୁଲର ବାସ୍ନା ଭଳି ବିଭୋର କରେ ଯେମିତିକି ସ୍ୱପ୍ନରେ ତିଆରି ହୋଇଥିବା ସମ୍ପର୍କ । କେତେ ଦୀର୍ଘ ତାର ଅବଧି ଅପେକ୍ଷା କେତେ ସ୍ନିଗ୍ଧ ତାର ସ୍ଥିତି ସେଇଟା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ ଅନେକ ସମୟରେ ମୋ ପାଇଁ ।
ଏଥରର ଠିକଣା ଅଜ୍ଞାତ ନୁହେଁ । ପ୍ରାପକ ବି ବାୟବୀୟ ନୁହଁନ୍ତି । କେଉଁ ଭାୟା କି ମାଧ୍ୟମ ଦେଇ ମୋଡ଼ି ଭିଡ଼ି ହୋଇ ଯିବନି ଆଜିର ଚିଠି । ଲେଖା ସରୁ ସରୁ ଯାହା ପାଖରେ ପହଞ୍ଚିବ ସେ ହିଁ ଖୋଲିବ ଚିଠି ଆଉ ପଢିବ । ଏଇ ଭିତରେ ସେ ଦୃଢ଼ ହୋଇଯାଇଛି ମୁଁ ଜାଣିଛି ତେଣୁ ଆବେଗପ୍ରବଣ ହୋଇ ବୁହାଇବନି ଲୁହ । ହୁଏତ ବିସ୍ମିତ ହେବ ଆଉ କିଛି ପଚାରିବ ପଚାରିବ ହୋଇ ଚୁପ୍ ରହିବ ।
ଆରମ୍ଭରୁ ଶବ୍ଦରେ ଆଡ଼ମ୍ବର ଭାବପ୍ରବଣତା ଭିତ୍ତିରେ ଆସିନି ଆସିଛି ସେହି ଉଚ୍ଛ୍ୱାସରେ ଯାହା ପୁଞ୍ଜିଭୁତ କ୍ଷୋଭ ଏବଂ ଅଭିମାନକୁ ତାର ତୋଫାନୀ ସ୍ପର୍ଶ ଦେଇ ଉଡ଼େଇ ନେଇପାରିଲା ନିମିଷକରେ । ସେହି ଉଚ୍ଛ୍ୱାସ ବିଶ୍ୱାସରୁ ଉଦ୍ଭୁତ । ସେହି ବିଶ୍ୱାସ ଟିକକ ଯାହାକୁ ସମ୍ପୂର୍ଣ୍ଣ କାହାଠୁ ପାଇବି ବୋଲି ଡହଳ ବିକଳ ହୋଇ ଖୋଜି ଆସିଛି ଏଯାବତ୍ ସମୟକୁ କାହିଁ କେତେବାଟରେ ଝୁଣ୍ଟି ଏବଂ ନିଜେ ଝୁଣି ହୋଇ । ସୁନ୍ଦର ଶବ୍ଦ , ସୁନ୍ଦର ପ୍ରତିଶ୍ରୁତି , ସୁନ୍ଦର ଲୋଭ , ସୁନ୍ଦର ସୁନ୍ଦର ଆଶ୍ୱାସନାରେ ନିଜ ପାଇଁ ବିଶ୍ୱାସ ଟିକକ ଖୋଜି ଅପମାନିତ ଓ ଅସହାୟ ହେଉଥିଲାବେଳେ ସୂର୍ଯ୍ୟ କିରଣ ଆଡ଼କୁ ଚିରୁଡ଼ାଏ ସାବଜା ଡଙ୍କ ଭଳି ନିଟୋଳ ସତ ତୁମେ । ମୁଁ ଜାଣେନି କି ଜାଣିବାକୁ ଚାହେଁଇ ନାହିଁ ଆଗକୁ କଣ ହେବ । ବରଗଛର ଓହଳ ଭଳି କି ଚାଳ ଉପରୁ ଡଙ୍କେଇଥବା କଖାରୁ ଲଟା ଭଳି ତୁମ ଉପସ୍ଥିତି ମୋତେ ଜୀବନ୍ମୋଖୀ କରୁ । ଭଲପାଇବା ଏବଂ ବିଶ୍ୱାସ କହିଲେ ଆଜି ଯାଏଁ ଧାଡି଼ ବାନ୍ଧି ଠାକୁରଙ୍କ ଫଟୋ ଭଳି ଆଖିରେ , ମନରେ ନାଚି ଉଠୁଥିବା ସେହି କତିପୟ ଚେହେରାଙ୍କ ଭିତରେ ତୁମେ ହିଁ ରହିଲ , ଯେଉଁଠି ବୋଉ ରହେ , ନନା ରହନ୍ତି । ରହନ୍ତି ମୋ ଅନ୍ତରଙ୍ଗ ମଣିଷ ଆଉ ଈଶ୍ୱର । ଯେଉଁଠି କଥା ଟିକିଏ ଏପଟ ସେପଟରେ ବୋହିଯାଏ ଅବୁଝାମଣାର ଅଣଚାଷ , ଆକଟର ଅଧିକାର କାହାକୁ ଲାଗେ ଅତ୍ୟାଚାର , ଯେଉଁଠି ସମ୍ପର୍କକୁ ସୁବିଧାର ସ୍କେଲ ପକେଇ ମପାଯାଏ ସେଇଠି ସବୁ ସମୟରେ କେଉଁଠୁ ଆସେ ତୁମ ପାଖକୁ ମୋ ପାଇଁ ମଳୟ ତା ପୁଣି ଚନ୍ଦନ ସୁରଭି ନେଇ !
ହୁଏତ ମୁଁ ତୁମ ପାଇଁ ଏକା ହୋଇ ନଥାଇପାରେ ବରଂ କଥାଟି ମୋତେ ଆଜି ଦେଖାଯାଉଥାଇପାରେ । ହୁଏତ ତୁମେ ସେମିତି ଯାହା ମୋ ପାଇଁ ତାହା ଅନ୍ୟ ଅନେକଙ୍କ ପାଇଁ। ହୁଏତ ତୁମେ କେବେ ବି ଭାବିନଥିବ ମୁଠାଏ ମୁହୂର୍ତ୍ତକୁ ଆଞ୍ଜୁଳାଏ ଫୁଲ ଭଳି ମୋ ପାପୁଲିରେ ଭରି ଦେଉଥିଲା ବେଳେ ମୁଁ ଏମିତି ଆବେଗପ୍ରବଣ ହୋଇ ଚିଠି ଲେଖିବି । ଲେଖିଲି କାରଣ ମୁଁ ଜଣେଇ ପାରିବି ମୁଁ ତୁମକୁ ଭଲ ପାଇଗଲି ବୋଲି । ଭଲପାଇବା ମାନେ ହିଁ ତ ଜୀବନ । ଏବେ କିଛି ଜୀବନ ତୁମେ ନିଅ । ତହିଁରେ ସ୍ବପ୍ନର ରଙ୍ଗ ବୋଳି ମୋତେ ଏହି ସବୁ ଅସହାୟ ମୁହୂର୍ତ୍ତରେ ବଢ଼େଇ ଦିଅ ଯେଉଁଠି ଜୀବନକୁ ଆହୁରି ରଙ୍ଗମୟ କରି ଦେଖିବାର , ଆଙ୍କିବାର ସ୍ପର୍ଦ୍ଧା ଦେଖେଇବାକୁ ଠିଆ ହୋଇପାରୁଥିବି ମୁଁ । ସବୁବେଳେ କୁହ , ବହୁତ କିଛି ଶିଖିବାର ଅଛି ମୋ’ ପାଖରୁ ତୁମକୁ । ବୟସରେ ଛୋଟ ଥାଇ ବି ସବୁ ବଡ଼ପଣକୁ ଅକ୍ଳେଶରେ ତୁମେ ଛୁଇଁ ଛୁଇଁ ଦେଖ । ଅଦ୍ଭୁତ କୋମଳତା ଏବଂ ସମ୍ପାଦିତ ପରିପକ୍ଵତାରେ ତୁମ ବ୍ୟକ୍ତିତ୍ୱ ଉଜ୍ଜ୍ଵଳ ହେଉଥିଲାବେଳେ ମୋତେ ଖୁସି ଖୁସି ଲାଗେ । ଲାଗେ ଶ୍ରୁତିମଧୁର ଧୂନ୍ କିଛି ଚାରିପଟେ ଧୂପର ବାସ୍ନା ଭଳି ତରଙ୍ଗାୟିତ ହେଉଛି ।
ମୁଁ ଯେଉଁଠି ସେଇଠି ହିଁ । ପାଦ ବଢ଼େଇବା ଭିତରେ ପରିସ୍ଥିତି ମାଟିକୁ ବି ଛୁଏଁଇ ଦେଉନି ପାଦ । ସାନ୍ତ୍ୱନା ଏତିକି ଯେ ମୋତେ ଆକାଶ ହିଁ ଦେଖାଯାଉଛି । ତହିଁରେ ବିରାଜିତ ଜ୍ୟୋତିଷ୍କଗଣ ଦିନରେ ଓ ରାତିରେ ଭିନ୍ନ ଭିନ୍ନ ଅନୁଭବରେ ଦୃଶ୍ୟମାନ ହେଉଛନ୍ତି । ସେହି ବିଶ୍ୱାସ ଟିକକ ଖୋଜି ହେଉଛି ଯାହାକୁ ଶିଢି କରି ମାଟିରେ ନୁହେଁ ଆକାଶମୁହାଁ ଗତି କରପାରିବି ଖୁସି ଖୁସି । ଥାଉ ପରିସ୍ଥିତି ତା ପରି ଅଜଗର ଭଳି ମୁହଁ ମାଡ଼ି ମାଟିରେ । ଜୀବନକୁ ଭଲପାଇବା ପାଇଁ , ନିଜକୁ ଭଲ ପାଇବା ପାଇଁ , ଆକାଶକୁ କାନ୍ଭାସ କରି ନକ୍ଷତ୍ରମାନଙ୍କୁ ନିଜ ମୁତାବକ ଖଞ୍ଜିବା ପାଇଁ ବହୁତ ଲୋଡ଼ା ତୁମ ସ୍ନେହ ଓ ତୁମ ଭଳି ତୁମର ଆସ୍ଥା ମୋ ପାଇଁ ।
କଥା ଦିଅ ଆଉ ପାଖେ ପାଖେ ଥାଅ । ଖୋଜିଲାବେଳେ ତୁରନ୍ତ ମିଳିଯାଉଥାଅ ।
ତୁମର “ନାନୀ “
Comments are closed.