Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୨ 

କିଏ?

କିଏ ବସିଛି ସେଠି?

କାହାର କର୍କଶ କଠୋର ସ୍ୱର ଦେବକୁ ଡରେଇଦେଲା ଯେମିତି। ସେ ଚାନ୍ଦିନୀ ଉପରୁ ଉଠିପଡ଼ି ଠାକୁର ବରଗଛ ପାଖ ଅନ୍ଧାର ଭିତରେ ହଜିଗଲା।

କେତେ ବର୍ଷ ପରେ ଗାଆଁ ଭିତରେ ସ୍ତୁପିଭୂତ ଅନ୍ଧାରକୁ ଅନୁଭବ କଲା ଦେବ।ସେ ଅନ୍ଧାର ଯେତିକି କୋମଳ ସେତିକି ବହଳ । ଏ ଅନ୍ଧାରର ଏକ ପ୍ରାଣସତ୍ତା ଥାଏ।ଲାଗେ ଯେମିତି ତା ପେଟରେ ଗଚ୍ଛିତ ଆପାର ସମ୍ଭାବନା।

ପିଲାଦିନେ ପ୍ରଧାନ ଘର ପାଖରୁ ଠାକୁର ବରଗଛ ଯାଏ ସିଜୁବାଡ ଥିଲା।ସେଠାରେ ବସୁଥିଲା ରଙ୍ଗବେରଙ୍ଗ କଙ୍କି – ପ୍ରଜାପତିଙ୍କ ସନ୍ଧ୍ୟାସଭା।

କଙ୍କିମାନଙ୍କ ପ୍ରତି ଦେବର ଥିଲା ପ୍ରବଳ ଦୁର୍ବଳତା। ଅନେକ ପ୍ରଚେଷ୍ଟା ପରେ ଧରିଥିବା କଙ୍କି ଲାଞ୍ଜରେ ସୁତାବାନ୍ଧି ତାକୁ ଉଡେଇ ଦେଇ ସେମାନଙ୍କ ଛନ୍ଦ ବିଚ୍ୟୁତ ଉଡାଣ ଦେଖିବାକୁ ତାକୁ ଖୁବ୍ ଭଲ ଲାଗୁଥିଲା ।

ଠାକୁର ବରଗଛ ଆରପଟେ ଥିଲା ରାଣୀ ପୋଖରୀ। ସୁଦୀର୍ଘ ଅତୀତର କେଉଁ ଏକ ସମୃଦ୍ଧ ମୁହୂର୍ତ୍ତରେ ଥରେ ଖୋର୍ଦ୍ଧା ଗଡର ରାଣୀଙ୍କୁ ସ୍ୱପ୍ନାଦେଶ ହେଲା। ରାଜ୍ୟର ପୂର୍ବ ସୀମାନ୍ତର ସମୁଦ୍ର କୂଳ ଗାଆଁ ପ୍ରୀତିପୁରରେ ଲୋକମାନେ ପ୍ରବଳ ଜଳକଷ୍ଟ ଭୋଗୁଛନ୍ତି। ସେଠି ଗୋଟିଏ ପୋଖରୀ ଖୋଳାଇ ଦିଅ।ଅବିଳମ୍ବେ ଆଦେଶ କାର୍ଯ୍ୟରେ ପରିଣତ ହେଲା। ଖୋଳା ମାଟି ଭିତରୁ ବାହାରିଲା ହନୁମାନ ମୂର୍ତ୍ତି। ତା’ କାଳ କ୍ରମେ ଠାକୁର ବରଗଛ ପାଖକୁ ଚାଲିଆସି ପ୍ରୀତିପୂର ଗାଆଁର କୂଳଦେବତା ହୋଇ ପୂଜା ପାଇଲେ।

କାହିଁ କେତେ ଯୁଗ ତଳର କଥା ଇଏ। ସେଇଦିନ ଠାରୁ ହନୁମାନ ଦେବତା ପ୍ରୀତିପୁର ଗାଆଁର ପ୍ରତିଟି ମଣିଷର ସୁଖ – ସ୍ୱାସ୍ଥ୍ୟ ଓ ସମ୍ପଦର ଉତ୍ତରଦାୟୀ।

ଦେବ ଠିଆ ହେଲା ସେ ଦିବ୍ୟ ଅନ୍ଧାର ଭିତରେ।ଅନୁଭବ କଲା ଏକୋଇଶି ବର୍ଷତଳେ ଏମିତି ଏକ ସନ୍ଧ୍ୟା। ଏବେବି ଏଇ ଅନ୍ଧାର ଭିତରେ ମହକୁଛି ଜଣକର ଦେହ ବାସ୍ନା।ତାର ହସ ଲୁହରେ ଓଦା ଓଦା ଲାଗୁଛି ବର୍ତ୍ତମାନ। ଦେବ ହାତ ବୁଲେଇଲା।ଅନୁଭବ କଲା ଜଣକର ବିଦେହ ଉପସ୍ଥିତି।

ହେଇ ଦେଖାଯାଉଛି ଗୋଟେ ଦୀପ ଶିଖା। ତାର ହିରଣ୍ମୟ ଜ୍ୟୋତିରେ ଜଣେକେହି ପାଲଟି ଯାଉଛି ଦେବୀ।

ହେଇତ, ବେଗୁନିଆ ଆଉ ଡିମିରିର ଘଞ୍ଚ ବୁଦା ମୂଳେ ଠିଆ ହୋଇଛି ପତଳା ଗେଡା ହୋଇ ପିଲାଟିଏ। ତା’ ଆଖିରେ ଏକ ଅନବିଦ୍ୟ ଆତୁରତା।

ଚେନାଏ ବିଜୁଳି ହୋଇ ଚାଲିଆସୁଛି ଦେବୀ। ସିଜୁ ଆଉ ଡିମିରିର ଘଞ୍ଚ ବୁଦା ଭିତରୁ ବାହାରି ଆସୁଛି ସେଇ ପିଲାଟି।ଗମ୍ଭୀର ଆଲିଙ୍ଗନର ମହାମୁଦ୍ରାରେ ସେଦୁହିଁଙ୍କର ମହାସମାଧି ହେଉଛି। ସେଠି ସମୟ ସ୍ଥିର,ନିର୍ବାକ ପତ୍ର ଓ ପବନ।ସେ ଦୁହିଁଙ୍କ ଦେହ ମିଳନରେ ଅନ୍ଧାର ରୂପାନ୍ତରିତ ହେଉଛି ଦିବ୍ୟଜ୍ୟୋତିରେ।

ସବୁ କିଛି ପରିବର୍ତ୍ତିତ ହେଉଛି ପଲକରେ।ବନ୍ଧ୍ୟା ମାଟିରେ ଗଜୁରି ଉଠୁଛି ଅଗଣିତ ଜୀବନର ଶିଶୁରୂପ। ମହାମେରୁରେ ଫୁଟିଉଠୁଛି ଅନନ୍ତ ବିସ୍ତାରି କମଳ।

ଧିରେ ଧିରେ ଚେତା ପାଉଛି ପବନ।ତାରାଙ୍କ ପାହାଚ ଦେଇ ଥିରିପାଦରେ ଓହ୍ଲେଇ ଆସୁଛି ଜହ୍ନ। ସେ ଦୁହେଁ ସମାଧୀରୁ ଜୀବନ ଆଡ଼କୁ ପାଦ ବଢାଉଛନ୍ତି।

ମୋବାଇଲରେ ସମୟ ଦେଖିଲା ଦେବ।ରାତି ବାରଟା ପନ୍ଦର।……..

କ୍ରମଶଃ…..

 

 

Leave A Reply

Your email address will not be published.