Latest Odisha News

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ 

“ଜୀବନ ଦୁଇ ପଦର ଗୀତ – ପଦେ ସୁଖର ତ ପଦେ ଦୁଃଖର ” ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ ହେଉଥିବା ବର୍ଷା ପାଣିର ଭଉଁରୀରେ ନିଜକୁ ଏକାତ୍ମ କରି। ମୋତେ କେବଳ ସେହି ଭାଗକ ଚିତ୍ର ଦେଖାଯାଉଥିଲା ଯେଉଁଥିରେ ମୁଁ କେବେ ଗୋଟେ ଆନତ ଆଖିର ସୁକୁମାର ସୌଷ୍ଠବ ଦେଖୁଥିଲି ତ କେତେବେଳେ ଅର୍ଦ୍ଧସ୍ଫୁରିତ ଓଠର ବ୍ୟାକୁଳ ଅଭୀପ୍ସା । ତୁମ କଥା ଶୁଭୁଥିଲା ପବନର ତାନ ଧରି ।କିଛି ହିଁ ସମ୍ପୂର୍ଣ୍ଣ ନୁହେଁ , ଶେଷ ନାହିଁ କୌଣସି ଆରମ୍ଭର । କୌଣସି ପ୍ରକ୍ରିୟାର ଖିଅ ଧରି ଯେଉଁଠୁ ବି ଜୀବନକୁ ଚଲାଯାଇପାରେ ପାଦକ ସୁଖ ପାଦକ ଦୁଃଖର ସର୍ପିଳ ରାସ୍ତାରେ ।

ତୁମେ କୁହ ଦୁଃଖର ଓଠ ଥାଏ । ସେ ବି ଗୀତ ଗାଇପାରେ ସୁଖର , ଆନନ୍ଦର । ଦୁଃଖକୁ ନେଇ ଜୀଇଁବାର ଅଭ୍ୟାସ ପୋଷିଥିବା ଆମ ଭଳି ଲୋକଙ୍କୁ ଦୁଃଖର ଆଖି ହିଁ ଦେଖାଯାଏ କେବଳ ଯିଏ ବିଷାଦର କଜ୍ଜ୍ଵଳ ପିନ୍ଧି ଲୁହଉଥାଏ ଅନବରତ । ସୁଖ ବୋଲି କିଛି ହିଁ ନଥାଏ ଯେମିତି ଥାଏ ଦୁଃଖଙ୍କ ହାତଗୋଡ଼ । ବର୍ଷା ପୂର୍ବର ଭିଜା ପବନ ପରି , ଝର୍କା ବାହାରର ଜହ୍ନ ରାତି ପରି , ବଗିଚାର ମୁଠା ମୁଠା ବାସ୍ନା ପରି ସୁଖ ବୁଲୁଥାଏ ଆକାଶ କୁସୁମ ହୋଇ । କଳ୍ପନାର ଆଖିରେ ତାକୁ ଦେଖ , ପାପୁଲିରେ ଚଢ଼େଇ ଭଳି ବସାଅ , ତାର ଦେହ ଆଉଁଷିବାର ଭ୍ରମରେ ତାର ଚଞ୍ଚୁର ଆଘାତକୁ ଭୋଗ ଏବଂ ଅଳ୍ପ ଅଳ୍ପ ମିଠା ଆଶ୍ୱାସନାରେ ଦୁଃଖର ସ୍ଥିତିକୁ ଭୟ କର …ବାସ୍ ସେଇ ଭିତରେ ଖଣ୍ଡିଆଭୂତ ଭଳି ଘୁରି ବୁଲୁଥାଏ ସୁଖ । ଅଟକେଇ ହୁଏନି , ମନେଇ ନେଇ ପଞ୍ଜୁରୀରେ ବନ୍ଧେଇ ହୁଏନି ଅଥଚ ତାରି ଆଡ଼କୁ ମୁହଁ କରି ସାରାଟା ସମୟକୁ ଅନ୍ଧାର କହି , ଦୁଃଖ ବୋଲେଇ ଆମେ ଠିଆ ହୋଇଯାଉ ଯେଉଁଠି ମାନେ ସେଇଠି ମୂର୍ତ୍ତି ଭଳି । ତୁମେ ମୋତେ ଆକ୍ଷରିକ ଅର୍ଥରେ କେବେ ପଢେଇ ବସିନ ସତ ମୁଁ କିନ୍ତୁ ତୁମକୁ ପଢ଼ି ଯାଇପାରେ ଗପ ଭଳି । ଗପ କଥା କହିବାରୁ ଏବେ ମନେ ପଡ଼ିଯାଉଛି ସେହି ଚୀନ ଗଳ୍ପ । ଯେଉଁଠି କୁହା ହୋଇଛି ସୁଖ ବଧିର । ମଣିଷ ହୃଦୟର ଦୁଇ କୋଠରୀରେ ବସା ବାନ୍ଧିଥାନ୍ତି ଉଭୟ ସୁଖଦୁଃଖ । ସୁଖ ଯଦି ଜୋରରେ ହସେ ନିଦ ଭାଙ୍ଗିଯାଏ ଦୁଃଖର । ଦୁଃଖ ଯଦି ବିକଳ ହୋଇ କାନ୍ଦିବସେ ଦିନତମାମ୍ ଫରକ ପଡ଼େନି ସୁଖର । ଟିକିଏ ଗହୀରେଇ ଦେଖିଲେ ଆଚମ୍ବିତ ଲାଗେ ସୁଖଦୁଃଖର ଏହି ଅପେକ୍ଷିକ ଦିଗ । ତୁମେ ଏସବୁ କହିହୁଅ କାରଣ ତୁମେ ଚାହଁ ମୋ ଜୀବନ ଫର୍ଦ୍ଦରେ ଯେଉଁ ବି ରଙ୍ଗ ବୋଳେ , ଯେଉଁ ବି ରେଖା ଟାଣେ ତାର ଭିତ୍ତି ଉପଲବ୍ଧିରେ ହେଉ । ଘଟଣା ଏବଂ ପରିସ୍ଥିତି ଦେଉଥିବା ବିଧାତାକୁ ଭୁଲ ନବୁଝି କେଉଁଠି ଅଟକି ନଯାଉ ଗତି ମୋର ଯେମିତି ।

କହିବି ?

ତୁମେ ଅଛ ସେହି ମୋର ସ୍ଥିତି ଆଉ ଉପଲବ୍ଧି । ତୁମ ପାପୁଲିରେ ମୋର ପାପୁଲି ଛନ୍ଦି ହୋଇ ଅଛି ସେହି ମୋର ଶକ୍ତି ଏବଂ ପ୍ରାପ୍ତି । ତୁମ ଚାହାଣୀର ରଙ୍ଗରେ ମୋ ଭାବନାରୁ ଉତ୍ତୁରୁଥିବା ସମସ୍ତ କାହାଣୀର ଚିତ୍ରରେ ପ୍ରତିଫଳିତ ହେଉଥାଏ ପ୍ରଶାନ୍ତି । ମୋ ଓଠରୁ ଖସି ଯାଉଥିବା ଅଧା ଶିଖା ଗୀତଟି ତୁମ ଓଠ ଛୁଆଁରେ ଖେଳେଇ ଦିଏ ବ୍ୟାପ୍ତି । ଯେତେବେଳେ ତୁମେ ନାହଁ ବୋଲି ଲାଗେ ଫାଟି ଫାଟି ଯାଉଥାଏ ଆସ୍ଥାର ଆକାଶ , ଧସି ଯାଉଥାଏ ଦମ୍ଭର ମାଟି ।

କହିବି ?

ତୁମ ଅବର୍ତ୍ତମାନର ଆଶଙ୍କାରେ ଯେତେ ସବୁ ଅସ୍ଥିରତା ଓ ଅନିଶ୍ଚିତତା । ଦୁଃଖର କଳେବରକୁ ଧରି ଅଦ୍ଭୁତ ଭୟ ଓ ବ୍ୟାକୁଳତା । ମୁଁ ହେଇ ଅଛିର ମିଛରେ ଗୋଟେ ପ୍ରକାଣ୍ଡ ନାହିଁ । ଭୁଷୁଡ଼ି ପଡୁଥିବା ଅସଂଖ୍ୟ କୋମଳ ଲୋଭର ବିକଳ କାନ୍ଦରେ ସାରାଟା ସତ୍ତା କାନ୍ଦୁଥାଏ କଇଁ କଇଁ ।

ତୁମେ ଅଛ ଜୀବନ ଅଛି । ଗୀତ ଅଛି । ଭରସାର ଲୟ ବି । ଚିତ୍ର ଅଛି । ରଙ୍ଗର ଆଖ୍ୟାନ ବି । ତୁମେ ଅଛ ତେଣୁ କଳ୍ପନା ନିଇତି ମେଲାଣି ମେଲୁଥାଏ ଇଚ୍ଛାର ବୋଇତ ବାହି । ସ୍ବପ୍ନର ଲବଙ୍ଗ ଦ୍ୱୀପରୁ ତୁମକୁ ନେଇ ଭରପୁର ଜୀବନର ପ୍ରତ୍ୟୟ ବୋଝେଇ ଆଣି ଠୁଳ କରୁଥାଏ ଜହ୍ନମୟ ସ୍ବପ୍ନ ବୁଣି ବୁଣି । ତୁମେ ଥିଲେ ନର୍କର ପ୍ରତ୍ୟୟ ଦେଉଥିବା ସମୟ ହିଁ ସ୍ୱର୍ଗ । ତୁମେ ମୋର ଦୁଃଖର ପିଠିରେ ପରିବର୍ଦ୍ଧିତ ସୁଖର ମୁହଁ । ମୋ ପ୍ରେମ , ମୋର ପ୍ରାର୍ଥନାର ରୂପ , ମୋର ପ୍ରେରଣା ଓ ଜୀବନର ସୂତ୍ର ।
ନେବ ଯଦି ଲୁହ ନିଅ । ପୂର୍ଣ୍ଣତା ବୋଲି କିଛି ନାହିଁଜାଣି ପୂର୍ଣ୍ଣ ପୂର୍ଣ୍ଣ ଅନୁଭବ କରୁଥିବାର ସୁଖସବୁ ନିଅ ।

ଇତି
ତୁମର “ମୁଁ “

Comments are closed.