Latest Odisha News

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଦର୍ପଣରେ ଜହ୍ନ

ଗତକାଲି ଜହ୍ନକୁ ପାଖରୁ ଦେଖିଲି । ମନ ତଳେ ଝୁଲୁଥିବା ଗୋଟେ ଜହ୍ନରାତିକୁ କଳ୍ପନାର ରଙ୍ଗରେ ରଙ୍ଗଉଥିବା ଅଭ୍ୟସ୍ତ ଆଖି ଆକାଶକୁ ଜହ୍ନର ଉଜ୍ଜ୍ୱଳତାରେ ଦେଖି ମୁଗ୍ଧ ହେବା ସ୍ୱାଭାବିକ । ହେଲା ବି । ଶିଶିର ସ୍ନାତ ବାୟୁମଣ୍ଡଳରେ ଆଖି ସହ ଯଦିଓ ସାଲିସ କରିପାରୁନଥିଲା ଅସୁସ୍ଥ ଦେହ କିନ୍ତୁ ତୁମକୁ ଝୁରି ହେଲି ଖୁବ୍ ।

ବଡ଼ ଅଦ୍ଭୁତ ସେ ଲୋଡ଼ିବାପଣ । ସୁନ୍ଦର କିଛି ମନକୁ ଚହଲେଇ ଦେଲେ ତୁମେ ମୋର ସମୁଦାୟତାକୁ ଆବୋରି ଠିଆ ହୋଇଯାଅ ପାଖରେ ନାହଁ ବୋଲି ପ୍ରକାଣ୍ଡ ପ୍ରତ୍ୟୟଟେ ଦେଇ । ଅଲୋଡ଼ା କିଛି ବି ଛନ୍ଦି ପକେଇଲେ ଗୋଡ଼, ହାତ ତୁମେ ବି ଲୋଡ଼ା ପଡ଼ ତୁରନ୍ତ ମୋତେ ତହିଁରୁ ବାହାର କରି ସହଜ କରିବାକୁ । ତୁମକୁ ଖୋଜି ହେବାତକ ଅପେକ୍ଷାରେ କଣଠେସା ହୋଇ ଠିଆ ହୁଏ ଛୋଟ ବଡ଼ ପାର୍ଥିବ ଦାୟିତ୍ୱ । ଆଖି , କାନ , ନାକ ଓ ଚମ ମୋଡିମାଡ଼ି ହୋଇ ବସିଯାଆନ୍ତି ଧ୍ୟାନସ୍ଥ ମୁଦ୍ରାରେ କଳ୍ପନାରେ “ତୁମେ”ହୋଇଥିବା ସତ୍ତାକୁ ପାଇବାର ଲୋଭରେ । ତୁମେ କେବଳ ତୁମେ ହିଁ ‘ସଂଯୋଗ’ ଭଳି ହାତପାଆନ୍ତାର ନହୋଇ ଦୂରରେ ଠିଆ ହୋଇଥାଅ ତୀବ୍ର ଆକର୍ଷଣର ହେତୁ ହୋଇ । ମୁଁ ଲୁହରେ ଭିଜେ । ଆଜିକାଲି ଅଭିମାନ ନୁହେଁ ବହଳ ହୀନମନ୍ୟତାରେ ଆକ୍ରାନ୍ତ ମୋ ରୋଗଗ୍ରସ୍ତ ମନ ଖୁବ୍ ଆତୁର ହୁଏ । ଲାଗେ ଦର୍ପଣକୁ ଡରି ନିଜକୁ ନିଜେ ସଜାଉଥିବା ଏବଂ ମୋତେ ଦୃଶ୍ୟମାନ ହେଉନଥିବା ବିକୃତ କଦାକାର ସ୍ୱରୂପ ହିଁ କାରଣ ଏହିସବୁ ଅପହଞ୍ଚପଣର ।

ଦେଖ , ଜହ୍ନ କଥା କହୁ କହୁ ମୁଁ ପୁଣି ଭିଡି ହୋଇଯାଉଛି ସେହି ଅନ୍ଧାରି ଗହ୍ୱରକୁ ଯେଉଁଠି ମୁଁ ମୋ ନିଜକୁ ଭେଟିବାକୁ ପ୍ରବଳ ଭୟ କରେ । କାଲି ଜହ୍ନଜନିତ ସ୍ନିଗ୍ଧତାକୁ ପାପୁଲିରେ ଭରି ଶୀତୁଆ ପବନ ସହ ଭେଟିବାର ମାଗୁଣି ଇଚ୍ଛାପତ୍ର ପଠେଇ ଦେଇଥିଲି ତୁମ ପାଖକୁ । ସେହି ସମୟଖଣ୍ଡର ପ୍ରତିଟି ମୁହୂର୍ତ୍ତ ବିଶ୍ୱାସ କର ନିବିଡ଼ ଭାବରେ ଭଲପାଇଛି ନିଜକୁ । ତୁମ ଆଖିରେ ମୋ ପାଇଁ ଚିକ୍ ଚିକ୍ କରୁଥିବା ଯତ୍ନ , ସମ୍ପୃକ୍ତି ମୋତେ ଲୋରିଠୁ ଆହୁରି ମଧୁର ସ୍ୱରରେ ଶୁଆଇ ପକାଉଥିଲା ଶେଯରେ । ବଖାଣି ହେବନି କେତେ କେତେ ସୁଖଦ ସ୍ବପ୍ନ ସବୁ ସାରା ରାତି ଫୁଲ ହୋଇ ଫୁଟୁଥିଲେ ମୋ ଦେହ ଆଉ ମନର ବଗିଚାରେ – ସେହି ସମୟରେ ।

ସାରାଟା ଦିନର କ୍ଳାନ୍ତି ଓ ଅସୁସ୍ଥତା ସେହିସବୁ ଫୁଲର ବାସ୍ନାରେ ଉଡ଼ିଗଲେ କାହିଁ ! ସେଥିପାଇଁ ତ ଜହ୍ନର ଦୋଳିକୁ ଅପେକ୍ଷା ନକରି ଡେଣା ଲଗା ଧଳା ଘୋଡ଼ା ଧରି ଝପଟି ଆସିବ ଆଜିର ସୂର୍ଯ୍ୟର ତାତିକୁ ନିଷ୍କ୍ରିୟ କରିବାକୁ ବୋଲି ଭାବିନେଲି । ହେଲାନି । ବହୁତ କିଛି ହୁଏନି ମୋ ପାଇଁ । କଳ୍ପନାର ଜାଲ ବୁଣି ନିଜକୁ ତହିଁରେ ଛନ୍ଦି ସେ ନହେବାତକ ମୁଁ ନିରବରେ ଚିତ୍କାର କରୁଥାଏ ଖାଲି । ମୋ’ କର୍କଶ ଚିତ୍କାର ବାହାରକୁ ଅବାନ୍ତର ଓ ଅପ୍ରୀତିକର ପ୍ରତେ ହୁଏ ସିନା ମୁଁ କିନ୍ତୁ ଗୋଟାପଣେ ଯନ୍ତ୍ରଣାରେ ଶିହରୁଥାଏ ।

ଜହ୍ନ କଥା କହୁ କହୁ ପୁଣି ଦେଖ ଭୁଲିଗଲି । ଆଜି ଦିନ ଏତେ ଦୀର୍ଘ ଥିଲା ଯେ ଆଖି ପାଉନଥିଲା ସନ୍ଧ୍ୟାକୁ । ଶୀତ ବସ୍ତ୍ରରେ ଆତଯାତ ମଣିଷକୁ ଦେଖି ମୁଁ ବିସ୍ମିତ ହେବାକୁ ବାଧ୍ୟ ହେଉଥିଲି ଏଥିପାଇଁ ଯେ ମୁଁ ଅସମ୍ଭବ ତାପ ଓ ଗୁଳୁଗୁଳିରେ ଛଟପଟ ହେଉଥିଲି । ଝର୍କାକୁ ଆକାଶଠୁ ଅଲଗା କରିଥିବା ବଡ଼ ବଡ଼ କୋଠାରୁ ବାହାରୁଥିବା ବିଦ୍ୟୁତ ଆଲୋକ ଦେଖି ଜାଣିଲି ଜହ୍ନ ବ୍ୟତିରେକ ରାତି ହେଲାଣି । ମୋତେ ଦିଶୁଥିବା ଆକାଶ ଚେନାକରେ ଅନ୍ଧାର ରାଜୁତି କରୁଚି – ଜହ୍ନ ନାହିଁ । ଗୋଟିଏ କଥା ବାଣ୍ଟିବାକୁ ଚାହୁଁଚି ଆଜି ତୁମ ସହ । ଜଗନ୍ନାଥ ମନ୍ଦିରକୁ ଯେତେଥର ଯାଇଛି ମୋତେ ଲୋଡ଼ା ନଥିବା ବହୁତ ଦୁଃଖ ସେ କାହିଁକି କେଜାଣି ରହସ୍ୟମୟ ହସର ସହ ବଢ଼େଇ ଦେଇଛନ୍ତି । ଯିଏ କିଏ ଜଗନ୍ନାଥ ଦର୍ଶନ ଭଲରେ ହେଲା ବୋଲି ମୋ ଆଗରେ କହି ହେଉଥିଲାବେଳେ ମୋ ଭାଗକୁ ପ୍ରାୟ ପହଡର ବାହାନାରେ କଳାଠାକୁର ଥାଆନ୍ତି । ବହୁତ ଥର ଅପେକ୍ଷା କରେ । ଅପେକ୍ଷା ମୋତେ କନ୍ଦାଏ । ମୋତେ ଦେଖା ଦେବାକୁ ଆଗ୍ରହ ତିଆରି କରୁନଥିବା ଭଗବାନଙ୍କ ପାଖକୁ ଆସି ତାଙ୍କୁ ବିରକ୍ତ କରିବା ଅପେକ୍ଷା ଚିତ୍ରରେ ତାଙ୍କୁ ଆଙ୍କିବି ସ୍ଥିର କରି ଫେରିଲି ଯେ ଆଉ ଦିନେ ବି ଇଚ୍ଛା କରିନି ବାଇଶି ପାହାଚ ଉଠିବାକୁ । କେବେ କେମିତି ମନ୍ଦିର ପାଖ ରାସ୍ତାରେ ଗଲାବେଳେ ପତିତପାବନକୁ ଚାହେଁ । ଲୁହ ବୋହୁ ବୋହୁ ହସି ପକାଏ ଏଥିପାଇଁ ଯେ ମୋ ଅଭିମାନ ମୋ ସହ ଯଥାରୀତି ଅଛି ଏବଂ ତାଙ୍କ ଲୋଡ଼ିବାକୁ କେଉଁଠି ନା କେଉଁଠି ଅପେକ୍ଷା କରିଛି ।
ତୁମ ସହ ଗୋଟେ ଜହ୍ନରାତିକୁ ଭୋଗିବାର ଇଚ୍ଛା କେତେ ବେଶି ଅସ୍ଥିରତା ଓ ହତାଶା ଦେଇପାରେ ତୁମକୁ କହିବାକୁ ଇଚ୍ଛା ନାହିଁ । ଇଚ୍ଛା ଅଛି ସମସ୍ତଙ୍କ ଜୀବନରେ ଜହ୍ନ ରାତି ଆସୁ ବୋଲି ବାରମ୍ବାର ପ୍ରାର୍ଥନା କରିବା ପାଇଁ । ଏଇ ସଂକଳ୍ପ ପଛରେ ତୁମେ ଥାଅ ଅନ୍ତତଃ ନିଜର ହୋଇ ।
ତୁମର “ମୁଁ

Leave A Reply

Your email address will not be published.