Latest Odisha News

ସ୍ୱଳ୍ପ ଗଳ୍ପ : ଏକ ସତର୍କତାର କଳାତ୍ମକ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ସ୍ୱଳ୍ପ ଗଳ୍ପ ଭାଗ : ୧

ଯେଉଁମାନେ ଅଭିଜ୍ଞ ସେମାନେ ଜାଣନ୍ତି ଯେ ଏହି ବିଶେଷ କାମଟି ପାଇଁ ସେମାନଙ୍କୁ କେତେ ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ।

ଆମ ପୃଥିବୀ ସବୁକାଳ ଅଭିଜ୍ଞମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଆସିଛି । ଅଭିଜ୍ଞତାର ତ ପ୍ରଭାବ ବୋଲି ତ କିଛି ରହିଅଛି। ମାତ୍ର ଏହି ଅଭିଜ୍ଞତାର ସୁବିନିଯୋଗ କରି ସେହି ବିଶେଷ ଅଭିଜ୍ଞମାନେ ବାହାରେ କାହାର କୌଣସି ସାମାନ୍ୟତମ କ୍ଷତି ନଘଟାଇ ନିଜକୁ ସୌମ୍ୟ ସୁଦର୍ଶନ ଏବଂ କଳାତ୍ମକ ରୂପରେ ନିଜକୁ ଉପସ୍ଥାପନ କରିଥାନ୍ତି ।

ତେଣୁ ଏହି କାର୍ଯ୍ୟଟି ବସ୍ତୁତଃ ଆତ୍ମପରକ ହୋଇଥାଏ ଏବଂ ତାହା ସହିତ ଏଥିରେ ସତର୍କତା, ଅଭିଜ୍ଞତା ଏବଂ କଳାତ୍ମକତା ଭଳି ଆଉ ତିନୋଟି ବିଭାବର ସୁସଂହତ ବିନ୍ୟାସ ଦେଖିବାକୁ ମିଳିଥାଏ ।

ଆପଣା ଗୃହରୁ ଦୟା ପ୍ରଦର୍ଶନର ଆରମ୍ଭ ନ୍ୟାୟରେ ସମସ୍ତେ ନିଜଠାରୁ ଏଇ କାର୍ଯ୍ୟଟିର ଶ୍ରୀଗଣେଷ କରିଥାନ୍ତି । ମାତ୍ର ରାଜା ମହାରାଜାମାନଙ୍କ କ୍ଷେତ୍ରରେ ଏହି ବିଶେଷ ସତର୍କତାମୂଳକ ଅଭିଜ୍ଞତା କୌଣସି କାର୍ଯ୍ୟରେ ଆସେନାହିଁ । ଏହାର କାରଣ ହେଉଛି ରାଜା ମହାରାଜାଙ୍କ ମସ୍ତକର ଉପରିଭାଗ ସବୁବେଳେ ଗୋଟିଏ ଗୋଟିଏ ରାଜମୁକୁଟରେ ଆଚ୍ଛାଦିତ ହୋଇ ରହିଥାଏ । ଫଳତଃ ଆମେ ଏଯାବତ୍ ସମାଜର ସୁବୃହତ ପରିସରରେ କୌଣସି ଚନ୍ଦା ରାଜା ମହା ରାଜାଙ୍କୁ ଦେଖିପାରିବାକୁ ଅସମର୍ଥ ରହିଛୁ ।

ଏଇ ଲେଖାଟି ହେଉଛି ସେଇ ସତର୍କ ଆଉ ସୁନ୍ଦର କଳା ବିଷୟରେ ଏକ ଆଲୋକପାତ ଯେଉଁଠି ଜଣେ ନିଜର ଯତ୍-କିଞ୍ଚିତ ଅବଶିଷ୍ଟ କେଶରାଜିର ସହାୟତାରେ ନିଜର ଚନ୍ଦାପଣକୁ ଆଢୁଆଳ କରିବା ଭଳି ଆୟୋଜନରେ ନିତିପ୍ରତି ନିମଜ୍ଜନରେ ରହିଥାଏ ।

ରାଜା ମହାରାଜାଙ୍କର ରାଜମୁକୁଟ ଦ୍ୱାରା ପ୍ରଭାବିତ ହୋଇ ଯେଉଁମାନେ ନିଜର ମସ୍ତକୋପରି ମରୁଭୂମୀକୁ କୌଣସି ଟୋପି ବା ପଗଡି ର ସହାୟତାରେ ଅତି ସହଜରେ ବିସର୍ଜି ଦେଇଛନ୍ତି ସେହି ଭଳି ପଗଡି-ପୁରୁଷମାନଙ୍କ କଥା ଏଇ ଲେଖାରେ ନାହିଁ। ଏଇଠି କେବଳ ସେଇମାନଙ୍କ କଥା ଯେଉଁମାନଙ୍କ ପାଇଁ ସେମାନଙ୍କ ଉପସ୍ଥିତ କେଶରାଜି ହେଉଛି ସବୁବେଳେ ଅସହଜପଣ, ସାତହାତ ଶାଢୀକୁ ବାରହାତ ଆଢୁଆଳ ।

୧୯୭୦ ର କଥା । ସେତେବେଳେ ନିଜର ଅଳ୍ପକେଶର ଆଳରେ “ଗନ୍-କେଶ” କୁ ଜାବୁଡି ଧରିବା ଭଳି ଏକ ଷ୍ଟାଇଲ୍ ର ଏକ ବିଶେଷ ପ୍ରଚଳିତ ନାଆଁ ରହିଥିଲା, ଯୁକ୍ତରାଜ୍ୟ ଆମେରିକାରେ । ସେଠାରେ ଏହି ବିଶେଷ ଏବଂ ଅତ୍ୟନ୍ତ ଜନପ୍ରିୟ କେଶସଜ୍ଜା ର ନାଆଁ ଥିଲା “କଂବ୍-ଓଭର” ।

ଏହି “କଂବ୍-ଓଭର” କେଶସଜ୍ଜାକୁ ନେଇ ସେଠିକାର ଗୋଟିଏ ପିତାପୁତ୍ର ଯୋଡି ଅତ୍ୟନ୍ତ ଉତ୍ସାହିତ ହୋଇ ପଡିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେହି ପିତାପୁତ୍ର ଯୋଡି ମଧ୍ୟରୁ ପୁତ୍ର ଡୋନାଲଡ୍ ଜେ ସ୍ମିଥ୍ ଙ୍କର ମସ୍ତକର ଉପରିଭାଗ ବେଶ୍ ସମୃଦ୍ଧ ରହିଥିବା ବେଳେ ପିତା ଫ୍ରାଙ୍କ୍ ଙ୍କର ସେହି ଅଂଶରେ ଥିଲା ଆଂଶିକ ମରୁଭୂମୀ । ସେ ଯାହାହେଉ ଉଭୟ ପିତାପୁତ୍ର ଫ୍ରାଙ୍କ୍ ଆଉ ଡୋନାଲଡ୍ ଏହି ବିଷୟରେ ଅନେକ ଚିନ୍ତା କରି ଯୁକ୍ତରାଷ୍ଟ୍ରର ପାଟେଣ୍ଟ ଅଫିସରେ ଏହି ଭଳି କେଶସଜ୍ଜାର କପିରାଇଟ୍କୁ ନେଇ ଏକ ଆବେଦନ କରିଥିଲେ ।

ଆବେଦନ ପତ୍ରରେ ସେମାନେ ଏହିଭଳି ଲେଖିଥିଲେ :

“(ଏହି ପ୍ରକ୍ରିୟା ଅନୁସାରେ)ମଥାର କେଶକୁ ଆଗ ସମାନ ଭାଗରେ ଭାଗ କରାଯିବ, ସେଥିରୁ ଗୋଟିଏ ଭାଗ କେଶକୁ ନେଇ ଯେଉଁଠି ଚନ୍ଦା ଅଂଶ ଥିବ ତାହା ଉପରେ ରଖାଯିବ, ତାହାପରେ ଆଉ ଗୋଟିଏ ଭାଗ କେଶକୁ ନେଇ ଚନ୍ଦାପଣ ଉପରେ ରଖାଯାଇଥିବା ସେଇ ପ୍ରଥମଭାଗ କେଶ ଉପରେ ରଖାଯିବ। ଶେଷରେ ଆଉ ବାକି ଯେଉଁତକ କେଶଭାଗ ରହିଗଲା ତାହାକୁ ଆଗର ଘୋଡାଯାଇଥିବା ପ୍ରଥମ ଆଉ ଦ୍ୱିତୀୟଭାଗ କେଶ ଉପରେ ରଖାଯିବ ଆଉ ଏହା ଫଳରେ ମଥାର ଚନ୍ଦାପଣ ପୁରାପୁରି ଘୋଡାଯାଇ ପାରିବ ।”

                                   ( ଏହି ପ୍ରକ୍ରିୟାର ଗୋଟିଏ ସଚ୍ଚିତ୍ର ବିଶଦ ବିବରଣୀ ସଂଲଗ୍ନ ରହିଛି ।)

ଫ୍ରାଙ୍କ୍ ଆଉ ଡୋନାଲଡଙ୍କର ଏହି ଭଳି କେଶସଜ୍ଜାର “କପିରାଇଟ୍” ପାଇଁ ଆବେଦନ କରିବାର ତାରିଖ ଥିଲା ୨୩ ଡିସେମ୍ବର ୧୯୭୫ ମସିହା । ତେଣୁ ୨୩ ଡିସେମ୍ବର ହେଉଛି ସେହି ବିଖ୍ୟାତ କେଶ-ଚିନ୍ତକଙ୍କୁ ସ୍ମରଣ କରିବାର ଦିନ।

ଆମେ ଯେତେବେଳେ “କଂବ୍-ଓଭର” ବା ପାନିଆରେ କେଶ-ବହୁଳ ସ୍ଥାନରୁ କେଶରାଜିକୁ କେଶ-ବିରଳ ସ୍ଥାନକୁ ଘଉଡାଇ ଆଣୁ ସେତେବେଳେ ଏହି ଫ୍ରାଙ୍କ ଆଉ ଡୋନାଲଡ୍ ପିତାପୁତ୍ର ଯୁଗଳଙ୍କୁ ଅତ୍ୟନ୍ତ ଧନ୍ୟବାଦଟିଏ ଦେବା ଉଚିତ୍ କାରଣ ୟୁ-ଏସ୍ ପାଟେଣ୍ଟ ଆଇନ ଅନୁସାରେ ସେମାନେ ଆବେଦନ କରିବାର କିଛି ମାସ ପରେ ଅର୍ଥାତ୍ ୧୦ ମେ ୧୯୭୭ ଦିନ ଏହି ବିଶେଷ କ୍ରିୟାର ସେମାନେ କପିରାଇଟ୍ ପ୍ରାପ୍ତ ହୋଇଛନ୍ତି ।

ଆପଣମାନଙ୍କ ଗୋଚରାର୍ଥେ କହିବାକୁ ଚାହିଁବି ସେହି ପାଟେଣ୍ଟର କ୍ରମିକ ସଂଖ୍ୟା ହେଉଛି ୪,୦୨୨,୨୨୭।

Comments are closed.