Latest Odisha News

ସ୍ୱଳ୍ପ ଗଳ୍ପ : ଆଲେଜାଣ୍ଡ୍ରିଆର ହାଇପେସିଆ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୩

ଆଉ ଯାହା ହେଉନା କାହିଁକି ହାଇପେସିଆଙ୍କ ମରଣଟି ଅତ୍ୟନ୍ତ ବିଭତ୍ସ ଥିଲା । ଅନିନ୍ଦ୍ୟ ଅପରୂପା ତଥା ସମକାଳର ସମାଜରେ ସୁପରିଚିତ ଜଣେ ବିଦୂଷୀର ସେହି ଭଳି ଗୋଟିଏ ଅନ୍ତକୁ ଅନେକେ ଏଯାଏଁ ବି ସେମିତି ଗ୍ରହଣ କରି ଆସିନାହାଁନ୍ତି । ତାଙ୍କର ବିଦ୍ୱତା ଏବଂ ସୁନ୍ଦରପଣର ପ୍ରଭାବ ଏଯାଏଁ ରହିଥିବା କାରଣରୁ ତାଙ୍କର ମୃତ୍ୟୁର ବହୁ ବର୍ଷ ପରେ ବି ତାଙ୍କୁ ଉପଜୀବ୍ୟ କରି କବିତା, ଗଳ୍ପ, ଆଲେଖ୍ୟମାନ ଲେଖା ହୋଇ ଆସୁଛି । ତାଙ୍କର ଜୀବନକୁ ଆଧାର କରି ହଲିଉଡରେ ଗୋଟିଏ ଚଳଚ୍ଚିତ୍ର ହୋଇଛି ଆଉ ଏଇ ଚଳଚ୍ଚିତ୍ରଟି ବି ବେଶ୍ ଜନପ୍ରିୟ । ତାହାର ଶୀର୍ଷକ ହେଉଛି “ଅଗୋରା” ।

ହାଇପେସିଆଙ୍କ ସମୟ ହେଉଛି ଖ୍ରୀଷ୍ଟ୍ରୀୟ ଚତୁର୍ଥ ଶତାବ୍ଦୀର ବିସ୍ତୃତ ସମୟ । ସେହି ସମୟରେ ଆଲେକଜାଣ୍ଡ୍ରିଆ ରୋମାନ ସାମ୍ରାଜ୍ୟର ଅନ୍ତର୍ଭୂକ୍ତ ଥିଲା ।

ପୃଥିବୀ ଇତିହାସର ସର୍ବ ପ୍ରଥମ ଦାର୍ଶନିକ-ନାରୀ ଶହୀଦ ହାଇପେସିଆ । ସେ ପୃଥିବୀର ପ୍ରଥମ ନାରୀ ଗଣିତଜ୍ଞ,ଜ୍ୟୋତିର୍ବିଦ ଏବଂ ଦାର୍ଶନିକ ।

ଯେତେବେଳେ ଆମ ସାମ୍ନାକୁ ଆଦ୍ୟକାଳର କୌଣସି ଦାର୍ଶନିକର ସ୍ୱରୂପ ଆସେ ଆମ ସାମ୍ନାରେ ଆଗ ଉପସ୍ଥିତ ହୋଇଯାଆନ୍ତି ସକ୍ରେଟିସ୍ ,ପ୍ଲାଟୋଙ୍କ ଭଳି ଶ୍ମଶ୍ରୁ ବହୁଳ କେତେଜଣ ବୃଦ୍ଧ । ହାଇପେସିଆ କିନ୍ତୁ ସେଦୃଷ୍ଟିରୁ ଦେଖିଲେ ଅତ୍ୟନ୍ତ ସୁଦର୍ଶନା ଆଉ ଚଳଚଞ୍ଚଳ ଆଉ ଚିର କିଶୋରୀ । ସେଇଭଳି ପ୍ରତିମାନ କୌଣସି ଦାର୍ଶନିକ ସହ ହୁଏତ ଯଥାଯୋଗ୍ୟ ଦିଶିବ ନାହିଁ ।

ହାଇପେସିଆଙ୍କ ସମୟର ବହୁବର୍ଷ ପରର ଅର୍ଥାତ୍ ଖ୍ରୀଷ୍ଟ୍ରୀୟ ଦଶମ ଶତାବ୍ଦୀରେ “ସୁଦା” ଏଇ ଶୀର୍ଷକରେ ସଂକଳିତ ଗୋଟିଏ ବାଇଜାଣ୍ଟାଇନ୍ (ରୋମ୍ ସମ୍ପର୍କିତ ) ଏନସାଇକ୍ଲୋପିଡିଆରେ ତାଙ୍କ ସମ୍ପର୍କରେ ଗୋଟିଏ ବିଶେଷ ଘଟଣାର ଉଲ୍ଲେଖ କରାଯାଇଛି । ଅନିନ୍ଦ୍ୟ ରୂପସୀ ହାଇପେସିଆ ତାଙ୍କର ଜଣେ ପ୍ରେମାସକ୍ତକୁ କେଉଁଭଳି ପ୍ରତ୍ୟାଖ୍ୟାନ କରିଥିଲେ ତାହାର ଏକ ପରିପ୍ରକାଶ ହେଉଛି ସେଇ ଉଲ୍ଲେଖ । ହାଇପେସିଆଙ୍କର ନିଜର ଜଣେ ପ୍ରେମାସକ୍ତକୁ ପ୍ରତ୍ୟାଖ୍ୟାନ କରିବା ପ୍ରକ୍ରିୟାର କାହାଣୀଟି ନିହାତି ଅଦ୍ଭୁତ,ଆକର୍ଷଣୀୟ ଏବଂ କହିବା ବାହୁଲ୍ୟ ଜଣେ ଦାର୍ଶନିକର ଏଇ ଭଳି ଜଣକୁ ପ୍ରତ୍ୟାଖ୍ୟାନ କରିବା ସମ୍ଭବତଃ ଆମକୁ ସେତେ କୌତୁହଳସମ୍ପନ୍ନ କରି ନପାରେ । କାରଣ ଆମ ସାମ୍ନାରେ ଦାର୍ଶନିକମାନେ ସମସ୍ତ ପ୍ରକାରର ଅଜବ କାଣ୍ଡମାନ କରିପାରନ୍ତି ବୋଲି ଆମର ଧାରଣା ଗଚ୍ଛିତ ରହିଛି ।

ହାଇପେସିଆଙ୍କ ପ୍ରେମ-ପ୍ରତ୍ୟାଖ୍ୟାନର କାହାଣୀ କୁ ଯିବା ପୂର୍ବରୁ ତାଙ୍କର ବିଭତ୍ସ ମରଣକୁ ଆଗ ଦେଖାଯାଉ ।

ମିଶରର ଆଲେକଜାଣ୍ଡ୍ରିଆ ସହରରେ ତାଙ୍କର ଜନ୍ମ । ଜନ୍ମକାଳ ୩୫୦ ଖ୍ରୀଅ । ତାଙ୍କ ଜନ୍ମର ଚାରିଶହ ବର୍ଷ ପୂର୍ବରୁ ସେହି ସହରରେ ଆଉଜଣେ ଇତିହାସ ପ୍ରସିଦ୍ଧ ରମଣୀଙ୍କର ଜନ୍ମଲାଭ ଘଟିଥିଲା । ତେଣୁ ଇତିହାସ ପ୍ରସିଦ୍ଧି ଅନୁସାରେ ହାଇପେସିଆ ହେଉଛନ୍ତି ଆଲେକଜାଣ୍ଡ୍ରିଆର ଦ୍ୱିତୀୟ ଚର୍ଚ୍ଚିତ ମହିଳା। ଇତିହାସ ଦୃଷ୍ଟିରୁ ଆଲେକଜାଣ୍ଡ୍ରିଆର ପ୍ରଥମ ଚର୍ଚ୍ଚିତ ନାରୀ ଜଣକ କିନ୍ତୁ ଭିନ୍ନ କାରଣ ଯୋଗୁ ପ୍ରସିଦ୍ଧ । ତାଙ୍କର ନାଆଁ କ୍ଲିଓପାଟ୍ରା । ଅବଶ୍ୟ ହାଇପେସିଆ ବି କ୍ଲିଓପାଟ୍ରାଙ୍କ ଭଳି ରୂପସୀ ଥିଲେ ମାତ୍ର କ୍ଲିଓପାଟ୍ରାଙ୍କ ନିକଟରେ ହାଇପେସିଆଙ୍କ ପାଣ୍ଡିତ୍ୟ ଆଦୌ ନଥିଲା।

ଭାରତର ଖଗୋଳବିତ୍ ବରାହମିହିର ଏବଂ ଖନାଙ୍କ ପିତା-ପୁତ୍ରୀ ଯୁଗଳ ଭଳି ଠିକ୍ ସେମିତି ଗୋଟିଏ ଯୁଗଳ ଥିଲେ ସେତେବେଳର ଆଲେକଜାଣ୍ଡ୍ରିଆରେ ହାଇପେସିଆ ଏବଂ ତାଙ୍କର ପିତା ଥିଓନ୍ । ଥିଓନ୍ ସେସମୟର ବିଖ୍ୟାତ ପଣ୍ଡିତ,ଗଣିତଜ୍ଞ । ମୁସିଅନ୍ ବୋଲି ସେ ସମୟର ଆଲେକଜାଣ୍ଡ୍ରିଆର ବିଶ୍ୱବିଦ୍ୟାଳୟର ସେ ପ୍ରମୁଖ ଥିଲେ । ପ୍ରଖ୍ୟାତ ଜ୍ୟାମିତିଜ୍ଞ ଇଉକ୍ଲିଡଙ୍କ “ଏଲିମେଣ୍ଟ” ପୋଥିର ସମ୍ପାଦନ କରିଥିଲେ ସେ । ପିତା ଥିଓନଙ୍କ ଦ୍ୱାରା ପ୍ରଭାବିତ ହୋଇ ହାଇପେସିଆ ଗଣିତ ପ୍ରତି ଆଗ୍ରହୀ ହୋଇଥିଲେ ଏବଂ କ୍ରମଶଃ ସେ ନିଜର ପିତାଙ୍କୁ ନିଜର ପାଣ୍ଡିତ୍ୟ ବଳରେ ଅତିକ୍ରମ କରିଯାଇଥିଲେ । ସେ ପ୍ରଖ୍ୟାତ ଗଣିତଜ୍ଞ ଟଲେମିଙ୍କ ଲେଖାର ଏବଂ ଡାଇଓଫାଣ୍ଟସ୍ ବୋଲି ଆଉ ଜଣେ ପ୍ରସିଦ୍ଧ ଗଣିତଜ୍ଞଙ୍କର “ଏରିଥମେଟିକା” ଭଳି ଗ୍ରନ୍ଥର ଟୀକାକାର ଥିଲେ ।

ଦୁଃଖର କଥା ହାଇପେସିଆଙ୍କର ଉପସ୍ଥିତି ର ସମସ୍ତ ପ୍ରମାଣ ରହିଥିବା ସତ୍ତ୍ୱେ ତାଙ୍କର ଲେଖା ସଂରକ୍ଷିତ ହୋଇ ରହିନାହିଁ । ଏହାର କାରଣକୁ ଲିଙ୍ଗଗତ ତଥା ପିତୃସତ୍ତାତ୍ମକ ବିଚାରର ଆଧାରରେ ବୁଝାଯାଇ ପାରେ । ଜଣେ ନିହାତି ସୁନ୍ଦରୀ ଯେ ନିଜର ହାଲୋଳ କରିଦେଉଥିବା ରୂପ ସହିତ ପ୍ରଖର ବିଦୂଷୀ ହେବ ସେଇ କଥା ସମାଜର ପିତୃସତ୍ତାତ୍ମକ ସତ୍ତା ପାଇଁ ଗ୍ରହଣଯୋଗ୍ୟ ହେବନାହିଁ । ବିଦୁଷୀ ନାରୀ ପ୍ରତି ପୁରୁଷ ସମାଜର ଏକ ସହଜାତ ଭୟ ରହିଆସିଛି । ସେ ଯାହା ହେଉ ହାଇପେସିଆ କେବଳ ଯେ ଶ୍ରେଣୀ କକ୍ଷରେ ତାଙ୍କର ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ ଏକଥା ନୁହଁ । ସମୟ ପାଇଲେ ସେ ଆଲେକଜାଣ୍ଡ୍ରିଆ ସହରର ଛକ ଆଉ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ନିଜର ଅଧ୍ୟୟନକୁ ବ୍ୟାଖ୍ୟାନ ମାଧ୍ୟମରେ ଉପସ୍ଥାପନ କରୁଥିଲେ । ତାଙ୍କର ଭାଷା, ତାଙ୍କର ବାଗାଡମ୍ବର ଏବଂ ତାଙ୍କର ପାଣ୍ଡିତ୍ୟ କାରଣରୁ ତାଙ୍କର ଯଥେଷ୍ଟ ଅନୁଗତ ସୃଷ୍ଟି ହେବାରେ ଲାଗିଥିଲା। ତାଙ୍କୁ ଶୁଣିବା ପାଇଁ ପ୍ରଚୁର ଜନ ସମାଗମ ହେଉଥିଲା । ସେ ଅନେକ ସମୟରେ ସମସାମୟିକ ଘଟଣାର ଏକ ଦାର୍ଶନିକ ପରିପ୍ରେକ୍ଷ୍ୟ ଆଲେକଜାଣ୍ଡ୍ରିଆ ର ଅଧିବାସୀଙ୍କ ସାମ୍ନାରେ ଉପସ୍ଥାପନା କରୁଥିଲେ ।

ଏହିସବୁ କାରଣରୁ ହାଇପେସିଆ ଖାଲି ଜଣେ ଦାର୍ଶନିକ ବା ଜ୍ୟୋତିର୍ବିଜ୍ଞାନୀ ନୁହଁ ସେ ସେହି ସମକାଳର ଜଣେ ପ୍ରମୁଖ ନାଗରିକ-ବୁଦ୍ଧିଜୀବୀ ବା ସିଭିକ୍ -ଇଣ୍ଟେଲେକଚୁଆଲ୍ ରେ ପରିଣତ ହୋଇ ଯାଇଥିଲେ । ଆଉ ହାଇପେସିଆଙ୍କର ଏଇ ଭଳି ବିବର୍ତ୍ତନ ବିଶେଷ ଭାବରେ ରକ୍ଷଣଶୀଳ ସମାଜର ଗ୍ରହଣୀୟ ନଥିଲା ।

ହାଇପେସିଆ କିନ୍ତୁ ଧର୍ମଗତ ଭାବରେ ବହୁଦେବତତ୍ତ୍ୱ ବା ପାଗାନିଜମ୍ ରେ ବିଶ୍ୱାସ କରୁଥିଲେ । ସେତେବେଳେ ରୋମାନ ସାମ୍ରାଜ୍ୟ ରେ ଖ୍ରୀଷ୍ଟଧର୍ମ ରାଜ୍ୟର ପ୍ରମୁଖ ଧର୍ମ ଥିଲା । ୪୧୫ ଖ୍ରୀଷ୍ଟାବ୍ଦର ମାର୍ଚ୍ଚ ମାସରେ ଆଲେକଜାଣ୍ଡ୍ରିଆରେ “ପାଗାନ” ମାନଙ୍କ ବିରୁଦ୍ଧରେ ଏକ ବିକ୍ଷୋଭ ସଂଘଟିତ ହୋଇଥିଲା । ଏତିକିବେଳେ ଦିନେ ହାଇପେସିଆ ରାସ୍ତାରେ ଯାଉଥିବା ବେଳେ “ପରବ-ଲାନି” ବୋଲି ଗୋଟିଏ ସନ୍ୟାସୀ ଦଳ ତା’ଙ୍କୁ ଘେରିଯାଇଥିଲେ । ତାହାପରେ ସେମାନେ ହାଇପେସିଆଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ତାଙ୍କର ଦେହକୁ ଖଣ୍ଡଖଣ୍ଡ କରିଥିଲେ ଆଉ ପ୍ରକାଶ୍ୟରେ ସେହି ଖଣ୍ଡ ଖଣ୍ଡ ଅଂଶକୁ ଜାଳି ଦେଇଥିଲେ । ହାଇପେସିଆଙ୍କ ଏହି ଭଳି ହତ୍ୟା ସେ ସମୟ ରୋମାନ ସମ୍ରାଟ କନଷ୍ଟାଣ୍ଟିଅସଙ୍କ ଏକ ବିଶେଷ ନିର୍ଦ୍ଦେଶ ଦ୍ୱାରା ଅନୁପ୍ରେରିତ ହୋଇଥିଲା । ଧାରୁଆ କଣ୍ଟାରେ ରାଜ୍ୟରେ ଚାଲବୁଲ କରୁଥିବା ଡାହାଣୀମାନଙ୍କର ଶରୀରରୁ ହାଡ ଏବଂ ମାଂସକୁ ଅଲଗା କରି ସେସବୁକୁ ଏକାଠି ଜାଳିଦେବା ଭଳି ନିର୍ଦ୍ଦେଶ ଥିଲା ରାଜା କନଷ୍ଟାଣ୍ଟିଅସ୍ ଙ୍କର ।

ପ୍ରଚୁର ଜନପ୍ରିୟତା, ଅପୂର୍ବ ସୁନ୍ଦରପଣ, ପ୍ରଖର ପାଣ୍ଡିତ୍ୟ,ଦାର୍ଶନିକତା ଏବଂ ଜନ-ବୁଦ୍ଧିଜୀବୀ ଭଳି ବିଭବମାନ ଜଣେ ନାରୀକୁ ପିତୃସତ୍ତାଧାରୀ ସମାଜରେ ଜଣେ ଡାହାଣୀରେ ରୂପାନ୍ତରିତ କରିଦେବାରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ ।

ହାଇପେସିଆଙ୍କ ପ୍ରତି ଅନେକେ ସେସମୟରେ ପ୍ରେମାସକ୍ତ ଥିଲେ । ସେମିତି ଜଣେ ଅନୁଗତ ଯୁବକ ତାଙ୍କର ଶ୍ରେଣୀ ଗୃହ ଏବଂ ସେ ଯେଉଁ ଯେଉଁ ଛକ ସ୍ଥାନରେ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟାଖ୍ୟାନମାନ ପ୍ରଦାନ କରୁଥିଲେ ସେ ସେହିସବୁ ସ୍ଥାନରେ ନିୟମିତ ଉପସ୍ଥିତ ରହୁଥିଲା । କହିବାବାହୁଲ୍ୟ ତାହାର ହାଇପେସିଆଙ୍କ ବ୍ୟାଖ୍ୟାନର ଗଭୀରତାକୁ ପ୍ରବେଶ କରିବା ଦିଗରେ କୌଣସି ଆଗ୍ରହ ନଥିଲା । ସେ କେବଳ ମୋହିତ ହୋଇ ଅପଲକ ଦୃଷ୍ଟିରେ ଚାହିଁ ରହୁଥିଲା ହାଇପେସିଆଙ୍କୁ । ଶେଷରେ ଦିନେ ସେ ସାହସ ବାନ୍ଧି ନିଜର ମନକଥା ତାଙ୍କୁ କହିଥିଲା । ୪୦୦ ଖ୍ରୀଷ୍ଟାବ୍ଦର କଥା ଇଏ । ହାଇପେସିଆ ତାହାକୁ ବୁଝାଇଥିଲେ ଯେ, ଏହି ଭଳି ଅସୁଖ କୁ ଦୂର କରିବାକୁ ହେଲେ ଜଣକୁ ସଙ୍ଗୀତର ଆଶ୍ରା ନେବାକୁ ପଡିବ । ସଙ୍ଗୀତ ଶୁଣିଲେ ଏଇଭଳି ଭାବ ଆଉ ଆସିବ ନାହିଁ । ତଥାପି ତାହାପରେ ସେ ଦେଖିଥିଲେ ତାଙ୍କର ସେହି ପ୍ରେମାସକ୍ତ ଯୁବକର ଆଚରଣ ରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ । ତେଣୁ ସେ ଦିନେ ତାଙ୍କର ଯାହା କହିବାର କଥା ତାହାକୁ ସେହି ଯୁବକ ନିକଟରେ ସ୍ପଷ୍ଟ ପ୍ରକାଶ କରିଥିଲେ । ତାହାପରେ ସେଇ ଯୁବକ ଜଣକ ତଳକୁ ମୁହଁ କରି ଗଭୀର ଲଜ୍ଜାରେ ସେହି ସ୍ଥାନ ପରିତ୍ୟାଗ କରିଥିଲା । ଆଉ କେବେ ସେ ହାଇପେସିଆଙ୍କ ସାମ୍ନାକୁ ଆସିନାହିଁ ।

ସେଦିନ ହାଇପେସିଆ ସେହି ଯୁବକକୁ କହିଥିଲେ,” ତମେ ଏହାକୁ ହିଁ ପ୍ରେମ କରୁଛ,ଦେଖ, ହେ ଯୁବାଶ୍ରେଷ୍ଠ, ଦେଖ ,ଏଥିରେ ଟିକିଏ ବୋଲି ସୁନ୍ଦରତା ନାହିଁ ।”

ସେତେବେଳକୁ ହାଇପେସିଆଙ୍କ ହାତରେ ଥାଏ ଖଣ୍ଡିଏ ମଇଳା କନା,ଆଉ ସେଇ କନାରେ ଚରିଯାଇଥାଏ କିଛି ମାସିକ ରକ୍ତ ।

Leave A Reply

Your email address will not be published.