ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ :୨୩
ସେଦିନ ଗହଳି ବେଶ୍ । ଧାର୍ମିକ ଦର୍ଶନାର୍ଥୀ ଆଉ ପର୍ଯ୍ୟଟକଙ୍କର ସେହି ମିଶ୍ରିତ ଭିଡ ଭିତରୁ ଜଣେ ହଠାତ୍ ଆଗକୁ ଡେଇଁପଡି ଖୁବ୍ ଜୋରରେ ଚିତ୍କାର କରି କହିଥିଲା, ମୁଁ ହେଉଛି ଯୀଶୁଖ୍ରୀଷ୍ଟ ।
ସେ ନିଜକୁ ଯୀଶୁ ଖ୍ରୀଷ୍ଟ ବୋଲି କହିଥିଲା ସତ ତାହାର ଅସଲ ନାଆଁ କିନ୍ତୁ କାହାରିକୁ ଜଣାନାହିଁ ।
ସବୁ ଧର୍ମରେ ଦେବତାମାନଙ୍କ କ୍ଷେତ୍ରରେ ଗୋଟିଏ କଥା ସବୁବେଳେ ସମାନ । ବେଳେବେଳେ ସେମାନେ କାଳିସୀ ଭଳି ଅବତରିତ ହୋଇ ନିଜ କଥା କହିବା ପାଇଁ ଆତ୍ମପ୍ରକାଶର ସିଧା ମାଧ୍ୟମ ହିସାବରେ ଯେଉଁମାନଙ୍କୁ ବାଛିଥାଆନ୍ତି ସେମାନଙ୍କର ଅନେକ ପରିମାଣରେ ମତିଭ୍ରମ ରହିଥାଏ ବୋଲି ସମସ୍ତେ ଜାଣନ୍ତି କିନ୍ତୁ କେହି କିଛି ସାମନାରେ କହନ୍ତି ନାହିଁ ।
ପରେ ନିଜକୁ ଯୀଶୁ ଖ୍ରୀଷ୍ଟ ବୋଲି କହୁଥିବା ସେଦିନର ସେହି ଚରିତ୍ର ଜଣକର ହାତରେ ଥିଲା ଗୋଟିଏ ହାତୁଡି । ଆଚରଣରେ ସେ ଅଧିକ ଉଗ୍ର ଆଉ ଅସଂଲଗ୍ନ ଦିଶୁଥିଲା। ତାହାର ମସ୍ତିଷ୍କବିକୃତି ଘଟିଛି ବୋଲି ସମସ୍ତେ ଜାଣିବା ବେଳକୁ ସେ ଯାହା ଯାହା କ୍ଷତି କରିବା କଥା ସେସବୁ କରି ସାରିଥିଲା ।
ସେଦିନ ଅର୍ଥାତ୍ ୨୧ ମେ ୧୯୭୨ ର ସେଣ୍ଟ ପିଟର ବାସିଲିକା ର ପରିସରରେ ସେହି ଯୀଶୁଖ୍ରୀଷ୍ଟ କୁ ଉପସ୍ଥିତ ଭିଡ ନିଜର ଆୟତ୍ତକୁ ନେବା ପୂର୍ବରୁ ସେ ସେଠାରେ ରହିଥିବା ମାଇକେଲୋଆଞ୍ଜେଲୋଙ୍କର ସେହି ପ୍ରସିଦ୍ଧ ଭାସ୍କର୍ଯ୍ୟ “ପିଏତା” ଯେଉଁଠି ମାଆ ମାଡୋନାଙ୍କ କୋଳରେ ରହିଛନ୍ତି କ୍ରୁଶବିଦ୍ଧ ଯୀଶୁ ତାହା ଉପରେ ପ୍ରାୟ ପନ୍ଦର ଥରରୁ ଅଧିକ ନିଜର ହାତୁଡି ପ୍ରହାର କରିସାରିଥିଲା । ତାହା ଫଳରେ ମାଡୋନାଙ୍କର ବାଆଁ ଆଖିପତା, ନାକ, ମଥା ଆଉ ଓଢଣୀରେ ଯଥେଷ୍ଟ କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କର ବାଆଁ ହାତ ଭାଙ୍ଗି ଯାଇଥିଲା, ହାତର ଆଙ୍ଗୁଳିମାନ ଚଟାଣରେ ବିଛାଡି ହୋଇ ପଡିଥିଲା ।
ମସ୍ତିଷ୍କ ସୁସ୍ଥ ଥାଉ କି ଅସୁସ୍ଥ ଥାଉ ନିଜ କାମ ପାଇଁ ସମସ୍ତଙ୍କ ପାଖରେ କୌଣସି ନା କୌଣସି କାରଣ ରହିଥାଏ । ଏଠାରେ ଏଇ ଆତ୍ମଘୋଷିତ ଯୀଶୁଖ୍ରୀଷ୍ଟ ର ଏହି ଭଳି ଚିତ୍ର-ସଂହାର କରିବା ପଛର କାରଣ ହିସାବରେ କୁହାଯାଏ,ମାଆ କୋଳରେ କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ନଗ୍ନତା ତାହାର ପସନ୍ଦର ନୁହଁ ।
“ପିଏତା” ଭଳି ଭାସ୍କର୍ଯ୍ୟ ର ଏହି ଭଳି ଆକ୍ରମଣର ବ୍ୟାପକ ପ୍ରତିକ୍ରୀୟା ଦେଖା ଦେଇଥିଲା । ତତ୍କାଳୀନ ମହାମାନ୍ୟ ପୋପ୍, ପୋପ୍ ପଲ୍ ଷଷ୍ଠ ଏହି ଘଟଣାରେ ବ୍ୟଥିତ ହୋଇଥିଲେ । ଘଟଣାରେ ବ୍ୟଥିତ ହେବା ବ୍ୟତୀତ ତାଙ୍କର ଅଧିକ କିଛି କରିବାର
ନଥିଲା । ତାଙ୍କର ପୂର୍ବବର୍ତ୍ତୀ ପୋପ୍ ମାନେ ବି ଅନୁରୂପ ଘଟଣା ମାନଙ୍କରେ ନୀରବତା ଅବଲମ୍ବନ କରିବାର ଏକ ପରଂପରା
ରହିଅଛି ।
ଏହି ଘଟଣାର ପାଞ୍ଚଶ ବର୍ଷ ପୂର୍ବରୁ ମାଇକେଲ ଆଞ୍ଜେଲୋଙ୍କ ସମୟରେ ଅନୁରୂପ ଏକ ଘଟଣା ଘଟିଥିଲା । ସେଇଠି ବି ମୂଖ୍ୟାଂଶରେ ଥିଲେ ଏଇ ପ୍ରଖ୍ୟାତ ସ୍ଥପତି । ସେତେବେଳେ ମାଇକେଲୋଆଞ୍ଜେଲୋଙ୍କୁ ସେହି ଭଟିକାନ୍ ସିଟିର ସିଷ୍ଟାଇନ୍ ଚାପେଲ୍ ର “ଅଲଟାର୍” ବା ବେଦୀ ମଣ୍ଡପରେ ଗୋଟିଏ “ଫ୍ରେସକୋ” ଚିତ୍ରଣ କରିବାକୁ କୁହାଯାଇଥାଏ ।
ମାଇକେଲୋଆଞ୍ଜେଲୋ ସେଇଠି ଏକ ବିରାଟ ” ଫ୍ରେସକୋ” ଆକାରରେ ବାଇବେଲ ର “ଦି ଜଜମେଣ୍ଟ ” କୁ ଅଂକନ କରିବାକୁ ବାଛିଥିଲେ । ସେତେବେଳେ ପୋପ୍ ଥାଆନ୍ତି ପୋପ୍ ପଲ୍ ତୃତୀୟ । ଏହି ” ଫ୍ରେସକୋ” ଅଂକନ ଚାଲିଥିବା ବେଳେ ବିଭିନ୍ନ ରକ୍ଷଣଶୀଳ ମହଲରୁ ଏଥିରେ ନଗ୍ନତା ରହୁଛି ବୋଲି ଯଥେଷ୍ଟ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣର ମୁଖ୍ୟ ଥିଲେ ପୋପ୍ ଙ୍କର ” ମାଷ୍ଟର ଅଫ୍ ସେରିମୋନି” ଉତ୍ସବ ପରିଚାଳନାର ମୂଖ୍ୟ ବାୟାଜିଓ ଦା କେସନା । ନଗ୍ନତାର ବିରୁଦ୍ଧରେ ଅଭିଯୋଗ ଆଉ ପ୍ରତିବାଦ ଉଗ୍ର ହେବାରେ ଲାଗିଲା । ଆଉ ଠିକ୍ ସେତିକିବେଳେ ଅବିଚଳିତ ସ୍ଥପତି ମାଇକେଲୋଆଞ୍ଜେଲୋ ନିଜର ପ୍ରତିକ୍ରୀୟା ନିଜର ଚିତ୍ରାଙ୍କନ ମାଧ୍ୟମରେ ବ୍ୟକ୍ତ କରିଥିଲେ । ଅଙ୍କନ ଚାଲିଥିବା ସେହି “ଫ୍ରେସକୋ” ରେ ସେ ନଗ୍ନତାବିରୋଧୀ ଆନ୍ଦୋଳନର ମୁଖ୍ୟ କେସନାଙ୍କର ଏକ ଛବି ସେଇଠି ନର୍କର ଅଧିପତି ହିସାବରେ ଅଙ୍କନ କରିଥିଲେ । ସେଇଠି ଅର୍ଥାତ୍ ସେହି ” ଫ୍ରେସକୋ” ରେ ନର୍କର ଅଧିପତି ହିସାବରେ ତାଙ୍କର କାନ ମାନ ଗଧର କାନ ଭଳି ଥିଲା ଆଉ ତାଙ୍କର ଯୌନାଙ୍ଗଟି ଦେଖିବାକୁ ସାପ ସଦୃଶ ଥିଲା । ମାଇକେଲୋଆଞ୍ଜେଲୋଙ୍କର ଶିଳ୍ପୀସୁଲଭ ଏହି ଭଳି ପ୍ରତିକ୍ରିୟାରେ ନଗ୍ନତାବିରୋଧୀ ପ୍ରଖର କେଶନା ଅଧିକ କ୍ଷୁବ୍ଧ ହୋଇ ପୋପ୍ ପଲ୍ ତୃତୀୟଙ୍କୁ ଏକଥା ଜଣାଇ ବିହିତ କାର୍ଯ୍ୟାନୁଷ୍ଠାନ ର ନିବେଦନ କରିଥିଲେ । ପୋପ୍ ପଲ୍ ତୃତୀୟ ସବୁକଥା ଧୀରସ୍ଥିର ଭାବରେ ଶୁଣିବା ପରେ କହିଥିଲେ,ଇଏ ତ ନର୍କର କଥା । ସେ ବିଷୟରେ ମୁଁ କ’ଣ ଆଉ କରିପାରିବି ? ତାହା ପରର ପୋପ୍ ପୋପ୍ ପଲ୍ ଚତୁର୍ଥ କିନ୍ତୁ ଏ ବିଷୟରେ ସଚେତନ ଥିଲେ । ସେ ଜଣେ ଇଟାଲୀୟ ଶିଳ୍ପୀ ଦାନିଏଲେ ଦା ଭୋଲତେରା (୧୫୦୯-୧୫୬୬) ଙ୍କୁ ଏଥିପାଇଁ ନିୟୋଜିତ କରିଥିଲେ । ଦାନିଏଲେଙ୍କ କାମ ଥିଲା ଯେଉଁଠି ଯେଉଁଠି ମାଇକେଲୋଆଞ୍ଜେଲୋଙ୍କ ଛବିରେ ନଗ୍ନତା ରହିଛି ତାହାକୁ ଯଥାସମ୍ଭବ ଆବୃତ୍ତ କରିବା ପାଇଁ ଚିତ୍ର-ପୋଷାକ ପିନ୍ଧାଇବା । ସେଇଥିପାଇଁ ଦାନିଏଲେଙ୍କୁ ଲୋକେ କହୁଥିଲେ “ଅନ୍ତର୍ବାସ -ଚିତ୍ରକର” ବା “ବ୍ରିଚେସ୍ -ପେଣ୍ଟର୍” ।
ଆମର ଚିତ୍ରଭାବନାରେ ସମ୍ଭବତଃ କେମିତି କେଜାଣି ଏଇ ଭଳି ଅନ୍ତର୍ବାସ-ଚିତ୍ରକାର ଟିଏ କେଉଁଠି ଗୋପନରେ ରହିଥାଏ ଆଉ ଧାର୍ମିକଗହଳିରେ ବେଳେ ବେଳେ ଆଗକୁ ଡେଇଁପଡି ଏହି ଭଳି କହୁଥାଏ,ମୁଁ ହେଉଛି ଅମୁକ।
Comments are closed.