Latest Odisha News

ସ୍ୱଳ୍ପ ଗଳ୍ପ : ଏକ ମୃତ୍ୟୁଦଣ୍ଡ ଏହିପରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩

ପ୍ରାଚୀନ ସଭ୍ୟତା ବିଶେଷ ଭାବରେ ଗ୍ରୀସ୍ ଆଉ ରୋମ୍ ସଭ୍ୟତାରେ ମୃତ୍ୟୁଦଣ୍ଡ ଆଦେଶର ପାଳନବିଧିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ତାହା ସେହି ସମୟ ର ସମାଜର ବର୍ଗ ବିଶେଷ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଥିଲା । ସମାଜର ଉଚ୍ଚବର୍ଗ ବା ପାଟ୍ରିସିଆନମାନଙ୍କ ପାଇଁ ଯେମିତି ମୃତ୍ୟୁଦଣ୍ଡ କ୍ରୀତଦାସମାନଙ୍କ ପାଇଁ ଅବିକଳ ସେମିତି ମୃତ୍ୟୁଦଣ୍ଡର ବିଧାନ ନଥିଲା ।ଉଚ୍ଚବର୍ଗ ବିଶେଷଙ୍କ କ୍ଷେତ୍ରରେ ଅର୍ଥାତ୍ ପାଟ୍ରିସିଆନ ତଥା ଇକ୍ୱିଷ୍ଟ୍ରିଆନ୍ ବା ଅଶ୍ୱାରୋହୀମାନଙ୍କୁ ବିଷପାନ ଦ୍ୱାରା ମୃତ୍ୟୁଦଣ୍ଡ ଆଦେଶ ସମ୍ପନ୍ନ ହେଉଥିଲା ।

ସେହିଭଳି ବିଷପାନ କାର୍ଯ୍ୟ ନିହାତି କମ୍ ସଂଖ୍ୟକ ସେହି ବର୍ଗ ବିଶେଷର ବ୍ୟକ୍ତିଙ୍କ ଉପସ୍ଥିତିରେ ସୀମୀତ ପରିସରରେ କାର୍ଯ୍ୟକାରୀ ହେଉଥିଲା । ଅନ୍ୟ ପକ୍ଷରେ ଦେଖିଲେ ସମାଜର ସାଧାରଣ ବର୍ଗ ଏବଂ କ୍ରୀତଦାସଙ୍କୁ କ୍ରୁଶବିଦ୍ଧ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ଆଉ ଏଇଠି ସବୁଠୁ ଉଲ୍ଲେଖ ଯୋଗ୍ୟ କଥା ହେଉଛି ବିଷପାନ ଦ୍ୱାରା ମୃତ୍ୟୁଦଣ୍ଡ ସଙ୍କୁଚିତ ପରିସରରେ ହେଉଥିବା ବେଳେ କ୍ରୁଶବିଦ୍ଧର ଆୟୋଜନକୁ ସର୍ବସାଧାରଣ ଉପସ୍ଥିତ ହୋଇ ପ୍ରତ୍ୟକ୍ଷ କରୁଥିଲେ । ସର୍ବସାଧାରଣଙ୍କୁ ଉପସ୍ଥିତ ହୋଇ ଏହିଭଳି କ୍ରୁଶବିଦ୍ଧ ଘଟଣାକୁ ଦେଖିବାକୁ ଅନୁମତି ଦେବା ତଥା ଏହି ବିଭତ୍ସ ଘଟଣାକୁ ଏକ ପ୍ରକାର ଉତ୍ସବରେ ପରିଣତ କରାଯିବା ପଛରେ ଉଦ୍ଦେଶ୍ୟ ହେଉଛି ଉପସ୍ଥିତ ସମସ୍ତଙ୍କୁ ଏକ ସତର୍କବାର୍ତ୍ତା ପ୍ରଦାନ କରିବା । ସେହି ବାର୍ତ୍ତାଟି ହେଉଛି ଆଉ ଯାହା ହେଉ ପଛକେ ରାଜା ବା ରାଜ୍ୟର ବିରୁଦ୍ଧତା କଲେ ଏହି ଭଳି କ୍ରୁଶବିଦ୍ଧ ଦ୍ୱାରା ବିଭତ୍ସ ମୃତ୍ୟୁଦଣ୍ଡ ନିଶ୍ଚିତ ।

କ୍ରୁଶବିଦ୍ଧ ଆକାରରେ ମୃତ୍ୟୁଦଣ୍ଡକୁ ନେଇ ରୋମାନ ଉଚ୍ଚବର୍ଗରେ ବିରୂପ ଧାରଣା ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ରୋମାନ ସମ୍ରାଟ୍ ଏବଂ ଚିନ୍ତକ ସିସେରୋ ଏହାକୁ ସବୁଠାରୁ ନିଷ୍ଠୁର ଏବଂ ଘୃଣିତ ମୃତ୍ୟୁଦଣ୍ଡ ବୋଲି କହିଥିଲେ । ସେହି ସମାନ ସମୟରେ ଅନ୍ୟତମ ପ୍ରସିଦ୍ଧ ଦାର୍ଶନିକ ସେନେକା ନିଜର ବିଚାର ବ୍ୟକ୍ତ କରି କହିଥିଲେ, କ୍ରୁଶବିଦ୍ଧ କରାଯିବା ଫଳରେ ଜଣେ ଆସ୍ତେ ଆସ୍ତେ ମରଣକୁ ପ୍ରାପ୍ତ ହେବ । ଏହା କାହାର କାମ୍ୟ ନୁହଁ । ଏହା ଦ୍ୱାରା ଜଣକୁ ଦୁଇ ପ୍ରକାରର ମୃତ୍ୟୁଦଣ୍ଡ ସମାନ ସମୟରେ ଦିଆଯାଉଛି । ଗୋଟିଏ ହେଉଛି ଆସ୍ତେ ଆସ୍ତେ ମରଣ ଏବଂ ଅନ୍ୟଟି ହେଉଛି ସମ୍ପୂର୍ଣ୍ଣ ମରଣ। ତେଣୁ ଜଣେ କ୍ରୁଶକୁ ଚଢିବା ପୂର୍ବରୁ ଏମିତିରେ ପ୍ରାଣତ୍ୟାଗ କରି ସାରିଥିବ । ତାହାହେଲେ କ୍ରୁଶବିଦ୍ଧର ବ୍ୟବସ୍ଥା କାହିଁକି ? ଦାର୍ଶନିକ ସେନେକାଙ୍କ ବ୍ୟତୀତ ଅନେକେ ମନେକରୁଥିଲେ କ୍ରୁଶବିଦ୍ଧ ଆକାରରେ ମୃତ୍ୟୁଦଣ୍ଡ ହେଉଛି ବସ୍ତୁତଃ ଅମାର୍ଜିତ, ଅଶ୍ଳୀଳ ଏବଂ ବର୍ବର ।

ଏହି ଭଳି କିଛି ବିରୂପ ବିଚାର ସତ୍ତ୍ୱେ ପ୍ରାଚୀନ କାଳରେ ବିଶେଷତଃ ବିଦ୍ରୋହୀ ବିଦେଶୀ, ଶତ୍ରୁ,ଚୋର,ଅପରାଧୀ ଏବଂ କ୍ରୀତଦାସମାନଙ୍କୁ ଏହି ଭଳି କ୍ରୁଶବିଦ୍ଧ କରି ମୃତ୍ୟୁଦଣ୍ଡ ଦିଆଯାଉଥିଲା । ସାଧାରଣତଃ କ୍ରୀତଦାସମାନେ ଅନେକ ସମୟରେ ବିଶୃଙ୍ଖଳ ହେବା କାରଣରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ତେଣୁ ସେ ସମୟରେ କ୍ରୁଶବିଦ୍ଧ ଆକାରରେ ମୃତ୍ୟୁଦଣ୍ଡର ଆୟୋଜନ ଏକ ନିୟମିତ ଓ ସ୍ୱାଭାବିକ ଘଟଣା ଥିଲା। ସେଇଥିପାଇଁ ରୋମାନ ମାନେ କ୍ରୁଶବିଦ୍ଧକୁ “ସର୍ଭାଇଲ୍ ସପ୍ଲିସିଅମ୍” ଅଥବା “କ୍ରୀତଦାସର ଦଣ୍ଡ” ବୋଲି କହୁଥିଲେ ।

ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ ସମୟରେ ଇତିହାସର ଜନକ ବୋଲି ଖ୍ୟାତ ହେରୋଡଟସଙ୍କ ବିବରଣୀରେ ଉଲ୍ଲେଖ ରହିଛି ଯେ ଖ୍ରୀପୂ ୫୧୯ ରେ ପାରସ୍ୟର ରାଜା ଦାରିଅସ୍ ପ୍ରଥମ ପ୍ରାୟ ତିନିହଜାର ବେବିଲୋନୀୟଙ୍କୁ କ୍ରୁଶବିଦ୍ଧ କରିଥିଲେ । ଏହା ଏକ ଯୁଦ୍ଧ ପରବର୍ତ୍ତି ଘଟଣା । ଡାରିଅସ୍ ପ୍ରଥମଙ୍କ ଏକ ଯୁଦ୍ଧ ବିଜୟର ଏହା ପରବର୍ତ୍ତି ଉଲ୍ଲାସକର କାର୍ଯ୍ୟକ୍ରମ । ଠିକ୍ ସମାନ ଭାବରେ ଇତିହାସ ପ୍ରସିଦ୍ଧ ଆଲେକଜାଣ୍ଡର ସମାନ ଭାବରେ ଖ୍ରୀପୂ ଚତୁର୍ଥ ଶତାବ୍ଦୀରେ ପ୍ରାୟ ଦୁଇହଜାର ପାରସ୍ୟର ଅଧିବାସୀଙ୍କୁ କ୍ରୁଶବିଦ୍ଧ କରିଥିଲେ । ଏହା ଟାୟାର ନାମକ ସ୍ଥାନ ଯାହା ଅଧୁନା ଲେବାନନ୍ ର ଦକ୍ଷିଣରେ ଅବସ୍ଥିତ ସେଇଠି ଘଟିଥିଲା । ଏହି କ୍ରୁଶବିଦ୍ଧ ଘଟଣା ପଛର କାରଣ ହେଉଛି ଯେ ଟାୟାର ସହରର ଫିନିସୀୟ ମାନେ ଗ୍ରୀକ୍ ବୀର ଆଲେକଜାଣ୍ଡରଙ୍କୁ ସେମାନଙ୍କର ମନ୍ଦିରକୁ ପ୍ରବେଶ କରିବାକୁ ନିଷେଧ କରିଥିଲେ ଫଳରେ ଆଲେକଜାଣ୍ଡର କ୍ଷୁବ୍ଧ ହୋଇ ସେଇ ସହରକୁ ଅବରୁଦ୍ଧ କରି ସେଠିକାର ଅଧିବାସୀମାନଙ୍କୁ କ୍ରୁଶବିଦ୍ଧ କରିଥିଲେ ।

ଯେତେ ବର୍ବର ଆଉ ଘୃଣିତ ବୋଲି କହିଲେ ବି ଗ୍ରୀକମାନଙ୍କଠାରୁ ଏହି ଭଳି କ୍ରୁଶବିଦ୍ଧ ଆକାରରେ ମୃତ୍ୟୁଦଣ୍ଡ ପ୍ରଥା ରୋମାନ, ଆସିରିଆନ୍ ,ସିଥିଆନ୍ ଏବଂ ଏପରିକି ଗ୍ରୀକ୍ ଇତିହାସର ଉତ୍ସ ଅନୁସାରେ ଭାରତୀୟ ମାନେ ଗ୍ରୀକମାନଙ୍କଠାରୁ ଗ୍ରହଣ କରିଛନ୍ତି ।

ପ୍ରାଥମିକ ଭାବରେ ଦଣ୍ଡାଦେଶର କ୍ରୁଶବିଦ୍ଧ ପ୍ରଥା ଅତି ସହଜ ଥିଲା । ଅପରାଧିକୁ କେବଳ ଗୋଟିଏ ଗଛର ଗଣ୍ଡିରେ ବାନ୍ଧି ତାହାର ଦେହରେ କଣ୍ଟା ପିଟାଯାଉଥିଲା । ପରେ ଏହି କ୍ରୁଶବିଦ୍ଧ ପ୍ରକ୍ରିୟାକୁ ଆଉ ଟିକିଏ ବିସ୍ତୃତ କରାଗଲା । ଅପରାଧିକୁ ଉଲଗ୍ନ କରାଗଲା ।ତାହାକୁ ଚମଡାର ମେଣ୍ଢା ହାଡରେ ତିଆରି ଫୁଲ ଭଳି ଦିଶୁଥିବା କଣ୍ଟାଯୁକ୍ତ ଚାବୁକରେ ଆଘାତ କରାଯାଉଥିଲା । ସେତେବେଳେ ସେମାନେ କ୍ରୁଶବିଦ୍ଧ ସମୟରେ ଅପରାଧିକୁ ପ୍ରହାର କରିବା କାମରେ ବ୍ୟବହୃତ ହେଉଥିବା ଚାବୁକକୁ ଅଧିକରୁ ଅଧିକ କଳାତ୍ମକ ତଥା ସୁନ୍ଦର ଯେମିତି ଦିଶେ ସେମିତି ଚେଷ୍ଟା କରୁଥିଲେ । ଏହାକୁ ଫ୍ଲାଜେଲମ୍ ବୋଲି କୁହାଯାଉଥିଲା । ଚାବୁକ ପ୍ରହାର ବେଳେ ଅପରାଧିର ସାରାଦେହରୁ ସମାନଭାବରେ ଯେମିତି ରକ୍ତ ଝରେ ତାହା ପ୍ରତି ଦୃଷ୍ଟି ଦିଆଯାଇଥିଲା। ଏସବୁର ପରେ କ୍ରୁଶବିଦ୍ଧ ଆୟୋଜନର ସର୍ବଶେଷ ରୂପାନ୍ତର ଥିଲା ଶୃଙ୍ଖଳଯୁକ୍ତ ଅପରାଧି ନିଜ ପିଠିରେ କ୍ରୁଶକାଠକୁ ବୋହି ଏକ ନିର୍ଦ୍ଦିଷ୍ଟ ପଥ ଅତିକ୍ରମ କରିବା ପରେ ସେଥିରେ କ୍ରୁଶବିଦ୍ଧ ହେବା । କ୍ରୁଶବିଦ୍ଧକୁ ଯେତେବେଳେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଉନ୍ମୁକ୍ତ କରାଗଲା ସେତେବେଳେ ଏହାର ବିସ୍ତୃତ ଆୟୋଜନ ଆଉ ସେଥିରେ କିଛି ଭବ୍ୟତା ନରହିଲେ ଏହି ନରମେଧ ଆୟୋଜନ ଲୋକମାନଙ୍କୁ ଆକର୍ଷଣ କରିବ କେମିତି ?

ଉଚ୍ଚ ବର୍ଗ ପାଇଁ ଯେଉଁ ବିଷପାନଜନିତ ମୃତ୍ୟୁଦଣ୍ଡର ବିଧାନ ଥିଲା ସେ କଥାକୁ ମହାତ୍ମା ସକ୍ରେଟିସ୍ ବିଶ୍ୱସାରା ଅତ୍ୟନ୍ତ ଲୋକପ୍ରିୟ କରି
ଯାଇଛନ୍ତି । ସକ୍ରେଟିସଙ୍କ ଅସଲ ଦାର୍ଶନିକ ଅବଧାରଣା ଅପେକ୍ଷା ଆମେ ତାଙ୍କ ବିଷୟରେ ଅନ୍ତତଃ ଏତିକି ଜାଣୁ ଯେ ସେ ହେମଲକ୍ ବୋଲି ଏକ ବିଷ ପାନ କରି ନିଜ ଉପରେ ଜାରି ହୋଇଥିବା ମୃତ୍ୟୁଦଣ୍ଡକୁ ପାଳନ କରିଥିଲେ । ସକ୍ରେଟିସଙ୍କ ମୃତ୍ୟୁଦଣ୍ଡ ଖ୍ରୀପୂ ୩୯୯ ରେ ସଙ୍ଘଟିତ ହୋଇଥିଲା ଏବଂ ଏହା ପୃଥିବୀର ସର୍ବପ୍ରାଚୀନ ନଥି ଭୂକ୍ତ ରାଜ୍ୟ ନିର୍ଦ୍ଦେଶିତ ମୃତ୍ୟୁଦଣ୍ଡ । ଏହା ଏଯାବତ୍ ଏକ ପ୍ରସିଦ୍ଧ ମୃତ୍ୟୁଦଣ୍ଡର ଉଦାହାରଣ ହିସାବରେ ଉଲ୍ଲେଖ ହୋଇ ରହିଅଛି ।

ସମ୍ଭବତଃ ଏଇ ଲେଖାକୁ ପଢିବା ବେଳେ ଆପଣମାନଙ୍କର ଫ୍ରାଞ୍ଜ କାଫକାଙ୍କର ସେଇ ପ୍ରସିଦ୍ଧ ଗଳ୍ପ ଯାହାର ନାଆଁ ହେଉଛି “ଇନ୍ ଦି ପେନାଲ୍ ସେଟଲମେଣ୍ଟ ” ମନକୁ ଆସିପାରେ ।

ସେଇଠି ପାଞ୍ଚଗୋଟି ଚରିତ୍ର ଅଛନ୍ତି, ଯଥା ଜଣେ ମୃତଦଣ୍ଡ ପ୍ରାପ୍ତ ଅପରାଧୀ, ଅପରାଧୀକୁ ଜଗିବା ପାଇଁ ଜଣେ ପୁଲିସ୍ , ଜଣେ ପର୍ଯ୍ୟଟକ ଆଉ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଜଣେ ଅଧିକାରୀ  ଏବଂ ପଞ୍ଚମ ଚରିତ୍ରଟି ହେଉଛି ଗୋଟିଏ ଯନ୍ତ୍ର ଯାହା ମାଧ୍ୟମରେ ସେହି ମୃତ୍ୟୁଦଣ୍ଡକୁ ଟିକିଏ ପରେ କାର୍ଯ୍ୟକାରୀ କରାଯିବ। କାହାଣୀରେ ସେହି ଅଧିକାରୀ ଜଣକ ସେହି ପର୍ଯ୍ୟଟକକୁ ବିସ୍ତୃତ ଭାବରେ ବୁଝାଇ ଚାଲୁଛି ସେହି ମୃତ୍ୟୁଯନ୍ତ୍ରଟି କେଉଁପରି କାର୍ଯ୍ୟକ୍ଷମ ହୁଏ ।

ବନ୍ଧୁଗଣ ସେମିତି କୌଣସି ଅଧିକାରୀ ହେବାର ଲୋଭ ଉପସ୍ଥିତ ଲେଖକର ନାହିଁ । ତେଣୁ ସେ ଆଢୁଆଳକୁ ଯିବା ପୂର୍ବରୁ ଏଇ ଉଲ୍ଲେଖଟି କରିବାକୁ ଉଚିତ୍ ମଣୁଛି ।

ସେଦିନ ଥିଲା ଶୁକ୍ରବାର ,ଏପ୍ରିଲ୍ ମାସର ତିନି ତାରିଖ, ଖ୍ରୀଅ ୩୩ । ଜଣେ ପ୍ରସିଦ୍ଧ ପୁରୁଷ ନିଜ ପିଠିରେ ଦୀର୍ଘପଥ ଏକ କ୍ରୁଶକାଠକୁ ବହନ କରି ଅବଶେଷରେ ସେଥିରେ କ୍ରୁଶବିଦ୍ଧ ହୋଇଥିଲେ । ସେ ଈଶ୍ୱରପୁତ୍ର ଯୀଶୁ ।

ଏହି ଘଟଣାର ପରେ ସମୟକ୍ରମରେ କୌଣସି ଅପରାଧୀକୁ କେହି କ୍ରୁଶବିଦ୍ଧ କରି ଆଉ ଯାହାହେଉ ପଛକେ ତାହାକୁ ଏକ ଦୈବିକ ଅନୁସଙ୍ଗଟିଏ ଦେବାକୁ ଚାହିଁବ ନାହିଁ । ଚାହିଁ ନାହିଁ ମଧ୍ୟ ।

Comments are closed.