Latest Odisha News

ସ୍ୱଳ୍ପ ଗଳ୍ପ : ଫେରାଗଷ୍ଟୋ ଅର୍ଥାତ୍ ଅଗଷ୍ଟ ପନ୍ଦର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୨

ଇଟାଲୀୟ ଭାଷାରେ ଫେରାଗଷ୍ଟୋ ଗୋଟିଏ ଜନପ୍ରିୟ ଶବ୍ଦ ଆଉ ଏହାର ଅର୍ଥ ହେଉଛି ଅଗଷ୍ଟ ପନ୍ଦର।

ଏଇ ଦିନଟି ଇଟାଲୀର ଗୋଟିଏ ଛୁଟିଦିନ।

ଏମିତିରେ ଦେଖିଲେ ଫେରାଗଷ୍ଟୋ ହେଉଛି ଇଟାଲୀର ଗୋଟିଏ ବଡ ତଥା ପ୍ରାଚୀନ କାଳରୁ ମହାସମାରୋହରେ ପାଳିତ ହୋଇ ଆସୁଥିବା ଏକ ପର୍ବ ବିଶେଷ। ଅଗଷ୍ଟ ମାସର ପନ୍ଦର ତାରିଖ ଦିନଠାରୁ ଏହି ପର୍ବର ପାଳନ ଆରମ୍ଭ ହୋଇଥାଏ । ଆମର ଆଦ୍ୟ କାଳର ସମସ୍ତ ପ୍ରମୁଖ ପର୍ବ ପର୍ବାଣୀ ଯେମିତି ମୁଖ୍ୟତଃ କୃଷିକର୍ମ ଆଧାରିତ ଠିକ୍ ସେଇଭଳି ହେଉଛି ଇଟାଲୀର ଏଇ ଫେରାଗଷ୍ଟୋ ପର୍ବ। ସାଧାରଣତଃ ଆଦ୍ୟ କାଳରେ କୃଷିକର୍ମ ଯେହେତୁ ଏକ ସାମୁହିକ କର୍ମ ତେଣୁ ଏହାକୁ ନେଇ ଏକ ସାମୁହିକ ଗୋଷ୍ଠୀକୈନ୍ଦ୍ରୀକତା ପ୍ରତିସ୍ଥାପନ କରିବା ପାଇଁ ସମସ୍ତ ଆଦ୍ୟ କାଳର ପର୍ବପର୍ବାଣିର ସଂରଚନା ହୋଇଥିଲା। କ୍ଷେତ୍ର ପ୍ରସ୍ତୁତି,ବିହନ ବୁଣା, ଫସଲ ବଢିବାର ବେଳ ତଥା ଫସଲ ର ଅମଳ ସମୟ ରେ ସମସ୍ତେ ଏକାଠି ହୋଇ ଆନନ୍ଦରେ ସେମାନଙ୍କର ସାମୁହିକତାକୁ ପର୍ବ ଆକାରରେ ପାଳନ କରିଥାନ୍ତି । ସେଦୃଷ୍ଟିରୁ ଇଟାଲୀରେ ଏହି ଫେରାଗଷ୍ଟୋ ବା ଅଗଷ୍ଟ ପନ୍ଦର ହେଉଛି ଫସଲ ଅମଳର ପରବର୍ତ୍ତି ଆନନ୍ଦ ଉଲ୍ଲାସର ଏକ ଉଜ୍ଜଳ ପର୍ବ । ଏହି ବିଶେଷ ଦିନଠାରୁ ଫସଲ ଅମଳ ପରବର୍ତ୍ତି ସ୍ୱାଚ୍ଛନ୍ଦ୍ୟ ତଥା ଅବସରକୁ ପାଳନ କରିବା ପାଇଁ ସେମାନେ ବନ୍ଧୁ ଘରକୁ ଯାଆନ୍ତି ଆଉ ଭୋଜିଭାତ ମଉଜ ମଜଲିସରେ ସମୟମାନ ବିତାଇଥାନ୍ତି । ସେଇଥିପାଇଁ ଇଟାଲୀରେ ଅଗଷ୍ଟ ପନ୍ଦର ହେଉଛି ଏକ ଛୁଟିଦିନ।

ପରେ ଇଟାଲୀର ଏହି ଫସଲ ଅମଳ ପରବର୍ତ୍ତି ଫେରାଗଷ୍ଟୋ ପର୍ବ ସହିତ ଆଉ ଗୋଟିଏ ଉତ୍ସବ କ୍ରମଶଃ ଜଡିତ ହୋଇଗଲା । ସେହି ଉତ୍ସବଟି ହେଉଛି ଏକ ଧାର୍ମିକ ଉତ୍ସବ । ଇଟାଲୀର କାଥୋଲିକ୍ ଖ୍ରୀଷ୍ଟିଆନ ମାନେ ଏହି ଦିବସକୁ ଅର୍ଥାତ୍ ଅଗଷ୍ଟ ପନ୍ଦରକୁ ଡେ ଅଫ ଆଜମସନ ଆକାରରେ ପାଳନ କରିବାକୁ ଆରମ୍ଭ କଲେ । ଖ୍ରୀଷ୍ଟଧର୍ମରେ ଡେ ଅଫ୍ ଆଜମ୍ପସନ୍ ହେଉଛି ମାତା ମେରୀଙ୍କର ସ୍ୱର୍ଗାରୋହଣର ପବିତ୍ର ଦିବସ ।

ଫେରାଗଷ୍ଟୋରେ ଡେ ଅଫ୍ ଆଜମ୍ପସନ୍ ଭଳି ଧାର୍ମିକ ଉପଲକ୍ଷଟିଏ ଜଡିତ ହୋଇଯିବା କାରଣରୁ ଇଟାଲୀୟଙ୍କ ପାଇଁ ଏଇ ବିଶେଷ ଦିବସ ଅଗଷ୍ଟ ପନ୍ଦରଟି ଅତ୍ୟନ୍ତ ଉଲ୍ଲାସକର ଆନନ୍ଦର ଦିନ । ଭୋଜିଭାତ ସହିତ ସେମାନେ ଏଇ ଦିନ ଚର୍ଚ୍ଚରେ ବିଶେଷ ସାମୁହିକ ପ୍ରାର୍ଥନା ସଭା ବା “ମାସ୍” ରେ ଯୋଗଦାନ କରିଥାନ୍ତି ।

୧୭୬୯ ମସିହା।

ଏଇଠି ଲେଟଜିଆ ବୋଲି ଜଣେ ରମଣୀଙ୍କ କଥା କହିବାରେ ଆଗ୍ରହ ବଳୁଛି । ଲେଟଜିଆର ବୟସ ସେତେବେଳକୁ ମାତ୍ର କୋଡିଏ ବର୍ଷ । ଛଅ ବର୍ଷର ବିବାହରେ ସେତେବେଳକୁ ସେଇଟି ହେଉଛି ତାହାର ଚତୁର୍ଥ ଗର୍ଭ । ଆଗରୁ କେବଳ ଗୋଟିଏ ପୁଅ ରହିଛି ବାକି ଦୁଇଥର ଗର୍ଭ ନଷ୍ଟ । ଲେଟଜିଆର ଏହି ଚତୁର୍ଥ ଗର୍ଭକୁ ନେଇ ତାହାର ସ୍ୱାମୀ କାର୍ଲୋ ତଥା ତାହାର ପରିବାର ଲୋକେ ଯଥେଷ୍ଟ ଚିନ୍ତିତ ଥିଲେ । ସେମାନେ ଯେତେ ବାରଣ କଲେ ବି ଲେଟଜିଆର ଏକା ଜିଦ୍ ସେ ଫେରାଗଷ୍ଟୋର ଆନନ୍ଦ ଉପଭୋଗ ପାଇଁ ତଥା ଡେ ଅଫ୍ ଆଜମ୍ପସନ୍ ର ମାସ୍ ପାଇଁ ନିଶ୍ଚୟ ଚର୍ଚ୍ଚକୁ ଯିବ । ଯଦିଓ ସେମାନେ ବସବାସ କରୁଥିବା ଆଜାସିଓ ଅଞ୍ଚଳହେଉଛି କର୍ସିକା ଦ୍ୱୀପର ଗୋଟିଏ ଛୋଟିଆ ବନ୍ଦର ଅଞ୍ଚଳ । ମାତ୍ର ପନ୍ଦରମାସ ଆଗରୁ ଏହି ଦ୍ୱୀପଟିକୁ ଫ୍ରାନ୍ସର ସମ୍ରାଟ ପଞ୍ଚଦଶ ଲୁଇ ଜେନୋଆ ରିପବ୍ଲିକଠାରୁ କିଣିନେଇଥିଲେ । ତେଣୁ ଏହି କର୍ସିକା ଦ୍ୱୀପଟି ମାତ୍ର ପନ୍ଦର ମାସ ହେଲା ଫ୍ରାନ୍ସର ଅଞ୍ଚଳରେ ଅନ୍ତର୍ଭୂକ୍ତ ହୋଇଥିଲେ ହେଁ ଏହା ତାହାର ଆଗର ସ୍ଥାନୀୟତା ତଥା ଆଗର ଭାଷା ଇଟାଲୀୟ ଭାଷା ତଥା ଇଟାଲୀୟ ଚଳଣିକୁ ପରିତ୍ୟାଗ କରିପାରିନଥିଲା । ଲେଟଜିଆ ନିକଟରେ ଫେରାଗଷ୍ଟୋ ଭଳି ଇଟାଲୀୟ ପର୍ବକୁ ପାଳନ କରିବା ପାଇଁ ସେମିତି କୌଣସି ବାଧ୍ୟବାଧକତା ନଥିଲେ ମଧ୍ୟ ସେ ନିଜର ଇଟାଲୀୟ ଅସ୍ମିତାକୁ ତ୍ୟାଗ କରିବା ପାଇଁ ନିହାତି ଅନିଚ୍ଛୁକ ଥିଲା ।

ଫେରାଗଷ୍ଟୋ ପର୍ବର ସମସ୍ତ ମଉଜ ତଥା ଡେ ଅଫ୍ ଆଜମ୍ପସନର ” ମାସ୍ ” ସାରି ଲେଟଜିଆ ଉତ୍ତୀର୍ଣ୍ଣ ଦ୍ୱିପହର ବେଳକୁ ଘରକୁ ଫେରିବା ପରେ ହଠାତ୍ ତାହାର ପ୍ରସବବେଦନା ଆରମ୍ଭ ହେଲା ଆଉ ବାହାର ଘର ର ସୋଫା ନିକଟରେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲା । ପରିବାର ର ସମସ୍ତେ ଆନନ୍ଦିତ,ଯେତେବେଳେ ସେମାନେ ଦେଖିଲେ ଯେ ନବଜାତକଟି ଜୀବିତ ରହିଛି, ସେ ଗୋଟିଏ ପୁଅ ଆଉ ତାହାର ମଥାରେ ରହିଛି କଳାରଂଗର ବେଶ୍ ଗୋଛାଏ କେଶ ।

ଇଟାଲୀୟ ବାପାମାଆଙ୍କଠାରୁ ସାମ୍ବିଧାନିକ ଭାବେ ଫେରାଗଷ୍ଟୋ ବା ଅଗଷ୍ଟ ପନ୍ଦର ଦିନ ଜନ୍ମ ଗ୍ରହଣ କରିଥିବା ଏଇ ଜନ୍ମଜାତ ଫରାସୀ ନାଗରିକ ଜଣକ ବିଶେଷ ଭାବରେ ଇଟାଲୀୟ ଭାଷା କହୁଥିଲେ ବି ପରେ ଫ୍ରାନ୍ସର ସର୍ବୋଚ୍ଚ କର୍ତ୍ତା ହୋଇପାରିଥିଲା । ତାହାକୁ ଯେତେବେଳେ ୨୭ ବର୍ଷ ଆଉ ସେତେବେଳକୁ ସେ ଫ୍ରାନ୍ସର ସର୍ବୋଚ୍ଚ ସେନାଧ୍ୟକ୍ଷ,ସେ ଠିକ୍ ସେତିକିବେଳେ ନିଜର ଇଟାଲୀୟ ନାମ ନେପୋଲିଅନକୁ ଫରାସୀକରଣ କରିଦେଇ ସନ୍ତକ କରିଥିଲା ନେପୋଲିଅନ ବୋନାପାର୍ଟ ।

ପୃଥିବୀ ଇତିହାସର ଅନ୍ୟତମ ଶ୍ରେଷ୍ଠ ସେନାନାୟକ ନେପୋଲିଅନ ବୋନାପାର୍ଟଙ୍କ ସମ୍ପର୍କରେ ଅନେକ କଥା ତ ରହିଛି । ସେଥିରୁ ଗୋଟିଏ କଥା ଆଜି ଉଦ୍ଧାର ଯୋଗ୍ୟ। ତାଙ୍କ ସମ୍ପର୍କରେ କୁହାଯାଏ ଯେ, ଫ୍ରାନ୍ସରେ ସ୍ୱାତନ୍ତ୍ର୍ୟ, ସମତା ତଥା ଭ୍ରାତୃତ୍ୱର ପ୍ରତିଷ୍ଠା କାରଣରୁ ତାଙ୍କର ଅଭ୍ୟୁଦୟ ଘଟିଥିଲା ମାତ୍ର ନିଜର ଅଭ୍ୟୁଦୟ ପରେ ସେ ନିଜ ହାତରେ ଏହି ସବୁ ଆଦର୍ଶକୁ ବିଧ୍ୱସ୍ତ କରିଦେଇଥିଲେ ।

ଶେଷରେ ଆଉ ପଦେ କଥା।

ଫେରାଗଷ୍ଟୋ ସହ ସେମିତି ପ୍ରାସଙ୍ଗିକ ନଥିଲେ ବି ସେହି ସମୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ର ଉପସ୍ଥାପନା କରୁଛି ।

ଏହା ୧୭୭୩ ଖ୍ରୀଷ୍ଟାବ୍ଦର କଥା।

୧୫ ଅଗଷ୍ଟ ୧୭୭୩ ଦିନ ଚର୍ଚ୍ଚିତ ବ୍ରିଟିଶ ଲେଖକ ସାମୁଏଲ୍ ଜନସନ୍ ତାଙ୍କର ପ୍ରିୟ ସହଯୋଗୀ ଡଃ ବସୱେଲ୍ ଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ଆଉ ସେହି କଥା କୁ ଅବିକଳ ସେ ନିଜର ଡାଏରୀରେ ଲିପିବଦ୍ଧ କରି ରଖିଛନ୍ତି ।

ସେଦିନର ସେହି ଡାଏରୀ ରେ ଏହି ଭଳି ଲେଖା ” ଏଣ୍ଟ୍ରି” ଆକାରରେ ରହିଅଛି :

” ମଣିଷ ସମ୍ପର୍କରେ ମୋର ସଂଜ୍ଞା ,ମଣିଷ ହେଉଛି ଗୋଟିଏ ପାଚକ ପଶୁ , ଏ କୁକିଙ୍ଗ୍ ଆନିମାଲ୍ । ପଶୁମାନଙ୍କ ଭିତରେ ସ୍ମୃତି,ବିଚାର,ଏବଂ ମାନସିକ ସ୍ତରରେ ଯଥାଯଥ ଆବେଗମାନ କିଛି ପରିମାଣରେ ରହିଥାଇ ପାରେ । ମାତ୍ର କୌଣସି ପଶୁ ରନ୍ଧନକର୍ମ କରେନାହିଁ ଏବଂ ଏହି ରନ୍ଧନ କର୍ମ ହିଁ ମଣିଷକୁ ପଶୁଠାରୁ ଅଲଗା ଭାବରେ ଚିହ୍ନିତ କରିଥାଏ ।”

ସେ ଯାହାହେଉ ମଣିଷ ଯେ ତାହାର ରନ୍ଧନ କର୍ମକୁଶଳତାକୁ କେବଳ ସୁସ୍ୱାଦୁକର ଖାଦ୍ୟ ପ୍ରସ୍ତୁତିରେ ବିନିଯୋଗ କରିଥାଏ ଏକଥା ନୁହଁ, ତାହାର ରନ୍ଧନ କର୍ମରେ ସେ ଏଇଠୁ ସେଇଠୁ ଖାଦ୍ୟ ପଦାର୍ଥ ସହିତସଂଗ୍ରହ କରିଥାଏ ଅନେକ ଅନେକ ରୋଚକ ତଥ୍ୟ ଆଉ ସେହି ତଥ୍ୟକୁ ରାନ୍ଧିବସିବାରେ ତାହାର ସବୁବେଳେ ଅପାର ଆନନ୍ଦ ।

Comments are closed.