Latest Odisha News

ସ୍ୱଳ୍ପ ଗଳ୍ପ : ଶେଷର ନିର୍ଦ୍ଦେଶ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୬

ଜଣେ ରାଜା ବୋଲି ମଣୁଅଛି ତେଣୁ ଅଧୀନର ଦୋଷ କ୍ଷମା କରିବା ହୁଅନ୍ତୁ ।

ଆପଣ ଯେତେବେଳେ ଜଣେ ରାଜା ତେବେ ଆପଣଙ୍କୁ କେହି କେବେ ସିଧା ସଳଖ ଏମିତି କହିପାରିବ ନାହିଁ, ହେ ରାଜନ୍,ଆପଣଙ୍କର ସମୟ ଏବେ ଶେଷ । ଆପଣ ନିଜର ସମାପ୍ତି ପର୍ବ ପାଇଁ ଏହାପରେ ପ୍ରସ୍ତୁତ ହୋଇଯାଆନ୍ତୁ ।

ଆପଣ ଜଣେ ରାଜା ହିସାବରେ ଏକଥା ନିଜର ପାରିପାର୍ଶ୍ୱିକକୁ ଅନୁଧ୍ୟାନ କରି ଜାଣିଛନ୍ତି ଯେ,ଜଣେ ରାଜା ହିସାବରେ ଆପଣଙ୍କର ସମସ୍ତ ଆଗ୍ରହ ରହିଥାଏ କେବଳ ଆରମ୍ଭରେ ଆଉ ପରବର୍ତ୍ତି ସମୟରେ ଆରମ୍ଭ ର ବିସ୍ତାର ରେ । ମାତ୍ର କୌଣସି କବିର ସ୍ୱାଭାବିକ ଅର୍ଥ ସହିତ ଶତ୍ରୁତା ରହିଥିବା ଭଳି ଆପଣ ଏତିକି ଜାଣିଛନ୍ତି ଯେ, ଜଣେ ରାଜା ହିସାବରେ ଆପଣଙ୍କର ସବୁଠୁ ଅଧିକ ଶତ୍ରୁତା ରହିଥାଏ ଶେଷ ସହିତ ।

ଶେଷରେ ବିଶ୍ୱାସ ନଥିବା କାରଣରୁ ଅଥବା ଶେଷକୁ ଅସ୍ୱୀକାର କରିବା କାରଣରୁ ଆପଣ ଜଣେ ରାଜା ହିସାବରେ ସାମୟିକ ନୁହଁ,ସମସାମୟିକ ନୁହଁ,ସବୁ ସମୟରେ ଆପଣ ଚିରକାଳର ଅସମାପ୍ତ ପ୍ରହରୀ ।

ତଥାପି ସବୁବେଳେ ଆପଣଙ୍କର ମନେ ହୋଇଥାଏ ଆପଣଙ୍କର ପ୍ରଚକ୍ଷୁର କାଚମାନ କେଜାଣି କାହିଁକି ଅସ୍ୱଚ୍ଛ ପାଲଟି ଯାଉଛି ଆଉ ସେହି କାରଣରୁ ଆପଣ ଅନତିଦୂରରେ ମୁରୁକି ହସ ସହ ଉପସ୍ଥିତ ଶେଷକୁ ପରିଷ୍କାର ଭାବରେ ଦେଖିପାରିବାକୁ ଅକ୍ଷମ ।

ଆପଣଙ୍କର ଆଖପାଖରେ ଶେଷ ହିଁ ଏକା ଅସ୍ପଷ୍ଟ ଭାବରେ ଘୁରାଫେରା କରୁଥାଏ,ଏଇକଥା ଆପଣ ଆଉ କାହାକୁ ନକହି ପାରିବା ହେଉଛି ଆପଣଙ୍କର ସବୁଠୁ ବଡ ସନ୍ତାପ । ଆପଣଙ୍କର ସୁରକ୍ଷା ପାଇଁ ଆପଣଙ୍କ ଚାରିପାଖରେ ରାତିଦିନ ଏତେ ଅତନ୍ଦ୍ର ସଶସ୍ତ୍ର ପ୍ରହରୀଗଣ ମୁତୟନ ରହିଛନ୍ତି ଯେ ଏଥିରେ ସାମାନ୍ୟ ଛିଦ୍ର ରହିଛି ବୋଲି କେବେହେଲେ କଳ୍ପନା କରାଯାଇନପାରେ ।

ଆପଣଙ୍କ ଆଖପାଖରେ ଶେଷ ଚାଲବୁଲ କରୁଛି ବୋଲି ଆଶଙ୍କା କୁ କାହାକୁ ବୁଝାଇ କହି ନପାରିବା ଭଳି ଯାତନାରୁ ସାମୟିକ ମୁକ୍ତି ପାଇଁ ଆପଣ ହଠାତ୍ ନିଜକୁ ଜଣେ ଭଗବାନ ବୋଲି ଘୋଷଣା କରିଦେଲେ । ସେତେବେଳକୁ ଆପଣ ରାଜା ଡୋମିସିଆନ୍,ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଜଣେ ଚର୍ଚ୍ଚିତ ରୋମାନ ସମ୍ରାଟ ।

ରୋମାନ ରାଜା ଡୋମିସିଆନ୍ ଆକାରରେ ଆପଣ ନିଜକୁ ଜଣେ ଦେବତା ଆକାରରେ ଅମରତ୍ୱର ଅଧିକାରୀ ବୋଲି ଆପେ ଘୋଷଣା କରିଦେଲେ ଆଉ ସେହି ଘୋଷଣାକୁ ଆପଣଙ୍କର ବଶମ୍ବଦ ପ୍ରଜାକୂଳ ମାନି ନେଇଥିଲେ ସତ କିନ୍ତୁ ତାହାପରେ ବି ଆପଣଙ୍କର ଦ୍ୱିଧା ଦୂର ହୋଇପାରିଲା ନାହିଁ । ସେହି ଚିରାଚରିତ ଦ୍ୱିଧା ଆଖପାଖରେ ଥିବା ଶେଷକୁ ଦେଖିହେଉନଥିବାର ଦ୍ୱିଧା ଆପଣଙ୍କ ଆଗରେ ବାରଂବାର ଉପସ୍ଥିତ ହେଉଥାଏ । ଆପଣଙ୍କର ଦ୍ୱିଧା ଉପଜାତ ହେଉଥାଏ ,ଶେଷ କୁ ଅସ୍ୱୀକାର କରିବା ଦ୍ୱାରା ଅମରତ୍ୱର ଅଧୀକାର କ’ଣ ଆପଣଙ୍କୁ ମିଳିଯିବ,ଆପଣ ଯେତେ ଦେବତା ବୋଲି ନିଜକୁ ଘୋଷଣା କଲେ ବି ?

ଆପଣ ତାହାପରେ ଶେଷଜନୀତ କାରଣରୁ ସୃଷ୍ଟ ସଂତାପରୁ ନିଜକୁ ମୁକ୍ତ କରିବା ପାଇଁ ରାଜ୍ୟର ପ୍ରସିଦ୍ଧ ଜ୍ୟୋତିଷ ଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ଶେଷ କୁ ଜାଣିବା ଆପଣଙ୍କର ଏହା ଭିତରେ କେମିତି କେଜାଣି ଅପରିହାର୍ଯ୍ୟ ହୋଇ ଆସିଛି । ଜ୍ୟୋତିଷ ଜଣକ ପ୍ରଖ୍ୟାତ,ତ୍ରିକାଳଦର୍ଶୀ । ସେ ଗୋଟିଏ ତାରିଖ ପ୍ରଦାନ କରିଥିଲେ ଆଉ ନିଷ୍ଠୁର ଭାବରେ ଆପଣଙ୍କୁ କହିଥିଲେ, ହେ ରାଜନ,ସେପ୍ଟେମ୍ବର ମାସ ଅଠର ତାରିଖ,ଖ୍ରୀଷ୍ଟୀୟ ୯୬ ସାଲ ଦିବସର ପଞ୍ଚମ ପ୍ରହରରେ ଆପଣଙ୍କୁ କୌଣସି ଅଜ୍ଞାତ ଆତତାୟୀ ଶସ୍ତ୍ରାଘାତରେ ହତ୍ୟା କରିବ ।

ଏହିଭଳି ଗୋଟିଏ ଶେଷ ଦିନ ରହିଅଛି ଜାଣିବା ପରେ ଆପଣ ,ରାଜା ଡୋମିସିଅନ, ପ୍ରବଳ ପରାକ୍ରମୀ ରୋମାନ ସମ୍ରାଟ କ’ଣ ନିଜର ସମସ୍ତ ଅଶ୍ୱସ୍ତିର ସମାପନ ଘଟିଗଲା ଆଉ ଏବେ କେବଳ ସେହିଦିବସକୁ ଅପେକ୍ଷା କରିବା ବ୍ୟତିତ ଆଉ କିଛି କରିବାର ନାହିଁ ବୋଲି ବିଚାର କରି ସନ୍ତୋଷରେ ପହୁଡ ଯିବେ ?

ଆପଣ ରାଜା,ଆପଣ ତେଣୁ ଆପଣଙ୍କ ସହିତ ଏଇଲେ ଯେଉଁ ସର୍ବତ୍ୟାଗୀ ସନ୍ୟାସୀ ଜଣକ ଶେଷ ର ପକ୍ଷଧର ହୋଇ ଉପସ୍ଥିତ ହୋଇଗଲାଣି ତାହାକୁ କୌଣସି ମତେ ଜିତିବାକୁ ଦେବେ ନାହିଁ ।

ଜଣେ ରାଜା ସବୁବେଳେ ବିଶ୍ୱାସ କରେ ଯେ ବିଜୟ ତାହାର ଦୁଇକାନ୍ଧରେ ସର୍ବଦା ବିରାଜମାନ ।

ତଥାପି ଆପଣ ସେଇ ପ୍ରତିକ୍ଷିତ ଦିନ ଟି ଯେତିକି ଆଗେଇ ଆସୁଥାଏ ସେତିକି ସେତିକି ସନ୍ଦେହୀ ଆଉ ଉଗ୍ର ହୋଇ ଉଠୁଥାନ୍ତି । ଶସ୍ତ୍ରାଘାତରେ ମୃତ୍ୟୁ ହେବ,ଏଇଭଳି ଭବିଷ୍ୟତ ବାଣୀର ପ୍ରଭାବ ଆପଣଙ୍କ ଉପରେ ଏହିଭଳି ରହିଥାଏ ଯେ ଆପଣ ଆପଣଙ୍କ ଚାରିପଟରେ ଯେଉଁମାନେ ସୁରକ୍ଷାକର୍ମୀ ରହିଥାନ୍ତି ତାଙ୍କୁ ସବୁବେଳେ ସତର୍କ ଦୃଷ୍ଟିରେ ସନ୍ଦେହରେ ଭରପୁର ଦୃଷ୍ଟିରେ ଚାହିଁ ରହୁଥାନ୍ତି । ବାରମ୍ବାର ଆପଣଙ୍କର ସେହି ସୁରକ୍ଷା ବଳୟକୁ ନୂତନ ସୁରକ୍ଷାକର୍ମୀଙ୍କ ଦ୍ୱାରା ପରିବର୍ତ୍ତନ କରୁଥାନ୍ତି ଆଉ ଯେଉଁମାନେ ପୁରୁଣା ସେମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଉଥାନ୍ତି ।

ଆପଣଙ୍କ ସୁରକ୍ଷାରେ ନିୟୋଜିତ ହେବାର ଅର୍ଥ ଅସାମୟିକ ମୃତ୍ୟୁ,ଏଇ ଭଳି ଗୋଟିଏ ସନ୍ତ୍ରାସ ରାଜ୍ୟ ସାରା ବ୍ୟାପି ଯାଇଥାଏ ।

ରାଜା ଡୋମିସିଅନ୍ ଆପଣଙ୍କର ମନେ ଥିବ ଏପାଫ୍ରୋଡିଟସ୍ ର କଥା । ଆପଣଙ୍କର ବିଶେଷ ପ୍ରିୟପାତ୍ର ସେ । ଦୁରାଚାରୀ ସମ୍ରାଟ ନିରୋ କୁ ଆତ୍ମଘାତୀ ହେବାରେ ସେ ଥିଲା ପ୍ରଧାନ ସହାୟକ । ଆପଣ ଜାଣନ୍ତି କୌଣସି ରାଜା କେବେ ଆତ୍ମଘାତୀ ହୁଏ ନାହିଁ । ଜଣେ ରାଜା ଆତ୍ମଘାତୀ ହୋଇଛି ବୋଲି ଯାହା କୁହାଯାଏ ତାହା ଅସଲରେ ହେଉଛି ସମକାଳର ସମାଜ ଆଉ ରାଜନୀତି ଯାହା ବସ୍ତୁତଃ ତାହାକୁ ନିର୍ମମ ଭାବରେ ହତ୍ୟା କରିଥାଏ । ତେଣୁ ଆପଣ ଏପାଫ୍ରୋଡିଟସ୍ ଭଳି ଗୋଟିଏ ସୁଚତୁର ଶେଷର କାରକକୁ ଆଉ ଅଧିକ ସମ୍ଭାଳି ପାରି ନଥିଲେ । ତାହାକୁ ପ୍ରତ୍ୟକ୍ଷ ଦିବାଲୋକରେ ରାଜରାସ୍ତାରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଶେଷର ଭବିଷ୍ୟତ ବାଣୀ ଯେତିକି ନିକଟ ହୋଇ ଆସୁଥିଲା ଆପଣ ସେତିକି ସେତିକି ନିଜକୁ ଅନ୍ୟମାନଙ୍କ ଠାରୁ ଯଥାସମ୍ଭବ ଦୂରତାରେ ରଖିବାକୁ ଚାହୁଁଥିଲେ । ଦିନରେ ଅନେକ ଥର ପରୀକ୍ଷା କରି ନେଉଥିଲେ ଯେ,ଆପଣଙ୍କ ତକିଆ ତଳେ ସେହି ଧାରୁଆ ବିଷାକ୍ତ ଛୁରୀଟି ମହଯୁଦ ହୋଇ ରହିଛି ନାହିଁ ! ଅବଶ୍ୟ ଛୁରୀଟିକୁ ହାତରେ ଧରି ତାହାର ଅସ୍ତିତ୍ୱ ରହିଥିବାର ପରୀକ୍ଷା କଲାବେଳେ ଆପଣ ଅନେକ ସମୟରେ ଛୁରୀର ବେଣ୍ଟକୁ ଦେଖି ବିହ୍ୱଳ ହୋଇଯାଇଛନ୍ତି । ଛୁରୀ ବେଣ୍ଟ ଟି ମୂଲ୍ୟବାନ ରତ୍ନ ବିଜଡିତ ଆଉ ସେଥିରେ ହୀରା କୁ ବସାଣ କରି ଲେଖାଯାଇଛି ଆପଣଙ୍କ ନାଆଁ,ଡୋମିସିଅନ୍ । ନିଜର ନାଆଁ ସମସ୍ତଙ୍କର ପ୍ରିୟ । ରାଜାର ତ ଅଧିକ ପ୍ରିୟ ।

ଶେଷ ଯେତିକି ନିକଟ ହୋଇ ଆସୁଥାଏ ଆପଣ ସେତିକି ସେତିକି ଆପଣଙ୍କ ଦେଖିବା ଭଳି ଜାଗାରେ କୌଣସି ଅଦୃଶ୍ୟ ଖଡିରେ ଲେଖି ଚାଲୁଥାନ୍ତି, ୧୮ ସେପ୍ଟେମ୍ବର ୯୬ ଖ୍ରୀଷ୍ଟାବ୍ଦ,ଦିବସର ପଞ୍ଚମ ପ୍ରହର ।

ସେହି କଥିତ ଶେଷ ଦିନଟି ଆସିଗଲା।

ଜଣେ ପରିଚାରକ ଆସି ଆପଣଙ୍କୁ ପ୍ରଦାନ କରିଥିଲା କିଛି ବିଲାତି ବାଇଗଣ । ବିଲାତି ବାଇଗଣ ଆପଣଙ୍କର ଖୁବ୍ ପ୍ରିୟ । ଏହାକୁ କେହି କେହି ସେତେ ବେଳେ ଇଡେନ ଉଦ୍ୟାନ ଚର୍ଚ୍ଚିତ ନିଷିଦ୍ଧ ଫଳ ବୋଲି କହୁଥିଲେ । ଜଣେ ରାଜା ହିସାବରେ ଆପଣ ତ ସବୁ ନିଷିଦ୍ଧ ପଦାର୍ଥ କୁ ଭକ୍ଷଣ କରିବାରେ ଆପଣଙ୍କର ଦୁଃସାହସ ସର୍ବତ୍ର ପ୍ରତିଷ୍ଠିତ ହୋଇଥାଏ ବୋଲି ବିଚାର କରିଥାନ୍ତି । ମାତ୍ର ସେଦିନ ଆପଣ ସେହି ପ୍ରିୟ ନିଷିଦ୍ଧ ଫଳକୁ ଭକ୍ଷଣ କରିବାକୁ ମନା କରିଦେଲେ । ନିଷିଦ୍ଧ ଫଳରେ ବିଷ ରହିଥାଇପାରେ ଆଉ ରାଜଶିକାର ପାଇଁ ବିଷ ସବୁବେଳେ ହେଉଛି ଏକ ଅବ୍ୟର୍ଥ ଅସ୍ତ୍ର ।

ସମ୍ଭବତଃ ଆପଣଙ୍କ ଉପରେ ସେହି ପୁରୁଣା ଦାର୍ଶନିକ ଜଣକ ଟିକିଏ ଅଧିକ ସବାର ହୋଇଯାଇଥିଲା ହୁଏତ ସେତେବେଳେ । ଆପଣ କହିଥିଲେ,ଏହାକୁ ରଖିଥାଅ । କାଲି ଦେବ, ଯଦି କାଲି ବୋଲି କିଛି ରହିଥାଏ !

ଆପଣଙ୍କର କପାଳ ଉପରେ ଥିବା ଦୁଷ୍ଟବ୍ରଣ ମୁହଁ ଧୋଇବା ବେଳେ ଛିଡିଯାଇ ଟିକିଏ ରକ୍ତ ବାହାରିଗଲା । ଆପଣ ସେହି ରକ୍ତଛିଟାକୁ ସେଦିନ ପୋଛି ନେବା ବେଳେ ରାଜ ଦର୍ପଣ କୁ କହିଥିଲେ, ଏତିକି ରକ୍ତ ସମ୍ଭବତଃ ଆଜି ଭଳି ଶେଷର ପ୍ରାପ୍ତି ।

ଆପଣ ତାହାପରେ ଅପେକ୍ଷା କରିଥିଲେ ଶେଷକୁ । ମାତ୍ର ଦିବସର ପଞ୍ଚମ ପ୍ରହର ଅତିକ୍ରାନ୍ତ ହେଲା ମାତ୍ର ଶେଷ କୌଣସି ଆତତାୟୀ ର ମାର୍ଫତ୍ ରେ ଆପଣଙ୍କ ପାଖକୁ ଆସି ନଥିଲା । ଆପଣ ତଥାପି ଅପେକ୍ଷା କରିଥିଲେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ।

ଭବିଷ୍ୟତ ବକ୍ତାର ସମସ୍ତ ନିର୍ଦ୍ଧାରଣ ଭୂଲ୍ । ନିର୍ଦ୍ଧାରିତ ସମୟରେ ଶେଷ ଆସିନାହିଁ । ତ ତେଣୁ ସେହି ଭବିଷ୍ୟତ ବକ୍ତା ଅର୍ଥାତ୍ ସେହି ଜ୍ୟୋତିଷକୁ ଆସନ୍ତା କାଲି ରାଜାଙ୍କୁ ବିଭ୍ରାନ୍ତ କରିବା ଭଳି ଦୋଷ ରେ ଅଭିଯୁକ୍ତ କରି ଜଣେ ରାଜଦ୍ରୋହୀ ହିସାବରେ ତାହାର ଏକ ବିଭତ୍ସ ମୃତ୍ୟୁର କଳ୍ପିତ ଛବିକୁ ଦେଖୁଥିଲେ ଆପଣ ।

ଆପଣ ତାହାପରେ ଏଇଭଳି ଗୋଟିଏ ଶେଷ ରୁ ମୁକ୍ତ ହୋଇଯାଇଛନ୍ତି ବୋଲି ପ୍ରଫୁଲ୍ଲ ଚିତ୍ତରେ ସ୍ନାନାଗାର ଭିତରକୁ ପ୍ରବେଶ କରିଥିଲେ । ସେତିକିବେଳେ ଜଣେ ବାର୍ତ୍ତାବହ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଧରି ଆପଣଙ୍କ ନିକଟରେ ପହଞ୍ଚିଥିଲା । ବାର୍ତ୍ତାବହଠାରୁ ପ୍ରାପ୍ତ ବାର୍ତ୍ତାରୁ ଆପଣ ଜାଣିପାରିଲେ ଯେ ଆପଣଙ୍କ ରାଜ୍ୟରେ ଜନ ଅସନ୍ତୋଷ ଗୋଟିଏ ବିଦ୍ରୋହର ରୂପ ନେବାକୁ ଯାଉଛି । ଆପଣ ହୁଏତ ଘଡିଏ ଅନ୍ୟମନସ୍କ ହୋଇ ଯାଇଥିଲେ । ସେତେବେଳେ ଆପଣଙ୍କର ଅଣ୍ଡକୋଷରେ ଏକ ଶକ୍ତ ମୁଷ୍ଠି ପ୍ରହାର ବସିଥିଲା । ବାର୍ତ୍ତାବହ ପାଖରେ ଏହି ମୁଷ୍ଠି ପ୍ରହାର ବ୍ୟତୀତ ଆଉ କ’ଣ ଅସ୍ତ୍ର ରହିବ । ଆପଣ ଚିତ୍କାର କରି ସୁରକ୍ଷାର କାମନା କରିଥିଲେ । ବାର୍ତ୍ତାବହ ସହିତ ଧସ୍ତାଧସ୍ତି କରିବା ବେଳେ ଆପଣ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଆପଣଙ୍କ ତକିଆର ତଳକୁ ଦେଖିଲା ବେଳକୁ ସେଇଠି ଆପଣଙ୍କର ସେହି ସୁରକ୍ଷା ଅସ୍ତ୍ର ସେହି ଧାରୁଆ ଛୁରୀଟି ଆଉ ନାହିଁ ।

ଭିତରେ ଧସ୍ତାଧସ୍ତି ଆଉ ଚିତ୍କାର ଶୁଣିବା ପରେ ଆଉ କେତେଜଣ ଆପଣଙ୍କ ର ପ୍ରକୋଷ୍ଠ ଭିତରକୁ ପ୍ରବେଶ କରିଥିଲେ । ସେଥିମଧ୍ୟରୁ ଜଣକର ହାତରେ ଆପଣଙ୍କର ସେହି ବିଷାକ୍ତ ଧାରୁଆ ଛୁରୀ ରହିଥିଲା । ସେ କିନ୍ତୁ ସେହି ମହାର୍ଘ ରତ୍ନ ଖଚିତ ଛୁରୀବେଣ୍ଟ ତଥା ସେଇଠି ହୀରା ବସାଣ ଥିବା ଆପଣଙ୍କ ନାଆଁ ପ୍ରତି ସାମାନ୍ୟ ଆକର୍ଷଣ ବୋଧ କରି ନଥିଲା ।

ଆପଣଙ୍କ ମାଲିକାନାରେ ଥିବା ଛୁରୀ କ’ଣ ଆପଣଙ୍କ ବିରୁଦ୍ଧରେ ଯିବ ନାହିଁ ? ଛୁରୀର ମାଲିକ ସିଏ ଯିଏ ଏହାକୁ ତତ୍କାଳରେ ବ୍ୟବହାର କରିଥାଏ ।

ଏହାପରର ରକ୍ତାକ୍ତ କାହାଣୀ ରେ ଆପଣଙ୍କର ଯେଉଁ ଶେଷଟି ରଚିତ ହୋଇଥିଲା ତାହାର ବିସ୍ତୃତ ବିଭତ୍ସ ଦୃଶ୍ୟକୁ ମୁଁ ଆଉ ଯାଉନାହିଁ । ଖାଲି ଏତିକି କହିବି ଯେ, ରାଜାମାନଙ୍କର ଆଗରେ ଭବିଷ୍ୟତ ବକ୍ତାମାନେ ଯଥାସମ୍ଭବ ମିଛ ହିଁ କହିଥାନ୍ତି ।

ରାଜା ଡୋମିସିଅନ ଙ୍କ ବ୍ୟତୀତ ରାଜ୍ୟର ଅନେକେ ଜାଣିଥିଲେ ଯେ ରାଜାଙ୍କର ମୃତ୍ୟୁ ଅଥବା ଶେଷ ଠିକ୍ କେଉଁ ସମୟରେ ହେବ । ତେଣୁ ସମସ୍ତେ ଏଇଭଳି ଏକ ଶେଷର ନିର୍ଦ୍ଦେଶ ର ଅପେକ୍ଷାରେ ରହିଥିଲେ ।

ମୁଁ ?

ଆପଣଙ୍କୁ ଜଣେ ରାଜା ବୋଲି ବିଚାର କରି ତାହାକୁ ଏକ ଐତିହାସିକ ଉପଲକ୍ଷ ଦେବାପାଇଁ ଆପଣଙ୍କୁ ମୁଁ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ରୋମାନ ସମ୍ରାଟ ଡୋମିସିଅନ୍ ହିସାବରେ ବରଣ କରିଥିଲି ।

ଶେଷର ନିର୍ଦ୍ଦେଶ କ୍ରମେ ମୁଁ ଆପଣଙ୍କୁ ଏବେ ସମସ୍ତ ରାଜପଣରୁ ମୁକ୍ତ କରିଦେଲି । କାଳର ଝଡବର୍ଷାରେ ତଥାପି ତିଷ୍ଠି ରହିଥିବା ଗୋଟିଏ ଭଙ୍ଗା ଉଆସ ମୁଁ । ଆସନ୍ତୁ ଆମେ ଦୁହେଁ ସେଇଠି ସବୁବେଳେ ଶେଷର ନିର୍ଦ୍ଦେଶକୁ ଅପେକ୍ଷା କରି ମନ ଆନନ୍ଦରେ ରହିବା।

Comments are closed.