Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ପ୍ରଳୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୨

ପ୍ରଳୟର କଥା କାହିଁକି ?

ଆମେ ଯେତେବେଳେ କୌଣସି ପ୍ରଳୟର ଚିତ୍ର ଦେଖୁ ସେତେବେଳେ ପ୍ରଳୟ ସହିତ ସେହି ସମୟରେ ଆମର ପ୍ରଳୟ ଭିତରକୁ ଯାତ୍ରା କରୁଥିବା ଭଳି ଚିତ୍ର ବି ସମାନ ଭାବରେ ରହିଥାଏ ।

ଖାଲି ପ୍ରଳୟର ଭିତରକୁ ଯାତ୍ରା ନୁହଁ, ତାହା ସହିତ ପ୍ରଳୟକୁ ଅତିକ୍ରମ କରିଯିବାର ଅଭିଳାଷ ସବୁବେଳେ ବି ଆମ ଭିତରେ ସଂଗୁପ୍ତ ହୋଇ ରହିଅଛି ।

ଏଇକଥାକୁ ଆଉ ପ୍ରକାରେ କୁହାଯାଇପାରେ।

ପ୍ରଳୟ ହେଉଛି ବିନାଶର ସର୍ବଶେଷ ରୂପ । ମାତ୍ର ଆମେ ମଣିଷ, ସେଇଭଳି କୌଣସି ସର୍ବଶେଷ ବିନାଶକୁ ମଥାପାତି ମାନିନେବାକୁ କଦାପି ପ୍ରସ୍ତୁତ ନୁହଁ । ତେଣୁ ପ୍ରଳୟକୁ ଆମେ ସୃଜନର ଆଦ୍ୟ ଉନ୍ମେଷ ବୋଲି ବିଚାର କରି ସମସ୍ତ ବିନାଶକୁ ନସ୍ୟାତ୍ କରିଦେବାକୁ ବଦ୍ଧପରିକର ଥାଉ ।

ପୁରାଣରେ ଚାରି ପ୍ରକାର ପ୍ରଳୟ ର ବର୍ଣ୍ଣନା ଅଛି ଯଥା,ନିତ୍ୟ,ନୈମିତ୍ତିକ,ପ୍ରାକୃତ ଓ ଆତ୍ୟନ୍ତିକ।ଆତ୍ୟନ୍ତିକ ପ୍ରଳୟଟି ସବୁଠୁ ଜଟିଳ। ଜ୍ଞାନ ଲାଭ ପାଇଁ ଯୋଗୀମାନଙ୍କର ପରମାତ୍ମାଙ୍କ ସହ ବିଲୀନ ହେବାକୁ ଆତ୍ୟନ୍ତିକ ପ୍ରଳୟ ବୋଲି କୁହାଯାଏ।

ଜୀବ ଓ ବସ୍ତୁର ପ୍ରାତ୍ୟହିକ ବିନାଶକୁ ନିତ୍ୟ ପ୍ରଳୟ ବୋଲି କୁହାଯାଏ।ଏହାଛଡା ସୁସୁପ୍ତି ବା ନିଦ୍ରାକୁବି ଏହି ନିତ୍ୟ ପ୍ରଳୟ ଭାବରେ ଉଲ୍ଲେଖ କରାଯାଇଛି।

ନୈମିତ୍ତିକ ପ୍ରଳୟକୁ ବ୍ରହ୍ମ ପ୍ରଳୟ ବୋଲି ବି କୁହାଯାଏ।ଗୋଟିଏ କଳ୍ପର ଶେଷରେ ବ୍ରହ୍ମାଙ୍କ ଭଳି ଏକ ସମୟକାର ଯାହାର ପୂର୍ଣ୍ଣରୂପଟି ହେଉଛି ସହସ୍ର ଚତୁର୍ଯୁଗ ଆଉ ତାହା ମଧ୍ଯରୁ ଏକ ଦିବାଭାଗର ଅବସାନ ହେଲେ ତ୍ରିଲୋକର ବିନାଶ ହୁଏ । ଏହି ବିନାଶକାରୀ ଘଟଣାକୁ ନୈମିତ୍ତିକ ପ୍ରଳୟ ବା ଖଣ୍ଡ ପ୍ରଳୟ ବୋଲି କୁହାଯାଇଥାଏ। ଏହି ପ୍ରଳୟ ସମୟରେ ପ୍ରଜାପତି ବା ବ୍ରହ୍ମା ସମଗ୍ର ତ୍ରିଲୋକକୁ ତାଙ୍କର ଆଖି ଭିତରେ ରଖିଥାନ୍ତି। ଆପଣମାନେ ଜାଣନ୍ତି ଆଖିଠୁ ବଳି ସୁରକ୍ଷିତ ବନ୍ଦୀଶାଳା ଆଉ କେଉଁଠି ନାହିଁ।ଆଖିରେ ଯିଏ କଏଦୀ ରହିଗଲା ମାନେ ଆଉ ତାହାର କେବେହେଲେ ମୁକୁଳିବାର ବାଟ ନାହିଁ। ଠିକ୍ ସେହିପରି ବିଧାତାର ଆଖିରେ ତ୍ରିଲୋକଟି ସୁରକ୍ଷିତ ହୋଇ ରହିବା ବେଳେ ଯାବତୀୟ ପ୍ରଳୟ ଖେଳରେ ସେଇଠି ମାତି ରହୁଛି।ଆଖି ଭିତରେ ସବୁ ସ୍ଥିର ଆଉ ନିୟମିତ,ଭଙ୍ଗାରୁଜା ବି ଚାଲିଥାଏ ଏକାବେଳେ।

ନୈମିତ୍ତିକ ପ୍ରଳୟର ଆଉ କିଛି ଦୃଶ୍ୟ ଦେଖିବା ଯାହା ଆମକୁ ଆମର ଋଷି ମହର୍ଷିମାନେ ଦେଖାଇଯାଇଛନ୍ତି। ଏଇ ସମୟରେ ଆମର ପାଳନକର୍ତ୍ତା ବିଷ୍ଣୁ ସୂର୍ଯ୍ୟଙ୍କର ଯେଉଁ ସାତୋଟି ରଶ୍ମୀ ଅଛି ତାହା ଭିତରେ ମିଳାଇ ଯାଆନ୍ତି। ଏହା ଯେମିତି ଭଡାଘର ଛାଡୁ ନଥିବା କେଉଁ ଲୋକକୁ ଆଲୁଅ ପାଣି ଆଦି ବିଚ୍ଛିନ୍ନ କଲା ଭଳି କଥା। ବିଷ୍ଣୁ ମିଶିଗଲା ପରେ ସୂର୍ଯ୍ୟଙ୍କ ରଶ୍ମି ଆହୁରି ବଳିଆନ ହୋଇ ଉଠେ। ଯେତେବେଳେ ପାଳନକର୍ତ୍ତାଟିଏ ସଂହାରମୁଖା ହୋଇପଡେ ସେତେବେଳର ଭୟାବହତାକୁ ଆମେ ଆମ ଇତିହାସରୁ ସଠିକ ରୂପେ ହୁଏତ କଳନା କରି ନେଇ ପାରିବା। ବିଷ୍ଣୁଯୁକ୍ତ ସେଇ ସୂର୍ଯ୍ୟ ରଶ୍ମି ତ୍ରିଭୂବନର ସବୁ ଜଳକୁ ପାନ କରିଦିଅନ୍ତି। ପାତାଳ ବି ଜଳଶୂନ୍ଯ ହୋଇଉଠେ। ତାହାପରେ ବିଷ୍ଣୁ ସାତଟି ରଶ୍ମିକୁ ସାତଟି ସୂର୍ଯ୍ୟ କରିଦେବେ ଆଉ ସେଇ ସାତଟି ଯାକ ସୂର୍ଯ୍ୟ ତ୍ରିଭୂବନକୁ ପୋଡି ଛାରଖାର କରିଦେବେ।

ଭୂଃ, ଭୂବଃ ଆଉ ସ୍ୱଃ ଏଇ ତିନୋଟି ଯାକ ଲୋକ ଧ୍ବଂସ ପାଇଯିବ। ସ୍ୱଃ-ଲୋକର ଅଧିବାସୀ ମାନେ ବିସ୍ଥାପିତ ହେବେ ମହଃ ବୋଲି ଏକ ଲୋକକୁ କିନ୍ତୁ ମହଃ ବୋଲି ଲୋକଟି ଉତ୍ତପ୍ତ ହୋଇଯିବାରୁ ସେମାନେ ଯାଇ ଜନ ବୋଲି ଏକ ଲୋକରେ ଆଶ୍ରା ନେବେ।ବ୍ରହ୍ମା ସେତେବେଳକୁ ଯୋଗ ନିଦ୍ରାରେ।

ତାହାପରେ ପାଳନକର୍ତ୍ତା ଫେରିବେ ତାଙ୍କର ପୂର୍ବ ଆସ୍ଥାନକୁ। ସୂର୍ଯ୍ୟଙ୍କଠାରୁ ଅଲଗା ହୋଇଗଲା ପରେ ବିଷ୍ଣୁଙ୍କ ମୁଖ ବଜ୍ର ବିଦ୍ୟୁତ ଇରମ୍ମଦମୟ। ଶହେ ବର୍ଷର ଅବିରାମ ବର୍ଷାରେ ସମସ୍ତ ଅଗ୍ନୀ ନିର୍ବାପିତ ହେବ।

ସେହି ପ୍ରଳୟ ପୟୋଧି ଜଳରେ ଉପସ୍ଥିତ ହେବ ଶେଷ ନାଗ ଆଉ ତାହା ଉପରେ ଶାୟିତ ଯୋଗନିଦ୍ରାରେ ବିଷ୍ଣୁ।ତାହାପରେ ତାଙ୍କର ପଦତଳେ ଲକ୍ଷ୍ମୀ ଆଉ ନାଭିପଦ୍ମରେ ବ୍ରହ୍ମା।ଯେତେ ପ୍ରଳୟ ହେଲେବି ଏଇ ଚାରିଜଣ ଅବିନାଶୀ, ଅନନ୍ତ,ବିଷ୍ଣୁ,ଲକ୍ଷ୍ମୀ ଓ ବ୍ରହ୍ମା। ଏଇ ଚାରିଜଣଙ୍କର ଉପସ୍ଥିତିର ତତ୍ତ୍ୱାବଧାନ ରେ ନିର୍ମାଣ ହୋଇଥାଏ ଯେ କୌଣସି ପ୍ରଳୟ ପରବର୍ତ୍ତୀ ସୃଜନ।

ଏଇ ଚାରୋଟି ପ୍ରଳୟରୁ ଆଉ ରହିଲା ଗୋଟିଏ ପ୍ରଳୟ ଯାହାକୁ ପ୍ରାକୃତ ପ୍ରଳୟ ବୋଲି କୁହାଯାଏ। ଏହା ଆତ୍ୟନ୍ତିକ ପ୍ରଳୟ ପରି ଅନେକ ପରିମାଣରେ ତାତ୍ତ୍ବିକ ପ୍ରଳୟ।ଅବଶ୍ଯ କେଉଁ ପ୍ରଳୟଟି ତାତ୍ତ୍ଵିକ ପ୍ରଳୟ ନୁହଁ ? ଯେ କୌଣସି ବିନାଶକୁ ଦେଖିବା ଆଉ ବୁଝି ପାରିବା ଭଳି ତଲ୍ଲୀନତା ସବୁବେଳେ ଆମର ତାତ୍ତ୍ବିକ ପକ୍ଷଟିକୁ ଉଜାଗର କରିଥାଏ। ସେ ଯାହାହେଉ ସମଗ୍ର ସୃଷ୍ଟି ଯେତେବେଳେ ପ୍ରକୃତିରେ ଲୀନ ହୋଇଯାଏ ସେହି ବିନାଶକୁ ପ୍ରାକୃତ ପ୍ରଳୟ ବୋଲି ବୁଝାଯାଏ। କାଳ ଅଗ୍ନିରୂପ ହୋଇ ଏଇ ପ୍ରଳୟଟି ଘଟାଇଥାଏ।

ଆଜି ପ୍ରଳୟମୁଖ କାହିଁକି ?

ପ୍ରଳୟ କହିଲେ ତ ବିନାଶ, ତେବେ ବିନାଶମୁଖ କାହିଁକି ଆଜି ? ବିନାଶ ସହିତ ଗୋଟିଏ ହିଂସ୍ରତା ଜଡିତ ରହିଥାଏ ସବୁବେଳେ। ଏଇ ମାନବିକ ହିଂସ୍ରତା,ଦୃଶ୍ୟ ହେଉ କି ମନ ଗମ୍ଭିରାରେ ରହି ନିଜର ପାଉଁଜି ଛମଛମ କରୁଥାଉ ବେଳ ଅବେଳରେ,ତାହା ବିଷୟରେ ଗୋଟିଏ ସୁନ୍ଦର ବ୍ଯବଚ୍ଛେଦ କରିଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଏରିଖ୍ ଫ୍ରମ୍ ତାଙ୍କର ପ୍ରସିଦ୍ଧ ବହି “ଦି ଆନାଟୋମି ଅଫ୍ ହ୍ୟୁମାନ ଡେଷ୍ଟ୍ରକ୍ଟିଭନେସ୍”। ସେଥିରେ ଏରିଖ୍ ଫ୍ରମ୍ ମାନବିକ ହିଂସ୍ରତାର ଗୋଟିଏ ଅନ୍ୟତମ ପ୍ରମୁଖ କାରଣ ହିସାବରେ ବିବେଚନା କରିଛନ୍ତି ଯେ ସାର୍ବଜନୀନ ଜୀବନରେ ଜଣେ ଯେତେବେଳେ ନିଜର ଅଭିଳଷିତ ବ୍ୟକ୍ତିଗତ ସ୍ଥାନ ଟିକୁ ନିଜର କରି ରଖିବାରେ ଅସମର୍ଥ ବା ଅସଫଳ ହୁଏ ସେତେବେଳ ସେ ହିଂସ୍ର ହୋଇଯାଏ।

ଆମେ ହୁଏତ ଆମମାନଙ୍କର ପ୍ରାଇଭେଟ୍ ସ୍ପେସଟି ପାଇବାରେ ଅସମର୍ଥ, ତେଣୁ ହିଂସ୍ର।

ଆମର ଯାବତୀୟ ହିଂସ୍ରତାର ପ୍ରଳୟ-ପୟୋଧି-ଜଳଜାତୀୟ ବିନାଶରୁ ଆମକୁ ଉଦ୍ଧାର କରିବା ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିଛି,ପ୍ରକାରରେ ହେଉ କି ପ୍ରତୀକରେ ହେଉ। ଆସନ୍ତୁ ଖାଲି ଆଜି ନୁହଁ, ତାହାକୁ ବଂଦାଣ କରିବା ସବୁବେଳେ।

ଆମର ମୟୁରକଣ୍ଠୀ ବୋଇତମାନଙ୍କର କଥା କହୁଛି, ଯେଉଁମାନେ ଆମକୁ ଉଦ୍ଧାର କରି ଆଲୋକିତ ଦିଗନ୍ତକୁ ନେଇଯିବେ ।

ଆସନ୍ତୁ ଆମେ ଏଥର ନିଜନିଜ ବୋଇତକୁ ବନ୍ଦାଣ କରିବା ନିଷ୍ଠାପର ଭାବରେ ।

Leave A Reply

Your email address will not be published.