ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୬
ତାହାର ନାଆଁ ପେପ୍।
ନାଆଁଟି ସେଇଭଳି ସଂକ୍ଷିପ୍ତ ଆଉ ସେଇଟି ଥିଲା ତାହାର ଉଭୟ ଶ୍ରଦ୍ଧା ନାମ ଆଉ ଲିଖିତ ନାମ।
ଏଇଟି ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ଏକ ବିରଳ କୃତିତ୍ତ୍ୱର ଅଧିକାରୀ ଥିଲା ପେପ୍ । ଏଯାବତ ସେ ହେଉଛି ଇତିହାସର ଏକମାତ୍ର ଶ୍ୱାନ-ଅପରାଧୀ ଯିଏ ବିଧିବଦ୍ଧ ଭାବରେ ମଣିଷକୃତ ବିଚାର ପ୍ରକ୍ରିୟାକୁ ସାମ୍ନା କରିଛି ଅର୍ଥାତ୍ ମଣିଷର କୋର୍ଟକଚେରୀରେ ମଣିଷର ଅପରାଧର ଯେମିତି ବିଚାର କରାଯାଇଥାଏ ଠିକ୍ ସେଇମିତି ପଦ୍ଧତିରେ ଅପରାଧୀ ସାବ୍ୟସ୍ତ ହୋଇ ଯେମିତି ଜଣେ ଅଭିଯୁକ୍ତ ତାହାର ନିର୍ଦ୍ଧାରିତ ଦଣ୍ଡ ଭୋଗ କରିଥାଏ ଠିକ୍ ସେହିଭଳି ଦଣ୍ଡ ଭୋଗ କରିଅଛି ।
ପେପ୍ ର ଦେହର ରଙ୍ଗ ଗାଢ କଳା । ତାହାର ପ୍ରଜାତି ହେଉଛି ଲାବ୍ରାଡର୍ ରିଟ୍ରିଭର୍ ।
ମଣିଷର ଇତିହାସ ତଥା ମଣିଷର ଶ୍ୱାନ ଇତିହାସରେ ପେପ୍ ହେଉଛି ସର୍ବପ୍ରଥମ ଶ୍ୱାନ ଯିଏ କି ମଣିଷର ନ୍ୟାୟିକ ପ୍ରକ୍ରୀୟାରେ ଅଭିଯୁକ୍ତ ହୋଇ ଆଜୀବନ କାରାବାସର ଦଣ୍ଡାଦେଶ ଲାଭ କରିଥିଲା ।
ବିଚାର ପ୍ରକ୍ରିୟାରେ ଆଜୀବନ ଦଣ୍ଡାଦେଶ ମିଳିଯିବା ପରେ ଏହି ଶ୍ୱାନ-ଅଭିଯୁକ୍ତ ପେପ୍ କୁ ଯଥାଶିଘ୍ର ଯୁକ୍ତରାଜ୍ୟ ଆମେରିକାର ପେନସିଲଭାନିଆ ସହରରେ ଥିବା ଇଷ୍ଟର୍ଣ୍ଣ ଷ୍ଟେଟ୍ ପେନିଟେନସିଆରୀକୁ ଚାଲାଣ କରାଯାଇଥିଲା ।
ଯୁକ୍ତରାଜ୍ୟ ଆମେରିକାରେ ଜେଲଖାନାକୁ ପେନିଟେନସିଆରୀ ବୋଲି କୁହାଯାଏ । ଇଂରେଜୀ ଶବ୍ଦ ପେନିଟେନସିଆରୀର ଅର୍ଥ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ଜଣେ ନିଜର କୃତକର୍ମ ପାଇଁ ପ୍ରାୟଶ୍ଚିତ କରିଥାଏ ।
ଆଜୀବନ କାରାବାସର ଦଣ୍ଡାଦେଶକୁ ପାଳନ କରିବା ପାଇଁ ପେପ୍ ଯେଉଁଦିନ ପେନସିଲଭାନିଆ ସହରର ସେହି ପ୍ରାୟଶ୍ଚିତ-ଗୃହକୁ ପ୍ରବେଶ କରିଥିଲା ସେଦିନ ଥିଲା ୧୯୨୪ ମସିହା ଅଗଷ୍ଟ ମାସର ୧୨ ତାରିଖ ।
ପେପ୍ ପାଇଁ ସବୁଠାରୁ କଠିନ ସର୍ତ୍ତ ରହିଥିଲା ଯେ ସେ ଆଜୀବନ ଦଣ୍ଡାଦେଶ ଭୋଗୁଥିବା ସମୟ “ପାରୋଲ୍” ରେ କଦାପି ବାହାରକୁ ଆସିପାରିବ ନାହିଁ । ଏହା ହେଉଛି ପୃଥିବୀର ଏମିତି ଏକ ସମୟ ଯେତେବେଳେ ଶ୍ୱାନ-ଅଧୀକାର ସମ୍ପର୍କିତ କୌଣସି ଧାରଣା ମଣିଷର ମନରେ ସୃଷ୍ଟି ହୋଇ ନଥିଲା । ତେଣୁ ପେପ୍ ବସ୍ତୁତଃ ସେହି ପ୍ରାୟଶ୍ଚିତଗୃହରେ ପ୍ରବେଶ କରିବା ପରଠାରୁ ଆଉ ବାହାର ପୃଥିବୀକୁ ଆସିନାହିଁ । ମୃତ୍ୟୁ ହେବା ଯାଏଁ ସେ ସେଇଠି ପ୍ରାୟ ଦଶ ବର୍ଷର ସମୟ କାରାଦଣ୍ଡ ଭୋଗିଛି । କୁହାଯାଏ ଯେ ଗୋଟିଏ ଶ୍ୱାନ ବର୍ଷ ମଣିଷର ସାତବର୍ଷର ସମୟ ସହ ସମାନ । ତେଣୁ ସେଦୃଷ୍ଟିରୁ ସେ ପ୍ରାୟ ସତୁରିଟି ଶ୍ୱାନବର୍ଷ ବନ୍ଦୀଶାଳାରେ ରହି ଅତ୍ୟନ୍ତ ପରିଣତ ବୟସରେ ସେଠାରେ ସ୍ୱାଭାବିକ ମୃତ୍ୟୁବରଣ କରିଥିଲା ପେପ୍ ।
ପ୍ରାୟଶ୍ଚିତଗୃହରେ ଥିବାବେଳେ ତାହାର କଏଦୀ ନାମ ଥିଲା C 2559 । ସେହି କ୍ରମିକ ସଂଖ୍ୟାରେ ବନ୍ଦୀଶାଳାରେ ଶେଷଯାଏଁ ତାହାର ନିୟମିତ ହାଜିରା ପଡୁଥିଲା ।
ପେପ୍ ର ଅପରାଧ ପ୍ରସଙ୍ଗକୁ ଗଲେ ଆମେ ଦେଖିବା ଯେ, ପେପ୍ ଗୋଟିଏ ବିରାଡିକୁ ହତ୍ୟା କରିଥିଲା । ଅବଶ୍ୟ ସେ ସମୟ ହେଉ କି ଏବେକାର ସମୟ ହେଉ କୁକୁର ପ୍ରଜାତି ଏବଂ ବିରାଡି ପ୍ରଜାତି ଉଭୟଙ୍କ ମଧ୍ୟରେ ଚିରକାଳ ଶତ୍ରୁତା ରହିଥିବା କାରଣରୁ ସଂଘର୍ଷ ଅନିର୍ବାର୍ଯ୍ୟ । ତେଣୁ ଏହିଭଳି ଏକ ଚିରାଚରିତ ସଂଘର୍ଷର ପରିଣାମ ଆକାରରେ ଗୋଟିଏ ବିରାଡିର ମୃତ୍ୟୁ ସେମିତି କୌଣସି ଗୁରୁତ୍ୱପୂର୍ଣ୍ଣ ଅପରାଧ ବୋଲି ଗୃହୀତ ହେବାର କଥା ନୁହଁ । କିନ୍ତୁ ପେପ୍ ଏଇଠି ଯେଉଁ ବିରାଡିକୁ ହତ୍ୟା କରିଥିଲା ତାହା କୌଣସି ସାମାନ୍ୟ ବିରାଡି ନଥିଲା, ତାହା ଥିଲା ସେତେବେଳର ପେନସିଲଭାନିଆର ଗଭର୍ଣ୍ଣର ଗିଫୋର୍ଡ ପିଞ୍ଚୋଟ୍ ଙ୍କ ଧର୍ମପତ୍ନୀଙ୍କର ଅତ୍ୟନ୍ତ ପ୍ରିୟ ବିରାଡି ।
ଗଭର୍ଣ୍ଣର ଗିଫୋର୍ଡ ପିଞ୍ଚୋଟ୍ ଙ୍କ ହାତରେ ସେତେବେଳେ ସଂପୂର୍ଣ୍ଣ ବିଚାର ବିଭାଗର କ୍ଷମତା ରହିଥାଏ । ନିଜର ପ୍ରିୟ ପତ୍ନୀଙ୍କର ପ୍ରିୟ ବିରାଡି ର ମୃତ୍ୟୁରେ ନିଜର ବ୍ୟଥାକୁ ପ୍ରକାଶ କରିବା ତଥା ଏହିଭଳି ଅପରାଧର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗଭର୍ଣ୍ଣର ପିଞ୍ଚୋଟ୍ ଏକ ତ୍ୱରିତ-ବିଚାର ପରେ
ଏହି କୃଷ୍ଣକାୟ ଲାବ୍ରାଡୋର୍ ପେପ୍ କୁ ଆଜୀବନ କାରାବାସର ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏବଂ ତାହାପରେ ପେପ୍ କୁ ପେନସିଲଭାନିଆ ସହର ର ସେହି ପେନିଟେସିଆରୀ ଭିତରକୁ ନିଆଯାଇଥିଲା ।
ଏଇଠି ଆମର ସ୍ମରଣ ରଖିବା ଉଚିତ ହେବ ଯେ, ସବୁ ଶ୍ୱାନ କାହାଣୀରେ ନିୟନ୍ତ୍ରକ ମଣିଷ।ମଣିଷ ହିଁ ସବୁ ଶ୍ୱାନ କାହାଣୀର ଲେଖକ । ଶ୍ୱାନ ମାନଙ୍କ ପାଖରେ ଆତ୍ମକାହାଣୀ ଲେଖିବା ଭଳି ଭାଷାର ଘୋର ଅଭାବ ।
ଗଭର୍ଣ୍ଣର ଗିଫୋର୍ଡ ପିଞ୍ଚୋଟ୍ ଏହି କାହାଣୀର ଲେଖକ । ଏକମାତ୍ର ଲେଖକ ।
ଗଭର୍ଣ୍ଣର ପିଞ୍ଚୋଟଙ୍କୁ ତାଙ୍କର ବିବାହ ସମୟରେ ତାଙ୍କର ଶ୍ୱଶୁର ଘରୁ ଅନ୍ୟ କିଛି ପଦାର୍ଥ ସହ ଏହି କୃଷ୍ଣକାୟ ଲାବ୍ରଡୋର୍ ରିଟ୍ରିଭର୍ ପେପ୍ କୁ ଉପହାର ସାମଗ୍ରୀ ଆକାରରେ ମିଳିଥିଲା । ଗଭର୍ଣ୍ଣର ଙ୍କ ପତ୍ନୀଙ୍କୁ ବିବାହ ସମୟରେ ଗୋଟିଏ ବିରାଡି ଉପହାର ଆକାରରେ ମିଳିଥିଲା । ଗଭର୍ଣ୍ଣର ପିଞ୍ଚୋଟଙ୍କ ନୂତନ ସଂସାରରେ ଏହି ଦୁଇ ପରସ୍ପର ବିରୋଧୀ ଉପହାର ଏକତ୍ର ବସବାସ କରିବାକୁ ଆରମ୍ଭ କଲେ । ଗଭର୍ଣ୍ଣର ଙ୍କ ପରକୀୟା ପ୍ରୀତି ର ପ୍ରଭାବରେ ଯେ ଏହି ଉଭୟ ଉପହାର ସଂଘର୍ଷରତ ହେଉଥିଲେ ,ଏକଥା ସଠିକ କହିହେବ ନାହିଁ । ସେହିପରି ଏକଥା ମଧ୍ୟ ସଠିକ୍ କହିହେବ ନାହିଁ ଯେ, ନିଜର ପତ୍ନୀଙ୍କ ପ୍ରତି ଆକର୍ଷଣ କ୍ରମଶଃ କମିଯାଉଥିବା କାରଣରୁ ସେ ନିଜର ଶ୍ୱଶୁର ଘରୁ ପାଇଥିବା ଏହି କୃଷ୍ଣକାୟ ପେପ୍ କୁ ବିଷଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଥିଲେ ।
ପେପର ଅପରାଧ କିନ୍ତୁ ଗୋଟିଏ ଥିଲା। ସେ ସବୁବେଳେ ଗଭର୍ଣ୍ଣରଙ୍କ ପ୍ରିୟ ସୋଫାରେ ବସିବାକୁ ଚାହୁଁଥିଲା । ସୋଫାର କୁଶନ ଉପରେ ନିଜର ଦାନ୍ତର ଧାରୁଆ ଶକ୍ତିର ପରୀକ୍ଷା କରୁଥିଲା ।
ନିଜର ଚୌକି ଉପରେ ହେଉଥିବା ଆକ୍ରମଣକୁ ତ ନିଶ୍ଚୟ ପ୍ରତିରୋଧ କରିବାକୁ ପଡିବ। ତେଣୁ ଯେତେବେଳେ ପେପ୍ ପତ୍ନୀଙ୍କ ବିରାଡିକୁ ହତ୍ୟାକଲା ଗଭର୍ଣ୍ଣର ପିଞ୍ଚୋଟ୍ ଙ୍କୁ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିଗଲା । ପତ୍ନୀଙ୍କ ପ୍ରେମ ଆଉ ନିଜର ଚୌକି ଉଭୟକୁ ସୁରକ୍ଷିତ ରଖିବା ପାଇଁ ସେ ତ୍ୱରିତ ନ୍ୟାୟ ସମ୍ପାଦନ କରିଥିଲେ ଆଉ ଆଜୀବନ କାରାବାସ ପାଇଁ ପେପ୍ ପେନସିଲଭାନିଆ ର ସେହି ପ୍ରାୟଶ୍ଚିତ ଗୃହକୁ ଯିବାକୁ ପଡିଥିଲା ।
ଜୀବନର ଶେଷ ଯାଏଁ ପ୍ରାୟଶ୍ଚିତ ଗୃହରେ ଦଣ୍ଡ ଭୋଗୁଥିବା ଅନ୍ୟାନ୍ୟ ଅଭିଯୁକ୍ତଙ୍କର ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲା । ପେପ୍ ର ମରଣରେ ବ୍ୟଥିତ ହୋଇ ସମସ୍ତ କାରାବନ୍ଦୀ ତାହାକୁ ମହାସମାରୋହରେ ସେହି ପ୍ରାୟଶ୍ଚିତ ଗୃହର ପରିସରରେ ଭୂସମାଧୀସ୍ଥ କରିଥିଲେ ।
ପେନିସିଲଭାନିଆର ସେହି ଈଷ୍ଟର୍ଣ୍ଣ ଷ୍ଟେଟ୍ ପେନିଟେନସିଆରୀ ଏବେ ଏକ ପରିତ୍ୟକ୍ତ ଭୂତ ଖାନା । ସେଇଠି ଏବେ ବେଳେବେଳେ ଭୂତ-ସିନେମା ଆଦିର ସୁଟିଙ୍ଗ୍ ହୁଏ । ଆଉ ଯେଉଁମାନେ ଏହି ପ୍ରକାର ସିନେମା ବା ସିରିଆଲ୍ ସୁଟିଂ କରିବା ପାଇଁ ସେଠିକୁ ଆସିଥାନ୍ତି ସେମାନେ ତାଙ୍କର କାହାଣୀରେ ଗୋଟିଏ କୁକୁରକୁ ପାତ୍ର ଆକାରରେ ରଖିଲେ ଅଧିକ ସଫଳତା ପାଇବେ ବୋଲି ବିଶ୍ୱାସ ପୋଷଣ କରିଥାନ୍ତି ।
Comments are closed.