ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୯
ବର୍ଷ ଶେଷ । ବଡଦିନ । ଶୀତ ର ଜାଡରେ ଥୁରୁଥୁରୁ ସମୟ । ପବିତ୍ର ଉଲ୍ଲାସ ଆଉ ଉଦ୍ଦୀପନାରେ ପ୍ରଭୂ ଯୀଶୁଙ୍କର ଧରାବତରଣ । ଆଉ ଏହି ପବିତ୍ର ଉତ୍ସବ କୁ ଅତ୍ୟନ୍ତ ପରିପାଟି କରି ପାଳନ କରିବାର ଆୟୋଜନ ହୁଏ ପୃଥିବୀ ସାରା ।
ଖ୍ରୀଷ୍ଟ ଧର୍ମର ଏହି ମହାନ ପାରମ୍ପରିକ ଉତ୍ସବ ପାଳନର ଆୟୋଜନର ଏକ ଅଂଶ ଭାବରେ ରହିଥାଏ ଗୋଟିଏ ବୃକ୍ଷ । କହିବାକୁ ଗଲେ ଗୋଟିଏ ବୃକ୍ଷର ପ୍ରତୀକ ସେ । ତାହା ଆମର ଅତ୍ୟନ୍ତ ପରିଚିତ କ୍ରିସମାସ୍ ଟ୍ରି ।
ପ୍ରଥମରୁ ଆମର ମନେ ରଖିବା ଉଚିତ ଯେ,କୌଣସି ଧର୍ମର ନୀତିବାଣୀ ତଥା ଦର୍ଶନ ବା ଯାହାକୁ କୌଣସି ଧର୍ମର ମୂଳ ଆଧାର ବୋଲି କୁହାଯାଏ ସେହି ଆଧାର ଏବଂ ସଂପୃକ୍ତ ଧର୍ମକୁ ଏକ ଉତ୍ସବ ଆକାରରେ ପାଳନ କରିବାର ପ୍ରକ୍ରିୟା ବା ” ରିଚୁଆଲ” ମଧ୍ୟରେ ଅନେକ ସମୟରେ ସେମିତି କୌଣସି ସିଧା ସଳଖ ସମ୍ପର୍କ ନଥାଏ । ଧର୍ମଭିତ୍ତିକ ଉତ୍ସବ ପାଳନ କରିବା ସମୟରେ ଆମେ ଧର୍ମର ମୂଳ ଦର୍ଶନର ଏକ ସହଜ ସାଧାରଣରେ ବୋଧଗମ୍ୟ ହେବା ଭଳି ପ୍ରତୀକାତ୍ମକତାକୁ ବ୍ୟବହାର କରିଥାଉ । ତେଣୁ ଧର୍ମ ଦୃଷ୍ଟିରୁ ଧାର୍ମିକ ଉତ୍ସବ ପାଳନ ସବୁବେଳେ ଏକ ପରବର୍ତ୍ତି ଚିନ୍ତନ ଏବଂ ସଂଯୋଜନ ।
କ୍ରିସମାସ୍ ଟ୍ରି ଠିକ୍ ସେହିପରି ଖ୍ରୀଷ୍ଟଧର୍ମରେ ଉତ୍ସବ ପାଳନର ଏକ ଅଂଶ ହିସାବରେ ଖ୍ରୀଷ୍ଟଧର୍ମ ଉତ୍ପତ୍ତି ର ବହୁ ପରେ ତାହା ସହିତ ଜଡିତ ହୋଇଯାଇଛି । ଏବଂ ଏ ସଂପର୍କରେ ସବୁଠୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଟି ହେଉଛି ବେଥେଲହାମ୍ ରେ ଜନ୍ମିତ ଏବଂ ନିଜର ପ୍ରଭାବୀ ବିଚାରରେ ପୃଥିବୀସାରା ଅନୁଗତର ଏକ ବ୍ୟାପକ ପରିମଣ୍ଡଳ ପ୍ରସ୍ତୁତ କରିପାରିଥିବା ନଜାରଥର ଦେବପୁରୁଷ ଯୀଶୁ ଖ୍ରୀଷ୍ଟ ଙ୍କ ନିଜ ଅଂଚଳ ଜେରୁଜେଲମ୍ ରୁ ଏହି କ୍ରିସମାସ ଟ୍ରିର ଅବଧାରଣା ଆସିନାହିଁ ।
କ୍ରିସମାସ୍ ଟ୍ରି ଟି ଖ୍ରୀଷ୍ଟଧର୍ମର ପରିସରକୁ ଆସିଛି ଜର୍ମାନୀ ରୁ ,ଯୀଶୁଖ୍ରୀଷ୍ଟଙ୍କ ଦେହାବସାନର ପ୍ରାୟ ଆଠଶହ ବର୍ଷ ପରେ,ଅର୍ଥାତ୍ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ।
ଏହା ଏକ ଜନଶ୍ରୁତି ।
ସେଇ ସମୟରେ ଇଂଲଣ୍ଡରୁ ଜଣେ ଧର୍ମଯାଜକ ଯାହାଙ୍କର ନାଆଁ ୱିନଫ୍ରେଡ୍ ଖ୍ରୀଷ୍ଟଧର୍ମର ପ୍ରଚାର କରିବାପାଇଁ ଜର୍ମାନୀକୁ ଯାଆନ୍ତି । ସେ ଠିକ୍ ଯେଉଁଦିନ ଜର୍ମାନୀରେ ଯାଇ ପହଞ୍ଚନ୍ତି ସେଦିନ ଥାଏ ଶୀତକାଳର ଅୟନାନ୍ତ । ଶୀତକାଳର ଅୟନାନ୍ତ କହିଲେ ଯେଉଁଦିନ ସୂର୍ଯ୍ୟ ଠିକ୍ ମକରକ୍ରାନ୍ତି ଉପରେ ଅବସ୍ଥାନ କରିଥାନ୍ତି ସେଇ ଦିନକୁ ବୁଝାଏ । କାଲେଣ୍ଡର ହିସାବରେ କହିଲେ ଏହା ସାଧାରଣତଃ ଡିସେମ୍ବର ୨୨ ତାରିଖକୁ ବୁଝାଇଥାଏ ।
ଇଂରେଜ ଖ୍ରୀଷ୍ଟଧର୍ମ ପ୍ରଚାରକ ୱିନଫ୍ରେଡ୍ ଶୀତକାଳର ଅୟନାନ୍ତ ଦିନ ଜର୍ମାନୀରେ ପହଞ୍ଚି ଗୋଟିଏ ବିଭତ୍ସ ଦୃଶ୍ୟ ଦେଖିଥିଲେ । ଗୋଟିଏ କିଶୋରୀକୁ ହତ୍ୟା କରିବାପରେ ତାହାର ଶରୀରକୁ ଖଣ୍ଡଖଣ୍ଡ କରି ଗୋଟିଏ ଓକ୍ ଗଛରେ ଟାଙ୍ଗି ଦିଆଯାଇଛି ଆଉ ସେଠିକାର ଅଧିବାସୀ ମାନେ ଆସି ସେଇ ଦୃଶ୍ୟକୁ ଅତ୍ୟନ୍ତ ଆନନ୍ଦର ସହ ଉପଭୋଗ କରୁଛନ୍ତି । ସେ ସମୟର ଜର୍ମାନୀର ଅଧିବାସୀମାନେ ବହୁଦେବତାରେ ବିଶ୍ୱାସୀ ଅର୍ଥାତ୍ “ପାଗାନ୍” ଥିଲେ । ଶୀତକାଳର ଅୟନାନ୍ତ ସମୟରେ ସେମାନେ କ୍ରୀତଦାସ ଆଉ ମହିଳାଙ୍କୁ ହତ୍ୟାକରି ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟିଏ ଗୋଟିଏ ଓକ୍ ଗଛରେ ଟାଙ୍ଗି ଦେଉଥିଲେ । ଏପରି କରିବା ଦ୍ୱାରା ସେମାନଙ୍କର ପ୍ରଣମ୍ୟ ଶକ୍ତି ଆଉ ଉର୍ବରତାର ଦେବତା ଦୋନର୍ ସନ୍ତୁଷ୍ଟ ହେବେ ବୋଲି ସେମାନଙ୍କର ବଦ୍ଧମୂଳ ବିଶ୍ୱାସ ଥିଲା ।
ଗୋଟିଏ ଓକ୍ ଗଛରେ ଟଙ୍ଗାଯାଇଥିବା କୌଣସି ହତଭାଗ୍ୟ କିଶୋରୀର ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖିବାପରେ ୱିନଫ୍ରେଡ୍ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ନିକଟରୁ ଟାଙ୍ଗିଆଟିଏ ସଂଗ୍ରହ କରି ଗୋଟିଏ ଚୋଟରେ ସେ ସେହି ବିଭତ୍ସ ଓକ୍ ଗଛକୁ ନିଜର ଯେତେଶକ୍ତି ଅଛି ତାହାର ପ୍ରୟୋଗ କରି ଛେଦି ଦେଇଥିଲେ ।
ତାହାପରଦିନ ଦେଖିଲା ବେଳକୁ ଏକ ଆଶ୍ଚର୍ଯ୍ୟ। ପୂର୍ବଦିନ କଟାଯାଇଥିବା ଓକ୍ ଗଛର ମୂଳରୁ ଠିକ୍ ଗଜୁରି ଉଠିଛି ଗୋଟିଏ ପାଇନ ଚାରା । ଧର୍ମଯାଜକ ୱିନଫ୍ରେଡ୍ ଏହାକୁ ଈଶ୍ୱର ଙ୍କର ଏକ ପବିତ୍ର ନିର୍ଦ୍ଦେଶ ବୋଲି ବିଚାର କରିଥିଲେ ।
ପରେ ୱିନଫ୍ରେଡ୍ ଜଣେ ସନ୍ଥ ହେଲେ । ତାଙ୍କର ନୂତନ ନାଆଁ ହେଲା ସେଣ୍ଟ ବୋନିଫେସ୍ । ସେ ଜର୍ମାନୀର ପାଗାନ୍ ମାନଙ୍କୁ ଖ୍ରୀଷ୍ଟଧର୍ମ ରେ ଦୀକ୍ଷିତ କରିବାକୁ ସମର୍ଥ ହୋଇଥିଲେ । ସେତେବେଳେ ସେ ଜର୍ମାନୀର ଏଇ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ମାନଙ୍କୁ କ୍ରିସମାସ୍ ବା ଯୀଶୁଜନ୍ମ ସମୟରେ ଗୋଟିଏ ଗୋଟିଏ ପାଇନ୍ ଗଛକୁ ଧାର୍ମିକ ବିଧାନ ଅନୁସାରେ ଅଂଳଙ୍କରଣ କରିବା ପାଇଁ କହିଥିଲେ । ସମକାଳର ଜର୍ମାନୀରେ ପ୍ରଚଳିତ ବିଭତ୍ସତାକୁ ଏକ ଚିରକାଳୀନ ମାନବିକ ସୁନ୍ଦରତା ପ୍ରଦାନ କରିବା ଭଳି କାରଣରୁ ଆସିଥିଲା ନିଶ୍ଚୟ ଏଇ ବିଚାର । ତାହା ଫଳରେ ସମସ୍ତେ ଗୋଟିଏ ଗୋଟିଏ ପାଇନ୍ ଗଛକୁ କ୍ରିସମାସ୍ ସମୟରେ ବିଭିନ୍ନ ଫଳରେ ଆଉ କୋଳିରେ ସଜାଇବାକୁ ଆରମ୍ଭ କରିଥିଲେ ।
ଜନଶ୍ରୁତିରେ ଏହିଭଳି ଆରମ୍ଭ ହୁଏ କ୍ରିସମାସ୍ ଟ୍ରି ଆଉ ଆରମ୍ଭରୁ ଏହା ଶିଶୁମାନଙ୍କର ଅତ୍ୟନ୍ତ ପ୍ରିୟ ।
ପରେ ଏହି କ୍ରିସମାସ୍ ଟ୍ରି କୁ ଜର୍ମାନୀରେ ସ୍ୱର୍ଗରାଜ୍ୟର ବୃକ୍ଷ ବା ଟ୍ରି ଅଫ୍ ପାରାଡାଇଜ୍ ର ପ୍ରତୀକ ରୂପ ବୋଲି ବିଚାର କରାଯାଉଥିଲା । ଏବଂ ତାହାକୁ ଅଳଙ୍କରଣ କରାଯାଉଥିଲା ବିଶେଷ ଭାବରେ ଆପେଲ୍ ରେ । ଆପେଲ୍ କୁ ସାଧାରଣତଃ ନିଷିଦ୍ଧ ଫଳ ବୋଲି କୁହାଯାଏ । ଆଉ ଏହାକୁ ଭକ୍ଷଣ କରିବା କାରଣରୁ ନାରୀ ଆଉ ପୁରୁଷ ସ୍ୱର୍ଗରାଜ୍ୟରୁ ବିତାଡିତ ହେବା ଭଳି ଆଦାମ-ଇଭ୍ କାହାଣୀ ସହ ଆମେମାନେ ପରିଚିତ । ତେଣୁ ନାରୀ ପୁରୁଷ ଆଉ ନିଷିଦ୍ଧ କର୍ମ କୁ ନେଇ ଏକ ବୟସ୍କ ଉତ୍ସବ ଏହି କ୍ରିସମାସ୍ ଟ୍ରି ସହିତ ଜଡିତ ହେବାକୁ ଲାଗିଲା ।ଏବଂ ଏକଥା ମଧ୍ୟ କୁହାଗଲା ଯେ ,ଏହି ଭଳି ଗୋଟିଏ ଗଛର ତ୍ରିକୋଣାକାର ଖ୍ରୀଷ୍ଟଧର୍ମର ତ୍ରିଧାରା ବା ଟ୍ରିନିଟି କୁ ପରିଭାଷିତ କରୁଛି । ସଂକ୍ଷେପରେ ଖ୍ରୀଷ୍ଟଧର୍ମରେ ଟ୍ରିନିଟି କହିଲେ ଈଶ୍ୱର ଜଣେ ପିତା ,ଈଶ୍ୱର ଜଣେ ପୁତ୍ର ,ଏବଂ ଈଶ୍ୱର ଜଣେ ପବିତ୍ର ଆତ୍ମା ,ଏଇ ଭଳି ତିନୋଟି ରୂପରେ ଈଶ୍ୱରଙ୍କ ପରିବ୍ୟାପ୍ତତା କୁ ପ୍ରକାଶ କରିଥାଏ ।
ପ୍ରାମାଣିକ ଭାବରେ କ୍ରିସମାସ୍ ଟ୍ରିର ଉପସ୍ଥିତି ୧୫୧୦ ଖ୍ରୀଷ୍ଟାବ୍ଦରେ ଇଉରୋପିଆନ ଦେଶ ଲାଟିଭିଆର ର ରାଜଧାନୀ ରିଗା ରେ ଦେଖିବାକୁ ମିଳିଥାଏ ।
ସେ ଯାହାହେଉ ତିନୋଟି ପ୍ରମୁଖ ଘଟଣା ଯୋଗୁ ଜର୍ମାନୀ ରୁ ଆସିଥିବା କ୍ରିସମାସ୍ ଟ୍ରିର ଅବଧାରଣା ସମଗ୍ର ଇଉରୋପ ଏବଂ ସେଇଠୁ ସମଗ୍ର ପୃଥିବୀକୁ ବ୍ୟାପିଯାଇଥିଲା । ପ୍ରଥମତଃ ୧୭୭୬ ଖ୍ରୀଷ୍ଟାବ୍ଦ ର ଆମେରିକା ସ୍ୱାଧୀନତା ସଂଗ୍ରାମ ସମୟରେ ଜର୍ମାନୀ ସୈନ୍ୟମାନେ କ୍ରିସମାସ ଟ୍ରି ଆମେରିକାକୁ ଆଣିଥିଲେ । ତାହାପରେ ଆମେରିକାରେ ଏହା ଜନପ୍ରିୟ ହୋଇଥିଲା । ଦ୍ୱିତୀୟତଃ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଅର୍ଥାତ୍ ୧୮୩୭ ଖ୍ରୀଅରେ ଜଣେ ଜର୍ମାନୀ ରାଜକନ୍ୟା ମେକେଲେନବର୍ଗ -ସେରିନ୍ ଫ୍ରାନ୍ସର ରାଜକୁମାର ଫର୍ଡିନାଣ୍ଡ କୁ ବିବାହ କରିଥିଲେ । ସେଇ ସମୟରେ ଫ୍ରାନ୍ସରେ କ୍ରିସମାସ୍ ସମୟରେ ବ୍ୟୁକେ-ଦି-ନୋଏଲ୍ ବୋଲି ଏକ ପ୍ରଥା ପାଳନ କରାଯାଉଥିଲା । ଏହି ପ୍ରଥା ହେଉଛି କ୍ରିସମାସ୍ ସମୟରେ ରାତିରେ ଗୋଟିଏ ବଡ କାଠଗଣ୍ଡିରେ ନିଆଁ ଲଗାଇ ନିଆଁ ପୋଇଁବା ।
ଏହି ଭଳି ନିଆଁ ପୋଆଁ ସାଧାରଣତଃ ସେତେବେଳର ଗରିବ ଲୋକଙ୍କୁ ପ୍ରବଳ ଶୀତରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଜର୍ମାନୀ ରାଜକନ୍ୟାକୁ ବିବାହ ପରେ ତାଙ୍କର ପ୍ରରୋଚନାରେ ରାଜକୁମାର ଫର୍ଡିନାଣ୍ଡ ଫ୍ରାନ୍ସରେ କ୍ରିସମାସ୍ ଟ୍ରି କୁ କ୍ରିସମାସ ସମୟରେ ସ୍ଥାପନା କରିବା ଭଳି ପ୍ରଥାର ପ୍ରଚଳନ କରାଇଥିଲେ । ସେହି କ୍ରିସମାସ୍ ଟ୍ରିରେ ଗରିବ ମାନଙ୍କ ପାଇଁ ବିଶେଷରେ ଗରିବ ପିଲାଙ୍କ ପାଇଁ ଉପହାର ମାନ ଟାଙ୍ଗି ରଖାଯାଉଥିଲା । ତୃତୀୟରେ ସେହି ସମାନ ସମୟରେ ଅର୍ଥାତ୍ ୧୮୪୧ ଖ୍ରୀଷ୍ଟାବ୍ଦରେ ଅନ୍ୟତମ ଜର୍ମାନୀ ର ରାଜପୁତ୍ର ପ୍ରିନ୍ସ ଆଲବର୍ଟ ତାଙ୍କର ପତ୍ନୀଙ୍କୁ ଗୋଟିଏ କ୍ରିସମାସ୍ ଟ୍ରି ଉପହାର ଦେଇଥିଲେ । ପତ୍ନୀ ଏଥିରେ ଅତ୍ୟନ୍ତ ମୁଗ୍ଧ ହୋଇ ଏହି କ୍ରିସମାସ୍ ଟ୍ରିକୁ ନିଜର ସାମ୍ରାଜ୍ୟରେ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରିନ୍ସ ଆଲବର୍ଟ ଙ୍କ ସେହି ପତ୍ନୀ ଜଣକ ଅତ୍ୟନ୍ତ ପ୍ରଭାବଶାଳୀ । ସେ ଇଂଲଣ୍ଡେଶ୍ୱରୀ ମହାରାଣୀ ଭିକ୍ଟୋରିଆ,ଯିଏ ୧୮୭୮ ଖ୍ରୀଅରେ ଭାରତେଶ୍ୱରୀ ବୋଲି ଖ୍ୟାତ ଥିଲେ ।
କ୍ରିସମାସ୍ ଟ୍ରି ସହିତ ଆଉ ଗୋଟିଏ ଜନଶ୍ରୁତି ବି ରହିଛି । ଏହି ଜନଶ୍ରୁତି ଅନୁସାରେ ଖ୍ରୀଷ୍ଟଧର୍ମରେ ପ୍ରୋଟେଷ୍ଟାଣ୍ଟିଜମ୍ ର ପ୍ରବର୍ତ୍ତକ ଜର୍ମାନ ଧର୍ମଗୁରୁ ମାର୍ଟିନ ଲୁଥର (୧୪୮୩-୧୫୪୬ ଖ୍ରୀଅ) କ୍ରିସମାସ୍ ଟ୍ରି ଅବଧାରଣା ର ଜନକ । ଡିସେମ୍ବର ମାସର ଶେଷ ଆଡକୁ ସେ ଗୋଟିଏ ବରଫାଚ୍ଛନ୍ନ ପାହାଡ ଅଂଚଳରେ ବରଫରେ ଆଚ୍ଛାଦିତ ଗୋଟିଏ ପାଇନ୍ ଗଛକୁ ଦେଖିଥିଲେ । ବରଫରେ ଝଲମଲ କରୁଥିଲା ସେଇ ଗଛଟି ।
ମାର୍ଟିନ୍ ଲୁଥର ଙ୍କ ଭିତରେ ଅପୂର୍ବ ପୁଲକ । ଭାବାନ୍ତର ।
ଏଇ ସ୍ୱର୍ଗରାଜ୍ୟର ବୃକ୍ଷକୁ ନିଜର କରି ରଖିବାକୁ ହେବ ଈଶ୍ୱରପୁତ୍ରଙ୍କ ଆଗମନ କାଳରେ ।
ଏଇଭଳି କିଛି ସେ ହୁଏତ କହିଥିବେ ।
Comments are closed.