ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭
ଅସଲରେ ଏହା ହେଉଛି ଏମିତି ଏକ ସମୟର କଥା ଯେଉଁ ସମୟରେ ଆଜି ଭଳି ଗୋଲାପର ଦିନ ନଥିଲା, ଚକୋଲେଟର ଦିନ ତ ଜମା ନଥିଲା ଆଉ ଆମର ଚର୍ଚ୍ଚିତ ଭାଲେଣ୍ଟାଇନ୍ ଦିବସର କହିବାକୁ ଗଲେ କୌଣସି ସୋର ଶବଦ ବି ନଥିଲା।
ତାହା ହେଲେ ପୃଥିବୀରେ ଥିଲା କ’ଣ ? ସେହି ଦୃଷ୍ଟିରୁ ଦେଖିଲେ ପୃଥିବୀରେ ନିଶ୍ଚିତ ଭାବରେ ଥିଲା ପ୍ରସ୍ତାବ ଦିବସ ଭଳି ସୁନ୍ଦର ଦିବସମାନ, ଯେଉଁ ଦିବସମାନ ଭରିଯାଉଥିଲା ଜଣେ ତାହାର ପ୍ରେମାସ୍ପଦ ସହ ଅଥବା ଜଣେ ତାହାର ପ୍ରେମାସ୍ପଦାସହ ଏକତ୍ର ହୋଇଯିବାର ପ୍ରସ୍ତାବନାସହିତ ସୁନ୍ଦରତାର ସ୍ପଷ୍ଟ ଅଙ୍ଗୀକାର ବୋଧରେ।।
ଏହି ଭଳି ଯେତେ ଥିବା ଆଉ ନଥିବା ସହ ଆଉ ଯାହା ଯାହା ସେ ସମୟରେ ଥାଇପାରେ ଅବା ନଥାଇପାରେ କିନ୍ତୁ ନିଶ୍ଚିତ ଏତିକି କହିହେବ ଯେ ସେ ସମୟରେ ଥିଲା ନାରୀପୁରୁଷର ପରସ୍ପରକୁ ଗଭୀର ଭାବରେ ଏକ ଲୋଡିବା ପଣ, ଯାହାକୁ ଆମେ ଏବେ ଗୋଟିଏ ଶବ୍ଦରେ ହିଁ ପରିଭାଷିତ କରିପାରିବା, ତାହା ହେଉଛି ପ୍ରେମ।
ସେଦିନ ଥାଟପଟାଳି ପରି ଗ୍ରୀସର ସମସ୍ତେ ସେଦିନ ବାହାରେ ଉପସ୍ଥିତ ହୋଇଥାଆନ୍ତି ଉଦ୍ଦେଶ୍ୟ ତାଙ୍କୁ ଯେମିତି ଆଖି ପୁରାଇ ଘଡିଟିଏ ଦେଖିବେ !
ସେ ହେଉଛନ୍ତି ଦେବୀମାନଙ୍କର ଭିତରେ ସର୍ବଶ୍ରେଷ୍ଠ ମାନବୀ ଆଉ ମାନବୀମାନଙ୍କ ଭିତରେ ହେଉଛନ୍ତି ସର୍ବଶ୍ରେଷ୍ଠ ଦେବୀ।
ସେ ପ୍ରେମର ଦେବୀ ଆଫ୍ରୋଦିତ୍।
ଗ୍ରୀକମାନେ ସମରକଳାରେ ଯେତେ ଦୁର୍ଦ୍ଧଷ ହେଲେ ବି ପ୍ରେମର ଦେବୀ ଆଫ୍ରୋଦିତଙ୍କ ପ୍ରତି ସେମାନେ ଚିରକାଳ କୋମଳ ।
ପ୍ରେମର ଦେବୀ ଆଫ୍ରୋଦିତ୍ ହେଉଛନ୍ତି ସୌନ୍ଦର୍ଯ୍ୟର ଶେଷ ଶବ୍ଦ ଆଉ ସେ ପୁଣି ଏବେ ସମ୍ପୂର୍ଣ୍ଣ ବିବସନା,ଏହି ଭଳି ଏକ ସମ୍ବାଦରେ ସମଗ୍ର ଗ୍ରୀସ୍ ବାସୀ ପାଗଳ ପ୍ରାୟ। ରାସ୍ତାରେ ସେମାନେ ସମବେତ ହୋଇଛନ୍ତି ବିବସନା ଆଫ୍ରୋଦିତଙ୍କୁ ମନବୋଧ କରି ଦେଖିବା ପାଇଁ ।
ଏହି ଭଳି ଏକ ପାଗଳାମୀର ପଛରେ ଥିବା ନିଶ୍ଚିତ କାରଣ ହେଉଛି, ଗୋଟିଏ ଉଲଗ୍ନ ନାରୀଦେହକୁ ଆଧାରକରି ପ୍ରତ୍ୟେକଙ୍କ ମନ ଭିତରେ ଥିବା ସହଜାତ ମାନବୀଦେହ ସହିତ ଏକ ଦେବୀଦେହର ତୁମୁଳ ସଂଘର୍ଷ।
ସେଦିନର ପ୍ରସଙ୍ଗରେ ଥିବା ସେହି ଆଫ୍ରୋଦିତଙ୍କ ମୂର୍ତ୍ତିଟି ଥିଲା ଗ୍ରୀକମାନଙ୍କର ଭାସ୍କର୍ଯ୍ୟର ଇତିହାସରେ ସର୍ବପ୍ରଥମ ନ୍ୟୁଡ୍ ବା ଉଲଗ୍ନ ମୂର୍ତ୍ତି।
ସେତେବେଳର ସମ୍ମାନାସ୍ପଦ ଭାସ୍କର ପ୍ରାକ୍ସିଟେଲସ୍ ହେଉଛନ୍ତି ସେହି ପ୍ରଖ୍ୟାତ ସ୍ଥାପତ୍ୟର ରୂପକାର। ପ୍ରାୟ ବର୍ଷଟିଏ ସମୟ ନିରବଚ୍ଛିନ୍ନ ଭାବରେ କାମ କରି ସେ ଏକ ମାର୍ବଲଖଣ୍ଡ ଭିତରେ ବନ୍ଦିନୀ ଥିବା ସୁନ୍ଦରୀ ଆଫ୍ରୋଦିତଙ୍କୁ ମୁକ୍ତ କରିପାରିଛନ୍ତି । ଆଉ ସେହି ଭଳି ଯିଏ ଯେଉଁ ଯେଉଁ କାରାଗାରର ଭିତରେ ବନ୍ଦୀ ହୋଇ ରହିଥାଆନ୍ତି ସେମାନଙ୍କୁ ମୁକୁଳାଇଦେବାର କାମଟି ପାଇଁ କାହାକୁ ହୁଏତ ସାମାନ୍ୟ କିଛି ଶାରିରୀକ କ୍ଷମତାର ପ୍ରୟୋଜନ ହୋଇଥାଏ ମାତ୍ର ପ୍ରାକ୍ସିଟେଲସଙ୍କ ଭଳି ଯେଉଁମାନେ କାହାକୁ କେଉଁଠାରୁ ମୁକ୍ତ କରିବେ ତାହା କେବଳ ସେମାନଙ୍କୁ ସ୍ପଷ୍ଟ ଭାବରେ ଗୋଚର ଥାଏ ଆଉ ସେଥିପାଇଁ ସେମାନଙ୍କ କ୍ଷେତ୍ରରେ ଯେଉଁ ଭଳି ଶରୀରଶକ୍ତିର ପ୍ରୟୋଜନ ଥାଏ ତାହାଠାରୁ କହିବାକୁ ଗଲେ ସେମାନଙ୍କର ଢେର୍ ଅଧିକ ମାନସିକ ଶକ୍ତିର ଆବଶ୍ୟକତା ପଡିଥାଏ । ସେଇଭଳି ମାନସିକ ଓ ଶାରିରୀକ ଶକ୍ତି ଅସଲରେ ଖୁବ୍ କମ୍ ଲୋକଙ୍କ ପାଖରେ ସଂଗୁପ୍ତ ହୋଇ ରହିଥାଏ। ପ୍ରାକ୍ସିଟେଲସଙ୍କ ଭଳି ଭାସ୍କରମାନେ କହିବାକୁ ଗଲେ ଏମିତିରେ ଦୁଇଜଣଙ୍କୁ ଏକ ସମୟରେ ହିଁ ମୁକ୍ତି ଦେଇଥାନ୍ତି, ପ୍ରଥମରେ ନିଜ ଭିତରର ଏକ ଭାସ୍କରକୁ ଆଉ ତାହାପରେ ଭିନ୍ନଭିନ୍ନ ମାଧ୍ୟମରୁ ବନ୍ଦୀଥିବା ଆଉ ଏକ ଭାସ୍କର୍ଯ୍ୟକୁ।
ପ୍ରାକ୍ସିଟେଲସଙ୍କର ଏହି ଆଫ୍ରୋଦିତକାଳ କିନ୍ତୁ ଆଦୌ ସହଜ ନଥିଲା।ତାଙ୍କର ମାର୍ବଲ ପ୍ରୀତି କ୍ରମଶଃ ଏକ ପ୍ରକାରର ଅବସେସନ୍ ପର୍ଯ୍ୟାୟକୁ ଯିବା ଭଳି କଥାକୁ ତାଙ୍କର ପତ୍ନୀ ଓ ପିଲାମାନେ ଆଦୌ ସହ୍ଯ କରିପାରୁନଥିଲେ। ସେ ଯାହାହେଉ ଶେଷରେ ମାର୍ବଲ ଭିତରୁ ଆଫ୍ରୋଦିତ୍ ଆବିର୍ଭୂତା ହେଲେ ଓ ତାଙ୍କର ରୂପରେ ଚାରିଆଡ ଆଲୋକିତ ହୋଇ ଉଠିଲା। ଏମିତିରେ ତାଙ୍କର ରୂପର ମହିମା ତ ସହଜରେ ସମସ୍ତଙ୍କର କାହାଣୀରେ ଥାଏ, ଏବେ ଯେଉଁ କଥାଟି ସମସ୍ତଙ୍କୁ ଆଲୋଡିତ କରିବା ସହ ସେମାନଙ୍କର ଅନେକ ବିନିଦ୍ର ରଜନୀର କାରଣ ହୋଇଥିଲା ତାହା ହେଉଛି,ଏହି ରୂପମୟୀ ଓ ଲାସ୍ୟମୟୀ ଆଫ୍ରୋଦିତ୍ ଥିଲେ ସମ୍ପୂର୍ଣ୍ଣ ନିରାଭରଣା। ଅର୍ଥାତ୍ ଭାସ୍କର ପ୍ରାକ୍ସିଟେଲସଙ୍କ ନିହାଣ ମୂନରୁ ଉପଜାତ ଏହି ପ୍ରେମର ଦେବୀଙ୍କ ସମଗ୍ର ଶରୀରରେ ସୂତା ଖଣ୍ଡିଏ ବି ଅଙ୍କନ ଆକାରରେ ରହିନଥିଲା। ତାଙ୍କର ପାଦ ପାଖରେ ପଡିଥିଲା ଖଣ୍ଡିଏ ଟ୍ୟୁନିକ, ଯେମିତି ଦେବୀ ଆଫ୍ରୋଦିତ୍ ସଦ୍ୟ ଏହି ଅଙ୍ଗବସ୍ତ୍ରକୁ ନିଜର ଦେହରୁ ଖୋଲି ରଖିଛନ୍ତି ପାଖରେ।
ଟ୍ୟୁନିକ୍ ହେଉଛି ସେତେବେଳର ଗ୍ରୀକ୍ ଓ ରୋମାନ ମହିଳାମାନଙ୍କର ପିନ୍ଧୁଥିବା ହାତକଟା ଓ ଆଣ୍ଠୁ ଯାଏଁ ଲମ୍ବା ଏକ ଅଙ୍ଗବସ୍ତ୍ର। ଏହିପରି ଏକ ମାର୍ବଲ ଟ୍ୟୁନିକରେ ତ ଆଉ କାହାର ଶରୀରକୁ ଆମେ ଦେଖିବାକୁ ଚାହୁଁଥିବା ଆବରଣଟିଏ ପ୍ରଦାନ କରାଯାଇ ପାରିବ ନାହିଁ, ତେଣୁ ସମସ୍ତଙ୍କ ଆଗରେ ସେଇଟି ସେତେବେଳେ ସେଦିନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, କେଉଁ ଭଳି ଏଇ ଦେବୀଙ୍କୁ ମାନବୀର ଶରୀର ସାଜଟିଏ ଦିଆଯାଇପାରିବ ?
ଗ୍ରୀସର କସ୍ ବୋଲି ଗୋଟିଏ ସହରରୁ ମତଟିଏ ଆସିଲା। ସେମାନେ କହିଥିଲେ, ପ୍ରାକ୍ସିଟେଲସଙ୍କୁ ଆଉ କିଛି କଷ୍ଟ କରିବାକୁ ଦିଆଯାଉ । ସେ ଆଉଥରେ ନିଜର ପ୍ରିୟ ନିହାଣ ଧରନ୍ତୁ ଏବଂ ତାହାପରେ ଦେବୀଙ୍କୁ ଯଥାଯୋଗ୍ୟ ପରିଧାନ ପ୍ରଦାନ କରିବା ତାଙ୍କର ବାମହାତ ପାଇଁ ଯଥେଷ୍ଠ ହେବ । ଏହି ଶ୍ରେଣୀର ନୈତିକତାର ବିଚାରକୁ ତତକ୍ଷଣାତ୍ ବିରୋଧ କରାଗଲା। ପ୍ରେମର ଶାଶ୍ଵତ ଦେବୀ ତଥା ଚିରନ୍ତନ ସୌନ୍ଦର୍ଯ୍ୟର ପ୍ରତିଭୂ ଆଫ୍ରୋଦିତଙ୍କୁ ଏହିପରି ମନୁଷ୍ୟକୃତ ଆବରଣ ପ୍ରଦାନ ଏକ ପ୍ରକାରର ଧର୍ମଦ୍ରୋହ କାର୍ଯ୍ୟ।
ଗ୍ରୀସର ଅନେକଙ୍କର ମତ ଥିଲା ବିଶେଷତଃ ଯେଉଁ ମାନେ ଯାହା କିଛି ସ୍ୱାଭାବିକ ଭାବରେ ଆସିଥାଏ ତାହା ତାହାର ସେହିପରି ସ୍ୱାଭାବିକତାରେ ପବିତ୍ର ଓ ସୁନ୍ଦର ଦିଶେ ବୋଲି ବିଚାର କରିଥାନ୍ତି ସେମାନଙ୍କ ଦୃଷ୍ଟିରେ ଏହି ଭଳି କାର୍ଯ୍ୟ ଅସଂଗତ ଥିଲା । ଗ୍ରୀସରେ ଏହି ଭଳି ସ୍ୱାଭାବିକତାର ଦର୍ଶନର ମୁଖ୍ୟ ପ୍ରବକ୍ତା ହେଉଛନ୍ତି ବିତର୍କିତ ଦାର୍ଶନିକ ଡାୟୋଜିନସ୍।
ପ୍ରେମ ଓ ସୁନ୍ଦରତାକୁ ତେଣୁ ଘୋଡାଇ ରଖିବାର ସମସ୍ତ କାର୍ଯ୍ୟକ୍ରମକୁ ଯଥେଷ୍ଟ ବିରୋଧ କରାଗଲା।
ଠିକ୍ ସେତିକିବେଳେ ସ୍ନିଡସ୍ ସହରରୁ ଗୋଟିଏ ଚମତ୍କାର ବିଚାର ଆସିଥିଲା ଯାହା ଆସିବା ମାତ୍ରକେ ସମସ୍ତଙ୍କର ଗ୍ରହଣୀୟ ହୋଇପାରିଥିଲା। ଏଥିରେ କୌଣସି ଟ୍ୟୁନିକ ଆବରଣ ନୁହଁ ଗୋଟିଏ ମନ୍ଦିର ନିର୍ମାଣ କରି ଆଫ୍ରୋଦିତ୍ ଯେମିତି ଅଛନ୍ତି ସେମିତି ଅବିକଳ ସେମିତି ରଖିବା ପାଇଁ ପ୍ରସ୍ତାବନା କରାଗଲା। ସମସ୍ତେ ଏକସ୍ୱରରେ ଏହାକୁ ସମର୍ଥନ କରିଥିଲେ।
ସ୍ନିଡସ୍ ସହରରେ ଆଫ୍ରୋଦିତଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ସେଇ ମନ୍ଦିର ଭିତରେ ସ୍ଥାପନା କରାଯାଇଥିଲା ପ୍ରାକ୍ସିଟେଲସଙ୍କ ନିର୍ମିତ ଆଫ୍ରୋଦିତଙ୍କର ସେହି ସୁନ୍ଦର ନିରାଭରଣା ମୂର୍ତ୍ତି । ସୁରକ୍ଷିତ ହୋଇ ରହିଥିଲା ସୌନ୍ଦର୍ଯ୍ୟ ଓ ପ୍ରେମ। ଦଳଦଳ ହୋଇ ଏହାର ପୂଜାରୀମାନେ ଯିଏ ଯେଉଁଠି ଥିଲେ ସେମାନେ ଏହି ମନ୍ଦିର ପରିକ୍ରମା କରି ନିଜ ନିଜର ପ୍ରେମର ସାର୍ଥକତା ପାଇଁ ଏଠାରେ ଅର୍ଚ୍ଚନା କରିବାକୁ ଶ୍ରେଷ୍ଠ ମଣୁଥିଲେ।
ମନ୍ଦିରର ଏଇ ସୁବାସିତ ଆବାସସ୍ଥାନ ବି ଏଇ ଦେବୀ ଆଫ୍ରୋଦିତକୁ ସେମିତି ସୁରକ୍ଷା ଦେବାକୁ ଅସମର୍ଥ ଥିଲା। ଗଭୀର ରାତିର ଅନ୍ଧାରରେ ମଣିଷମାନେ ସାଧାରଣତଃ ବାଘରୂପରେ ଦେବୀ ବା ମାନବୀ ଯାହାକୁ ନିକଟରେ ଦେଖନ୍ତି ସେ ସମସ୍ତଙ୍କର ନିରାଭରଣା ଶରୀରକୁ ଚାଟିନେବାକୁ ଚାହିଁଥାନ୍ତି। ତେଣୁ କ୍ରମଶଃ ଦେଖିବାକୁ ମିଳୁଥିଲା ସକାଳରେ ଏହି ସୌନ୍ଦର୍ଯ୍ୟର ପ୍ରତିଭୂ ଦେବୀର ଶରୀରସାରା ମଣିଷର ପୁରୁଷକାରର ହୀନ ବୀର୍ଯ୍ୟରୁ ଛିଟାଏ ଛିଟାଏ। ଦେବୀର ଶରୀର ମାର୍ବଲରେ ତେଣୁ ତାହାକୁ
କ୍ଷତବିକ୍ଷତ କରିବାର ସାମର୍ଥ୍ୟ ନଥିଲା କେଉଁ ମାନବର।
ଦେବୀ ଆଫ୍ରୋଦିତ୍ କିନ୍ତୁ ଜାଣିଥିଲେ ଠିକ୍ ଆମର ଝିଅମାନଙ୍କ ଭଳି ତାଙ୍କର ଦୁଃଖଟି ରହିଛି କେଉଁଠି ? ସବୁ ଦୁଃଖ ଆତ୍ମାରେ ରହିଥାଏ ସମସ୍ତଙ୍କର। ତେଣୁ ବାରମ୍ବାର ଧର୍ଷିତା ହେବାପରେ ସକାଳରେ ଧୋଇପୋଛି ହୋଇ ଚାରିଆଡକୁ ରୂପରେ ଝଲସାଇ ଦେବାର ନଗ୍ନ ଅବସାଦକୁ ଆଉ ସହି ପାରିଲେ ନାହିଁ ସେ, ସେ ପ୍ରେମର ଦେବୀ, ରୂପର ଦେବୀ, ସେ ଦେବୀ ଯାହାକୁ ନିରାଭରଣା କରି ରଖାଯାଇଥିଲା ଏକ ମନ୍ଦିର ଗର୍ଭଗୃହରେ।
ରାତି ଅନ୍ଧାରରେ ଶେଷରେ ଦିନେ ମାର୍ବଲ ଦେବୀ ଆଫ୍ରୋଦିତ୍ ସ୍ନିଡସର ମନ୍ଦିର ବୋଲି ସେହି ଚାରିକାନ୍ଥକୁ ଡେଇଁ ଶେଷଥର ପାଇଁ ବାହାରକୁ ବାହାରି ଆସିଥିଲେ।ଚିରକାଳ ପାଇଁ ଉଭାନ୍ ହୋଇଯାଇଥିଲେ ସେ।
ଏହି ପାର୍ଥିବ ପ୍ରେମକାହାଣୀରେ ଆଫ୍ରୋଦିତ୍ ନିଜେ ଦେବୀ ରୂପରେ କି ମାନବୀ ରୂପରେ ଉଭାନ୍ ହୋଇଯିବା ପଛରେ ଯିଏ ଅଛନ୍ତି ତାହାକୁ ଆପଣମାନେ ଚିହ୍ନନ୍ତି।
ଅଧିକ କହିବାରେ ଆଉ ପ୍ରୟୋଜନ ନାହିଁ।
ସେହିଭଳି ଜଣକର ଏମିତି ଉଭାନ୍ ହୋଇଯିବାରେ ସହାୟକକାରୀ ହିସାବରେ ଯିଏ ଯିଏ ରହିଥିବେ ସେମାନଙ୍କର ତାଲିକାଟି ବେଶ୍ ଦୀର୍ଘ ହେବା ଆମମାନଙ୍କୁ ଜଣା । ଏହି ଦୁଷ୍କୃତକାରୀଙ୍କର ତାଲିକା ଏମିତି ଦୀର୍ଘ ହେବା ସ୍ୱାଭାବିକ, କାରଣ ତାଲିକାଟି ବସ୍ତୁତଃ ଦେଖିବାକୁ ଗଲେ ଗୋଟିଏ ପୁରୁଷତାନ୍ତ୍ରିକ ଦର୍ପଣ ।
°°°°°
Comments are closed.