Latest Odisha News

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪

ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ’ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ ଆମମାନଙ୍କ ଭଳି ନିହାତି ସ୍ଥୁଳ ସ୍ତରକୁ ନେଇ ଆସିଛୁ ଆଉ ଆମେ ସେମାନେ ଯେଉଁ ସ୍ତରରେ ଅବସ୍ଥାନ କରିବା କଥା ସେଇଠୁ ସେମାନଙ୍କୁ ତଳକୁ ଟାଣି ଆଣି ସେମାନଙ୍କର ଏକ ପ୍ରକାର ଅବମୂଲ୍ୟାୟନ କରୁଛୁ ବୋଲି ବିଚାର କରାଯିବ । ତେଣୁ ଆମର ଖାଦ୍ୟ ଆଧାରରେ ସେମାନଙ୍କୁ କଳନା କରିବା ଉଚିତ ନୁହଁ ।

ପ୍ରଖ୍ୟାତ ଗ୍ରୀକ୍ କଥାକାର ନିକୋସ କାଜାନଜାକିସ୍ ଯାହାଙ୍କର “ଜୋର୍ବା ଦି ଗ୍ରୀକ୍” ଉପନ୍ୟାସରେ ଠାଏ ଲେଖା ହୋଇଛି “ଆତ୍ମା ହେଉଛି ଏକ ମାଂସାଶୀ ପକ୍ଷୀ ଯିଏ ଶରୀରକୁ ଭକ୍ଷଣ କରି ବାହାରକୁ ଉଡିଯାଇଥାଏ।” ପ୍ରତ୍ୟେକ ଦାର୍ଶନିକ ମାନଙ୍କ କ୍ଷେତ୍ରରେ ଏହି ଆତ୍ମା ବା ସ୍ପିରଟ୍ ର କଥା ଆଧାରରୂପରେ ରହୁଥିବା କାରଣରୁ ସେମାନେ ସାଧାରଣତଃ ନିଜର ଉଡାଣ ନିମନ୍ତେ ସେମିତି ଦେଖିଲେ ଶରୀର-ଭକ୍ଷଣ କରିଥାନ୍ତି । ଏହି କଥାକୁ ଯଦି ଆମେ ତାତ୍ତ୍ୱିକ ଦୃଷ୍ଟିରେ ଦେଖିବା ଏବଂ ଯଦି ପୃଥିବୀର ସମସ୍ତ ସମ୍ପର୍କକୁ ଖାଦ୍ୟ ଆଉ ଖାଦକର ସମ୍ପର୍କ ଆକାରରେ ପରିଭାଷିତ କରିବା ( ସମ୍ପର୍କର ଜଟିଳତାକୁ ବୁଝିବା ପାଇଁ ଖାଦ୍ୟ ଏବଂ ଖାଦକର ସମ୍ପର୍କ ହିସାବରେ ସବୁ ସମ୍ପର୍କକୁ ବିବେଚନା କରାଯାଇଥାଏ) ତାହାହେଲେ ପ୍ରତ୍ୟେକ ଦାର୍ଶନିକ ଖାଦ୍ୟ ଶରୀର ଏବଂ କିଛି ନୁହଁ ବା ନଥିଙ୍ଗନେସ୍ ।

ଦାର୍ଶନିକ ମାନେ ଶୂନ୍ୟଭକ୍ଷୀ ହୋଇଥିବା କାରଣରୁ ଦାର୍ଶନିକମାନେ ଯେ କିଛି ଖାଆନ୍ତି ନାହିଁ ସେମିତି କହିଲେ ସ୍ଥୁଳଜଗତରେ ଆମକୁ ଭାରି ମଜା ଲାଗିପାରେ ।କିନ୍ତୁ ପ୍ରତ୍ୟେକ ଦାର୍ଶନିକ ମଣିଷ ଆକାରରେ ଜଣେ ଜଣେ ଦେହୀ ବା ଦେହର ଅନ୍ତର୍ଗତ ଗୋଟିଏ ଗୋଟିଏ ଚରିତ୍ର । ତେଣୁ ଦେହଟିକୁ ଧାରଣ କରି ରଖିବା ପାଇଁ ସେମାନଙ୍କୁ ଆମ ମାନଙ୍କ ଭଳି ଭାତ,ଡାଲି ଆଦି ଖାଦ୍ୟର ଯେତେ ସ୍ଥୁଳ ହେଉ ପଛକେ ପ୍ରାଥମିକ ଆବଶ୍ୟକତା ରହିଅଛି।

ଆରିଷ୍ଟୋଟଲଙ୍କଠାରୁ ପ୍ରସଙ୍ଗଟି ଆରମ୍ଭ ହେଉ। ଦେହ-ଧାରଣ ପାଇଁ ଯାହା ଯାହା ଖାଦ୍ୟ ଆବଶ୍ୟକ ହୋଇଥାଏ ସେ ସମ୍ପର୍କରେ ତାଙ୍କର ବିଚାରଟି ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି : ମଣିଷର ଅନ୍ତଃନଳୀରେ ଖାଦ୍ୟ ରୋଷେଇ କରାଯାଇଥାଏ ।

ଆରିଷ୍ଟୋଟଲଙ୍କର ଏଇ ବକ୍ତବ୍ୟରୁ ଆମେ ଯାହା ବୁଝିବା ତାହା ହେଉଛି ଯେ ଆମ ଆଗରେ ଯାହା ଯାହା ଖାଦ୍ୟ ଆକାରରେ ପରିବେଷିତ ହୋଇଥାଏ ସେ ସମସ୍ତ ହେଉଛି ଏକ ପ୍ରକାର ପ୍ରାକ୍-ପାଚ୍ୟ ଖାଦ୍ୟ। ଆମେ ଖାଦ୍ୟକୁ ଯେତେ ନିଆଁ ଜାଳି ସିଦ୍ଧ କରୁ ତଥା ଖାଦ୍ୟକୁ ଯେତେବିଧ ସୁସ୍ୱାଦୁ କରୁ ତାହା ଅସଲ ଖାଦ୍ୟରେ ପରିଣତ ହେବନାହିଁ ଯେତେବେଳ ତାହା ଆମର ଅନ୍ତଃନଳୀକୁ ପ୍ରବେଶ କରି ସେଇଠି ସିଦ୍ଧ ହୋଇନାହିଁ । ତେଣୁ ତାଙ୍କ ପାଇଁ ଖାଇବାର ପୂର୍ବ ପର୍ଯ୍ୟାୟରେ ଖାଦ୍ୟର ବହୁବିଧତା ତଥା ସ୍ୱାଦର ଜିଭ-ମଧୁରତାର ସେମିତି କୌଣସି ଗୁରୁତ୍ୱ ନାହିଁ । ଏଇଠି ଉଲ୍ଲେଖ୍ୟଯୋଗ୍ୟ ଯେ ଖାଦ୍ୟର କଞ୍ଚାଭାଗ ଆଉ ସିଝାଭାଗ ଏଇ ଦୁଇ ପର୍ଯ୍ୟାୟ କୁ ନେଇ ସ୍ୱତନ୍ତ୍ର ଭାବରେ ଆମର ସଭ୍ୟତା ଆଉ ବର୍ବରତାର ଏକ ବିଭାଜନର ମାନକ ପ୍ରସ୍ତୁତ ହୋଇଅଛି। ଅସଭ୍ୟମାନେ କଞ୍ଚା ସହିତ ଆଉ ସଭ୍ୟମାନେ ସିଝା ସହିତ ଜଡିତ । ତେଣୁ ଆରିଷ୍ଟୋଟଲ୍ ଙ୍କ ଅନୁସାରେ ଖାଦ୍ୟ (ଆମର ସ୍ଥୁଳ ଦୃଷ୍ଟିରେ ତାହା କଂଚା ବା ସିଝା ଯାହା ହୋଇଥାଉ ) ଆମଦ୍ୱାରା ଆହରିତ ହେବା ପରେ ଆମର ଅନ୍ତଃକରଣରେ ସୁପାଚ୍ୟ ହୋଇ ଅସଲ ଖାଦ୍ୟର ମର୍ଯ୍ୟାଦା ଅର୍ଜନ କରିଥାଏ ।

ତେଣୁ ଆରିଷ୍ଟୋଟଲଙ୍କ କଥାରୁ ଯେଉଁ ବିଚାରଟି ଆମପାଖକୁ ଆସୁଛି ସେଥିରୁ ଖାଦ୍ୟର ସଂଜ୍ଞା ଏହି ପରି ନିରୂପଣ କରାଯାଇ ପାରିବ ଯେ, ଅନ୍ତ୍ୟସ୍ଥ ହେବାପରେ ଅର୍ଥାତ୍ ଆହରିତ ହେବାପରେ ଶରୀର ଭିତରେ ଖାଦ୍ୟ ହିଁ ବସ୍ତୁତଃ ଖାଦ୍ୟର ମର୍ଯ୍ୟଦା ଅର୍ଜନ କରିଥାଏ । ଏବଂ ଶରୀର ଭିତରେ ଆହରିତ ହୋଇ କ୍ରମଶଃ ସମାହିତ ହୋଇଯାଉଥିବା ହିଁ ଖାଦ୍ୟର ଶ୍ରେଷ୍ଠ ବିଭବ ।

ଏଇଠି ଦାର୍ଶନିକ ଖାଦ୍ୟରୁ ଆମକୁ ଆଉ ଗୋଟିଏ କଥା ମିଳିଲା। ସରଳରେ କହିଲେ ତାହାହେଉଛି କେବଳ ଖାଦ୍ୟ ନୁହଁ , ଆମର ଶ୍ରେଷ୍ଠ ଖାଦ୍ୟରେ ପ୍ରୟୋଜନ ରହିଛି ।

ଦାର୍ଶନିକ ପାଇଁ ଶ୍ରେଷ୍ଠ ଖାଦ୍ୟର ବିଧାନ ନିମନ୍ତେ ଗୌତମ ବୁଦ୍ଧଙ୍କୁ ନେଇ ଗୋଟିଏ ଦନ୍ତକଥା ରହିଛି । ସେଇ ଦନ୍ତକଥା ଅନୁସାରେ ସୁଜାତା ନାମକ ଗୋଟିଏ କିଶୋରୀ ହଜାରେ ଗାଈଙ୍କ ଦୁଗ୍ଧକୁ ପାଞ୍ଚଶହ ଗାଈଙ୍କୁ ଆହାର ଆକାରରେ ଦେଇ ସେଇ ପାଞ୍ଚଶହ ଗାଈଙ୍କର ଦୁଗ୍ଧକୁ ତାହାର ଅଧାସଂଖ୍ୟକ ଗାଈଙ୍କୁ ଆହାର ଆକାରରେ ଦେଇଥିଲା। ସେମାନଙ୍କର ଦୁଗ୍ଧକୁ ତାଙ୍କଠାରୁ ଅଧା ସଂଖ୍ୟକ ଗାଈଙ୍କୁ ଆହାର ଆକାରରେ ଦେଇଥିଲା। ଏଇଭଳି ଅଧା, ତାହାର ଅଧା,ପୁଣି ତାହାର ଅଧା ଗାଈ ମାନଙ୍କୁ ଦୁଗ୍ଧ ଆହାର ଆକାରରେ ଦେଇ ସବା ଶେଷରେ ଯେଉଁ ଶେଷ ଆଠୋଟି ଶ୍ରେଷ୍ଠ ଗାଈ ରହିଗଲେ ସେମନଙ୍କ ଦୁଗ୍ଧରେ ସେ କ୍ଷୀରି ପ୍ରସ୍ତୁତ କରିଥିଲା ବୁଦ୍ଧ ଙ୍କ ପାଇଁ । ଏହିଭଳି ଆହାର ଆଧାରରେ ନିର୍ବାଚିତ ଶେଷ ଶ୍ରେଷ୍ଠ ଗାଈମାନଙ୍କ ଦୁଗ୍ଧରେ ପ୍ରସ୍ଥୁତ କ୍ଷୀରି କୁ ପାନକରି ଗୌତମ ଦିବ୍ୟଜ୍ଞାନ ତଥା ବୁଦ୍ଧତ୍ୱକୁ ପ୍ରାପ୍ତ ହୋଇଥିଲେ ।

ଗୌତମ ବୁଦ୍ଧଙ୍କର ଯେଉଁ ମୂର୍ତ୍ତିମାନ ଆମର ଦୃଷ୍ଟିଗୋଚର ହୁଏ ସେଥିରୁ ଆମେ ତାଙ୍କୁ ଏକପ୍ରକାର ମୋଟାଶୋଟା ତଥା ପେଶୀବହୁଳ ଶରୀରର ବ୍ୟକ୍ତି ବୋଲି ଧାରଣା କରାଯାଇଥାଏ । କିନ୍ତୁ ଅନେକ ସମୟରେ ଗୌତମବୁଦ୍ଧଙ୍କୁ ତପଶ୍ଚର୍ଯ୍ୟା କାରଣରୁ ଅନଶନରେ ରହିବାକୁ ହେଉଥିଲା । ସେଇଥିପାଇଁ ସେ ନିଜକୁ ଗୋଟିଏ ଅଳ୍ପାହାରୀ ଆକାରରେ କାର୍ଯ୍ୟାନୁକୂଳ ବା କଣ୍ଡିସନଡ୍ କରିପାରିଥିଲେ । ଗୌତମ ବୁଦ୍ଧ ଖାଦ୍ୟ ଆକାରରେ ମୁଠାଏ ଭାତ, ମୁଠାଏ ସୋରିଷ,ଖଣ୍ଡିଏ ମିଠା ଅଠାଳିଆ ଗଛର ରସ, ମୁଠାଏ ଶିମ୍ବ । ନିଜର ଅଳ୍ପାହାର ସମ୍ପର୍କରେ ଗୌତମ ବୁଦ୍ଧଙ୍କ ଉଲ୍ଲେଖ ଥିଲା : ଯେହେତୁ ମୁଁ ଅଳ୍ପାହାରୀ ତେଣୁ ମୋର ଛାତିର ପଞ୍ଜରାମାନ, ଅତଳ ବିକ୍ଷୁବ୍ଧ ସାଗରରେ ଭାସମାନ ହୁଲି ଡଙ୍ଗା ଭଳି ଦୃଢ ; ଯେହେତୁ ମୁଁ ଅଳ୍ପାହାରୀ ମୋର ଆଖିମାନେ ଅବନତ ଏବଂ ସୁଦୂର ପ୍ରସାରୀ,ଯେହେତୁ ମୁଁ ଅଳ୍ପାହାରୀ ମୋର ମଥାର କେଶ ମୋର ବାହ୍ୟ ରକ୍ଷାକାରୀ ।”

ଏଇଠି ଆମେ ଦାର୍ଶନିକ ର ଖାଦ୍ୟରେ ଆହରଣ,ଶ୍ରେଷ୍ଠତ୍ୱ ଏବଂ ଅଳ୍ପାହାର ,ଏଇ ଭଳି ତିନୋଟି ଆଧାରଶୀଳାକୁ ଦେଖିପାରିଲେ ।

ମହାପୁରୁଷ ମହମ୍ମଦ ଖାଦ୍ୟ ଗ୍ରହଣ କଲାବେଳେ ସବୁବେଳେ ବାହାରେ ସମସ୍ତଙ୍କ ସହିତ ଏକାଠି ଖଜୁରୀ ଚଟିରେ ବସି ଭୋଜନ କରିବାକୁ ସୁଖ ମଣୁଥିଲେ । ଖାଦ୍ୟ ଗ୍ରହଣ କରିବା ସ୍ଥାନଟି ଯେମିତି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଏବଂ ସୁସଜ୍ଛିତ ରହିଥାଏ ସେଇ ଭଳି ଭବ୍ୟତା ସେଥି ପ୍ରତି ତାଙ୍କର ସବୁବେଳେ ଦୃଷ୍ଟି ରହୁଥିଲା। ମହାପୁରୁଷ ମହମ୍ମଦଙ୍କ ଖାଦ୍ୟରେ ପମ୍ପକିନ୍ ବା କଖାରୁ,ଖଜୁରୀ,ଦୁଗ୍ଧ ,ତରଭୂଜ, ଅଙ୍ଗୁର ଏବଂ କାକୁଡି ପ୍ରମୁଖ ଭାବରେ ରହୂଥିଲା। ବିଶେଷ ଭାବରେ ସେ ବାର୍ଲିରେ ପ୍ରସ୍ତୁତ ବ୍ରେଡ୍ ବା ରୁଟିକୁ ଅଲିଭ ତେଲରେ ବୁଡାଇ ଖାଇବାକୁ ପସନ୍ଦ କରୁଥିଲେ । ଅନେକ ସମୟରେ ନବୀଜୀଙ୍କୁ ଏକାଧିକ୍ରମେ ଦୁଇତିନି ଧରି ତପସ୍ୟା କାରଣରୁ ଅନଶନ ବ୍ରତରେ ରହିବାକୁ ହେଉଥିଲା। ସାଧାରଣତଃ ଏଇଭଳି ଦୀର୍ଘ ଅନଶନକୁ ସେ ସାଧାରଣତଃ ଗୋଟିଏ ଖଜୁରୀ ସେବନ ପରେ ଭଙ୍ଗ କରୁଥିଲେ । ଇସଲାମ୍ ଧର୍ମରେ ତେଣୁ ଉପବାସ ଭଙ୍ଗ ପରେ ପ୍ରକ୍ରିୟା ହିସାବରେ ଗୋଟିଏ ଖଜୁରୀ କୋଳି ସେବନ ଏବଂ ଦରିଦ୍ରକୁ ଦାନ ବିଧାନ ଆକାରରେ ରହିଆସିଛି।

ଏଇଠି ଦାର୍ଶନିକର ଖାଦ୍ୟରେ ଆଉ ଗୋଟିଏ ଆଧାରବିନ୍ଦୁ ଜଡିତ ହେବାର ଉଦାହାରଣ ଆସୁଛି ଅର୍ଥାତ୍ ଖାଦ୍ୟରେ ସହଭାଗିତା ଆଉ ଏକତ୍ର ହେବା ଭଳି ସାମୁହିକତା ।

ବାଇବେଲ୍ ରେ ପ୍ରଭୂ ଯୀଶୁଙ୍କର ଖାଦ୍ୟକୁ ନେଇ ସମ୍ବେ ଦନା ଏବଂ ଉଦାରତା ତଥା ସହଭାଗିତା କଥା ବହୁଳ ଭାବରେ ବର୍ଣ୍ଣନା କରାଯାଇଛି ।

ଗୋଟିଏ କାହାଣୀ କିନ୍ତୁ ଭିନ୍ନ। ସେହି ଭିନ୍ନ କାହାଣୀକୁ ନେଇ ଆଜି ଏଇ ଦୀର୍ଘ ପ୍ରସଙ୍ଗର ଉପସଂହାର।

ଯୀଶୁ ଜେରୁଜେଲମ୍ ରେ ପ୍ରବେଶ କରନ୍ତି। ସେତେବେଳକୁ ସେ ଅତୀବ କ୍ଷୁଧାର୍ତ୍ତ।

ସାମ୍ନାରେ ଗୋଟିଏ ଫିଗ୍ ଗଛ।

କ୍ଷୁଧାର୍ତ୍ତ ଯୀଶୁ ସେଇ ଗଛକୁ ଅତ୍ୟନ୍ତ ବିକଳ ଭାବରେ ଚାହିଁଥିଲେ । ଦେଖିଥିଲେ ଗଛରେ ଗୋଟିଏ ବୋଲି ଫଳ ନାହିଁ ।

ଯୀଶୁ ହଠାତ୍ ସେହି ଫିଗ୍ ଗଛକୁ ଅଭିଶାପ ଦେଲେ,ତୁ ଆଉ କେବେ ଫଳ ଧାରଣ କରିପାରିବୁ ନାହିଁ । ଏହି ଅଭିଶାପ ପରେ ହଠାତ୍ ଫିଗ୍ ଗଛରୁ ସବୁ ପତ୍ର ଝରି ପଡିଥିଲା।

ସମସ୍ତେ ଜାଣନ୍ତି ସେଇ ଫିଗ୍ ଗଛର କୌଣସି ଦୋଷ ନଥିଲା ।

ତେଣୁ ସେ ପରେ ଦୋଷମୁକ୍ତ ହୋଇଗଲା ,ଏଇଥିପାଇଁ ଯେ ଆବଶ୍ୟକ ସମୟ ଆସିଲେ ସେ ଫଳ ଧରିବ।

ଦାର୍ଶନିକର ଖାଦ୍ୟରେ ଆହରଣ,ଶ୍ରେଷ୍ଠତ୍ୱ,ସହଭାଗିତା ପରେ ଏଇ ଯେଉଁ କଥାଟି ଚିରକାଳ ଆମ ଆଗରେ ରହିଛି ,ତାହା ହେଉଛି ସମ୍ଭାବନା ଆଉ ସମୟ।

ଦାର୍ଶନିକର ଖାଦ୍ୟରେ ଆଉ ଯାହାହେଉନା କାହିଁକି ଏଇ ଦୁଇଟି ତ ନିଶ୍ଚୟ ପରଷାଯାଇଥିବ। ସେମାନଙ୍କ ସହିତ ଆମମାନଙ୍କ ପାଇଁ ବି।

Comments are closed.