Latest Odisha News

ସ୍ୱଳ୍ପ ଗଳ୍ପ : କାନଟଣା କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୭

ଉକ୍ତ ବିଶେଷ ଲେଖଟି ଆମ ଶାସ୍ତ୍ରର ନବରସ ଭିତରୁ ପ୍ରମୁଖତଃ ଦୁଇଟିରସ ଅର୍ଥାତ୍ ଅଦ୍ଭୁତ ଓ ଭୟାନକକୁ ନେଇ ଲିଖିତ।ଅବଶ୍ୟ ଏହା ଭିତରେ ଆଉ ଗୋଟିଏ ରସର କିଛି ମାତ୍ରାନୁପାତରେ ରହିବ ,ତାହା ହେଉଛି ହାସ୍ୟ।

କାଳ ସବୁବେଳେ ଅନେକ ମାତ୍ରାରେ ହାସ୍ୟୋଦ୍ଦୀପକ ଜଣେ ବିଦୂଷକ।

ଦୁଇ ହଜାର ବର୍ଷ ତଳର ଏଇ ଦୁଇଟି ମାଟିରେ ନିର୍ମିତ କାନକୁ ନେଇ ଏଇ ଇତିହାସ କଥା।ମାଟିର ଏଇ କାନ ହଳଳ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ନିର୍ମାଣ।ଏହା
ରୋମାନ୍ ଙ୍କର।କହିବାକୁ ଗଲେ ଏଇ ଭଳି ହଳେ କାନ ସେମାନଙ୍କର ଏକ ପ୍ରକାର ସୁରକ୍ଷା କବଚ ଥିଲା।

ହଳେ କାନ କେମିତି ଜଣକୁ ସୁରକ୍ଷା ଦେବ ?

ରୋମାନମାନେ ସେତେବେଳେ ବିଶ୍ୱାସ କରୁଥିଲେ ଯଦି ଅକସ୍ମାତ୍ ସେମାନଙ୍କର କାନ ଟାଣିବାକୁ ଆରମ୍ଭ କରେ ତେବେ ଜାଣିନେବାକୁ ହେବ ଯେ ସେମାନଙ୍କ ବିରୁଦ୍ଧରେ କେହି ଜଣେ ସେମାନଙ୍କର ପଛରେ କ’ଣ କିଛି କହୁଛି। ଆଉ ସାଧାରଣତଃ ଆମେ ଯେତେବେଳେ ଜଣକ ପଛରେ କିଛି କହୁ ତାହାକୁ ଆଉ ଅଧିକ ଉଜ୍ଜଳ କରି କହିବା ଆମର ପସନ୍ଦର କଥା ନୁହଁ।ଆମର ଭୟ କାଳେ ଆମେ ସେହି କଥିତ ବ୍ୟକ୍ତିର ଉଜ୍ଜଳତାରେ ମ୍ଳାନ ହୋଇଯିବୁ ।ଏଇ ଆଶଙ୍କାରୁ ଆମେ ଜଣକ ପଛରେ ତାହାର କୁତ୍ସାକରୁ ଆଉ ଯଥା ସମ୍ଭବ ତାହାକୁ ଯାହାକୁ ଇଂରେଜୀରେ କହନ୍ତି “ଟୁ ନିପ୍ ଦି ବଡ୍” ସେଇଭଳି ତାହାର କଳିକାବସ୍ଥାରୁ ତାହାକୁ ବୃନ୍ତଚ୍ୟୁତ କରିବା ପାଇଁ ଭରପୁର ପ୍ରୟାସ କରୁ।କୁତ୍ସାର ପରବର୍ତ୍ତି ପର୍ଯ୍ୟାୟ ହେଉଛି ଷଡଯନ୍ତ୍ତ।ଆମେମାନେ ଆଜିକାଲି ଯେମିତି ଷଡଯନ୍ତ୍ରପ୍ରିୟ ଏବଂ ଏହା କେବଳ ଆଜିର କଥା ନୁହଁ କାଳକାଳରୁ ଏଇଭଳି ପଛକଥା ରେ କୁତ୍ସାର ଆଉ ଷଡଯନ୍ତ୍ରର ପ୍ରଚୁର ପ୍ରଚୁର ଉପଯୋଗ ଇତିହାସ ପୃଷ୍ଠାରେ ହୋଇ ଆସିଛି।

ତେଣୁ ହେ ପରନ୍ତପ ପଶ୍ଚାତ ଭାଷଣରେ ମନସ୍ତାପ ମା କୁରୁ !

ଆମ ଆଗରେ ଜଣେ ଯାହା କହେ ତାହାକୁ ହୁଏତ ଆମେ କିଛି ପରିମାଣରେ ସାମ୍ନା କରିପାରିବା।ମାତ୍ର ପଛରେ ଯିଏ ଯାହା କହୁଛି ତାହାକୁ ସାମ୍ନା, ନୈବ ଚ।ତେଣୁ ସେଇଥିପାଇଁ ଏଇ ଜାତୀୟ କାନଟଣାରୁ ହଠାତ୍ ନିଜକୁ ସୁରକ୍ଷିତ କରି ରଖିବା ପାଇଁ ରୋମାନ ମାନେ ଏଇ ଭଳି ହଳଟିଏ ମାଟିର କାନ ତିଆରି କରି ନିଜ ପାଖରେ ସର୍ବଦା ରଖୁଥିଲେ।ସେମାନେ ବିଶ୍ୱାସ କରୁଥିଲେ ଯେ ଏଇଭଳି ହଳେ କାନ ପାଖରେ ଅଛି ମାନେ ଯଦି ପଛରେ କେହି ଜଣେ ଏହି କାନ-ଅଧିକାରୀର ବିରୁଦ୍ଧରେ ଯଦି କେଉଁଠି କିଛି କହେ ତେବେ ତତକ୍ଷଣାତ୍ କୌଣସି ବିଳମ୍ବ ହେବାକୁ ନଦେଇ ଅଧିକାରୀର କାନ ଯଥାଶିଘ୍ର ଟାଣିବାକୁ ଆରମ୍ଭ କରିବ। ତେଣୁ ସେ ଜାଣିନେବ ଯେ କେଉଁଠି ନିଜ ବିରୁଦ୍ଧରେ କିଛି ଅଘଟଣ ଯଥାଶିଘ୍ର ଘଟିବାକୁ ଯାଉଛି।ତେଣୁ ସେ ଆବଶ୍ୟକୀୟ ପ୍ରତିଷେଧକ ପାଇଁ ଯଥାଶିଘ୍ର ପ୍ରସ୍ତୁତ ହୋଇପାରିବ।ଯେମିତି ଦିଖଣ୍ଡ କାଠିରେ “ଡାୱାଜର୍” ମାନେ ମାଟିର କେଉଁ ଗହୀରରେ ଜଳସ୍ତର ରହିଛି ତାହାକୁ ଜାଣିବା ପାଇଁ ସକ୍ଷମ ହେଉଥିଲେ ଠିକ୍ ସେହିଭଳି।

ନୃତାତ୍ତ୍ବିକ ର ଭାଷାରେ କହିଲେ ଏଇ ମାଟିର କାନ ହଳକ ରୋମାନ ମାନଙ୍କର ଏକ ପ୍ରକାର “ଟୋଟେମ୍” ବସ୍ତୁ ଥିଲା।ଆମର ଗୋଷ୍ଠୀଚେତନାରେ ବେଳେ ବେଳେ କୌଣସି ସ୍ଥୂଳ ବସ୍ତୁ ବିଶେଷ ଆମକୁ ନିର୍ଦ୍ଧିଷ୍ଟ ଆପଦବିପଦରୁ ରକ୍ଷା କରିବ ବୋଲି ଏକ ପ୍ରକାର ଗୋଷ୍ଠୀ ବିଶ୍ୱାସ ରହିଥାଏ।ଏହି ଭଳି ଗୋଷ୍ଠୀପାଇଁ ରକ୍ଷାକାରୀ ବସ୍ତୁବିଶେଷକୁ “ଟୋଟେମ୍” ବୋଲି କୁହାଯାଏ।ଏବେ ଗୋଟିଏ ସମସାମୟିକ ଉଦାହାରଣ ଦେଲେ କଥାଟି ସହଜ ହେବ।ଆମ ପିଲାମାନେ ବହିରେ ମୟୁର ଚୂଳ ,ଠାକୁରଙ୍କ ଫୁଲ ଆଉ ବିଭୂତି ଆଦି ରଖିଥାନ୍ତି ଏଇ ବିଶ୍ୱାସରେ ଯେ ଏହା ସେମାନଙ୍କୁ ପାଠମନେ ରଖିବାରେ ସହାୟକ ହେବ।ଅତି ସରଳ ରେ କହିବାକୁ ଗଲେ ଏହା ଗୋଟିଏ ଗୋଟିଏ ଟୋଟେମ୍ ବସ୍ତୁ ।

ନିଜର କାନଟାଣିଲା ମାତ୍ରକେ ରୋମାନମାନେ ତାହାହେଲେ କେଉଁ ପ୍ରତିଷେଧକ ନେଉଥିଲେ ?

ପ୍ରତିଷେଧକ ଟି ଅତି ସହଜ।ସେ ରାଜା ହେଉ କି ପ୍ରଜା କେବଳ ଗୋଟିଏ ସ୍ଥାନରେ ଏକେଲା ରହିଥାଏ ଆଉ ଜଣକୁ ଏକେଲା ପାଇଲେ ପ୍ରତିପକ୍ଷ ତାହାର ଷଡଯନ୍ତ୍ରକୁ ସଫଳ ରୂପ ଦେବା ଅତି ସହଜ ହୋଇଥାଏ।ଆପଣ ଜାଣନ୍ତି ରାଜା ଆଉ ପ୍ରଜା ନିଜର ଶୌଚକର୍ମ କରିବାବେଳେ ହିଁ କେବଳ ଏକେଲା ରହିଥାନ୍ତି।ତେଣୁ ଇତିହାସର ଆଦ୍ୟକାଳରେ ଶୌଚାଳୟ ହେଉଛି ସମସ୍ତ ଷଡଯନ୍ତ୍ରକୁ ସଫଳ କରିବା ପାଇଁ ପ୍ରକୃଷ୍ଟ ସ୍ଥଳ। କାନ ଟାଣିଲା ମାତ୍ରେ ନିଜକୁ ସୁରକ୍ଷିତ ରଖିବା ପାଇଁ ତେଣୁ ରୋମାନ ମାନେ ଆଗ ନିଜର ଶୌଚାଳୟକୁ ଅନ୍ୟ କାହାଦ୍ୱାରା ଜଗିରହିବାର ସହଜ ବ୍ୟବସ୍ଥା କରୁଥିଲେ।

ଏଇଠି ଏଇ କଥାକୁ ଯୋଡା ଯାଇପାରେ।

ଆମର ଗାଆଁଗହଳୀରେ କେହି କେହି ଏକାଠି ସାଙ୍ଗ ହୋଇ ବାହାରକୁ ଶୌଚ କର୍ମ କରିବାକୁ ଯିବା ପାଇଁ ସୁଖପାଇଥାନ୍ତି।ସମ୍ଭବତଃ ଏହାର ଏହିଭଳି ଏକ ପ୍ରାଚୀନ ଉତ୍ସ ରହିଛି। ଶୌଚ କର୍ମ ବେଳେ ଜଣେ ଏକେଲା ଥିବା କାରଣରୁ କୌଣସି ପ୍ରତିପକ୍ଷର ଆକ୍ରମଣକୁ ସମ୍ଭାଳି ନେବା ତାହା ପକ୍ଷରେ ସହଜ ହେବନାହିଁ ।ତେଣୁ ଏଇଭଳି ବିଶ୍ୱାସର ସାଙ୍ଗ ସାଥିରେ ରହିବା ଶ୍ରେୟସ୍କର।

କ୍ରମଶଃ ରାଜା ମାନେ ନିଜର ଶୌଚକର୍ମରେ ସୁରକ୍ଷା ସଂଗୀମାନ ଆବଶ୍ୟକ କଲେ।ସେମାନେ ଶୌଚ କର୍ମ କରିବାବେଳେ ରାଜାଙ୍କୁ ଶୌଚକର୍ମରେ ସାହାଯ୍ୟ କରିବା ସହିତ ସୁରକ୍ଷା ପ୍ରଦାନ କରୁଥିଲେ।ବ୍ରିଟିଶ୍ ଇତିହାସରେ ତେଣୁ ଏହି ଭଳି ରାଜାଙ୍କର ଶୌଚସଂଗୀ ମାନଙ୍କୁ ଏକ ସ୍ୱତନ୍ତ୍ର “ନାଇଟ୍” ପଦବୀରେ ଭୂଷିତ କରାଯାଉଥିଲା।ଲୋକେ ସେହି ନାଇଟ୍ ମାନଙ୍କୁ ଥଟ୍ଟାରେ କହୁଥିଲେ “ବଟ୍ ନାଇଟ୍”,ବଟ୍ ଶବ୍ଦଟି “ବଟମ୍” ଅର୍ଥାତ୍ ନିମ୍ନାଂଶରୁ ଆସିଥିଲା।

ଶେଷରେ ଆମର ମନେ ରଖିବାର କଥା ହେଉଛି ମଣିଷର ଆଦିମ କାଳରୁ ଅସୁଖ କହିଲେ ଚାରୋଟି।ଅସୁଖ କହିଲେ ସେମାନେ ଏକପ୍ରକାର ବିଶେଷ ଅନିୟମିତତାକୁ ବୁଝୁଥିଲେ।ସେହି ଆଦ୍ୟ ଅସୁଖ ଗୁଡିକ ହେଉଛି ପ୍ରାଥମିକତା ଅନୁଯାୟୀ ଦାନ୍ତବିନ୍ଧା,ପତଳା ଝାଡା,ଶରୀରରେ ଅଧିକ ଉତ୍ତାପ ଏବଂ କାନଟଣା।

ମାଟିର ହଳେ କାନ ଆଉ ଶୌଚାଗାର ରେ କିଛି ବନ୍ଧୁ ଙ୍କୁ ମୁତୟନ କରି ନିଜର କାନଟାଣିଲେ ରୋମାନ୍ ମାନେ ଏଇଭଳି ଏକ ପ୍ରତିଷେଧକ ର ବ୍ୟବସ୍ଥା କରୁଥିଲେ । ଆମେ ବି ଆମର ସେମିତି କାନଟାଣିଲେ ତାହାର ଏକ ଯଥାବିଧି ପ୍ରତିଷେଧକ ବ୍ୟବସ୍ଥା କରିଛୁ। ଯେତେ ଅଧିକ ଆମର ଚିହ୍ନା ଲୋକଙ୍କ କାନ ଯେମିତି ତୁରନ୍ତ ଟାଣିବ ଆମେ ତାହାର ବିଧିବଦ୍ଧ ସୁନ୍ଦର ପ୍ରବନ୍ଧନମାନ ଯଥାଶିଘ୍ର କରିଥାଉ।ନୁହଁ ?

Comments are closed.