Latest Odisha News

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଅଣ୍ଡା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୮

“ଗୋଟିଏ କୁକୁଡା ସାଧାରଣତଃ କେବଳ ଗୋଟିଏ ଅଣ୍ଡାର ଦୂରତାରେ ଥାଏ।” ସାମୁଏଲ୍ ବଟଲର୍ (୧୮୩୫-୧୯୦୨) , ବ୍ରିଟିଶ ଲେଖକ ଓ କବି।

“ଅଣ୍ଡାରୁ ପକ୍ଷୀଟିଏ ହେବା ବଡ ଗହନ କଥା। ଅଣ୍ଡା ଭିତରେ ରହି ଉଡାଣକୁ ଆୟତ୍ତ କରିବା ବଡ କଷ୍ଟକର । ଆମେ ମାନେ ସବୁ କହିବାକୁ ଗଲେ ଏଇଲେ ଅଣ୍ଡା ଭଳି ରହିଛୁ  ମାତ୍ର ତମେ ଅନନ୍ତକାଳ ଏହିଭଳି ସାଧାରଣ ଆଉ ଶିଷ୍ଟ ଅଣ୍ଡାଟିଏ ହୋଇ ରହିପାରିବ ନାହିଁ। ଆମକୁ ଫୁଟିବାକୁ ହେବ ବା ନଷ୍ଟ ହୋଇ ଯିବାକୁ ହେବ।”  :  ସି ଏସ୍ ଲୁଇସ୍, ବ୍ରିଟିଶ ଚିନ୍ତକ ଏବଂ ଲେଖକ।

“ତମେ ଗୋଟିଏ ଅଣ୍ଡାକୁ ନଷ୍ଟ କରିଛ ମାନେ ତମେ ଅସଲରେ ଗୋଟିଏ କୁକୁଡାକୁ ବଳି ଦେଲ ।” ଗୋଟିଏ ଆଫ୍ରିକୀୟ ପ୍ରବାଦ।

ଏହି ଭଳି ଅଣ୍ଡା-ଦର୍ଶନ ଚାଲିଥିଲେ ତ ଚାଲିଥିବ। ସେଥିରୁ ବିରାମ ନେଇ ଏବେ ଗୋଟିଏ ଛୋଟ ଅଣ୍ଡା ସଂପର୍କିତ ଦନ୍ତ କଥା ।

ଦନ୍ତ କଥା ଟିର ମୂଳ ସ୍ରୋତ ଇଟାଲୀ ।

ଖ୍ରୀପୂ ୫୫୧ରେ ଇଟାଲୀର ପ୍ରସିଦ୍ଧ ନେପଲସ୍ ସହର ଅଣ୍ଡା ଉପରେ ସ୍ଥାପିତ ହୋଇଥିଲା । କହିବାର  କଥା ହେଉଛି ଭୂଇଁ ଉପରେ କୌଣସି ଏକ ସହର ଗଢି ଉଠିବା ଭଳି ଭୂଇଁ  ନେପଲସ୍ ସହରର ତଳେ ନଥିଲା , ଆରମ୍ଭରେ  ସେଇଠି ରହିଥିଲା କେବଳ ଗୋଟିଏ ବୃହତକାୟ ଅଣ୍ଡା।
ସେଇଠି  ସମତଳ ଭୂଇଁର ପରିବର୍ତ୍ତେ ଏପରି  ଗୋଟିଏ ଅଣ୍ଡା ରହିଥିବା ଅସଲରେ ଥିଲା ଗୋଟିଏ ଅଭିଶାପ । ଆମେ ଜାଣୁ ସଚରାଚର ଯେଉଁଠି ଅଭିଶାପ ବିଦ୍ୟମାନ, ସେଇଠି ସେଇ ଅଭିଶାପରୁ ମୁକ୍ତ ହେବାର ବିଧାନମାନ ବି ଏକ ପ୍ରକାର କଷ୍ଟକର ହୋମୱାର୍କ ଭଳି ଆମର ଗୋଷ୍ଠୀମାନସିକତାର ଏକ୍ସରସାଇଜ୍ ଖାତାରେ ଲେଖାହୋଇ ରହିଥାଏ । କୌଣସି ଏକ ସାମୁହିକ ଈଶ୍ୱର ଅବମାନନା ବା ଈଶ୍ୱରଙ୍କ ପରାକ୍ରମକୁ ଅବିଶ୍ୱାସ କରିବା ଭଳି ଦ୍ରୋହର କାରଣରୁ ସେମାନଙ୍କୁ ଅଭିଶାପ ଦିଆଯାଇଥିଲା ଯେ ସେମାନଙ୍କ ପାଇଁ ଆଉ କୌଣସି ସହଜ ସମତଳ ରହିବ ନାହିଁ ବରଂ ସେମାନଙ୍କୁ ଏହାପରଠାରୁ ବସବାସ ଗତାଗତ କରିବାକୁ ପଡିବ ଏକ ଅଣ୍ଡାତଳରେ ।

ଧରାତଳ ଅଣ୍ଡାତଳ ପାଲଟିଯିବା ଲୋକଙ୍କୁ ଗୃହହୀନ କରିଦେଲା। ସେମାନେ ଏଇ ଅଭିଶାପରୁ ମୁକ୍ତ ହେବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କଲେ।

ନେପଲସ୍ ସହରକୁ ତାହାର ଅଣ୍ଡାତଳ ପାଲଟିଯିବା ଭଳି  ଅଭିଶାପରୁ ମୁକ୍ତ କରିବା ପାଇଁ ହଠାତ୍ ଉପଗତ ହେଲେ  ଜଣେ ବୀର,  ତାଙ୍କର ନାଆଁ ହେଉଛି ଭର୍ଜିଲିଅସ୍ । ଅଭିଶାପ ରୁ ନେପଲସ୍ ସହରକୁ ମୁକ୍ତ କରିବା ପାଇଁ  ଯେଉଁ  ବିଧାନ ତାଙ୍କୁ ତାଙ୍କର ସ୍ୱପ୍ନରେ ନିର୍ଦ୍ଦେଶିତ ହୋଇଥିଲା ତାହା  ଅନୁସାରେ ସେ  ନିଜ ହାତରେ ଗୋଟିଏ  ଓଟପକ୍ଷୀର ଅଣ୍ଡା ଧରି ସମସ୍ତଙ୍କର  ସାମ୍ନାକୁ  ଆସିଥିଲେ ।  ତାହାପରେ ସେ ସେହି ଓଟପକ୍ଷୀର ଅଣ୍ଡାକୁ ସମସ୍ତଙ୍କ ସାମ୍ନାରେ   ଗୋଟିଏ କାଚପାତ୍ରରେ ରଖିଥିଲେ। ସେହି କାଚପାତ୍ରକୁ ସେ ଗୋଟିଏ ରୂପା ପଞ୍ଜୁରୀ ଭିତରେ ରଖି ସେଇ ପଞ୍ଜୁରୀକୁ ଗୋଟିଏ  ରୂପାର ଶିକୁଳି ରେ ଝୁଲାଇ ଦେଇଥିଲେ । ଶେଷରେ ସେଇ ରୂପା ପଞ୍ଜୁରି ର କବାଟକୁ ବେଶ୍ ଭଲ ଭାବରେ ଜଉମୁଦ ଦେଇ ବନ୍ଦ କରିଦେବା ପରେ ସେ ଉପସ୍ଥିତ ସମସ୍ତଙ୍କୁ ନିଜର ବୀରସୁଲଭ ଗମ୍ଭୀର ଗଳାରେ ସତର୍କ କରିଦେବା ଭଳି କହିଥିଲେ, ତମମାନଙ୍କର ଅଣ୍ଡାଖେଳ ପ୍ରତି ବେଶ୍ ପ୍ରୀତି ରହିଛି ସେକଥା ମୁଁ ଜାଣେ ( ଏଇଠି ବୀର ଭର୍ଜିଲିଅସ୍ ଯାହାକୁ ଅଣ୍ଡାଖେଳ ବୋଲି କହିଥିଲେ ତାହା ଥିଲା ଇଉରୋପ୍ ର ଏକ ଜନପ୍ରିୟ ପ୍ରାଚୀନ ଖେଳ । ଆମେ ଯେମିତି ପିଲାଦିନେ କାଚବାଟି କୁ ଗଡାଇ ଆମ ଆଗରେ ଥିବା ଗାତରେ ପକାଇବା ଭଳି ଖେଳ ଖେଳିଥାଉ ଠିକ୍ ସେହିଭଳି ସେମାନେ ସେତେବେଳେ ଅଣ୍ଡାକୁ ଗଡାଇ ଗଡାଇ ଖେଳୁଥିଲେ । ଯାହାର ଅଣ୍ଡା ନଫାଟି ଆଗରେ ଥିବା ଗାତରେ ପଡୁଥିଲା ସେ ହେଉଥିଲା ବିଜୟୀ।)ଖବରଦାର,ତେଣୁ ମୁଁ   ତମମାନଙ୍କୁ ସାବଧାନ କରିଦେଉଛି ଯଦି କେଉଁ ଦିନ ତମେ ଏଇ ଅଣ୍ଡାକୁ ବାହାର କରି ଆଣି ଖେଳିଛ ଆଉ ତାହାଫଳରେ ଏହି ମନ୍ତ୍ରସିଦ୍ଧ ଅଣ୍ଡାଟି ଯଦି ଫାଟିଯାଏ ତେବେ ମୋତେ ପରେ ଆଉ କିଛି କହିବ ନାହିଁ । ଏମିତି ଯଦି କରିଛ ତାହାପରେ ଦେଖିବ ତମର ଏଇ ପ୍ରିୟ ନେପଲସ୍ ସହର ଯାଇ ପଡିଯିବ  ସିଧା ଭରା ଅଥଳ ସମୁଦ୍ରରେ। ଟୁବ୍ କରି ବୁଡିଯିବ। ଟିକିଏ ବୋଲି ଆଉ ଚିହ୍ନବର୍ଣ୍ଣ ରହିବ ନାହିଁ । ମନେରଖ ଏ କଥା। ମନେରଖ।

ବୀର ଭର୍ଜିଲିଅସ୍ ଙ୍କ ଏହି ସତର୍କ ବାଣୀକୁ ସମସ୍ତେ ମନେ ରଖିଲେ । ସମସ୍ତେ ସେଦିନଠୁ ମନେ ରଖିଲେ ଯେ ସେମାନଙ୍କର ସହର ହେଉଛି ଅସଲରେ ଗୋଟିଏ ଏମିତି ଗୁପ୍ତ ଦୁର୍ଗ। ଆଉ ଅଣ୍ଡାକୁ ସୁରକ୍ଷିତ ରଖିବା ହେଉଛି ସମସ୍ତଙ୍କର ଦାୟ ।

ଖାଲି ଇଟାଲୀର ନେପଲସ୍ ନୁହଁ ବୀର ଭର୍ଜିଲିଅସ୍ ଙ୍କ କଥା କୁ ମନେରଖି ହଲାଣ୍ଡ,ଫ୍ରାନ୍ସ,ଜର୍ମାନୀ ଆଉ ବ୍ରିଟେନ୍ ଆଦି ଦେଶରେ ଲୋକମାନେ ନିଜ ନିଜର ଘର ତିଆରି କଲାବେଳେ ଘରର ମୂଳଦୂଆ ପଡିଲା ବେଳେ ଗୋଟିଏ ଗୋଟିଏ ଅଣ୍ଡାକୁ ରୂପେଲି ସୂତାରେ ବନ୍ଧାବନ୍ଧି ଭୂଇଁ ତଳେ ପୋତିଥାନ୍ତି ।

ପୃଥିବୀକୁ ସମୁଦ୍ର କବଳରୁ ନିଜର ନିର୍ମାଣ ପାଇଁ ଉପଯୋଗ କରିବାକୁ ଗଲାବେଳେ ଅଣ୍ଡାକୁ  ଏକ ସୁରକ୍ଷା କବଚ ହିସାବରେ ମାନିନେବା ଉଚିତ  ବୋଲି ଯଦି ଏକଦା ମନେ କରାଗଲା ତାହାହେଲେ ସେଥିରୁ ଗୋଟିଏ କଥା ଆମର ବିଶ୍ୱାସ ସହ ଜଡିତ ହୋଇଥିଲା ଯେ,ଆଦ୍ୟକାଳରେ ଯେତେବେଳେ ସଂସାର ନଥିଲା,ଥିଲା ଏକ ବିସ୍ତୀର୍ଣ୍ଣ ସମୁଦ୍ର ,ଏକ ଅଣ୍ଡା ଆଉ ସଂସାରହୀନ ଅବସ୍ଥାନର ଏକ ଅଭିଶାପ।

ସେଇଥିପାଇଁ ନେପଲସ୍ ର ଅଧିବାସୀମାନେ ସବୁବେଳେ ମନେକରିଥାନ୍ତି ଯେ,ସଂସାରର ସମସ୍ତ ନିର୍ମାଣର ଆଧାର ହେଉଛି ଅଣ୍ଡା ,ଅଥବା ଅନ୍ୟଭାବରେ  କହିଲେ ସଂସାରରେ ଯାହା ଯାହା ଦୃଶ୍ୟମାନ ସେ ସମସ୍ତ ହେଉଛି ଗୋଟିଏ ଗୋଟିଏ ଅଣ୍ଡାଦୂର୍ଗ ବା କାଷ୍ଟ୍ରମ ଓଭାଇ।

ଆରମ୍ଭର  କଥା ତେଣୁ ଏହିପରି ।

ଗୋଟିଏ ଅଣ୍ଡାକୁ ଆମେ ଯେତେବେଳେ ଦେଖୁ ବସ୍ତୁତଃ ସେଇଠି ଆମକୁ ଦୃଶ୍ୟ ହେଉଥାଏ ଗୋଟିଏ ଉଚିତ ଆନୁପାତିକ ବିନ୍ୟାସ,ଗୋଟିଏ ସୁନ୍ଦର ପଣ,ଗୋଟିଏ ସଂଗୁପ୍ତ କାର୍ଯ୍ୟାନ୍ୱୟନ,ଏବଂ ଗୋଟିଏ ରହସ୍ୟମୟ ପ୍ରତୀକାତ୍ମକତା। ଆଦିମ କାଳରୁ ଗୋଟିଏ ଅଣ୍ଡା ଦେଖିବାକୁ ଏମିତି। ଏହା କୌଣସି ସମୟର ଆରମ୍ଭକୁ ଯେମିତି ପରିଭାଷିତ କରିଥାଏ ସେଇଭଳି ଇଙ୍ଗିତ କରିଥାଏ ଜୀବନର ଉତ୍ସକୁ,ପ୍ରଜ୍ଞାନକୁ,ସାମର୍ଥ୍ୟକୁ ,ପ୍ରଜଜନକୁ,ମରଣକୁ ଏବଂ ପୁନର୍ଜୀବନକୁ ।  ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବନରେ ଅଣ୍ଡା ପ୍ରତୀକାତ୍ମକତାର ଭୂମୀକା ନେଇଛି।

ଲାଟିନ୍ ଭାଷାରେ ପ୍ରବାଦଟିଏ ଏଇପରି ରହିଛି,omne vivum ecovo ଅର୍ଥାତ୍ ସମସ୍ତ ଜୀବନର ଉତ୍ସ ହେଉଛି ଅଣ୍ଡା।

ଅଷ୍ଟାଦଶ ଶତାବ୍ଦୀର ଗୋଟିଏ ଅଳଙ୍କରଣ ଅଣ୍ଡାର ଗୁରୁତ୍ୱକୁ ବେଶ୍ ଭଲଭାବରେ ବୁଝାଇଛି। ସେଇ
ଅଳଙ୍କରଣଟିରେ ଆପଣମାନେ ଦେଖିପାରିବେ ଯେ  ଜଣେ ବୀରପୁରୁଷ ପଟେ ଖଣ୍ଡାରେ ଗୋଟିଏ ଅଣ୍ଡାକୁ ହାଣିବାକୁ ଯାଉଛି । ଅଣ୍ଡାଟି ତଳେ ଏକ ଆସ୍ଥାନ ଉପରେ ଠିଆ କରି ରଖାଯାଇଛି। ଆଉ ଅଣ୍ଡାଟିର ଦେହରୁ ବିଚ୍ଛୁରିତ ହେଉଛି ଆଲୋକ।

ଅଳଙ୍କରଣରେ ଥିବା ବୀରପୁରୁଷ ଜଣକ ଅସଲରେ ହେଉଛନ୍ତି ଜଣେ ଦାର୍ଶନିକ,ଏମିତିରେ ସେ ଜଣେ ଆଲକେମିଷ୍ଟ ବା ଅପରସାୟନବିତ। ଆଲକେମିଷ୍ଟ ମାନଙ୍କର କାମ ହେଉଛି ସବୁ ଧାତୁକୁ କେମିତି ସୁବର୍ଣ୍ଣ କରାଯାଇପାରିବ ତାହାର ସୁଯୋଗର ଅନୁସଂଧାନ କରିବା।

ଏଇ ଅଳଙ୍କରଣରେ ଥିବା ଆଲକେମିଷ୍ଟଙ୍କ ହାତରେ ରହିଛି ଗୋଟିଏ ଖଣ୍ଡା,ସେ ଯେମିତି ଉଦ୍ୟତ ସେଇ ବିଶିଷ୍ଟ ଆଘାତ  ନିମନ୍ତେ। ଆଉ ତଳେ ତାଙ୍କର ସଂହାର କୁ ଅପେକ୍ଷା କରି ଏକ ଆସ୍ଥାନରେ ଅଟଳ ରହି ଆଲୋକ ବିଚ୍ଛୁରଣ କରୁଥିବା ଅସାମାନ୍ୟ ଅଣ୍ଡା ଟି ଯେ ଅସଲରେ ସମସ୍ତ ଅଲୌକିକତାକୁ ସଂଗୁପ୍ତ କରି ରଖିଥିବା ଗୋଟିଏ ପରଶପଥର ।

ସଂହାର ଆଉ ସ୍ପର୍ଶରେ, ଏହା ପରବର୍ତ୍ତି ଆମର ରହସ୍ୟମୟ ପରିବର୍ତ୍ତନକୁ ଅଧିକ ବୁଝାଇ କହିବା ନିରର୍ଥକ ।

ଏହି ଅଷ୍ଟାଦଶ ଶତାବ୍ଦୀର  ଏନଗ୍ରେଭିଙ୍ଗ୍ ଟିର  ନାଆଁ , “ଦାର୍ଶନିକ ର ଅଣ୍ଡା” ବା ଦି ଫିଲୋସଫର୍ସ ଏଗ୍ ।

 

Comments are closed.