ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୯
ଖେଳର ନାଆଁ ଅଲମ୍ପିକ।
ଆଉ ଏହି ଖେଳଟିର ଆଦ୍ୟକାଳଟି ଥିଲା ସମ୍ପୂର୍ଣ୍ଣ ନିର୍ବସ୍ତ୍ରର ସମୟ। ଅର୍ଥାତ୍ ସେହି ସମୟରେ ଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କ ଦେହରେ ସାମାନ୍ୟ ସୂତା ଖଣ୍ଡିଏ ବି ରହୁନଥିଲା।ଆମେ ଯାହାକୁ କହିବା ଜନ୍ମଦିନର ପୋଷାକ ସେଇ ଏକମାତ୍ର ସ୍ୱାଭାବିକ ସହଜାତ ପୋଷାକ ସହ ସବୁ ପ୍ରତିଯୋଗୀ ସେସମୟରେ ଏକତ୍ରିକ ହୋଇ ନିଜର ଶରୀରୀ ଦକ୍ଷତାର ପ୍ରମାଣ ରଖୁଥିଲେ।
କାଳର ଦେବତା ହେଉଛନ୍ତି କ୍ରୋନସ୍।ଆଉ ସେହି କାଳଦେବତାଙ୍କ ସନ୍ତାନ ହେଉଛନ୍ତି ଗ୍ରୀକ୍ ପୁରାଣର ସର୍ବମାନ୍ୟ,ସର୍ବଶକ୍ତିମାନ ଏବଂ ସର୍ବଶ୍ରେଷ୍ଠ ଦେବତା,ଜିଉସ୍। ଗ୍ରୀକ୍ ପୁରାକଥା ଅନୁସାରେ ନିଜର ପିତାଙ୍କୁ ପରାଭୂତ କରିବା ଅର୍ଥାତ୍ କାଳ ଉପରେ ନିଜର ବିଜୟକୁ ପ୍ରତିସ୍ଥାପିତ କରିବା ଭଳି ଏକ ସତ୍ୟକୁ ଅଲିମ୍ପିକ ଖେଳ ଆକାରରେ ଏକ ଉତ୍ସବ ଆଳରେ ପାଳନ କରିବା ପାଇଁ ଚାହିଁଥିଲେ ଦେବଶ୍ରେଷ୍ଠ ଜିଅସ୍। ତେଣୁ ଗ୍ରୀସ୍ ରେ କାଳ ଉପରେ ବିଜୟ କୁ ଅଲମ୍ପିକ ଖେଳର ଆନୁଷ୍ଠାନିକତା ପ୍ରଦାନ କରାଯାଇ ଉତ୍ସବ ଆକାରରେ ନିରନ୍ତର ପାଳନ କରାଯାଉଥିଲା।
ଯଥେଷ୍ଟ ଆଗରୁ ଅଲମ୍ପିକ ଖେଳ ଗ୍ରୀସ୍ ରେ ଅନୁଷ୍ଠିତ ହୋଇ ଆସୁଥିଲେ ହେଁ ତାହାର ସର୍ବପ୍ରଥମ ଅନୁଷ୍ଠାନର ନଥିବଦ୍ଧ ବିବରଣୀଟି ଖ୍ରୀପୂ ୭୭୬ ମସିହାର ବୋଲି ଉପଲବ୍ଧ ହୋଇଛି।
ଗ୍ରୀକ୍ ଐତିହାସିକ ପଉସାନିଆସ୍ ଙ୍କର ଖ୍ରୀପୂ ଦ୍ୱିତୀୟ ଶତାବ୍ଦୀରେ ଲିଖିତ ଏକ ବିବରଣୀରୁ ଜଣାଯାଏ ଯେ ଖ୍ରୀପୂ ନବମଶତାବ୍ଦୀର ଜଣେ ରାଜା ଇଫିଟସ୍ ଅଲମ୍ପିଆ ନାମକ ପର୍ବତ ନିକଟବର୍ତ୍ତି ସ୍ଥାନରେ ଅଲମ୍ପିକ ଉତ୍ସବର ପୁଣି ଥରେ ଦୀର୍ଘସମୟ ପରେ ଆୟୋଜନ କରିଥିଲେ। ପଉସାନିଆସ୍ ଙ୍କ ବିବରଣୀ ଅନୁସାରେ ଆଗରୁ ଗ୍ରୀସ୍ ରେ ରାଜ୍ୟ ରାଜ୍ୟ ସଂଘର୍ଷ କାରଣରୁ ଅରାଜକତା ବ୍ୟାପି ଯାଇଥିଲା। ଏହି ଭଳି ଅରାଜକତା,ଯୁଦ୍ଧ ବିଗ୍ରହ ଏବଂ ପ୍ଲେଗ୍ ଭଳି ମହାମାରୀର କାରଣରୁ ଶକ୍ତିହୀନ ହୋଇପଡିଥିବା ରାଜ୍ୟକୁ ଉଦ୍ଧାର କରିବା ପାଇଁ ରାଜା ଇଫିଟସ୍ ଗ୍ରୀସ୍ ର ପ୍ରସିଦ୍ଧ ଡେଲଫି ମନ୍ଦିରର ଭବିଷ୍ୟବାଣୀ ଯାହାକୁ ଇଂରେଜୀରେ ଓରାକ୍ଲ ଅଫ୍ ଡେଲଫି ବୋଲି କୁହାଯାଏ ତାହାର ଶରଣାପନ୍ନ ହୋଇଥିଲେ। ଗ୍ରୀସ୍ ସଭ୍ୟତାର ସେଇ ଆଦ୍ୟକାଳରେ ଶାସକବର୍ଗମାନଙ୍କର ସଂକଟରୁ ନିରାକରଣ ନିମନ୍ତେ ଡେଲଫିର ଭବିଷ୍ୟବାଣୀ ଉପରେ ନିର୍ଭରତାର ଅନେକ କାହାଣୀ ରହିଅଛି। ସେ ଯାହାହେଉ ରାଜା ଇଫିଟସ୍ ଙ୍କୁ ଡେଲଫିର ଭବିଷ୍ୟବାଣୀ ନିର୍ଦ୍ଦେଶ ଦେଇଥିଲା ଯେ ସେ ପୁନର୍ବାର ଅଲମ୍ପିକ ଖେଳର ପ୍ରବର୍ତ୍ତନ କରନ୍ତୁ ଆଉ ଏହା ଫଳରେ ଶାନ୍ତି ଆଉ ସୌହାର୍ଦ୍ଦ ପ୍ରତିଷ୍ଠିତ ହେବ।
ଖ୍ରୀପୂ ୭୭୬ ରେ ଗ୍ରୀସ୍ ର ଦକ୍ଷିଣ ଭାଗ ରେ ଅଲମ୍ପିକ ସନ୍ନିକଟ ଏଲିସ୍ ବୋଲି ଗୋଟିଏ ସ୍ଥାନରେ ଅଲମ୍ପିକ ଖେଳ ଅନୁଷ୍ଠିତ ହୁଏ। ଆଉ ସେଇ ଅଲମ୍ପିକ ଖେଳର କାରଣରୁ ଇତିହାସର ପୃଷ୍ଠାକୁ ଅଳଙ୍କୃତ କରେ ଏଇ ମହାନ ଖେଳ ପରଂପରାର ସର୍ବ ପ୍ରଥମ ଚାମ୍ପିଆନ୍ ର ନାଆଁ।
ଅଲମ୍ପିକ ଖେଳର ସେଇ ସର୍ବପ୍ରଥମ ନଥିବଦ୍ଧ ଚାମ୍ପିଆନ୍ ର ନାଆଁ ହେଉଛି କୋରୋଏବସ୍ । କୋରୋଏବସ୍ ବୃତ୍ତିରେ ଜଣେ ପାଚକ । ସେତେବେଳର ଅଲମ୍ପିକ ଖେଳରେ କେବଳ ଗୋଟିଏ ମାତ୍ର ଖେଳ ଖେଳାଯାଉଥିଲା। ସେଇଟି ହେଉଛି ୧୯୦ ମିଟର(୨୧୦ ଗଜ) ର ଦୌଡ ପ୍ରତିଯୋଗିତା। କୋରୋବଏସ୍ ଅଂଶ ଗହଣ କରି ବିଜୟୀ ହୋଇଥିବା ଏଇ ଦୌଡଟିକୁ “ଷ୍ଟାଡିଅନ୍” ବୋଲି କୁହାଯାଉଥିଲା। ଅଲମ୍ପିକ ଖେଳର ନଥିଭୂକ୍ତ ଆକାରରେ ସର୍ବ ପ୍ରଥମ ଏଇ ବିଜୟୀ ପାଚକଙ୍କୁ ପୁରସ୍କାର ଆକାରରେ ମିଳିଥିଲା ଗୋଟିଏ ଆପେଲ ଗଛର ଚାରା।
ଏଇଠି କହିଦେବା ଉଚିତ ହେବ ଯେ ଅଲମ୍ପିକ ଖେଳରେ ବିଜୟୀମାନଙ୍କୁ ଖେଳ ଶେଷରେ ଆପେଲ୍ ଚାରା କି ଅଲିଭ-ପତ୍ରର ମାଳାରେ ସମ୍ମାନିତ କରାଯିବା କହିବାକୁ ଗଲେ ଏକମାତ୍ର ସମ୍ମାନ ନଥିଲା। ସେମାନଙ୍କୁ ସମ୍ଭ୍ରାନ୍ତବର୍ଗ ତରଫରୁ ପ୍ରଚୁର ଉପହାର ମିଳୁଥିଲା ତଥା ସେମାନଙ୍କର ପାଣିପ୍ରାର୍ଥୀ ହେବା ପାଇଁ ଉଚ୍ଚବର୍ଗର କିଶୋରୀମାନଙ୍କ ଭିତରେ ପ୍ରବଳ ପ୍ରତିଯୋଗୀତା ହେଉଥିଲା। ସେମାନଙ୍କର ମାର୍ବଲ ର ମୂର୍ତ୍ତିବି ନିର୍ମାଣ କରାଯାଉଥିଲା।
ପରେ ଖ୍ରୀପୂ ୭୨୦ ବେଳକୁ ଅଲମ୍ପିକ ଖେଳ ଆଉ କେବଳ “ଷ୍ଟାଡିଅନ୍” ଭଳି ଗୋଟିଏ ଦୌଡ ରେ ସଂକୁଚିତ ହୋଇ ରହିନଥିଲା,ଏଥିରେ ଭିନ୍ନ ଭିନ୍ନ ଦୂରତ୍ୱର ଦୌଡ ତଥା ଭାରବାହୀ ଦୌଡ ଆଦି ରହିଥିବାର ଉଲ୍ଲେଖ ରହିଛି। ଖ୍ରୀପୂ ୭୦୮ ବେଳକୁ ସେଥିରେ ପେଣ୍ଟାଥଲନ ଅର୍ଥାତ୍ ପାଞ୍ଚୋଟି ଖେଳ ପ୍ରତିଯୋଗିତା ସାମିଲ ହୋଇଛି। ପେଣ୍ଟାଥଲନ୍ ର ସେଇ ଖେଳ ଗୁଡିକ ଥିଲା,ଦୌଡ,ଡିଆଁ,ଡିସକସ୍ ଓ ଜାଭଲିନ୍ ଫିଙ୍ଗା ଏବଂ କୁସ୍ତି। ଖ୍ରୀପୂ ୬୮୮ରେ ବକ୍ସିଙ୍ଗ୍, ଖ୍ରୀପୂ ୬୮୦ ରେ ଚାରୋଟି ଘୋଡା ଯୁକ୍ତ ରଥ ଦୌଡ ଏବଂ ଖ୍ରୀପୂ ୬୪୮ ରେ ଘୋଡା ପିଠିରେ ସବାର ଥାଇ ଦୌଡ ଏବଂ ପାନକ୍ରାସିନ ଭଳି ଏକ ପ୍ରତିଯୋଗୀତା ଯାହାକି ବକ୍ସିଙ୍ଗ୍ ଆଉ କୁସ୍ତିର ଏକ ମିଶ୍ରିତ ଖେଳ,ଏହିପରି ଖେଳ ମାନ ଗୋଟିକ ପରେ ଗୋଟିଏ ଅଲମ୍ପିକରେ ସଂଯୋଜିତ ହୋଇଥିଲା। ଏହାର ଉଲ୍ଲେଖ କରିବାର ଏକମାତ୍ର କାରଣ ହେଉଛି ଅଲମ୍ପିକ ଖେଳ ଟି ଖେଳ-ପ୍ରତିଯୋଗୀତା ଦୃଷ୍ଟିରୁ ଆରମ୍ଭରୁ ସବୁବେଳେ ମୁକ୍ତ ରହି ଆସିଛି। ସମାଜରେ ପ୍ରଚଳିତ ଭିନ୍ନ ଭିନ୍ନ ଖେଳକୁ ତାହାର ଜନପ୍ରିୟତା ଏବଂ ସଂପୃକ୍ତ ଖେଳରେ ଖେଳାଳୀର “ଫିଜିକାଲିଟି” ବା ଶାରୀରିକ ସାମର୍ଥ୍ୟର ପରିମାପର ବିଚାର୍ଯ୍ୟ-ଆଧାରକୁ ନେଇ ଅଲମ୍ପିକ ଖେଳରେ ଭିନ୍ନ ଭିନ୍ନ ଖେଳ ଏଥିରେ ଏଯାଏଁ ସଂଯୋଜିତ ହୋଇ ଆସୁଛି।
ଏବେ ଆମ ଭିତରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠିବ। ଅଲମ୍ପିକ ଯଦି ଆରମ୍ଭରୁ ଗୋଟିଏ ଖେଳ ପ୍ରତିଯୋଗୀତା ତାହାହେଲେ ଏହା ଏତେ ଆଦିମ କାଳରୁ (ଯଥେଷ୍ଟ ଆଗରୁ ଅନୁଷ୍ଠିତ ହୋଇ ଆସୁଥିଲେ ବି ଯଦି ତାହାର ପ୍ରଥମ ଉଲ୍ଲେଖ ତଥା ତାହାର ନଥିଭୂକ୍ତ ସମୟ ଖ୍ରୀପୂ ୭୭୬ କୁ ତାହାର ଆରମ୍ଭର ସମୟ ବୋଲି ବିବେଚନା କରାଯାଏ)ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ତିଷ୍ଟି ରହିବା ପରେ ଆଧୁନିକ କାଳରେ ବିଶ୍ୱବ୍ୟାପୀ ହୋଇ ପାରିବା ପଛରେ ଥିବା କାରଣଟି ତେବେ କ’ଣ ? ଗ୍ରୀସ୍ ରେ ଅଲମ୍ପିକ କୁ ଏକ ଧର୍ମୀୟ ଉତ୍ସବ ହିସାବରେ ଆରମ୍ଭରୁ ପାଳନ କରାଯାଉଥିବା ଦୃଷ୍ଟିରୁ ଦେଖିଲେ ଆଜି ଅଲମ୍ପିକର ସେହି ଧାର୍ମିକ ପରିପ୍ରେକ୍ଷ୍ୟଟି ସମ୍ପୂର୍ଣ୍ଣ ଭାବରେ ଅପସୃତ ହୋଇ ଯାଇଛି।
ବସ୍ତୁତଃ ଦେବଶ୍ରେଷ୍ଠ ଜିଅସ୍ ଙ୍କର ଏକ ବିଜୟୋତ୍ସବ ଆକାରରେ ପାଳିତ ହୋଇ ଆସୁଥିଲେ ବି ଅଲମ୍ପିକ୍ସ କେବଳ ସେତିକିରେ ହିଁ ସୀମାବଦ୍ଧ ନଥିଲା। ଖେଳର ସମୟକାଳରେ ଦେଶ ଦେଶ ମଧ୍ୟରେ ଯୁଦ୍ଧବିଗ୍ରହ ସ୍ଥଗିତ ରହିବା ଏବଂ ଅଲମ୍ପିକ୍ସର ବିଶାଳ ଦେଖାଣାହାରୀମାନଙ୍କର ନିରାପଦରେ ସେଠିକୁ ଯିବା ଆସିବା ଆଉ ସେଇଠି ରହିବାର ସୁସ୍ଥ ପରିଚାଳନା କରିବା ଭଳି ସୁଦକ୍ଷ ଆୟୋଜନର ଦାୟିତ୍ୱକୁ ଗ୍ରୀସ୍ ସ୍ଥାନୀୟ ଶାସନ ନିର୍ବାହ କରୁଥିଲା। ଅନେକ ସେସମୟର ଐତିହାସିକ ବିବରଣୀରୁ ଜଣାଯାଏ ଯେ ସେତେବେଳେ ପ୍ରାୟ ଚାଳିଶ ହଜାରରୁ ପଚାଶ ହଜାର ଯାଏଁ ଦର୍ଶକ ଅଲମ୍ପିକ୍ସକୁ ଦେଖିବା ପାଇଁ ସେଇଠି ଏକତ୍ରୀତ ହେଉଥିଲେ। ଅଲମ୍ପିକ୍ସକୁ ନିଜ ଆଖିରେ ଦେଖିବାକୁ ପ୍ରତ୍ୟେକ ଗ୍ରୀସ୍ ବାସୀ ନିଜର ପରମ ସୌଭାଗ୍ୟ ବୋଲି ବିଚାର କରୁଥିଲେ । ଜଣେ ଗ୍ରୀକ୍ ରୁଟି ପ୍ରସ୍ତୁତକାରୀ,ବେକର୍,ନିଜର କବର ଫଳକରେ ଲେଖିଯାଇଥିଲା ଯେ “ଏଇଠି ଯିଏ ଶୋଇଛି ସେ ନିଜ ଆଖିରେ ଦେଖିଯାଇଛି ବାରଗୋଟି ଅଲମ୍ପିକ ।” ଜଣେ ଦର୍ଶକ ଏପରିକି ଅଲମ୍ପିକ ଦେଖିସାରିବା ପରେ ନିଜର ଦେହରେ ନିଆଁ ଲଗାଇ ଆତ୍ମଘାତୀ ହୋଇଥିଲା,କାରଣ ସେ ନିଶ୍ଚିତ ଥିଲା ଯେ ଅଲମ୍ପିକକୁ ପ୍ରତ୍ୟକ୍ଷ କରିଥିବା କାରଣରୁ ତାହାର ପୁନର୍ଜୀବନ ନିଶ୍ଚିତ।
ଏ ପ୍ରସଙ୍ଗରେ ଅଲମ୍ପିକକୁ ନେଇ ନିଜର ପାଗଳପଣକୁ ଅନାୟସରେ ଜାହିର କରୁଥିବା ଆଉ ଜଣେ ସମ୍ମାନଜନକ ଗ୍ରୀକ୍ ଙ୍କର ଉଲ୍ଲେଖ ନିଶ୍ଚିତ ଭାବରେ କରାଯିବା ଉଚିତ। ସେଇ ବିଶ୍ୱନନ୍ଦିତ ବ୍ୟକ୍ତି ଜଣକ ନିଜର ଜୀବଦ୍ଦଶାରେ ପ୍ରତିଟି ଅଲମ୍ପିକକୁ ଦେଖିବା ଭଳି ସୁଯୋଗକୁ ହାତଛଡା କରୁନଥିଲେ। ଦେଖଣାହାରୀଙ୍କ ପ୍ରବଳ ଭିଡ ଭିତରେ,ଅସ୍ଥାୟୀ ଚଟିଘରେ ଅଜ୍ଞାତ ମାତାଲ ମାନଙ୍କର ନିଶାଗ୍ରସ୍ଥ ପ୍ରଳାପ ଭିତରେ ,କର୍କଶ ଘୁଂଘୁଡି ଭିତରେ ସେ ବିନିଦ୍ର ରହି ଅଲମ୍ପିକ ଖେଳର ଦିନମାନ (ସେତେବେଳର ଅଲମ୍ପିକ ପାଞ୍ଚଦିନବିଶିଷ୍ଟ ଥିଲା)ବିତାଉଥିଲେ। ସେହି ବିଶିଷ୍ଟ ଚିନ୍ତାନାୟକଙ୍କ ନାଆଁ ହେଉଛି ପ୍ଳାଟୋ।
ପ୍ଲାଟୋଙ୍କୁ ଆମେ ଦାର୍ଶନିକ ଭାବରେ ଜାଣୁ। ଜଣେ ଅତ୍ୟୁତ୍ସାହୀ କୁସ୍ତିଗୀର ହିସାବରେ ଜାଣୁନା।
ଏଇଠି କହିବା କଥା ହେଉଛି ଅଲମ୍ପିକ ପ୍ରତି ଗ୍ରୀସ୍ ବାସୀମାନଙ୍କ ଭିତରେ ରହିଥିବା ଏଇଭଳି ଏକ ପାଗଳାମି ପଛରେ ଯେ କେବଳ ଗୋଟିଏ ଧର୍ମୋତ୍ସବ ପାଳନ ର ପ୍ରସଂଗ ରହିଥିଲା ସେପରି କହିଲେ ଆମେ ଏଇ ଆୟୋଜନର ଭବ୍ୟତାକୁ ସଂପୂର୍ଣ୍ଣ ଭାବରେ କ୍ଷୁର୍ଣ୍ଣ କରିଦେବା। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ଏପିକ୍ଟେଟସ ଙ୍କର ଦର୍ଶନ ଏବଂ କ୍ରୀଡା ଉଭୟରେ ଅନୁରକ୍ତି ରହିଥିଲା। ଏପିକ୍ଟେଟସ୍ ଙ୍କ ବିଚାରକୁ ଆଧାର କରି ଆମେ ଅଲମ୍ପିକ୍ସର ଦର୍ଶନକୁ ଭଲଭାବରେ ବୁଝିପାରିବା। ତାଙ୍କର ଯୁକ୍ତି ଅନୁସାରେ ଅଲମ୍ପିକ୍ସ ହେଉଛି ସ୍ୱତଃ ମାନବିକ ସ୍ଥିତିର ଏକ ପରିଭାଷା-ରୂପକ। ତାଙ୍କ ଅନୁସାରେ ଆମର ପ୍ରତ୍ୟେକଟି ଦିନ ହେଉଛି ଅସୁବିଧା ଆଉ ଦ୍ୱନ୍ଦ୍ୱର ସମୟ : ଅସହ୍ୟ ଗରମ,ଅଜଣା ଭିଡ,ଅଳନ୍ଧୁ,କର୍କଶ ଚିତ୍କାର ଏବଂ ଅନ୍ତହୀନ ଛୋଟ ଛୋଟ ବିରକ୍ତି ରେ ଭରପୂର ଏବଂ ଏଥିରୁ ପରିତ୍ରାଣ ପାଇଁ ଶରୀରକୁ ସୁଦକ୍ଷ କରିବାକୁ ହେବ। ସେଇଥିପାଇଁ ସେ କହିଛନ୍ତି ଯେ,ତମକୁ ନିର୍ଦ୍ଦେଶ ମାନିବାକୁ ପଡିବ,ନିୟମାନୁବର୍ତ୍ତି ଖାଦ୍ୟ ଗ୍ରହଣ କରିବାକୁ ପଡିବ,ମିଠାଜାତୀୟ ଖାଦ୍ୟଠାରୁ ଦୂରରେ ରହିବାକୁ ହେବ,ଖରାରେ ହେଉ କି ଶୀତରେ ଶରୀରୀ କସରତ କରିବାକୁ ପଡିବ,ଇଚ୍ଛା ଅନୁସାରେ ଥଣ୍ଡା ପାଣି କି ମଦ୍ୟ ପାନ କରିବା ବର୍ଜ୍ୟନୀୟ ,ଆଉ ସବୁଠୁ ବଡକଥା ତମକୁ ନିଜର ପ୍ରଶିକ୍ଷକ ନିକଟରେ କୌଣସି ଚିକିତ୍ସକ ଆଗରେ ଯେମିତି ଠିକ୍ ସେପରି ସମ୍ପୂର୍ଣ୍ଣ ସମର୍ପଣ କରିଦେବାକୁ ହେବ।
ସଂକ୍ଷେପରେ କହିଲେ ଧର୍ମ ବନାମ ଶରୀରର ଯେଉଁ ଶିତଳ ଦ୍ୱନ୍ଦ୍ୱଟି ଆମ ଭିତରେ ରହିଥାଏ ତାହାର ଏକ ପ୍ରକାରେ ପଟ୍ଟପରିବର୍ତ୍ତନ ଅଲମ୍ପିକ ଖେଳର ବାହାନାରେ ଘଟି ଆସିଛି। ଅଲମ୍ପିକ ଖେଳ ଚିରକାଳ ଆମକୁ କହି ଆସିଛି ଯେ ଶରୀରର ଶ୍ରେଷ୍ଠତା ଆମର ଜୀବନର ଅସଲ ପରିଭାଷା।
ଅଲମ୍ପିକ୍ସ ରେ ଶରୀର ହେଉଛି ଏକ ସର୍ବୋତ୍ତମ ଉତ୍ସବ ।
ଅଲମ୍ପିକ୍ସର ସେଇ ଆଦ୍ୟକାଳରେ ଗ୍ରୀସ୍ ରେ ଶରୀରକୁ ସୁଦକ୍ଷ ହେବା ପାଇଁ ଜିମନାସିଅମ୍ ରେ ପ୍ରଶିକ୍ଷିତ ହେବାକୁ ପଡୁଥିଲା। ଲାଟିନ୍ ରେ ଜିମନାସିଅମ୍ ର ଅର୍ଥ ହେଉଛି ” ଉଲଗ୍ନ ର ପାଠଶାଳା”। ତେଣୁ ଆଜି ଆମେ ତାତ୍ପର୍ଯ୍ୟାତ୍ମକ ଅର୍ଥରେ ଶରୀର ଉଲଗ୍ନ ହୋଇପାରିଲେ ହେଁ ତାହାର ସମସ୍ତ ଆଟୋପବିହୀନ ପ୍ରତିଯୋଗିତାକୁ ସେ ଜୟ କରିବାକୁ ସମର୍ଥ ବୋଲି ଏକ ଦାର୍ଶନିକ ଅବବୋଧ ରେ ହୁଏତ ପହଞ୍ଚି ପାରିବା।
ଅଲମ୍ପିକ୍ସ ର ସେଇ ଉଲଗ୍ନ କାଳରେ କୌଣସି ପ୍ରତିଯୋଗୀଙ୍କ ଶରୀରରେ ସୂତାଖିଏ ରହୁନଥିବାର ପ୍ରସଙ୍ଗ ଆଗରୁ କୁହାଯାଇଛି। କିନ୍ତୁ ସେତେବେଳେ ଅଲମ୍ପିକ୍ସର ଦର୍ଶକ ମାନଙ୍କ କ୍ଷେତ୍ରରେ ସେପରି କୌଣସି ପ୍ରତିବନ୍ଧକ ନଥିଲା। କିନ୍ତୁ ଏହି ପ୍ରତିଯୋଗୀତାରେ ନାରୀ ଏବଂ କ୍ରୀତଦାସମାନଙ୍କୁ ଅଂଶଗ୍ରହଣ କରିବା ନିଷିଦ୍ଧ ଥିଲା। ହେଲେ ସେଇ ସମୟର ଅଲମ୍ପିକ୍ସ ରେ ଦେଖଣାହାରୀ ଆକାରରେ ବିବାହିତା ନାରୀମାନଙ୍କୁ ଆଦୌ ଗ୍ରହଣ କରାଯାଉନଥିଲା। ବିବାହିତା ନାରୀ ମାନଙ୍କ ପାଇଁ ଅଲମ୍ପିକ୍ସର ନିୟମ ଅତ୍ୟନ୍ତ କଠୋର ରହିଥିଲା।ଐତିହାସିକ ପଉସାନିଆସ୍ ଙ୍କ ଲିଖିତ ଏକ ବିବରଣୀରେ ରହିଛି: ” ସିଲସ୍ ରୁ ତମେ ଅଲମ୍ପିକ ଯିବା ବାଟରେ ଗୋଟିଏ ବହୁତ ଉଚ୍ଚ ପର୍ବତ ରହିଛି,ତାହାର ଭାରି ଭାରି ତୀଖ । ଏଲିସ୍ ର ନିୟମ ରହିଥିଲା ଯେ ଯଦି କୌଣସି ବିବାହିତା ନାରୀ ଅଲମ୍ପିକ ଖେଳକୁ ଦେଖିଛି ବୋଲି ଖବର ମିଳେ ତେବେ ତାହାକୁ ସେଇ ତୀଖରୁ ତଳକୁ ଗଡାଇ ମାରି ଦିଆଯାଉଥିଲା।”
ଅଲମ୍ପିକ ଉତ୍ସବ ଭଳି ଏକ ବିଶାଳ କର୍ମକାଣ୍ଡରେ ଏପରି ନାରୀ ବିରୋଧୀ ଆଭିମୁଖ୍ୟ ତଥା ନିଷେଧାଜ୍ଞାକୁ ନାରୀମାନଙ୍କ ତରଫରୁ ସେତେବେଳେ ବି ସଂକ୍ଷିପ୍ତ ଭାବରେ ପ୍ରତିବାଦ କରାଯାଉଥିବାର ବୃତ୍ତାନ୍ତ ମାନ ଲିଖିତ ରହିଛି। ତାହା ଅନୁସାରେ ସେଇ ଉଲଗ୍ନ କା ଆଉ ନାରୀବର୍ଜିତ କାଳର ଅଲମ୍ପିକ୍ସ ଖେଳରେ ସର୍ବପ୍ରଥମ ଯେଉଁ ନାରୀ ପ୍ରତିଯୋଗୀ ଜଣକ ଅଂଶ ଗ୍ରହଣ କରିଥିଲେ ତାଙ୍କର ନାଆଁ ଥିଲା କିନିସ୍କା। କିନିସ୍କା ଙ୍କ ସମୟ ହେଉଛି ଖ୍ରୀପୂ ୩୯୬ । ବସ୍ତୁତଃ ସେ ଥିଲେ ସେସମୟର ସ୍ପାର୍ଟାର ସମ୍ରାଟଙ୍କ ସହୋଦରା,ସେ ଗୋଟିଏ ଚାରିଟି ଘୋଡା ଯୋଚାଥିବା ରଥଦୌଡରେ ବିଜୟୀ ହୋଇଥିବା ଦଳର ଅନ୍ୟତମ ସଦସ୍ୟା ଥିଲେ। କିନ୍ତୁ ସେଇ ଅଲମ୍ପିକ ଖେଳରେ ରାଜକନ୍ୟା କିନିସ୍କାଙ୍କ ପାଇଁ ସବୁଠୁ ବଡ ଦୁଃଖର କଥା ଥିଲା ଯେ,ସେ ନିଜର ବିଜୟକୁ ଉପସ୍ଥିତ ଦେଖଣାହାରୀମାନଙ୍କ ଦୃଷ୍ଟିରେ ଦେଖିବାପାଇଁ ଅସମର୍ଥ ଥିଲେ। ବିଜୟ ପରେ ବି ତାଙ୍କୁ ବିଜୟୀ ରଥ ର ଭିତରେ ଏକେଲା, ନିର୍ବସ୍ତ୍ର ନୁହଁ , ନିଜର ପୋଷାକରେ ଘୋଡିଘାଡି ହୋଇ ରହିବାକୁ ପଡିଥିଲା ଆରମ୍ଭରୁ ଶେଷ ଯାଏଁ । କିନିସ୍କା କିନ୍ତୁ ସେତେବେଳକୁ ଅବିବାହିତା ଥିଲେ। ଖ୍ରୀପୂ ୪୦୪ ରେ କିନ୍ତୁ କାଲିପାତେଇରାଙ୍କ କଥାଟି ଭିନ୍ନ। କାଲିପାତେରିଆ ନିଜର ପୁଅକୁ ଅଲମ୍ପିକ ଖେଳରେ ଉତ୍ସାହିତ କରିବାପାଇଁ ଗୋଟିଏ ପ୍ରଶିକ୍ଷକର ପୋଷାକ ପିନ୍ଧି ପ୍ରଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରିକୁ ଯାଇଥିଲେ। ପୁଅର ସଫଳତାରେ ସେ ଏତେ ପରିମାଣରେ ଉତ୍ସାହିତ ହୋଇ ପଡିଥିଲେ ଯେ ପ୍ରଶିକ୍ଷକ ମାନଙ୍କ ପାଇଁ ଯେଉଁ ବାରିକେଡ୍ ଟି ଥିଲା ତାହାକୁ ସେ ଡେଇଁବାକୁ ଯାଇଥିଲେ ଆଉ ସେଇ ଅଘଟଣଟି ସେତେବେଳେ ଘଟିଥିଲା। ସମସ୍ତେ ନିର୍ବାକ୍ ,ପ୍ରଶିକ୍ଷକର ପରିସ୍କାର ଦିଶୁଛି ଦୁଇଟି ଯାକ ସ୍ତନ୍ୟ। ତାହାପରେ କାଲିପାତେଇରାର ଆଉ କୌଣସି ଖବର ଇତିହାସରେ ନାହିଁ ,ତାହାପରେ କିନ୍ତୁ ନିୟମ ହୋଇଥିଲା ଯେ ,ଏହାପରଠାରୁ ସମସ୍ତ ପ୍ରତିଯୋଗୀଙ୍କ ଭଳି ସମସ୍ତ ପ୍ରଶିକ୍ଷକ ମାନଙ୍କୁ ଅଲମ୍ପିକ ଖେଳର ସମୟସାରା ଉଲଗ୍ନ ରହିବାକୁ ହେବ।
ଖ୍ରୀପୂ ୭୭୬ ରୁ ଖ୍ରୀଅ ୩୯୪ ଯାଏଁ ପ୍ରତି ଚାରିବର୍ଷରେ ଥରେ ଅଲମ୍ପିକ ଖେଳ ଅନୁଷ୍ଠିତ ହୋଇ ଆସୁଥିଲା । କିନ୍ତୁ ଖ୍ରୀଅ ୩୯୪ ରେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟର ଖ୍ରୀଷ୍ଟାନ ସମ୍ରାଟ ଥିଓଡୋସିଅସ୍ ଏହି ଆୟୋଜନକୁ ପ୍ରାକ୍-ଖ୍ରୀଷ୍ଟ କାଳର ସର୍ବେଶ୍ୱରବାଦିତା ବା ପାଗାନିଜମ୍ ର ଏକ ଅବାଞ୍ଛିତ ଆୟୋଜନ ବୋଲି ବିଚାର କରି ଏହାକୁ ନିଷିଦ୍ଧ ଘୋଷଣା କରିଥିଲେ।
ତାହାପରେ ଅଲମ୍ପିକ୍ସ ଦୀର୍ଘକାଳ ଅଣବସରରେ ରହିଥିଲା।
ଆଧୁନିକ ଯୁଗରେ ଜଣେ ଫରାସୀ ଏହାକୁ ନବକଳେବରରେ ପୁନରୁତ୍ଥାନ କରିବାକୁ ପ୍ରୟାସ କରିଥିଲେ। ସେଇ ଫରାସୀ ସଂଭ୍ରାନ୍ତଙ୍କର ନାଆଁ ଅଲମ୍ପିକ ଖେଳର ଇତିହାସ ରେ ସବୁବେଳେ ଶ୍ରଦ୍ଧାର ସହ ସ୍ମରଣ କରିବା ଉଚିତ। ତାଙ୍କର ନିଷ୍ଠାପର ପ୍ରଚେଷ୍ଟା ଫଳରେ ଆନ୍ତର୍ଜାତିକ ଅଲମ୍ପିକ କମିଟିର ଗଠନ ହୁଏ ଆଉ ଏହା ଗଠିତ ହେବାର ମାତ୍ର ତିନି ବର୍ଷ ପରେ ଅର୍ଥାତ୍ ଖ୍ରୀଅ ୧୮୯୬ ରେ ପାରିସ୍ ଠାରେ ବହୁବର୍ଷର ବ୍ୟବଧାନ ପରେ ଅଲମ୍ପିକ ଖେଳ ଆୟୋଜିତ ହୁଏ ।
ବିଶ୍ୱ ଇତିହାସର ସେଇ ଚର୍ଚ୍ଚିତ ଫରାସୀ କ୍ରୀଡାପୁରୁଷଙ୍କର ନାଆଁ ହେଉଛି,ବାରୋଁ ଦେ କୁବେତିନ୍ ।
ଶାନ୍ତି,ସମନ୍ୱୟ ଆଉ ଶରୀରକୁ ନେଇ ସେଦିନର କୁବେତିନ ଙ୍କର ଯେଉଁ ଉଦଘୋଷଣା ଥିଲା ତାହାକୁ ଗ୍ରୀସୀୟ ଅଲିମ୍ପିବାଦ ଅର୍ଥାତ୍ ହେଲେନିକ୍ ଅଲିମ୍ପିଜମ୍ ର ବିଶ୍ୱ ପ୍ରବେଶ ବୋଲି କୁହାଯାଏ।
Comments are closed.