Latest Odisha News

ସ୍ୱଳ୍ପ ଗଳ୍ପ : ଅଧୀଶ୍ୱରର ଅସୁଖ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୧

ଛବିଳ ରାଜନୀତି ହେଉଛି ଏଇ ଆଲେଖର ମୁଖ୍ୟ ପ୍ରସଙ୍ଗ । ମାତ୍ର ପ୍ରଥମରୁ ଏକଥା ସ୍ପଷ୍ଟ କରିଦିଆଯାଉଛି ଯେ ସମକାଳର ରାଜନୀତି ବା ରାଜନୀତିଜ୍ଞଙ୍କୁ ନେଇ କୌଣସି ତର୍ଜମା ବା ଇଙ୍ଗିତାତ୍ମକତା ଏଥିରେ ଇଚ୍ଛାକୃତ ଭାବରେ ରହିବ ନାହିଁ ।

ତାହାହେଲେ, ଛବିଳ ରାଜନୀତି କାହିଁକି ?ରାଜନୀତି ତ ଏମିତିରେ ସବୁବେଳେ ତ ଛବିଳ,ଛବିଳ ସୁଖବୋଧ।

ଆପଣମାନେ ହୁଏତ ଜାଣିଥିବେ ଯେ ଆମର ବର୍ଣ୍ଣବୋଧକାର ମଧୁ ରାଓଙ୍କର  ବିରଚିତ ଏକ ଶବ୍ଦକୋଷ  ରହିଅଛି। ତାହାର ନାଆଁ “ସୁଖବୋଧ”। ଗୋଟିଏ ସମୟରେ ଏହି  ସୁଖବୋଧ ଶବ୍ଦକୋଷଟିର ପ୍ରଚଳନ ଯଥେଷ୍ଟ ଥିଲା। ଏବେ ଆମ ସାମ୍ନାରେ ଯଥେଷ୍ଟ ଶବ୍ଦକୋଷ ରହିଥିଲେ ହେଁ ଏଇ ପୁରାତନ ସୁଖବୋଧଟି କେଉଁ ଅଜ୍ଞାତ କାରଣରୁ ଅପ୍ରଚଳିତ ରହିଛି।

ଏମିତିରେ ରାଜନୀତି ବିଷୟରେ ଚର୍ଚ୍ଚା କଲାବେଳେ ଏହା ଏକ ସୁଖବୋଧ ର କଥା କହିଥାଏ ଆଉ ଛବିଳ ନହେଲେ କେଉଁ ସୁଖବୋଧର  ଅଧିକ କେଉଁ ପ୍ରାସଂଗିକତା ରହିବ ଯେ ?

ଆମର ସବୁବେଳେ ଛବିଳ ପ୍ରତି ଅଧିକ ଶ୍ରଦ୍ଧା।ଯିଏ ନିଜକଥାକୁ ଯେତେ ଛବିଳ କରି ବଖାଣ କରିପାରିବ ତାହାର ସବୁବେଳେ ଆଦର ଆଉ ଜୟଜୟକାର। ଅବଶ୍ୟ ନିଜକଥାକୁ ଛବିଳ କରିବା ଭଳି ଆତ୍ମମୁଗ୍ଧତାରେ ଅନେକେ ନିଜ ଚାରିପଟରେ ଏପରି ବାଡ ଘେରାଇ ବସନ୍ତି ଯେ ପ୍ରସଙ୍ଗଟିର ଗୋଡଠାରୁ ମୁଣ୍ଡ ଯାଏଁ ଯେମିତି କିଏ ବଡବଡ ପଘାରେ ଘେରାଇ ଚାଲିଛି ଯେ ବିଚରାର ଶ୍ୱାସ ରୁଦ୍ଧ ମାଫିକ ଅବସ୍ଥା।

ନିଜକୁ ନିଜକଥାକୁ ଛବିଳ କରିବା ପ୍ରୟାସରେ ଏହି ଭଳି ପଘା-ନିର୍ମାତାକାରୀଙ୍କୁ ଯଥାସଂଭବ ସଞ୍ଜତ ରହିବା ଦରକାର।

ସେ ଯାହା ହେଉ, ଛବିଳ ରାଜନୀତିର ଏଇ ସ୍ୱଳ୍ପ କଥାର  ଉଲ୍ଲେଖରେ ଏଇଠି କିଛି ଛବିକୁ ନେଇ କିଛି ଚର୍ଚ୍ଚା କରାଯିବ। ସେଇ ଶୀର୍ଷକ ବିହୀନ ଆଉ ଅନେକ କ୍ଷେତ୍ରରେ ଚିତ୍ରକରଙ୍କ ଅଣସ୍ୱାକ୍ଷରିତ ଛବି ଗୁଡିକର ସମୟ ହେଉଛି ଊନବିଂଶ ଶତାବ୍ଦୀର ଆଦ୍ୟକାଳ। ଛବି ଗୁଡିକୁ ଦେଖିଲେ ପ୍ରଥମ ଦେଖାରେ ଲାଗିବ ଯେମିତି ସେଇ ଛବିଗୁଡିକରେ ବେଶ୍ କିଛି ଅସ୍ୱାଭାବାବିକତା ତଥା ଅବାସ୍ତବତା ଉପସ୍ଥିତ ରହିଛି।


ଆମର ଆଲୋଚନାର କେନ୍ଦ୍ର ସେହି ଛବି ଗୁଡିକ ବସ୍ତୁତଃ  ଗୃହପାଳିତ ଗୋମେଷାଦି ପଶୁମାନଙ୍କର ଛବି ମାତ୍ର ଏହା ଗୋମେଷାଦି ପଶୁମାନଙ୍କର ଅଙ୍କନର  ଛବି  ହୋଇଥିଲେ ମଧ୍ୟ  ତାହା ଅବିକଳ  ସେମାନଙ୍କର ଛବି ବୋଲି କାହାକୁ ଲାଗିବ ନାହିଁ। ଲାଗିବ ଜଣେ ଚିତ୍ରକର ଯେମିତି ସେଇ ସବୁ ଛବିରେ  ଗାଈ,ମଇଁଷୀଙ୍କୁ ନିଜର ତୂଳୀର ଆଙ୍କିନାହିଁ ବରଂ ହାତରେ ଗୋଟିଏ କରଣୀ ଧରି ସେଇ ପଶୁକଳେବରର ରଙ୍ଗ ଦେହକୁ ଯେମିତି ପଲସ୍ତରା ଅଧିକ ଚଉଡା କରିଦେଇଛି। ସେଇ ସବୁ ଛବିରେ ଗୋମେଷାଦି ପଶୁମାନଙ୍କର ମୁହଁଟି ମାନ ଆଉ ଗୋଡଟି ମାନ ଯେମିତି ରହିବା କଥା ଠିକ୍ ସେମିତି ରହିଛି ମାତ୍ର ତାହା ସହିତ ସଂଯୁକ୍ତ ଥିବା ଦେହଟି ମାନ ଲିପା ଯାଇ ଯେମିତି ଗୋଟିଏ ଗୋଟିଏ ବିଶାଳ ଆୟତାକ୍ଷେତ୍ର ପାଲଟି ଯାଇଛି।

ଊନବିଂଶ ଶତାବ୍ଦୀର ଆଦ୍ୟ କାଳର ସେଇ ସବୁ ଛବି ଯେଉଁଠି ଗୃହପାଳିତ ପଶୁମାନେ  ବିଷମ ଆୟତାକାର ପାଲଟି ଯାଇଛନ୍ତି,ସେଇ ସବୁ ତୈଳରଙ୍ଗର ଛବି,ସେଇ ସବୁ ସେ ସମୟର ପୋଖତ ଚିତ୍ରକରଙ୍କ ଅଙ୍କିତ ଛବି, ଅଣସ୍ୱାକ୍ଷରିତ ଛବି ।

ଏବେ ତାହାହେଲେ ପ୍ରଶ୍ନ ଉଠିବ, ଜଣେ ବଇନା ଦେଇ ବେଶ ନିଜ ବଟୁଆରୁ ବେଶ୍ କିଛି ପାଣ୍ଠି ବ୍ୟୟ କରି ଦକ୍ଷ ଚିତ୍ରଶିଳ୍ପୀଙ୍କ ହାତରେ ଏଇମିତି  ଅସ୍ୱାଭାବିକ ଛବିରେ ନିଜର ବୈଠକଖାନାକୁ ସୁସଜ୍ଜିତ କରିବାକୁ  ଯାଉଥିଲା କାହିଁକି ?ଏଇ କଥା ବି ସୂଚନା ଯୋଗ୍ୟ ଯେ ଏହା ହେଉଛି ସେପରି ଏକ ସମୟ  ଯେଉଁ  ସମୟରେ ଅର୍ଥାତ୍ ଉନବିଂଶ ଶତାବ୍ଦୀର ଆଦ୍ୟକାଳରେ ସାଧାରଣତଃ ଯେଉଁମାନେ କାନଭାସ୍ ରେ ଅଙ୍କିତ ଛବିର ସମ୍ଭାବ୍ୟ କ୍ରେତା ଥିଲେ ସେମାନେ ବସ୍ତୁତଃ ନିଜର ଘରର କାନ୍ଥକୁ ସଜାଇବା ପାଇଁ  ଛବିର ସୁନ୍ଦରପଣକୁ ପ୍ରାୟତଃ ଉପଯୋଗ କରୁଥିଲେ।ଈଶ୍ୱର,ପୌରାଣିକ ଗାଥା ,ପ୍ରାକୃତିକ ନୈସର୍ଗିକ ଦୃଶ୍ୟରାଜି,ସୁନ୍ଦର ପଣରେ ଆଲୁଳାୟିତ କିଶୋରୀ ଏବଂ ନିଜର ବା ନିଜର ପରିଜନଙ୍କର ବାସ୍ତବବାଦୀ ଛବି ସବୁବେଳେ ସେମାନଙ୍କର ପସନ୍ଦର ତାଲିକାରେ ସେତେବେଳେ ରହୁଥିଲା। ମୁଖ୍ୟତଃ ତାହା ଥିଲା ପୋର୍ଟ୍ରେଟ୍  ର ଯୁଗ। ତାହା ଥିଲା ବାସ୍ତବବାଦିତା ତଥା ପ୍ରାୟବାଦିତା ବା ଏକଜାଟିଚୁଡ୍ ର ସମୟ ଏବଂ ସେଇ ସମୟରେ ଛବିରେ  ଯାହା କିଛି ଅମୂର୍ତ୍ତତା ଅଥବା ଅବାସ୍ତବତାର  ପ୍ରୟୋଗଧର୍ମୀତା ରହୁଥିଲା ତାହା ବିତ୍ତଶାଳୀଙ୍କ କାନ୍ଥ ପାଇଁ ପ୍ରାୟତଃ ଅନୁପଯୁକ୍ତ ବୋଲି ବିବେଚିତ ହେଉଥିଲା । ତାହା ଥିଲା ଛବିରେ ପରୋକ୍ଷ-ଉଲ୍ଲେଖ ବା ଆଲ୍ୟୁଜନ୍ ଏବଂ ଇଙ୍ଗିତ ବା ଜେଶ୍ଚର୍ ର ଅନୁପସ୍ଥିତିର ସମୟ ।

ସେଇ  ସମୟଟି ଥିଲା ସୁନ୍ଦରତା ଆଉ ଭବ୍ୟତାର ସମୟ।

ଅବଶ୍ୟ ସାଧାରଣ ଭାବରେ କହିଲେ ଆମର ଛବିରେ  ସୁନ୍ଦରତା ଆଉ ଭବ୍ୟତାର ସମୟ ସବୁବେଳେ ରହିଆସିଅଛି। ଏହାହିଁ ସବୁବେଳେ ମୁଖ୍ୟଧାରା ଆଉ ଛବିରେ  ଯାହା ଯାହା ବ୍ୟତିକ୍ରମ ଯେଉଁଠି ଘଟିଛି ସେସବୁର ପରିମାଣଗତ  ଆକଳନ କଲେ ତାହା ଅପେକ୍ଷାକୃତ ଭାବରେ ଯଥେଷ୍ଟ କମ୍ ହେବ।

ଏବେ ଫେରିବା ଊନବିଂଶ ଶତାବ୍ଦୀର ସେଇ ବିଷମ ଆୟତାକାର ସଦୃଶ ଗୃହପାଳିତ ପଶୁଙ୍କର ଛବିର ପ୍ରସଙ୍ଗକୁ। ସେହି ବାସ୍ତବବାଦୀ କାଳରେ ଏହି ଭଳି ଅସ୍ୱାଭାବିକ ଚିତ୍ରାଙ୍କନ କୁ ବରାଦ ଦେଇ ନିଜ କାନ୍ଥ ରେ ଟାଙ୍ଗିବା କଥାଟି ଏତେ ସହଜ ଆଉ ଏକ  ସ୍ୱାଭାବିକ ପ୍ରକ୍ରୀୟା ନୁହଁ।ଏହି ଅସ୍ୱାଭାବିକ ଛବି ନିର୍ମାଣ ପଛରେ  ଛବିଳ ରାଜନୀତି ରହିଛି।ଏକ ଛବିଳ ରାଜନୀତିର ଅଂଶବିଶେଷ ହିସାବରେ ସମ୍ପୃକ୍ତ ଚିତ୍ରକରମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା ଯେ ସେମାନେ ଯଥା ସମ୍ଭବ ଏହି ଗୋମେଷାଦି ଗୃହପାଳିତ ପଶୁଙ୍କୁ ଭିନ୍ନ ରୂପ ଦିଅନ୍ତୁ ।ଯେତେ ଅଧିକ ଆୟତାକାର ସେମାନେ ଦିଶିବେ ସେତେ ଭଲ।

ଆପଣ ଜାଣନ୍ତି ଯେଉଁମାନେ କୌଣସି କାରଣରୁ ପ୍ରତିପତ୍ତିଶାଳୀ ହୋଇଥାନ୍ତି   ସେମାନେ ନିଜର ସେହି ପ୍ରତିପତ୍ତିକୁ ପ୍ରଦର୍ଶନ କରିବା ପାଇଁ ସବୁବେଳେ କିଛି ନା କିଛି  ଆଳ ଖୋଜୁଥାନ୍ତି।ସେଇମିତି ନିରବଚ୍ଛିନ୍ନ ପ୍ରଦର୍ଶନ କରିବାରୁ ଯଦି ସେମାନେ ବିରତ ରୁହନ୍ତି ସମ୍ଭବତଃ ସେମାନଙ୍କର ଆଶଙ୍କା ଯେ ତାହା ଫଳରେ ଅନ୍ୟ ସମସ୍ତେ ସେମାନଙ୍କର ଯେଉଁ ୟୁଏସପିଟି ଅର୍ଥାତ୍ ପ୍ରତିପତ୍ତିର ଆଧିପତ୍ୟଟି  ରହିଛି ତାହାକୁ ବିସ୍ମରି ଯିବେ ଆଉ ନିଜର ପ୍ରତିପତ୍ତି ଆଧିପତ୍ୟ ର ସାର୍ବଜନୀକ ବିସ୍ମରଣ  ର ଅର୍ଥ ହେଉଛି ଜଣେ ଅତ୍ୟନ୍ତ ସାଧାରଣ ମଣିଷ ଆକାରରେ ବଦଳି ଯିବାକୁ ବୁଝାଇବ। ଅସାଧାରଣରୁ ସାଧାରଣ ପାଲଟି ଯିବା,ଏଇଟି ହେଉଛି ସବୁ କ୍ଷମତାଧର ମାନଙ୍କର ଆତଙ୍କ।ସେଇଥି ପାଇଁ ସବୁ କ୍ଷମତାଧର ମାନେ ସବୁ ସମୟରେ ନିଜର ଭବ୍ୟତାକୁ ଯେତେ ବହ୍ୱାଡମ୍ବରରେ (ଅବାସ୍ତବ ଭାବରେ  ) ପ୍ରଦର୍ଶିତ କରିପାରିବେ ତାହା ତାଙ୍କର କ୍ଷମତାଶାସ୍ତ୍ରର ପରିପ୍ରେକ୍ଷ୍ୟରେ ସେତେ ଉପଯୋଗୀ ହୋଇ ରହି ପାରିବ। ସେଇଥିପାଇଁ ଜଣେ କ୍ଷମତାଧର ତାହାର ଯେକୌଣସି ସାଧାରଣ କର୍ମକୁ ଆଜିକାର ଭାଷାରେ କହିଲେ  ଉପଯୁକ୍ତ ପ୍ୟାକେଜିଂ କରି ଉପସ୍ଥାପନ କରିବାର କୌଶଳକୁ ସୁଚତୁର ଭାବରେ ବ୍ୟବହାର କରିଥାଏ।

ଏହି ଆୟତାକାର ଗୋମେଷାଦି ଚିତ୍ରସଂପଦ ସେହି ସମୟର ବିତ୍ତଶାଳୀଙ୍କର ନିଜର ପ୍ୟାକେଜିଂ ଷ୍ଟାଇଲ୍ ର ଏକ ଅଂଶବିଶେଷ ଥିଲା।ଅସ୍ୱାଭାବିକ ଏହି ଚିତ୍ର ଗୁଡିକ ଦେଖି ସାଧାରଣ ଲୋକେ ଅନୁମାନ କରିପାରୁଥିଲେ ଯେ ଯାହା ପାଖରେ ଏହି ଭଳି ଆୟତାକାର ଗୋସଂପଦ  ରହିଛି ସେ ନିଶ୍ଚିତ ଅସ୍ୱାଭାବିକ ଭାବରେ ବିତ୍ତଶାଳୀ।

ନିଜକୁ ଅସ୍ୱାଭାବାବିକ ଭାବରେ ବିପଣନ କରିବା ହିଁ ସମସ୍ତ କ୍ଷମତାଧରର ପେଡାଗୋଗି ବା ଶିକ୍ଷା ବିଜ୍ଞାନ। ନାଇଜେରିଆର ପ୍ରସିଦ୍ଧ  ଔପନ୍ୟାସିକ ଏନଗୁଗି ୱା ଥିଆଙ୍ଗୋଙ୍କର ” ୱିଜାର୍ଡ ଅଫ୍ ଦି କ୍ରୋ” ବୋଲି ଗୋଟିଏ ବିପୁଳାୟତନ ଉପନ୍ୟାସ ର ମୁଖ୍ୟ ଚରିତ୍ର ଟି ହେଉଛି ଆବୁବେରିଆ ବୋଲି ଗୋଟିଏ ସ୍ୱାଧୀନ ଗଣରାଜ୍ୟର ଦୁଇ ନମ୍ବର ଏକଛତ୍ରାଧିପତି ଶାସକ।ସେହି ଶାସକ ଜଣକ ଆଦୌ ମନେରଖିପାରିନାହିଁ ଯେ ସେ କେବେ ଠୁ ସେହି “ଗଣରାଜ୍ୟ”ର ଅଧୀଶ୍ୱର। ସେ ଯାହାହେଉ ସେ ବିଭିନ୍ନ ଜନହିତକର କାର୍ଯ୍ୟରେ ବ୍ୟସ୍ତ ଥାଏ ଆଉ ସେଇଥି ମଧ୍ୟରୁ ତାହାର  ଗୋଟିଏ ପ୍ରକଳ୍ପ ହେଉଛି ବାଇବେଲ-ବର୍ଣ୍ଣିତ  ଟାୱାର ଅଫ୍ ବାବିଲୋନ  ଭଳି (ଯାହା ବାଟ ଦେଇ ସ୍ୱର୍ଗରୁ ଈଶ୍ୱର ପୃଥିବୀକୁ ସିଧା ଚାଲି ଆସିବେ ମାତ୍ର ପୃଥିବୀରେ ଭାଷା ଭାଷା ଭିତରେ ପାର୍ଥକ୍ୟ ରହିଥିବାରୁ ସେଇ ନିର୍ମାଣଟି ଅସମାପ୍ତ ରହିଛି ) ଏକ  ଷ୍ଟାଚ୍ୟୁ ଅଫ୍ ଅପରଚୁନିଟି ସଦୃଶ ନିର୍ମାଣ ଯାହା ଫଳରେ ସମସ୍ତେ ସଶରୀରେ ସ୍ୱର୍ଗକୁ ଯିବା ଆସିବା କରିପାରିବେ। ସେଇଥିପାଇଁ ସହାୟତା ଉଦ୍ଦେଶ୍ୟରେ ଆବୁବେରିଆ ଗଣରାଜ୍ୟର ଅଧୀଶ୍ୱରଜଣକ  ପାଣ୍ଠିଲଗାଣ ପାଇଁ  ବିଭିନ୍ନ ଦେଶକୁ କୂଟନୈତିକ ଗସ୍ତ କରୁଛନ୍ତି।

ଯେଉଁ ସବୁ ସ୍ୱାଧୀନ ଗଣରାଜ୍ୟରେ ସାଧାରଣତଃ ଏହିପରି ଅଧୀଶ୍ୱର ମାନେ ରହିଥିବେ ସେଠିକାର ଅଧିବାସୀମାନଙ୍କୁ  ଆବୁବେରିଆ ଭଳି ସ୍ୱାଧୀନ ଗଣରାଜ୍ୟର ଏହି ଅଧୀଶ୍ୱରଙ୍କ କାହାଣୀ ଅତି ଚିହ୍ନା ନିଜର ଖବରକାଗଜ ପଢିବାଭଳି ହୁଏତ ଲାଗିପାରେ ।

କହିବା କଥା ହେଉଛି ଆବୁବେରିଆର ଏହି ବିଖ୍ୟାତ ଅଧୀଶ୍ୱର ଜଣକ ହଠାତ୍ ଏକ ଅସୁଖରେ ଆକ୍ରାନ୍ତ ହୋଇ ପଡିଲେ।ସେହି ଅସୁଖ ର ବିବରଣୀ ସମ୍ପୂର୍ଣ୍ଣ ଗୋପନ ରହିଥିଲା।

ଅଧୀଶ୍ୱରଙ୍କର ସେହି ଅସୁଖଟିକୁ ଚିହ୍ନଟ କରାଯାଇଥିଲା ମାତ୍ର ତାହାର ସାମାନ୍ୟତମ ବିବରଣୀ ସର୍ବସାଧାରଣଙ୍କ ପାଖରେ  ଉପଲବ୍ଧ ନଥିଲା। ନଥିପତ୍ରରେ ତାହା ଥିଲା  କ୍ଲାସିଫାଏଡ୍ ଡକ୍ୟୁମେଣ୍ଟ ,ଟପ୍ ସିକ୍ରେଟ୍। ମାତ୍ର ଆପଣ ଜାଣନ୍ତି କିଛି ଗୋପନୀୟତା ଦିପହର ଆଡକୁ କ୍ରମଶଃ ଏପରି ଉଜ୍ଜଳିଯାଏ ଯେ ପ୍ରଖର ସୂର୍ଯ୍ୟାଲୋକ ବି ତାହା ସାମ୍ନାରେ ମଳିନ ପଡିଯିବ।

ଅଧୀଶ୍ୱରଙ୍କର ସେହି ଅସୁଖଟି ଚିହ୍ନିତ କରାଯାଇ ତାହାର ଗୋଟିଏ ନାମକରଣ କରାଯାଇଥିଲା। ତାହା ଥିଲା,”ଏସ୍ଆଇଇ” ବା ” ସେଲ୍ଫ ଇଣ୍ଡ୍ୟୁସଡ୍ ଏକ୍ସପାନସନ୍” ଅର୍ଥାତ୍ ଆତ୍ମ ପ୍ରରୋଚିତ ବିସ୍ତାର।

ଏହି ଭଳି ଅଧୀଶ୍ୱର ମାନଙ୍କର ଆତ୍ମ ପ୍ରରୋଚିତ ବିସ୍ତାର ର ଅସୁଖ ଶହ ଶହ ଲିଟର ଗଧ ଦୁଗ୍ଧରେ ସ୍ନାନରତା କୁହୁକମୟୀ ସୌନ୍ଦର୍ଯ୍ୟବତୀ କ୍ଲିଓପାଟ୍ରା ହୁଅନ୍ତୁ କି ଏହିଭଳି ଆୟତାକାର ଗୋମେଷାଦି  ଚିତ୍ରସଂପଦର ଅଧିକାରୀ  ଭୂସ୍ୱାମୀ ମାନେ ହୁଅନ୍ତୁ ସବୁଠି ସବୁକାଳରେ ଅଛି କହିଲେ ଅଧିକ ହେବ।

ସବୁ ଅଧୀଶ୍ୱର ମାନଙ୍କର ସେଇ ଗୋଟିଏ ବୋଲି ଅସୁଖ। ଏସ୍ଆଇଇ । ସେଲ୍ଫ ଇଣ୍ଡ୍ୟୁସଡ୍ ଏକ୍ସପାନସନ । ଆତ୍ମ ପ୍ରରୋଚିତ ବିସ୍ତାର।

ଏଇ ଅସୁଖର କଥା ହୁଏତ ଆପଣମାନଙ୍କ ସ୍ମରଣରେ ରହିପାରେ । ଆଶା କରୁଛି।

Comments are closed.