Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଏକ ବିଶେଷ ନିର୍ଦ୍ଦେଶିକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୨

ପ୍ରଥମରୁ କହିବାକୁ ଚାହିଁବି ଏଇ ନିର୍ଦ୍ଦେଶିକା ଭଳି ଏକ ସର୍ବସାଧାରଣ ପାଳନଯୋଗ୍ୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଭଳି ସାମର୍ଥ୍ୟ ଉପସ୍ଥିତ ଲେଖକର ଆଦୌ ତାହାର ତରୁଣକାଳରେ ନଥିଲା ବା ଏବେ ମଧ୍ୟ ନାହିଁ।
ତେଣୁ ଏହାର ପାଠକପାଠିକା ମାନେ ଏହାକୁ ସେମିତି ଗୁରୁତ୍ୱପୂର୍ଣ୍ଣ ଓ ବିଧିସମ୍ମତ ବୋଲି ଗ୍ରହଣ ନକରିବାକୁ ଅନୁରୋଧ।ତଥାପି ଯଦି କେହି ଝଡର ଈଗଲ ଆଉ ଧରଣୀ ର କୃଷ୍ଣସାର ମଧ୍ୟରେ ଏକ ପ୍ରେମ ପୂର୍ଣ୍ଣ ସହାବସ୍ଥାନ ର ଘଡିଟିଏ ଅମୃତକ୍ଷଣ ଭୋଗିବାକୁ ଚାହାଁନ୍ତି ତେବେ ଉପସ୍ଥିତ ଲେଖକ ସେମାନଙ୍କୁ ଯଥେଷ୍ଟ ସାଧୁବାଦ ଦେବା ସହ କହିବାକୁ ଚାହିଁବ ଯେ ଏହି ନିର୍ଦେଶାବଳୀ ର ପ୍ରୟୋଗର ପୂର୍ବ ଓ ପର ଉଭୟ ସମୟର ପ୍ରୟୋଜନୀୟ ସୁରକ୍ଷା ସଂପୂର୍ଣ୍ଣ ବ୍ୟକ୍ତିଗତସ୍ତରୀୟ ହେବା ଉଚିତ୍ ।ଉପସ୍ଥିତ ଲେଖକ କୌଣସି ଅଘଟଣ ପାଇଁ ଦାୟୀ ହେବ ନାହିଁ।

ନିର୍ଦ୍ଦେଶାବଳୀ:

ତାହାର ସାମ୍ନାକୁ ଯାଇ ଆଗ ଛିଡା ହୋଇଯାଅ।

ନିଜର ଉଦ୍ଦେଶ୍ୟ ତାହାକୁ କୁହ ନାହିଁ।

ଚୁମା ଦେବା ପାଇଁ ତାହାର ଅନୁମତି ମାଗ ନାହିଁ।

ତାହାର ଆଖି ଦୁଇଟିକୁ ଯେମିତି ତମେ ସ୍ୱପ୍ନ ଦେଖୁଛ ଠିକ୍ ସେହିଭଳି ଦେଖ।

ତମେ ଇଚ୍ଛା କଲେ ତାହାର ଡାହାଣ ହାତକୁ ନିଜ ଡାହାଣ ହାତରେ ଟିକିଏ ଧରିପାର।

ଏଇ ବିଶେଷ ସମୟରେ ବେଶ୍ କେତେଥର ଦୀର୍ଘଶ୍ୱାସ ଛାଡିବା ଖେଳ ଦୃଷ୍ଟିରୁ ବିଧେୟ।

ନିଜ ସ୍ୱରକୁ ଯେତେ ମଧୁର କରାଯାଇ ପାରିବ ସେମିତି ସ୍ୱରରେ ତମେ ତାହାକୁ କହିପାର ଯେ,ତମର ଗୋଲାପର କଢ ସଦୃଶ ଓଠ ମୋତେ ମନେ ପକାଇ ଦେଉଛି କନ୍ଦର୍ପର ଧନୁର୍ବାଣ।

ତମେ ଯେତେବେଳେ ତାହାକୁ ଏମିତି କହୁଥିବ ଦେଖିବ ସେ ଆଖିମିଟିକା ମାରି ପୂରା ଲାଜେଇ ଯିବ।

ତମର ବାଆଁହାତର ଆଙ୍ଗୁଳିରେ ତାହାର ଚିବୁକକୁ ଟିକିଏ ତୋଳି ଧର।

ତାହାକୁ ଖୁବ୍ ଆସ୍ତେ ଆଲିଙ୍ଗନ କର।

ବ୍ୟସ୍ତ ହୁଅ ନାହିଁ।

ତାହାର ଆଖିକୁ ଦେଖ କେମିତି ପ୍ରେମରେ ଉଜଳି ଉଠିଛି।

ଆଉ ଥରେ ଦୀର୍ଘଶ୍ୱାସ ଛାଡ।

ତାହାପରେ ତମେ ତମର ମୁଣ୍ଡକୁ ନୁଆଁଇଆଣି ତାହାର ଓଠ ନିକଟକୁ ନିଅ।ଅପେକ୍ଷା କର ଏତେ ଶିଘ୍ର ତାହାକୁ ଚୁମା ଦିଅନାହିଁ।

ସେ ଯଦି ଅମୁକ ରାଶିର ଝିଅ ତେବେ ତାହାକୁ ଚୁମା ଦିଅ।

ଏବେ ଆପଣମାନେ ଜାଣିଯାଇଛନ୍ତି ଯେ ଉକ୍ତ ନିର୍ଦ୍ଦେଶାବଳୀ ହେଉଛି “ତମେ ଜାଣ କି ଗୋଟିଏ ଝିଅକୁ କେମିତି ଚୁମା ଦିଆଯାଏ ? ତାହାହେଲେ ଶିଖ” ଭଳି କୌଣସି ଏକ ଅପୋଗଣ୍ଡର ନିର୍ଦ୍ଦେଶିକା,ଯାହାର ମୂଳ ଲେଖାଟିର ଛବି ଏଠାରେ ସଂଲଗ୍ନ କରାଯାଇଛି।

ଏଠାରେ କୌଣସି ଝିଅକୁ ଚୁମା ଦେବାପାଇଁ ଅନ୍ୟାନ୍ୟ ସମସ୍ତ ପ୍ରସ୍ତୁତି ଓ ଦୀର୍ଘଶ୍ୱାସ ସରିବା ପରେ ବି ଚୁମା ଦେବାକୁ ବାରଣ କରାଯାଇଛି।ଯଦି ଝିଅଟି ଏକମାତ୍ର ସର୍ତ୍ତ ପୂରଣ କରୁଥାଏ ତେବେ ସେ ଚୁମାଯୋଗ୍ୟ।ସେହି ଏକମାତ୍ର ଓ ଯେଉଁ ସର୍ତ୍ତକୁ ଚୁମାଯୋଗ୍ୟ ହେବାପାଇଁ ସମସ୍ତେ ପାଳନ କରିବା ଆବଶ୍ୟକ ତାହା ହେଉଛି,ସେ ଲିଷ୍ଟରେଟେଡ୍ ପେପସିନ ଗମ୍ ର ବ୍ୟବହାର।ସବୁ ଝିଅ ଯଦି ଏହି ବିଶେଷ ଲିଷ୍ଟରେଟେଡ୍ ପେପସିନ୍ ଗମ୍ ବ୍ୟବହାର କରିଥାନ୍ତି ତେବେ ସେମାନଙ୍କୁ ଚୁମା ଦିଆଯାଇପାରେ।

ଏହି ଲିଷ୍ଟରେଟେଡ୍ ପେପସିନ୍ ଗମ୍ ଟି ହେଉଛି ଏକ ବିଶେଷ ଚୁଇଙ୍ଗଗମ୍।ଆଉ ସେହି ଚୁଇଙ୍ଗଗମ୍ ର ପ୍ରସାର ପାଇଁ ଏହିଭଳି ଏକ ଅଭିନବ ପ୍ରଚାର ବ୍ୟବସ୍ଥା କରାଯାଇଥିଲା।

ସେହି ପ୍ରଚାର ର ହାଣ୍ଡବିଲ୍ ର ଛବି ଏଇଠି ସଂଲଗ୍ନ।

ଦୁଃଖିତ ,ଏହାକୁ ଆଜି କେହି ଦୟାକରି ଖୋଜିବେ ନାହିଁ।ଏହା ଢେର ଦିନ ତଳର ଅର୍ଥାତ୍ ୧୯୧୧ ମସିହାର କଥା।

କ’ଣ ଆଉ କରାଯିବ ? ଏହି ଭଳି କାର୍ଯ୍ୟରେ ସଫଳତା ଓ ବିଫଳତା ଉଭୟ ପାଇଁ ଦୀର୍ଘଶ୍ୱାସ ବେଶ୍ କାମରେ ଆସେ।

Comments are closed.