ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବିଦ୍ୟାକୁ କରିଲେ ବିବାଦ
ବ୍ୟକ୍ତିକୁ ମିଳେ ଅପବାଦ
ହେଲେ କଳହପରାୟଣ
ଜ୍ଞାନୀଂକ ମାନ ହୁଏ ନ୍ୟୂନ
ଯେ ହୁଏ ସ୍ବଭାବେ କଳିହା
ଖୋଜିପାଏନି ସିଧା ରାହା
କାନେ ଶୁଭିଲେ ‘ ଆହା ଆହା ‘
ତା ମନ ବୁଝେ ‘ ୱାହା ୱାହା ‘
ନିଜକୁ ଯେ ସର୍ବଜ୍ଞ ମଣେ
ଅନ୍ୟକୁ ତୁଚ୍ଛ ବୋଲି ଗଣେ
ତଥ୍ୟାରଣ୍ୟରେ ବୁଲି ବୁଲି
ଜ୍ଞାନ-ଆସ୍ଥାନ ଯାଏ ଭୁଲି
ସ୍ମୃତିକୁ ମଣିଲେ ସଂପଦ
ମନରେ ରହେନାହିଁ ଦ୍ବଂଦ୍ବ
ତାହାର ଦୃଢ଼ ନିଶ୍ଚିତତା
ହୁଅଇ ହାସ୍ୟକର କଥା
ହେଲେ ହେଁ ଉପାଧି ମଂଡିତ
ନୁହେ ସେ ଜ୍ଞାନୀ ବା ପଂଡିତ
ସେ ନିଜେ ହାଡ଼େ ହାଡ଼େ ଜାଣେ
ପ୍ରକାଶ୍ୟେ କେବେ ବି ନ ମାନେ
ନିଜେ ନିଜକୁ ବିଶେଷଣ
ମଂଡିତ କରେ ଯେଉଁ ଜନ
ନିଜ ଉପରେ ତା ବିଶ୍ବାସ
କ୍ରମଶଃ ହେଉଥାଏ ଶେଷ
ନିଜକୁ ଭାବି ସର୍ବଶ୍ରେଷ୍ଠ
ସେ ଦିଏ ନିଜକୁ ହିଁ କଷ୍ଟ
ନିଜେ ନିଜର ପ୍ରଚାରକ
ସାଜି ସାରେ ସମୟତକ
ତାକୁ ଦିଶେ ସଭିଂକ ଖୁଣ
କରେ ନିଜର ଗୁଣ ଗାନ
କାହାକୁ ନ କରି ବିଶ୍ବାସ
କରେ ଆପଣା ସତ୍ତାନାଶ
ପାରସ୍ପରିକ ସହଯୋଗ
ହେତୁ କରିଲେ ଅହଂତ୍ୟାଗ
ପରସ୍ପରଠୁଁ ବୁଝି, ଶିଖି
ଶୁଦ୍ଧ ରୂପେ ପାରିବା ଲେଖି
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.