ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସ୍ମୃତି ତ ଅମୂଲ୍ୟ ସଂପତ୍ତି
ସୂଚାଏ ଜୀବନର ଗତି
ତହିଁରୁ କରିଲେ ନିଷ୍ପତ୍ତି
ହୁଏ ବ୍ୟକ୍ତିର ସର୍ବୋନ୍ନତି
ପୂର୍ବ ବିଫଳତାରୁ ଶିଖି
ଯେ କେହି ଖୋଲିଥାଏ ଆଖି
ଭବିଷ୍ଯତର ସ୍ବପ୍ନ ଦେଖି
ତାହା ସହିତ ରହେ ଲାଖି
ସ୍ମୃତି ଓ ସ୍ବପ୍ନ ଧରି ଲୋକ
ପାଏ ନୂତନ ଜ୍ଞାନାଲୋକ
ଜୀବନ ପଥର ପଥିକ
ରଖେ ତା ସଂକଳ୍ପର ଟେକ
କରିଲେ ସ୍ମୃତି ସଂଚୟନ
ଦିଶଇ ଉତ୍ଥାନ, ପତନ
ସୁସ୍ପଷ୍ଟ ହେଲେ ତା କାରଣ
କର୍ତବ୍ୟ ଆଡ଼େ ଯାଏ ମନ
ସ୍ମୃତିରେ ଥାଏ ଦୁଃଖ, ସୁଖ
ବୋକାମି ସହିତ ବିବେକ
ମଣିଷ ହୋଇଲେ ସତର୍କ
ଅଲୋଡ଼ା ହୁଏ ଯୁକ୍ତି, ତର୍କ
ଅତି ସ୍ମୃତିଆଚ୍ଛନ୍ନ ମତି
ପାରେନି ବେଶି ଭାବି, ଚିଂତି
ବିଗତ ସମୟରେ ବାସ
କରି ସେ ଲଭଇ ଉଲ୍ଲାସ
ଯାହା ଯେତେ ଯେମିତି ଥିଲା
ତାହା ତା ଜୀବନର ଭେଳା
ଯାହା ଯେତେ ଯେମିତି ଅଛି
ସେ ସବୁ ମନୁ ଦିଏ ପୋଛି
ଚଳିତ କାଳରେ ସଂପୃକ୍ତି
ନ ଥିଲେ ଗୁଣୀ, ଜ୍ଞାନୀ ବ୍ୟକ୍ତି
କରଇ ସ୍ମୃତି ସଂଚୟନ
ପାସୋରିପାରେ ବର୍ତମାନ
ବର୍ତମାନରୁ ହେଲେ ଚ୍ୟୁତ
ଗଢ଼ିହୁଏନି ଭବିଷ୍ଯତ
ଥିଲେ ହେଁ ବହୁବିଧ ମତ
ଏହା ତ ସର୍ବଜ୍ଞାତ ସତ୍ୟ
ସ୍ମୃତି ହେଲେ ବି ମୂଳଭିତ୍ତି
ତା ପ୍ରତି ଅଧିକ ଆସକ୍ତି
ପୋଷଣକାରୀ ହେଲେ ବ୍ୟକ୍ତି
କରଇ ଅବିରତ କ୍ଷତି
ସ୍ବାନୁଭୂତି ହିଁ ମୁଖ୍ଯ ସ୍ମୃତି
ବଳରେ ବ୍ୟକ୍ତି କରେ ଗତି
ସେ ନିଜେ ଶିଖେ ନିଜଠାରୁ
ଜନମ ନେବାର ଦିନରୁ
ମାଆ ଥନରୁ କ୍ଷୀର ପିଇ
ଶିଖେ ଓ ରହେ ଏଠି ଜିଇଁ
ଯାହାକୁ ଗଢ଼ିଛି ପ୍ରକୃତି
ଶିଖୁଥାଏ ସେ ଦିନରାତି
ବଡ଼ମାନଂକ କଥା ଶୁଣି
ଶବ୍ଦର ଅର୍ଥ ପାରେ ଜାଣି
କରେ ସେ ନିଜେ ଉଚ୍ଚାରଣ
ବଢ଼ାଏ ନିଜ ଭାଷାଜ୍ଞାନ
ଲୋଡ଼ାପଡ଼େନି ଶିକ୍ଷାଦାତା
ପ୍ରଥମ ଶିକ୍ଷୟିତ୍ରୀ ମାତା
ଭାଷା ଶିଖିସାରିଲେ ଘରେ
ବିଦ୍ୟାଳୟକୁ ଯାଏ ପରେ
ବିଦ୍ୟାଳୟରେ ଲିପି ଶିଖି
ବହି ପଢ଼ି ଓ ଖାତା ଲେଖି
ବାରଂବାର ପୁନରାବୃତ୍ତି
କାମରେ ଲଗାଏ ତା ମତି
Comments are closed.