ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୧
ଭାଷାର ସବୁ ଭାବଭଂଗି
ପୂରିତ ଏ ସାହିତ୍ୟ ଟୁଂଗି
ଏଠି ଅନେକ ଅଂଶଭାଗୀ
କେହି ନୁହଂତି ଭାଷାତ୍ୟାଗୀ
ସ୍ବଭାଷା ଉନ୍ନୟନ ଲାଗି
ଆମେ ସଭିଏଁ ଜ୍ଞାନମାର୍ଗୀ
ବିଶ୍ବାସଧାରୀ କର୍ମଯୋଗୀ
ହୋଇବା ପ୍ରେମାନଂଦ ଭୋଗୀ
ପ୍ରଥମ ଭାଷାକୁ ପାସୋରି
ଆତ୍ମୀୟ କଥାବାର୍ତା କରି
ଚଳିବା ଅଟେ ଅସଂଭବ
ଏ ସତ୍ୟ କରୁଁ ଅନୁଭବ
ବୃତ୍ତି ସକାଶେ ଅନ୍ୟ ଭାଷା
ଶିଖି ଚଳାଉଁ ନିଜ ପେସା
କିଂତୁ ନିଜର ମୂଳ ଭାଷା
କରୁଛି ସଂପର୍କ ସରସା
ଜ୍ଞାନ ଅର୍ଜନ ପାଇଁ ଯାହା
ପଢ଼ୁଁ ଓ ଲେଖୁଁ, ତାହା ସାହା
ହୋଇ ବଢ଼ାଏ ଉଦାରତା
ଯୋଗାଏ ଯୋଗ୍ୟତା, କ୍ଷମତା
ଶିଖିଛୁଁ ଏକାଧିକ ଭାଷା
ବଢ଼ିଛି ଆଶା ଓ ଭରସା
କିଂତୁ ନିଜର ଆଦ୍ୟ ଭାଷା
ନ ଭୋଗୁ ଅଯଥା ଦୁର୍ଦଶା
ଶୁଣି ଅତୀତ କୀର୍ତି ଗାନ
ବିତିଲା ଶୈଶବ, ଯୌବନ
ଏବେ ହେଲାଣି ପ୍ରୌଢ଼ାବସ୍ଥା
ଦେଖୁଛୁଁ ସ୍ବଭାଷା ଅବସ୍ଥା
ପୂର୍ବ ଅପେକ୍ଷା ଅନୁନ୍ନତ
ହୋଇ ସହୁଛି ପ୍ରତିଘାତ
ସଭିଏଁ ହେଉଁ ସେବାରତ
ଉଜ୍ଜ୍ବଳ କରୁଁ ଭବିଷ୍ଯତ
ଏବର ଶିଶୁ ଓ ଯୁବକ
ଶିଖଂତୁ ଭାଷା ଏକାଧିକ
କିଂତୁ ମୂଳ ଭାଷାର ଜ୍ଞାନ
ମୁରବି କରୁଥାଂତୁ ଦାନ
ମାଆଁ ଓ ବାପା ସଚେତନ
ହୋଇ ଶିଖାଂତୁ ଭାଷାମାନ
ପିଲାଏ ହୋଇବେ ନିପୁଣ
ବୁଝିବେ ଭାଷାର ଲକ୍ଷଣ
ବଦଳାଇଲେ ଆନୁଗତ୍ୟ
ସଭିଏଁ ହେବା ଉପକୃତ
ସ୍ବଭାଷା ତ୍ୟାଗ କରି କେହି
ସତରେ ସୁଖୀ ହୋଇନାହିଁ
ମୂଳ ଭାଷାକୁ କରି ରକ୍ଷା
କରିବା ଅନ୍ୟ ଭାଷା ଶିକ୍ଷା
ବହୁ ଭାଷାରେ ହେବା ଦକ୍ଷ
ସମସ୍ତ ଭାଷା ସମକକ୍ଷ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.