ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୮
ଅକ୍ଷର ବୀଜ ପରି ଥାଏ
ମନରେ ଅଂକୁରିତ ହୁଏ
କାର୍ଯର ବଳେ ହୋଇ ବୃକ୍ଷ
ସାଧନ କରିପାରେ ଲକ୍ଷ୍ୟ
ଅନେକ ବୃକ୍ଷ ମିଶି ବନ
ହୋଇ କରଂତି ଫଳ ଦାନ
ଏହା ତ ପ୍ରକୃତି ବିଧାନ
ଏକ ଆରେକ ଠାରୁ ଭିନ୍ନ
ପୋଷିଲେ ସହଯୋଗ ଭାବ
ରହେନି କୌଣସି ଅଭାବ
ଏ ସତ୍ୟ କଲେ ଅନୁଭବ
ଯେ କେହି ବୃକ୍ଷପ୍ରେମୀ ହେବ
ପ୍ରକୃତି ସବୁଠି ସମାନ
ସଂସ୍କୃତି ହୁଏ ଭିନ୍ନ ଭିନ୍ନ
ପ୍ରକୃତି ଦିଏ ଯେଉଁ ଧାନ
ସଂସ୍କୃତି କରେ ତାକୁ ଅନ୍ନ
ପ୍ରକୃତି ଠାରୁ ଯାହା ମିଳେ
ତହିଁରେ କୌଶଳ ଯୋଡ଼ିଲେ
ତୁଳାରୁ ମିଳିଥାଏ ବସ୍ତ୍ର
ମାଟିରୁ ଲୁହା ଆଉ ଅସ୍ତ୍ର
ଧ୍ବନି ବି ଅଟେ ପ୍ରାକୃତିକ
ତାହାକୁ ଅର୍ଥର ବାହକ
କରିବା କୌଶଳ ଆୟତ୍ତ
କଲେ ଭାଷାଟେ ହୁଏ ଜାତ
ଅକ୍ଷର ଧ୍ବନିର ଆଧାର
ଏହାକୁ କରିଲେ ସ୍ବୀକାର
ଭାବନା, ଚିଂତା ହୁଏ ଲେଖି
ଭାଷାକୁ ପାରେ ଜଣେ ଟେକି
ଅଯଥା ନ ରହୁଁ ନିରବ
ଦେଖାଉଁ ଭାଷାର ସ୍ବଭାବ
ବଢ଼ାଉଁ ଅକ୍ଷର ଗୌରବ
ତାହା ହିଁ ଆମର ବିଭବ
ଘଟାଉଁ ଭାବ ବିସ୍ତାରଣ
ଦୁଶ୍ଚିଂତା ଲଭିବ ମରଣ
ଜଗି ରଖିଲେ ଲିପି ବନ
ବ୍ୟାପି ପାରିବ ସବୁ ଜ୍ଞାନ
କେହି ନ ଥିଲେ ଜ୍ଞାନହୀନ
ଏ ବିଶ୍ବ, ସ୍ବର୍ଗ ଭଳି ସ୍ଥାନ
ହେବାଟା ଯେଣୁ ସୁନିଶ୍ଚିତ
ହେବାନି ଆଉ ବିଚଳିତ
Comments are closed.