Latest Odisha News

ଭାଷା ଭାଗବତ : ବ୍ୟକ୍ତିଗତ ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୭

ଏବେ ସଭାକୁ ଯିବା ପାଇଁ
ଆଗ୍ରହ ଅବା ବଳ ନାହିଁ
ତେଣୁ ଘରକୋଣରେ ବସି
ପଢ଼ି ଲେଖି ପାଉଛିଁ ଖୁସି

ଦେଖି କବିଂକ ସକ୍ରିୟତା
ମନରେ ଦୃଢ଼ ହୁଏ ଆସ୍ଥା
ଚାଲିବ ସାହିତ୍ୟର ଧାରା
ସତରେ ହୋଇବ ଅସରା

ଲେଖୁଛିଁ ଭାଷା ଭାଗବତ
ପ୍ରଫୁଲ୍ଲ ହେଉଅଛି ଚିତ୍ତ
ଭାବନା କରି ଶବ୍ଦାୟିତ
ନିଜେ ହେଉଛିଁ ଆନଂଦିତ

ଶବ୍ଦ ହିଁ ମୂଲ୍ୟଯୁକ୍ତ ଧନ
ଚଳାଇଥାଏ ମୋର ମନ
ଭାବନା ହେଲେ ଶବ୍ଦାଶ୍ରିତ
ମିଳିଲା ସତେ କି ଅମୃତ

କଥା ଓ ଲେଖା ଉତ୍ପାଦନ
କାର୍ଯରେ ସୁଦକ୍ଷ ନିପୁଣ
ହୋଇଲେ ଭାଷାଭାଷୀଗଣ
ଘଟେନି ସାହିତ୍ୟ ଉତ୍‌ଥାନ

ଲେଖିଚାଲିଲେ ଯଂତ୍ର ପରି
କେବଳ ଭୋକ ଦୂର କରି
ହୁଏ ଅଧିକ ପ୍ରକାଶନ
ଭାଷାର ମାନ ହୁଏ ନ୍ୟୂନ

ଏବେ ମୁଁ ଭାଷଣ କାତର
କଥା କହିବା ପାଇଁ ଡର
କାଳେ ଘଟିବ ଅର୍ଥାଂତର
ତେଣୁ ମୁଁ ଲେଖୁଛିଁ ଅକ୍ଷର

ଯଦି କେ ପାଏ ଉପକାର
ତାହା ହିଁ ମୋର ପୁରସ୍କାର
ପାଠକେ ଘେନ ନମସ୍କାର
ମୁହିଁ ମୋ ଭାଷାର ଚାକର

ସମୟ ଯାଉଅଛି ବିତି
ଗଣିନି ଲାଭ କିଂବା କ୍ଷତି
ଏହା ମୋ ଦ୍ବିତୀୟ ପ୍ରକୃତି
ତହିଁରେ ରହିଅଛିଁ ମାତି

ସ୍ବଜନ ଆଉ ପରିବାର
ଅବିକା ମୋହର ସଂସାର
ବାସସ୍ଥାନ ମୋହର ବିଶ୍ବ
ନିଜକୁ ମଣେନାହିଁ ନିଃସ୍ବ

ଭିତରୁ ମିଳିଲେ ପ୍ରେରଣା
ଆରଂଭ କରେଁ ଶବ୍ବ ବୁଣା
ହୋଇ ଏପରି ଶବ୍ଦଚାଷୀ
ପାଉଛିଁ ସୁପ୍ରଚୁର ଖୁସି

Comments are closed.