ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୩
ଅବ୍ଦ ପରେ ଆସୁଛି ଅବ୍ଦ
ତେବେ ବି ଭାଂଗୁନାହିଁ ନିଦ
ଅପୂର୍ବ ସ୍ବଭାଷୀ ସଂତାନ
କରଂତି ନିଶ୍ଚିଂତ ଶୟନ
ଯେଉଁ ରୀତି, ପଦ୍ଧତି ଧରି
ଭାଷା ହୋଇଛି ଏହିପରି
ସେ ସବୁ ପାରୁନାହୁଁ ଛାଡ଼ି
ସ୍ବଭାଷା ରହିଅଛି ପଡ଼ି
ମନରେ ପୋଷି ବୃଥା ଡର
ହେଉନୁ ସଂସ୍କାର ତତ୍ପର
ଭାଷାକୁ କରି କଷ୍ଟକର
ପାଉନୁ ସମୂହ ଆଦର
ଲୋଡ଼ା ଥିଲେ ହେଁ ନୂଆ ରୀତି
ବୁଝୁନି ସୁଜନଂକ ମତି
ଯାହାର ଯେତେ ପ୍ରତିପତ୍ତି
ସେ କରେ ସେତେ ବେଶି କ୍ଷତି
ବ୍ୟକ୍ତି ହୋଇଲେ ପଦାସୀନ
ପାଏ ଅନେକ ନିମଂତ୍ରଣ
ସଭାରେ ଆସନ ମଂଡନ
ଆଡ଼କୁ ଦିଏ ବେଶି ଧ୍ୟାନ
ଏହି ରୀତିର ଅବସାନ
ନ ହେଲେ ଭାଷା ଉନ୍ନୟନ
କେବଳ ନିରର୍ଥକ ସ୍ବପ୍ନ
ବୁଝିପାରୁନି ଲୋକ ମନ
ଭାଷା ହେଲାଣି କ୍ଷୀଣପ୍ରଭ
ତେବେ ବି ଯଶପ୍ରାପ୍ତି ଲୋଭ
କେହି ତ କରୁନି ବର୍ଜନ
ଭାଷଣ ଚାଲେ ରାତିଦିନ
ଭାଷଣପ୍ରିୟ ଏହି ଜାତି
ବଚନ ବିଳାସରେ ମାତି
କରିସାରିଛି କେତେ କ୍ଷତି
ହୋଇନି ଏଯାଏଁ ଗଣତି
କେବେ ଭାଂଗିବ ଏହି ନିଦ
ସ୍ବଭାଷା ହେବ ନିରାପଦ
ଜାଣିପାରୁନି ମୁଁ ନିର୍ବୋଧ
କରିଜାଣେନି ପ୍ରତିବାଦ
Comments are closed.