ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୫
ଏକ ନୁହେ ମୁଁ, ଏକାଧିକ
ଅଂଶ ଗଠିତ ଜଣେ ଲୋକ
ମୋର ପ୍ରତ୍ୟେକ ଜୀବକୋଷ
କରଂତି ସୃଷ୍ଟି ଓ ବିନାଶ
ମୋର ପୂର୍ବପୁରୁଷଗଣ
ମୋ ଦେହେ କରି ଅବସ୍ଥାନ
ଦିଅଂତି ସୁଗୁଣ ଦୁର୍ଗୁଣ
ମୁଁ କରେଁ ସେ ସବୁ ଧାରଣ
ନିଜକୁ ଏକ ବୋଲି ଭାବି
ମୁଁ କେବେ ହୋଇନାହିଁ ଗର୍ବୀ
ହୋଇଥିବାରୁ ମୁହିଁ ବହୁ
ବାଣୀ ବଦଳେ କହୁଁ କହୁଁ
ଅନେକ ଭାଷା ଆସି ପଶି
ରହଂତି ମୋ ମନରେ ମିଶି
ସଭିଏଁ ମୋ ପାଇଁ ସମାନ
କରଂତି ବ୍ୟକ୍ତିତ୍ବ ବର୍ଧନ
ମିଶ୍ରିତ ଭାଷା ଲେଖି କହି
ସଂସାରେ ବାସ କରେଁ ମୁହିଁ
ବିଭିନ୍ନତାକୁ ମାନିନେଇ
ରହିଛିଁ ଜିଇଁ ଓ ଜିଆଁଇ
ବିଚିତ୍ରତାର ସମାହାର
ଯେହେତୁ ଦେହ, ମନ ମୋର
ସବୁକୁ କରି ମୁଁ ସ୍ବୀକାର
ହୋଇଛିଁ ସଂକ୍ଷିପ୍ତ ସଂସାର
ଯେଣୁ ମୁଁ ଚଳମାନ ବିଶ୍ବ
ହୋଇଯାଇନି କେବେ ନିଃସ୍ବ
ଘଟୁଛି ବୃଦ୍ଧି ଓ ସମୃଦ୍ଧି
ବଢ଼ୁଛି ଜ୍ଞାନ ସହ ବୁଦ୍ଧି
ବହୁସ୍ତରୀୟ ମୋର ସତ୍ତା
ଦେଇଛି ମୋତେ ନିରାପତ୍ତା
ଶୁଦ୍ଧତା ସହ ଅଶୁଦ୍ଧତା
ମିଶ୍ରିତ ମୋର ଲେଖା, କଥା
ଜଟିଳତାରୁ କଲେ ମୁକ୍ତ
ସ୍ବଭାଷା ହୋଇବ ଆଦୃତ
ଏ ମତ ହେଲେ ସୁଦ୍ଧା ସତ
ଲୋକେ ଜଟିଳତାର ଭକ୍ତ
ମୁଁ ଯେଣୁ ନୁହେଁ କେବେ ଏକ
ମୋହର ସ୍ବରୂପ ଅନେକ
ବଦଳୁଥାଏ ପ୍ରତି କ୍ଷଣ
ଏମିତି ହୋଇଛି ଜୀବନ
ଜଟିଳତାକୁ ସଂରକ୍ଷଣ
ଦେବା ଯେହେତୁ ଅକାରଣ
ସରଳ ସ୍ପଷ୍ଟ ବାକ୍ୟମାନ
ବୁଝଂତି ଜନସାଧାରଣ
ଶୁଣିନି ଯଦି କେବେ କାନ
ସେ ଶବ୍ଦ ନ କଲେ ଲିଖନ
ଦୁର୍ବୋଧ୍ୟତାର ଚିହ୍ନ ବର୍ଣ
ଭାଷାରୁ ହୁଏ ଅଂତର୍ଧାନ
Comments are closed.