ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯
ସ୍ବାନୁଭୂତିରୁ ଜ୍ଞାନ ପାଇ
ସୁଖେ ସଂସାରେ ରହିଥାଇ
ଅର୍ଜିବା ଅଂତରଂଗ ଶାଂତି
ଏହା ହିଁ ଜୀବନ ସଂସ୍କୃତି
ମନକୁ କଲେ ଯୁଦ୍ଧକ୍ଷେତ୍ର
ଫିଟିବନାହିଁ ଜ୍ଞାନନେତ୍ର
ଆମର ନିଷ୍କାମ ସାଧନା
କରିବା କଟକଣା ବିନା
ମନର ସ୍ପଷ୍ଟ କଥା ଲେଖି
ନିଜେ ହିଁ ପାରିବା ନିରେଖି
ଭାଷା ସହିତ ହୋଇ ଯୋଡ଼ି
ଲଂଘିବା ଧୂମିଳ କୁହୁଡ଼ି
ସଦ୍ଭାବ, ଶ୍ରଦ୍ଧା ଆଉ ପ୍ରୀତି
ଯେହେତୁ ଅତୁଲ୍ୟ ସଂପତ୍ତି
ସେ ସବୁ ରଖିଲେ ସଂଭାଳି
ସର୍ବେ ପାରିବା ସୁଖେ ଚଳି
ସର୍ଜନ କଲେ ଭାଷାକୃତି
ଦୁର୍ଲଭ ନୁହେ ଶୁଦ୍ଧ ତୃପ୍ତି
ତୃପ୍ତ, ସଂତୁଷ୍ଟ ଜନମନ
କରଇ ସୁକୃତି ସର୍ଜନ
ମୁଖକୁ କରିଲେ ମୁଖର
ସଂଧାନ ମିଳେନି ସୁଖର
ଯୋଡ଼ିଲେ ଭାଷାର ଅକ୍ଷର
ସମୃଦ୍ଧ ହୁଏ ଏ ସଂସାର
କଥିତ ସ୍ତରରୁ ଲିଖିତ
ହେବାକୁ ଲୋଡ଼ା ମୌନବ୍ରତ
ଆଗ୍ରହେ ସ୍ବେଚ୍ଛାରେ ପାଳିତ
ହେଲେ ହିଁ ଭାଷା ସମୁନ୍ନତ
ମୁଁ ନିଜେ ଜାଣିନାହିଁ ସବୁ
ବାରଂବାର ଏ କଥା ଭାବୁଁ
ଅନ୍ୟମାନଂକୁ ପଢ଼ି, ଶୁଣି
ପାରିବା ବହୁ କଥା ଜାଣି
ଗୋଟେ ଦେହରେ ବହୁ ମନ
କରଂତି ଯେଣୁ ଅବସ୍ଥାନ
ମନରୁ ହଟାଇବା ଭିଡ଼
ଆପେ ଉଭେଇଯିବ ଝଡ଼
ଯାହା ଭାବୁଛୁଁ ଦେଉଁ କରି
ଜାଣିନୁ କେବେ ଯିବା ସରି
ସର୍ବଦା ହେଉଁ କର୍ମରତ
ମନକୁ କରୁଁ ସ୍ଥିର ଶାଂତ
ଶାଂତି ଦୂରେଇଦିଏ କ୍ଳାଂତି
ମନରୁ ଯାବତୀୟ ଭ୍ରାଂତି
ଏହି ଧାରାରେ ଜଣେ ବ୍ୟକ୍ତି
ଘଟାଏ ବିଶ୍ବର ଉନ୍ନତି
Comments are closed.