Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୪

ଯାହାର ଯେପରି ଧାରଣା
କରି ସେପରି ବିବେଚନା
ଦିଅଂତି ମତ ଓ ମଂତବ୍ୟ
ଲୋକେ କରଂତି ସ୍ବକର୍ତବ୍ୟ

ସବୁ ଲୋକଂକୁ ନିୟଂତ୍ରଣ
କରିବା ଭଳି ବିଧି, ଜ୍ଞାନ
କେ କରିପାରେ ପ୍ରଚଳନ ?
ସେ ପରମାତ୍ମା ଭଗବାନ

ଭାଷା ଲୋକଂକ ଦ୍ବାରା ଗଢ଼ା
ଲାଗିରହିଛି ଛଡ଼ା, ଯୋଡ଼ା
ଯାହା ବି ଯାହାକୁ ଅଲୋଡ଼ା
ହୁଏ ତା ଆପେ ଲୋକଛଡ଼ା

କଲେ ଅନ୍ୟର ମୂଲ୍ୟାଂକନ
ଘଟିପାରେନି ଉନ୍ନୟନ
ସଭିଏଁ ନିଜ ମତ ଧରି
ଭାଷାକୁ ବ୍ୟବହାର କରି

ସଂଭାଳି ରଖିଥିଲେ ଶାଂତି
ସଂଭବ ହୋଇଥାଏ କ୍ରାଂତି
ମନରୁ ଦୂର କଲେ ଭ୍ରାଂତି
ଅନାବଶ୍ୟକ ତର୍କ, ଯୁକ୍ତି

ଅମୂଲ୍ୟ କାଳ କରି କ୍ଷୟ
ଲଂଘିଲେ ନିଜର ବଳୟ
ହୁଏନି ବ୍ୟକ୍ତିର ବିଜୟ
ଅଯଥା ଶକ୍ତି ଅପଚୟ

ଜଣେ ଲେଖିଲେ, ପଢ଼େ ଜଣେ
ଏକାକୀ ରହି ଘରକୋଣେ
ସମଗ୍ର ଭାଷାର ବିଚାର
କେହି କରେନି ବାରଂବାର

ଯେ ଯାହା କରେ ଭାଷା କାର୍ଯ
ସେ ଚାହେଁ ତାହା ହିଁ ସ୍ବୀକାର୍ଯ
ହେଉ ଏ ଭାଷାରେ ସର୍ବଦା
କେବେ ନ ପଡ଼ୁ କିଛି ବାଧା

ଭିନ୍ନ ମତକୁ ଅସ୍ବୀକାର
କରି ଚାଲିଲେ ନିରଂତର
ବ୍ୟକ୍ତି ପାଲଟେ ମୌଳବାଦୀ
ସଂଭାଳିଥାଏ ନିଜ ଗାଦି

ଗାଦିରେ ବସିଥିବା ଲୋକ
ମଥାରେ ପାଳି ଯଶ-ଭୋକ
ହୋଇଲେ ମାଲିକ, ସ୍ତାବକ
ପାସୋରିପାରେ ଲୋକବାକ

ସ୍ଥିର ଜ୍ଞାନ ସହିତ ବାସ
ଯୋଗୁଁ ସାହସ କଲେ ନାଶ
ଲୋକଂକୁ ଦେଉଥାଏ ଗାଳି
ପାରେନି ବ୍ୟକ୍ତିତ୍ୱ ସଂଭାଳି

 

Comments are closed.