Latest Odisha News

BREAKING NEWS

ଭାଷା ଭାଗବତ : ଗୁରୁଂକ ପଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୭

ମୋ ଗୁରୁ ଦେଇଛଂତି କହି
” ସଦା ପଢ଼ିବ ମୂଳ ବହି
ସେହି ବିଷୟେ ଅନ୍ୟ କେହି
ଲେଖିଥିଲେ ପଢ଼ିବନାହିଁ

ବହିକୁ ପଢ଼ି ବହୁ ଥର
ବୁଝିବ ଗୁଣାଗୁଣ ତା’ର
ତାହା ହିଁ ହେବ ତୁମ ମତ
ପଠନ-ଆଧାରିତ ସତ

ଅନ୍ୟ କାହାର ମତ ଜାଣି
ନେବନି ସତ ବୋଲି ମାନି
ନିଜେ କରିବ ଆବିଷ୍କାର
ଗ୍ରଂଥର ଅଂତର୍ଗତ ସ୍ବର

ସେ ସ୍ବର ତୁମର ଉତ୍ତର
ହେଲେ ବି, ତାହା ବହୁ ଥର
ଆଦୌ ନ କରିବ ଲିଖନ
ବଢ଼ିବ ଉତ୍ତରର ମାନ

ମୂଳ ପୁସ୍ତକ ସହ ରହି
ତହିଁରୁ ଭାବ, ଜ୍ଞାନ ପାଇ
ଆନଂଦେ ଜିଇଁବ ଜୀବନ
ତାହା ଉତ୍ତମ ଅଧ୍ୟୟନ

ଆଦର୍ଶ, ଔଚିତ୍ୟ ବିଧାନ
ଯେହେତୁ ସ୍ବେଚ୍ଛାଚାରୀ ଗୁଣ
ସେ ସବୁ କରିବା ବର୍ଜନ
ନୁହେ କେବେ ଅସମୀଚୀନ

ତୁମେ ତ ଜନ୍ମରୁ ସ୍ବାଧୀନ
ଏ ସ୍ବାଧୀନତା ସଂରକ୍ଷଣ
ପ୍ରତି ନ ଦିଅ ଯଦି ଧ୍ୟାନ
ହେବ ଅଯଥା ପରାଧୀନ

ସ୍ବାଧୀନ ହୋଇ, ଗଲେ ହଜି
କାହାକୁ ପାଇବନି ଖୋଜି
ନିଜକୁ ନିଜେ ଗଢ଼ି, ଭାଂଗି
ହେବ ନିଜର ପ୍ରିୟ ସଂଗୀ

ନିଜ ସହିତ ହୋଇ କଥା
ଭାଂଗିବ ନିଜ ନିରବତା
ତୁମର ଭାବନା ଓ ଚିଂତା
ଅଳପ ଉଭା, ବେଶି ପୋତା

ତୁମର ଚିତ୍ତରେ ସାହିତ୍ୟ
ଆପେ ହୋଇବ ସମାହିତ
ହୁଅ କି ନ ହୁଅ ଆଦୃତ
ବୁଝିପାରିବ ନିଜ ସତ ”

ଗୁରୁ କଥିତ ପଦାବଳି
ମଧ୍ୟରୁ ଗୋଟାକେତେ ପାଳି
ପଢ଼ି ଓ ଲେଖି ଯାଏଁ ଚଳି
ହୋଇଛିଁ ନିଜେ ନିଜ ଭଳି

Leave A Reply

Your email address will not be published.