Latest Odisha News

BREAKING NEWS

ଅନୁବାଦ କବିତା : ଆକାଶ

ସ୍ପେନ୍ ଦେଶର କବି ଉଆନ୍ ରମୋନ ହିମେନେଜଙ୍କ ଜନ୍ମ ୧୮୮୧ ମସିହାରେ। ରୁବେନ ଡାରିଓଙ୍କ ନେତୃତ୍ୱରେ ସେ ଓ ଅନ୍ୟକିଛି କବି/ଲେଖକ ସ୍ପେନ୍ ର ସାହିତ୍ୟକ ନବଜାଗରଣର ପୁରୋଧା ଥିଲେ। ତାଙ୍କର ଆଦ୍ୟକାଳର କବିତାମାନ ଜର୍ମାନୀର ରୋମାଣ୍ଟିକ ଓ ଫ୍ରାନ୍ସ ର ସାଙ୍କେତିକ ପ୍ରୟୋଗ ଦ୍ଵାରା ପ୍ରଭାବିତ ହୋଇଥିଲେ ମଧ୍ୟ ପରବର୍ତ୍ତି କାଳରେ କିଛିଟା ଧାର୍ମିକ ଚିନ୍ତାଧାରା ତାଙ୍କ କବିତାରେ ପ୍ରବେଶ କରିଥିଲା। ବିଂଶ ଶତାବ୍ଦୀ ସ୍ପେନର ଏହି ସୁପ୍ରସିଦ୍ଧ କବି ୧୯୫୬ ମସିହାରେ ସାହିତ୍ୟ ରେ ନୋବେଲ ପୁରସ୍କାର ପାଇଥିଲେ।

ମୂଳ ରଚନା : ଉଆନ୍ ରମୋନ ହିମେନେଜ 

ହେ ଆକାଶ
ମୁଁ ପ୍ରାୟ ତୁମକୁ ଭୁଲିଯାଇଥିଲି
ଏବଂ ତୁମେ ଥିଲ ଆଲୋକରୁ ସୃଷ୍ଟ
କେବଳ ଏକ ଅନିର୍ଦ୍ଧିଷ୍ଟ ସ୍ଥିତି ।

ମୁଁ ଚିନ୍ତାଶୂନ୍ୟ ଭାବେ
ତୁମକୁ କେବଳ ଦେଖିଥିଲି
କ୍ଳାନ୍ତ ଓ ନିରର୍ଥକ ନୟନରେ ।

ତା’ପରେ ତୁମେ ପୁଣି
ରୂପ ନେଲ କେଉଁ ଏକ ପଥିକର
ଅଳସ ଓ ଉତ୍ସାହହୀନ କାହାଣୀରେ
ଏବଂ ସ୍ବପ୍ନ ଓ ଜାଗରଣ ମଝିରେ
ବାରମ୍ବାର ଦେଖୁଥିବା
ଏକ ଜଳୀୟ ଦୃଶ୍ୟପଟରେ
ହ୍ରଦ ଗୁଡ଼ିକର ପ୍ରତିବିମ୍ବରେ ।

କିନ୍ତୁ ବର୍ତ୍ତମାନ ମୁଁ ତୁମକୁ
ଠିକ୍ ଉପଲବ୍ଧି କରି ପାରିଛି
ଏବଂ ତୁମେ ତୁମ ନାମର
ସାର୍ଥକତା ପ୍ରତିପାଦନ କରିଛି।

ଅନୁବାଦ: ମନୋରଞ୍ଜନ ହୋତା

Leave A Reply

Your email address will not be published.