Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୪

ଜୟ ଜଗନ୍ନାଥ, ଓଁ ନମୋ, ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଅନ୍ୟତମ ତୀର୍ଥ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସମନ୍ଧରେ ସ୍କନ୍ଦ ପୁରାଣରେ ବିଷଦ ଭାବରେ ବର୍ଣନା ଅଛି। ବିଶେଷତଃ ପଞ୍ଚୁତୀର୍ଥ ସମୟରେ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ପଞ୍ଚ ତୀର୍ଥ ସ୍ନାନ ଅବସରରେ ବ୍ରତଧାରୀମାନେ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦଶୀରେ ଏହି ତୀର୍ଥର ସ୍ଥାନଧିପତି ନୃସିଂହ ମହାପ୍ରଭୁଙ୍କୁ ପାର୍ଥନା ପୂର୍ବକ ତୀର୍ଥବରଙ୍କୁ ମଧ୍ୟ ପାର୍ଥନା କରି ସ୍କନ୍ଦ ପୁରାଣ ବର୍ଣ୍ଣିତ ଶ୍ଳୋକ ପାଠ କରି ତୀର୍ଥ ସ୍ନାନ କରିବେ ।

“ସ୍ନାତୁଂ ତବାଗତଃ ପୁଣ୍ୟେ ସର୍ବତୀର୍ଥ ମୟେ ଜଳେ, ପୂର୍ବଜନ୍ମ ସହସ୍ରୋତଂଥ ପାପଂ ସ୍ନାନlଦ ବିମୋଚୟ ।” ଏହି ମନ୍ତ୍ର ସହ ସରୋବର ଜଳ ମଧ୍ୟରେ ପ୍ରବେଶ କରି ପଞ୍ଚବlରୁଣ ମନ୍ତ୍ର ଓ ଅଘମଷର୍ଣ ସୂକ୍ତ ତ୍ରିବାର ପାଠ କରି ତ୍ରିବାର ମୁଣ୍ଡ ବୁଡାଇ ସ୍ନାନ କରିବେ। ଏହାପରେ ବିଷ୍ଣୁ ଗାୟତ୍ରୀ ମନ୍ତ୍ର ପାଠ ପୂର୍ବକ ଶ୍ରୀ ନୃସିଂହଙ୍କୁ ଧ୍ୟାନ କରିବେ। ଦେବତା, ଋଷି ଓ ପିତୃପୁରୁଷଙ୍କୁ ଜଳ ତର୍ପଣ କରି, ଶ୍ରୀନିଳକଣ୍ଠ ମହାଦେବ ଙ୍କୁ ଦର୍ଶନ କରିବା ପରେ, ପଶ୍ଚିମlମୁଖୀ ନୃସିଂହ ଙ୍କୁ ଅଥର୍ବ ମନ୍ତ୍ରରେ ଅର୍ଚ୍ଚନା କରିବେ। ଏହି ସିଦ୍ଧମନ୍ତ୍ର ନାରଦ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ପ୍ରଦାନ କରିଥିଲେ ।

ଯେହେତୁ ଏହି ତୀର୍ଥର କ୍ଷେତ୍ରlଧିପତି ସ୍ୱୟଂ ନୃସିଂହ ମହାପ୍ରଭୁ, ତେଣୁ ତାଙ୍କୁ ପାର୍ଥନା ପୂର୍ବକ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଳ ଓ ଅର୍ଘ୍ୟ ପ୍ରଦାନ କରିବା ଅତ୍ୟନ୍ତ ପୁଣ୍ୟ ଦାୟକ । “କ୍ଷେତ୍ରାଧିପ ନମସ୍ତେତୁ ନାରସିଂହ ମହାବଳମ୍, ଚକ୍ରପିନାକ ହସ୍ତାୟ ଅଭୟବର ଧlରିଣେ,
ନମସ୍ତେ ତୀକ୍ଷ୍ଣ ଦଂଷ୍ତ୍ରାୟ ବ୍ୟାଳ ଯଂଗ୍ୟୋପବିତିନେ, ଯଜ୍ଞ ରୂପାୟତେ ନିତ୍ୟଂ ଲଷ୍ମୀନାଥ ନମୋନମଃ। ଏହାତ ପଞ୍ଚତୀର୍ଥ ସ୍ନାନ ସମୟରେ ପାଳିତ ବିଧି। ଆଗକୁ ଶ୍ରୀଗୁଣ୍ଡିଚା ସମୟରେ ପାଳିତ ସ୍ନାନ ଵିଧି ବିଷୟରେ ଆଲୋଚନା କରିବା। ଏବେ ଆରାଧନା ଓ ଭାଗବତ ପଠନ ସମୟ।

ମୋତେ ଭଜନ୍ତି ପ୍ରାଣୀ ଯେତେ
ସୁଖେ ତରନ୍ତି ସେ ନିଶ୍ଚିନ୍ତେ ।

ଜନ୍ମ ମରଣେ ନାହିଁ ଭ୍ରାନ୍ତି
ହେଳେ ସଂସାରୁ ତରିଯାନ୍ତି ।

ବିଷୟ ସୁଖେ ଯାର ଚିତ୍ତ
ମୋର ଭଜନେ ସେ ବଞ୍ଚିତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.