ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୧
ନିଜକୁ କବି ମନେ କରି
ଭାଷାରେ ଭାବ ଦେଲେ ଭରି
ତାହା କବିର ନିଜ ଚିଂତା
ଶବ୍ଦରେ ଗଠିତ କବିତା
ତହିଁରେ ଲୁଚିଥିଲେ ଭାବ
ପାଠକ କରେ ଅନୁଭବ
ଘଟିଲେ ତା’ର ଭାବାଂତର
କବିତା ହୁଏ ପାଠକର
କବିର ବିଶିଷ୍ଟ ସ୍ବାକ୍ଷର
ପାଠକ ଦେଖି ବାରଂବାର
କବିତା କରିଲେ ସ୍ବୀକାର
କବି ବି ହୁଏ ସଭିଂକର
ସ୍ଥାନୀୟ ଭାଷା ଶବ୍ଦ ଧରି
ତହିଁ ମାନବ ଭାବ ଭରି
ବିଶ୍ବସାଗର ହୁଏ ପାରି
କବିତ୍ବ ଚିତ୍ତପ୍ରଜ୍ଞାଧାରୀ
ଧ୍ୟାନସ୍ଥ କବି ହୁଏ ଯୋଗୀ
ସକଳ ଭାବ ଅନୁରାଗୀ
ନ ହୋଇ କାହା ପ୍ରତିଯୋଗୀ
ହୁଏ ଅଭିଜ୍ଞ ସହଭାଗୀ
ସ୍ବାନୁଭୂତି ହିଁ ତା’ର ପୁଂଜି
ଶବ୍ଦାରଣ୍ୟର ମୂଳ ମଂଜି
ମନୋଭୂମିରେ ଦେଇ ଖଂଜି
ପାରେ ସେ ସବୁଠି ବିରାଜି
ଶବ୍ଦକୃପଣ, ଭାବଧନୀ
ସ୍ବଭାବ ଅବିରତ ଘେନି
ଜନତା ମଧ୍ୟରେ ଏକାକୀ
ଥାଇ ହୁଏ କାଳର ସାକ୍ଷୀ
ଏପରି କବିତା ସର୍ଜନ
ଆଡ଼କୁ ଗଲେ ବେଶି ଧ୍ୟାନ
ସ୍ଥଳ ଓ କାଳ ସୀମା ଟପି
କବିତା ହୁଏ ବିଶ୍ବବ୍ୟାପୀ
Comments are closed.