ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୪
ଭାଷାର ନାହିଁ ଜନ୍ମଦିନ
ତାହା ମନର ଉଦ୍ଭାବନ
ଧ୍ବନି ଓ ରୂପ ଭିନ୍ନ ଭିନ୍ନ
ହେବା ତହିଁର ମୁଖ୍ୟ ଗୁଣ
ସଂପର୍କ ରହିଲେ ପ୍ରଭାବ
ଗ୍ରହଣ କରିବା ସ୍ବଭାବ
ଯେଣୁ ଭାଷାର ଅଂତର୍ଗତ
ପ୍ରତ୍ୟେକ ଭାଷା ସମନ୍ବିତ
ବହୁ ଉତ୍ସରୁ ଶବ୍ଦ ଆସି
ଭାଷାରେ ରହିଲେ ବି ମିଶି
ପଦ ଓ ବାକ୍ୟର ଗଠନ
ସୂଚାଏ କ’ଣ କେତେ ଭିନ୍ନ
ଏକ ଭାଷାର ପ୍ରଚଳନ
ଅଟେ କେବଳ ଦିବାସ୍ୱପ୍ନ
ନିଜର ବୈଶିଷ୍ଟ୍ୟ ରକ୍ଷଣ
କରଂତି ସ୍ବଭାଷୀ ସୁଜନ
ଗର୍ବ, ଗୌରବ ଭଳି ଚିଂତା
ବଢ଼ାଉଥିଲେ ଅସ୍ଥିରତା
ଭାଷା ବି ହୁଅଇ ଅସ୍ଥିର
ଭାଷା ତ ମନର ମୁକୁର
ଅତି ଆଦର୍ଶପରାୟଣ
ମୌଳବାଦୀ ଲେଖକଗଣ
କରଂତି ନୀତି ନିର୍ଧାରଣ
ଲୋକେ ନ କରଂତି ପାଳନ
ଭାଷାରେ ଯାହା ସ୍ବାଭାବିକ
ତାହାକୁ ମାନି କେତେ ଲୋକ
କରିଲେ ସାହିତ୍ୟ ରଚନା
ଭାଷା ଲକ୍ଷଣ ପଡ଼େ ଜଣା
ଯାହାର ଯେଉଁପରି ରୁଚି
ପାଠକେ ନେଇ ତାହା ବାଛି
କରିଲେ ରଚନା ପଠନ
ବଢ଼ଂତି ଏବେ ଭାଷାମାନ
Comments are closed.