Latest Odisha News

ଭାଷା ଭାଗବତ : କୃତି ଓ ମୁଖାକୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କୃତି ପାସୋରି, ମୁଖାକୃତି
ପ୍ରତି ରଖିଲେ ବେଶି ପ୍ରୀତି
ହୁଏ ଭାଷାର କେତେ କ୍ଷତି
ବୁଝେନି ସ୍ତୁତିକାରୀ ବ୍ୟକ୍ତି

କଲେ ମୁହଁର ଚିତ୍ରାଂକନ
ବାସ୍ତବ ରୂପଠାରୁ ଭିନ୍ନ
ଦିଶିବା ଯେଣୁ ସ୍ବାଭାବିକ
ଅନାବଶ୍ୟକ ବେଶି ତର୍କ

ଲେଖାକୁ ମିଳୁଥିଲେ ଧ୍ୟାନ
ବଢ଼ଇ ସାହିତ୍ୟର ମାନ
ବୁଝଂତି ଜନସାଧାରଣ
କଳହରତ ଜ୍ଞାନୀଗଣ

ଲେଖା ବଦଳେ ଯଦି ମୁଖ
ହୁଅଇ ଚର୍ଚାରେ ପ୍ରମୁଖ
ଚର୍ଚାର ମାନ ହୁଏ ନ୍ୟୂନ
ଏ କଥା ବୁଝୁ ଏବେ ମନ

ଶବ୍ଦଗଠିତ ଯେତେ କୃତି
ପଢ଼ିଲେ ଆପେ ଭାଷାପ୍ରୀତି
ବଢ଼ଇ ପାଇ ଦ୍ରୁତ ଗତି
ଘଟାଏ ଭାଷାର ଉନ୍ନତି

ବଚନ ବଦଳେ ବଦନ
ପ୍ରତି ଦେଲେ ଅଧିକ ଧ୍ୟାନ
ବଢ଼େନି କଥାର ସମ୍ମାନ
ଏତିକି ବୁଝଂତୁ ସୁଜନ

ଲେଖକ ହେଲେ ଚିତ୍ର, ମୂର୍ତି
ସମ୍ମୁଖେ ଜଳାଇଲେ ବତି
ଲେଖା ଆଡ଼କୁ କାହା ମତି
ଯାଏନି, ହେଉଥାଏ କ୍ଷତି

ପୁସ୍ତକ ନ ହେଲେ ପଠିତ
ନ ଛୁଏଁ ପାଠକର ହାତ
ମୂର୍ତିରେ କଲେ ମାଲ୍ୟାର୍ପଣ
ସାହିତ୍ୟ ପାଏନାହିଁ ପ୍ରାଣ

 

Comments are closed.