ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜ୍ଞାନକୁ ରଖିଥିଲେ ସଂଚି
ସମାଜ ଆପେ ପାରେ ବଂଚି
ଋଷିଂକ କଥା ଶୁଣି ଚାଷୀ
କେବେ ତ ହୁଏନି ସନ୍ନ୍ୟାସୀ !
ଜ୍ଞାନ ବଳେ ଚଳେ ଏ ବିଶ୍ବ
ଧନ ଥାଇ ବି ମନ ନିଃସ୍ବ
ହୋଇଲେ, ଘଟଇ ବିନାଶ
ଏ ସତ୍ୟ କରେଁ ମୁଁ ବିଶ୍ବାସ
ଭାଷାକୁ କଲେ ଜ୍ଞାନବାହୀ
ପାଠକେ ହୁଅଂତି ଆଗ୍ରହୀ
ଆବେଗଭରା ମନୋଭାବ
ପକାଇପାରେନି ପ୍ରଭାବ
କାଳାନୁଗତ ସାକ୍ଷୀ ହୋଇ
ଯେ ପାରେ ସତ୍ୟକୁ ସୂଚାଇ
ତାହାର ଲେଖା ଆଉ ବାଣୀ
ପାଠକ ମନ ପାରେ ଜିଣି
ସାହିତ୍ୟ ହେଲେ ବ୍ୟକ୍ତିନିଷ୍ଠ
ଭାଷା ବି ହୁଏ ପଥଭ୍ରଷ୍ଟ
ପାଠକ ପାଉଥାଂତି କଷ୍ଟ
ଭାବନା ଅସ୍ବଚ୍ଛ, ଅସ୍ପଷ୍ଟ
କରିଲେ ଅନ୍ନ ବସ୍ତ୍ର ଦାନ
ହୁଏନି ଦାରିଦ୍ର୍ୟ ନିଶ୍ଚିହ୍ନ
ଲୋକଂକୁ ଯୋଗାଇଲେ କାମ
ପ୍ରଗତି ହୁଏ ଅବିରାମ
ସଂଚିତ ଜ୍ଞାନ ବିନିଯୋଗ
ଫଳରେ ମିଳଇ ସୁଯୋଗ
ଜ୍ଞାନ ସହିତ ଧନ ମିଶି
ଜନଂକୁ ଦେଇଥାଂତି ଖୁସି
ଜ୍ଞାନର ମୁକ୍ତ ବିନିମୟ
ହଟାଏ ଅନେକ ସଂଶୟ
ମନରୁ ତଡ଼ିଦେଲେ ଭୟ
ଘଟଇ ଦୀପ୍ତ ଭାଷୋଦୟ
Comments are closed.