ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରେରଣା ଉତ୍ସାହ ସଂକଳ୍ପ
ଅଧିକ ହେଉ ଅବା ଅଳ୍ପ
ନିଜ ମନରେ କଲେ ଜାତ
ଯେ କେହି ହୁଏ ଉପକୃତ
ଖୋଜିଲେ ଏ ସବୁ ବାହାରେ
ମଣିଷ ବାରଂବାର ହାରେ
ଯାହା ନିଜର ଅଂତର୍ଗତ
ରହେନି ଅନ୍ୟର ସହିତ
ଶୁଖିଲା ପ୍ରଶଂସା ନିମଂତେ
ଯାହା ଯେମିତି କରୁଁ ଯେତେ
ତହିଁରୁ ମିଳୁଥିବା ଗର୍ବ
ଚଂଚଳ ହୋଇଯାଏ ଖର୍ବ
ସ୍ଥଳ ଓ କାଳ ଲଂଘି କଳା
ଆତ୍ମାକୁ କରିଲେ ମୁକୁଳା
ନିଶ୍ଚୟ କାଳଜୟୀ ହୁଏ
ଅସଂଖ୍ୟ ହୃଦୟକୁ ଛୁଏଁ
ଭାଷାରେ ବଂଧାହେଲେ ଭାବ
ଘୁଂଚାଇପାରେ ପ୍ରାଦୁର୍ଭାବ
ଏହା ତ ନୁହଇ ଅସତ୍ୟ
ସାହିତ୍ୟ ଭାଷାର ଅପତ୍ୟ
ଭାଷା ହେଲେ ସଳଖ ସିଧା
ଉପୁଜେନାହିଁ ବିଘ୍ନ, ବାଧା
ମନୁ ତଡ଼ିଲେ ଦ୍ବଂଦ୍ବ, ଦ୍ବିଧା
ହୋଇ ନ ଥାଏ ଅସୁବିଧା
ଯେଉଁ କାଳରେ ଥାଉଁ ଜିଇଁ
ସେଠାରୁ ପଛକୁ ଅନାଇ
କରିଲେ ଅତୀତ ବଂଦନା
କୃତିର ମାନ ହୁଏ ଊଣା
Comments are closed.