ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜୀବନ ନୁହଇ ବେଉସା
ଅଯଥା ହାନି ଲାଭ କଷା
କରିଲେ ପୂରେନାହିଁ ଆଶା
ବଢ଼ଇ ବିଭିନ୍ନ ଦୁର୍ଦଶା
ମଣିଷ ବୁଦ୍ଧିମାନ ଜୀବ
ହେଲେ ହେଁ ଏ ସଂସାରୁ ଯିବ
ପୀଡ଼ାରୁ ମିଳେନାହିଁ ମୁକ୍ତି
ଅଯଥା ଅନର୍ଗଳ ଯୁକ୍ତି
ଯୌକ୍ତିକତାକୁ କରି ପୁଂଜି
ବଂଚିବା ପାଇଁ ହେଲେ ରାଜି
ପଡ଼ଇ ବହୁବିଧ ବାଧା
ଲାଗିରହଇ ଅସୁବିଧା
ମନରେ ଏଣୁତେଣୁ ରଖି
ମଣିଷ ଯାହା ପାରେ ଶିଖି
ତହିଁରେ ବଂଚିବା କୌଶଳ
ନ ଥାଏ, ହୁଏ ଗଂଡଗୋଳ
ପ୍ରକୃତିଜାତ ହୋଇ ସୁଦ୍ଧା
ପ୍ରକ୍ରିୟା ସଂଗେ ହୁଏ ବଂଧା
ନ ଜାଣେ ନିଜ ସୀମା ଜଗି
ବୋଲାଏ ବିଶ୍ବଅନୁରାଗୀ
ଲଂଘନ କରେ ସୀମାରେଖା
ଅଧୀର ନ କରେ ପ୍ରତୀକ୍ଷା
କଥା, କାମରେ ଅବାଂତର
ହେବା ହିଁ ପ୍ରବୃତ୍ତି ତାହାର
ଶବ୍ଦର ଭାବାର୍ଥ ନ ଜାଣି
ତୁଂଡରୁ ମୁକୁଳାଏ ବାଣୀ
ଅନଂତ ଅସରା କାହାଣୀ
ଶୁଣାଏ ଯାହା ଥାଏ ଶୁଣି
ନିଜସ୍ୱ ଚିଂତାକାରୀ ଶକ୍ତି
ନ ଥିଲେ, ଯେ କୌଣସି ବ୍ୟକ୍ତି
କରିଚାଲିଲେ ପୁନରୁକ୍ତି
ଦୋହଲିଯାଏ ତା’ର ଜାତି
Comments are closed.