ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନ, ବଚନ ହେଲେ ଯୋଡ଼ି
ଭାବନା ପାରେ ଜଣେ କାଢ଼ି
ଲେଖେ ଅକ୍ଷର ଧାଡ଼ି ଧାଡ଼ି
ସୁଚିଂତା, ଦୁଶ୍ଚିଂତା ସଜାଡ଼ି
ଏପରି ଭାଷା ପାରେ ବଢ଼ି
ଖାଲ ଓ ଢିପ ସବୁ ମାଡ଼ି
ସବୁ ଧରି, କିଛି ନ ଛାଡ଼ି
ରହେନି ମଲା ପରି ପଡ଼ି
ଭାଷାର ଦାୟିତ୍ବ ସ୍ବଭାଷୀ
ନେଲେ, ସର୍ବଦା ହସି ହସି
ସଭିଏଁ ହୋଇ ସତେ ଖୁସି
ହୁଅଂତି କର୍ମଠ ସାହସୀ
ସାହସ ଧୈର୍ଯ ନିଷ୍ଠା ସଂଗେ
ଭାଷା ସଜାଂତି ନାନା ରଂଗ
ଥିଲେ ଏପରି ବର୍ଣବିଭା
ସାହିତ୍ୟ ହୁଏ ମନଲୋଭା
ଆମର ନିଷ୍କ୍ରିୟତା ଯୋଗୁଁ
ଆମେ ହିଁ ଅବସାଦ ଭୋଗୁଁ
ଭାଷା କାମରେ ମିଶି ଲାଗୁଁ
ମାନ ମର୍ଯାଦା ଏବେ ଜଗୁଁ
ଯାହା ବି କର୍ତବ୍ୟ ଆମର
ନିଜେ ହିଁ କଲେ ଏବେ ସ୍ଥିର
ଅର୍ପିବା ନିତି ଶବ୍ଦାଂଜଳି
ସ୍ବଭାଷା ପଡ଼ିବନି ଟଳି
ମନୋଭାବ ପ୍ରକାଶ କରି
ହେବା ସଭିଏଁ ଉପକାରୀ
ଏବେ କରିଲେ ଦୃଢ଼ ପଣ
ଜଣା ପଡ଼ିବ ଭାଷା ଗୁଣ
ମନର ଭାବନାରେ ମଜ୍ଜି
ଅଯଥା ଯାଉଅଛୁଁ ହଜି
ପାରୁନୁ ନିଜକୁ ବି ଖୋଜି
ଦୁଶ୍ଚିତା ରହିଛି ବିରାଜି
ଏଥିରୁ ପାଇବାକୁ ମୁକ୍ତି
ସମର୍ଥ ହୋଇ ସୁଦ୍ଧା ବ୍ୟକ୍ତି
କରୁନାହାଂତି କାର୍ଯାରଂଭ
ତେଣୁ କମୁଛି ଧୈର୍ଯ, ଦଂଭ
Comments are closed.