ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନକୁ ରଖିବାକୁ ଶୁଦ୍ଧ
ଭାବନା ନୋହୁ ଅବରୁଦ୍ଧ
ଭାବର ଗମନାଗମନ
କରେ ମନକୁ ପରିଚ୍ଛନ୍ନ
ଗଛରୁ ଝଡ଼େ ସିନା ପତ୍ର
କେବେ ତ ଝଡ଼େନାହିଁ ଚେର
ଚେର ହିଁ ଗଛର ସଂବଳ
ତା ଯୋଗୁଁ ମିଳେ ଫୁଲ, ଫଳ
ଚେର ତ ସର୍ବଦା ଅଦୃଶ୍ୟ
ହେଲେ ବି ତା’ର ଗୁଣ, ଯଶ
କେବେ ବି ହୁଏନାହିଁ ନାଶ
କରଇ ଭୂତଳ ପ୍ରବେଶ
ଭାଷାର ଚେର ଲୋକଭାଷା
ତାହାକୁ କରିଲେ ଭରସା
ପୂରଣ ହୁଏ ବହୁ ଆଶା
ନ କଲେ ଘୋଟଇ ଦୁର୍ଦଶା
ଗଛର ପତ୍ର, ଫୁଲ, ଫଳ
ଭଳି ଏ ଭାଷାର ସଂବଳ
ନୁହଇ ସାହିତ୍ୟିକ କୃତି
କେବେ ବୁଝିବ ଆମ ମତି ?
ଲୋକଭାଷା ହିଁ ଭାଷାମୂଳ
ନ ଭାବି ଆମ ଜ୍ଞାନୀକୁଳ
କରିଲେ ସୁଦ୍ଧା ଅସ୍ବୀକାର
ଭାଷା ବଢ଼ାଇପାରେ ଚେର
ବୁଝିଲେ ଚେରର ମହତ୍ତ୍ବ
କେହି ନ ହୋଇ ବିଚଳିତ
ହୋଇପାରିବା ଲୋକାଶ୍ରିତ
ତାହା ହିଁ କରେ ସର୍ବହିତ
Comments are closed.