ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମର ପାଠକ ଉଦାର
କ୍ଷମା କରଂତି ବାରଂବାର
ଲେଖକେ କରିଲେ ବି ତ୍ରୁଟି
ପାରଂତି ପ୍ରଶଂସା ସାଉଁଟି
କିଏ କ’ଣ ଭାବିବ ବୋଲି
କେହି କହଂତିନାହିଁ ଖୋଲି
ନିଜର ସ୍ପଷ୍ଟ ମନୋଭାବ
ଏହା ହିଁ ଆମର ସ୍ବଭାବ
ଭାବନା ରଖିଲେ ଲୁଚାଇ
ଭାଷାକୁ ହୁଏନି ବଂଚାଇ
କରିଲେ ଭାବନା ପ୍ରକାଶ
ଘଟଇ ଭାଷାର ବିକାଶ
ଆପଣା ଗରିମା ଓ ଜ୍ଞାନ
କରି ଅଯଥା ପ୍ରଦର୍ଶନ
ଲେଖିଲେ, ସ୍ବଭାଷାର ମାନ
ବଢ଼େ କି ଛିଡ଼େ, ବୁଝ, ଜାଣ
ଲୁଚାଇ ରଖିବାନି ଭାବ
ଦେଖାଇବାନି ତୁଚ୍ଛ ଗର୍ବ
ତା ହେଲେ ଜାଣିବ ସଂସାର
କିପରି ଆମର ସଂସ୍କାର
ଲୋକଜୀବନ, ଲୋକଭାଷା
ଉପରେ ରଖିଲେ ଭରସା
ସାହିତ୍ୟ ହୁଏ ଲୋକାଦୃତ
କରେ ଭାଷାର ବହୁ ହିତ
ଏବେ ତ ଆମ କବିଗଣ
ହେଲେଣି ସବୁଠୁଁ ବିଚ୍ଛିନ୍ନ
କଳ୍ପଲୋକରେ କରି ବାସ
ପାଆଂତି ନିରୀହ ଉଲ୍ଲାସ
ବାସ୍ତବତାକୁ ମାନିନେଇ
ପାରିବା ହିତକାରୀ ହୋଇ
ଆଗକୁ ଅଛି ଲଂବା ବାଟ
ମନକୁ ନ କରୁଁ ଉଚ୍ଚାଟ
Comments are closed.