Latest Odisha News

BREAKING NEWS

ଭାଷା ଭାଗବତ : ସଦ୍ୟତମ ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଗୋଟେ ଆଂଗୁଠି ଗଲେ କଟି
ପାଂଚଟି ଆଂଗୁଠିରେ ପଟି
ବାଂଧିବା ଭଳି ଏକ କାର୍ଯ
ହୁଅଇ ଏଠାରେ ସ୍ବୀକାର୍ଯ

ପତ୍ରଟେ ହେଲେ ହଳଦିଆ
ଡାଳକୁ କାଟିଦେବା କିଆଁ ?
ଏପରି ପ୍ରଶ୍ନର ଉତ୍ତର
ଏବେ ଖୋଜିବା ବାରଂବାର

ଅଭ୍ୟାସଗତ ଧାରା ଧରି
ଏଯାଏଁ ପାରିନୁ ସଂଚରି
ଛାଡ଼ିଲେ ଏପରି ଅଭ୍ୟାସ
ଅବଶ୍ୟ ଘଟିବ ବିକାଶ

ନିଜେ ନିଜର ଗୁଣଗାନ
କରିବା କଳାରେ ନିପୁଣ
ହୋଇଲେ ବ୍ୟକ୍ତି ଆଉ ଜାତି
ନ ହୁଏ କେବେ ବି ଉନ୍ନତି

ଅଥଚ ଲୋକଂକ ସ୍ବଭାବ
କରେନି ଏହା ଅନୁଭବ
ଗତାନୁଗତିକ ସଂସ୍କୃତି
ଯୋଗୁଁ ସ୍ଥଗିତ ଅଗ୍ରଗତି

ଏବେ ଓ ଏଠି ଯାହା କିଛି
ଆଖି ଦେଖୁଛି ଘଟୁଅଛି
ତାହାକୁ କରିଲେ ସମୀକ୍ଷା
ମିଳିବ ସଦ୍ୟତମ ଶିକ୍ଷା

ସେ ଶିକ୍ଷା କରିଲେ ପ୍ରୟୋଗ
ମିଳିବ ନବୀନ ସୁଯୋଗ
କରିଲେ ନିଜକୁ ଭରସା
ବଢ଼ିଚାଲିବ ଆମ ଭାଷା

ଲେଖକେ ସ୍ବେଚ୍ଛାରେ ଦାୟିତ୍ବ
ନେଲେ ହିଁ ଭାଷାର ସ୍ଥାୟିତ୍ବ
ହୋଇପାରିବ ସୁନିଶ୍ଚିତ
ବୁଝୁ ଜାତିର କ୍ଷୁବ୍‌ଧ ଚିତ୍ତ

 

Leave A Reply

Your email address will not be published.