Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ପଞ୍ଚଶକ୍ତି ମନ୍ଦିର ଭିତରେ ଆମେ ଚାରି ଦେବୀଙ୍କ ଦର୍ଶନ ପରେ ଏବେ ଦର୍ଶନ କରିବା ମା ଗାୟତ୍ରୀଙ୍କୁ।
ଏହି ମନ୍ଦିରର ନାଟମନ୍ଦିରରେ ବାମ ପାର୍ଶ୍ଵରେ ସରସ୍ବତୀ ପୂଜିତ ହେଉଥିବା ବେଳେ, ଦକ୍ଷିଣ ପାର୍ଶ୍ଵରେ କାନ୍ଥ ସଂଲଗ୍ନ ଏକ ପ୍ରକୋଷ୍ଠ ରେ ମା ଷଷ୍ଠୀ, ମା ସାବିତ୍ରୀଙ୍କ ସହ ମା ଗାୟତ୍ରୀ ଦେବୀ ମଧ୍ୟ ବିରାଜିତ ଅଛନ୍ତି। ପୂର୍ବକୁ ମୁଖ କରି ମା ବିରାଜମାନ। ସମ୍ପୂର୍ଣ୍ଣ ଧବଳ ବର୍ଣ୍ଣା ଓ ପଦ୍ମାସନରେ ବିରାଜିତ ମା ଗାୟତ୍ରୀ ଅନ୍ୟ ବିଗ୍ରହମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଭାବରେ ବାରି ହୋଇ ଯାଆନ୍ତି। କାରଣ ସେ ବ୍ରହ୍ମଲୋକ ବାସିନୀ। ସେ ସୂର୍ଯ୍ୟ ମଣ୍ଡଳର ଆଭାସିନୀ । ଭାରତୀୟ ସଂସ୍କୃତିରେ ମା ଗାୟତ୍ରୀଙ୍କ ଏକ ନିହାତି ସ୍ୱତନ୍ତ୍ର ସ୍ଥାନ ଅଛି। ଯେକୌଣସି ସ୍ଥିତିରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ମାତ୍ରେ ମନରେ ପବିତ୍ରତl ଓ ଶରୀରରେ ପୁଲକ ଜାଗ୍ରତ ହୁଏ । ମା ଭୁବନେଶ୍ୱରୀଙ୍କ ପାଳିଆ ସେବକ ହିଁ ମା ଗାୟତ୍ରୀଙ୍କ ପୂଜା କରି ଥାନ୍ତି। ମାଙ୍କର କୌଣସି ବିଶେଷ ଉତ୍ସବ ପାଳିତ ହେଉନଥିଲେ ମଧ୍ୟ ଶ୍ରାଦ୍ଧଳୁ ଓ ଭକ୍ତମାନେ ମା ଗାୟତ୍ରୀଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ସର୍ବଦା ଆଗ୍ରହୀଥାନ୍ତି। ଆସନ୍ତୁ ତେବେ ମାଙ୍କ ଆରାଧନା କରିବା।
“ଶ୍ୱେତବର୍ଣାଂ ସମୁଦ୍ଧିଷ୍ଠ କୌଶେୟ ବସନାବୃତାମ, ଶ୍ୱେତେବ୍ରିଲୋପନୈ ପୁଷ୍ପାଳଙ୍କାରେଶ୍ଚ ବିଭୂଷିତାମ। ଆଦିତ୍ୟ ମଣ୍ଡଳାଭାସାଂ ବ୍ରହ୍ମଲୋକ ନିବାସିନିମ, ଅକ୍ଷସୂତ୍ରଧରାଂ ଦେବୀଂ
କମଳାସନ ସଂସ୍ଥିତାମ୍ । ” ଅର୍ଥାତ ହେ ମା ଗାୟତ୍ରୀ , ତୁମେ ଶ୍ୱେତବର୍ଣ୍ଣା, ତୁମେ ପାଟବସ୍ତ୍ର ଶୋଭିତା, ତୁମେ ଶୁଭ୍ର ଚନ୍ଦନ, ପୁଷ୍ପ ଓ ଅଳଙ୍କାର ବିଭୂଷିତା। ତୁମେ ସୂର୍ଯ୍ୟ ମଣ୍ଡଳର ଅଭାସିନୀ। ତୁମେ ବ୍ରହ୍ମଲୋକ ନିବାସିନୀ, ତୁମେ ଅକ୍ଷସୂତ୍ର ଧାରଣ କରିଛ, ତୁମେ ପଦ୍ମାସନରେ ଉପବିଷ୍ଟା। ହେ ଜଗତ କଲ୍ୟାଣୀ ମା ଆମେ ତୁମଙ୍କୁ ପ୍ରଣାମ କରୁଛୁ। ଜୟ ମା ଗାୟତ୍ରୀ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.